tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କୃଷ୍ଣ କୁମାରଙ୍କୁ କବି ଗିରିଜା ବଳିୟାରସିଂଙ୍କ ଉତ୍ତର -‘ନିଦଭଂଗା ସକାଳ ସକାଶେ ୟେ ଗୋଟିଏ ଚମକ୍‍ର ଚୁମା’

1 min read

ଭାଇ ନମସ୍କାର
ଏ ଆସ୍ପର୍ଦ୍ଧାର ଆକାର କେମିତି ରଖିବେ ଆପଣ ଜଣାନାହିଁ। ଜହ୍ନର ଜ୍ୟାମିତିରେ ଜୀବନକୁ ଜାଳି ଦେଉଥିବା ପାଗଳ ପ୍ରେମିକ ମୁଁ ଗିରିଜା ଭାଇଙ୍କର। -କୃଷ୍ଣ 🙏

ନିକଟରେ ପାଦପୂରଣ କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ପ୍ରତିଥଜସା କବି ଗିରିଜା ବଳିୟାରସିଂଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଜ ସମ୍ପାଦିତ ସାହିତ୍ୟ ପତ୍ରିକା ଓ ସାମାଜିକ ଗଣମାଧ୍ୟମରେ ଯୁବ କବି କୃଷ୍ଣ କୁମାର ମହାନ୍ତି ଦୁଇ ଧାଡିରେ ନିଜକୁ “ପାଗଳ ପ୍ରେମିକ ମୁଁ ଗିରିଜା ଭାଇଙ୍କର” ବୋଲି ଲେଖିଛନ୍ତି… ଏଥିରେ ଗିରିଜା ବାବୁ କଣ ଉତ୍ତର ଦେଇଛନ୍ତି ଦେଖନ୍ତୁ…

କୃଷ୍ଣ କୁମାର ମହାନ୍ତି

କି ଉତ୍ତର ଦେଲେ କବି ଗିରିଜା ବଳିୟାରସିଂ?

+++++++++++++

ଏକାଂତ ଆଦରଣୀୟ କୃଷ୍ଣ,

  • ଆଜିର ନିଦଭଂଗା ସକାଳ ସକାଶେ ୟେ ଗୋଟିଏ ଚମକ୍‍ର ଚୁମା ଯେମିତି ! ଅପୂର୍ବ ଆଲୋକପାତ ପାଦପୂରଣ ଉପରେ, ତୋ କଲମରୁ । ହଁ, ଜହ୍ନର ଜ୍ୟାମିତି ବି ମୋର ଜର୍ଜରିତ ରେତଂଗ ଷ୍ଟେସନ୍‍ବର୍ତୀ ରେଳପଥ ଧାରରେ ଦିନେ, ମୋ କୈଶୋରକାଳୀନ ସେ ଶୁକ୍ଳପକ୍ଷର ସକରୁଣ ସ୍ମୃତି । ଅତଳତଳ ଅତୀତ ସହ ଅବଚେତନଗତ ଅଜସ୍ର ଊର୍ମି ଅଜାଣତରେ ଆସି ଛୁଇଁଯାଏ ଅବାଧ ଭାବର ବେଳାଭୂମି । ଐତିହ୍ୟ ଓ ବ୍ୟକ୍ତି ଅତଏବ ଏଇଭଳି ଅଭିବ୍ୟକ୍ତି ମଧ୍ୟରେ ଏକାକାର ହୋଇଯିବାକୁ ବାଧ୍ୟ, ନିରୁପାୟ ନିତାଂତ । ମୋତେ ଅନୁଭବ କରିପାରିଛୁ, ସେଇଥିପାଇଁ ତ ମୋର ପାଗଳ ପ୍ରେମିକ ବୋଲି ଏଠି ଏ ଅକୁଂଠ ଉଚ୍ଚାରଣ ତୋର !

ତୋ କଥିତ ତଥାକଥିତ ଏ ‘ଆସ୍ପର୍ଧା’ଠୁ ବଳି ଅତୁଲ୍ୟ ଶ୍ରଦ୍ଧା କାହିଁ କେଉଁଠି ଉପଲବ୍‍ଧ ଆମ ସମୟରେ ? ଆତ୍ମକଥନରତ ଅନେକ କୁଶୀଲବ ଏଠି, ଏକୁଆରେକ ତ ଅକୃତଜ୍ଞତାର ଉତ୍ପୀଡକ ଉଦାହରଣ ! ଅମ୍ଳଜାନର ଅଭାବରେ ଅତିଷ୍ଠ ଆମର ସମୟ – ଅଥଚ ତା କୋଳାହଳର ହଳାହଳ ଭିତରେ ତୋ ପରି ପାଗଳ ପ୍ରେମିକର ହାର୍ଦିକ କଳରବ ବି ଶ୍ରୁତିଗୋଚର ହୋଇପାରେ – ଏହା ଥିଲା ଏକାଂତ ଅଭାବିତ !


ପାଦପୂରଣ କୃତିର ଅଂତର୍ନିହିତ ଅଂତଃସ୍ବର, ଆକୃତି ଓ ଅଂଗୀକାରର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ବାବଦୀୟ ତୋର ତୀକ୍ଷ୍‍ଣଧାର ତାର୍କିକତା ମନୋମୁଗ୍ଧକର । ଓଡ଼ିଆ, ଇଂଲିଶ୍ – ଉଭୟଭାଷୀ ଅଭିବ୍ୟକ୍ତିରେ ଅନିଂଦ୍ୟସୁଂଦର ତୋ ନୈପୁଣ୍ୟ – ଏହା କହିବାରେ କୁଂଠା ନାହିଁ ତିଳାର୍ଧେ । ତଥାପି କହିବି – ଅନେକଂକର ଉପକାରରେ ଅତିବାହିତ ହୋଇଆସିଲା ତୋ ପ୍ରତିଭା, ଏଥର ନିଜର ଉପକାର ପାଇଁ ଅଳ୍ପଟିକେନାକୁ ହେଉ ପଛେ ଧ୍ୟାନଦୃଷ୍ଟି ଦେ ଅଂତତଃ । ଅନୁଜକୁ ଅନୁରୋଧ ଜଣେ ଅଗ୍ରଜର ଏଠୁ ।

ଶେଷରେ କହିବି, ନିୟମଗିରିଇଂଡୋନେସିଆଅଂଶୁପାସର୍ଗବିସର୍ଗହେଲେନ୍ବଂଶୀପୁରୁଷହୃଦୟ , ରେ ହୃଦୟ ସମୀକ୍ଷାଟିରେ ସୂଚିତ ଏ ‘ପାଦପୂରଣ’ କୃତିର ‘Seven Sections’ ବା ସାତୋଟି ବିଭାଗ ନୁହେଁ; Seven Epic-poems ତଥା ସାତୋଟି ମହାକବିତା ମାତ୍ର – ଯାହା ଏ ପ୍ରତ୍ୟେକ ଶୀର୍ଷକ ଉପରେ ବୃତ୍ତାଂକିତ । ମହାକବିତା ବା epic-poem କୌଣସିମତେ ଦୀର୍ଘକବିତା ତଥା long poem ନୁହେଁ ଏବଂ କାହିଁକି ନୁହେଁ ତାର ତାତ୍ପର୍ଯ ତୋ ଭଳି ସୂକ୍ଷ୍ମଦର୍ଶୀକୁ ଅବା କଣ କାରଣ ଦର୍ଶାଇବି ? ବୋଧହୁଏ ମାତ୍ରାତିରିକ୍ତ ଉତ୍ସାହବଶତଃ ସୂଚିପତ୍ରରେ ଏ ସାତ ମହାକବିତାକୁ ସ୍ବତଂତ୍ରରୂପେ ଚିହ୍ନଟ କରିବାକୁ ଯାଇ ସାତୋଟି ଶୀର୍ଷକକୁ ଆପାତଲୋହିତବର୍ଣାଭ କରିଦେବା ଫଳରେ ଏପ୍ରକାର ଅବଧାରଣା ଉପୁଜୁଛି – ଦେଖେଁ, ପରବର୍ତୀ ସଂସ୍କରଣରେ ସେ ମହାକବିତାର ଶୀର୍ଷକ ସବୁକୁ ଲାଲ୍ ନକରି କଳା କରିଦେବି ।

ମୋର ଏ ବାର୍ତା ଆବେଗବଶତଃ ଦୀର୍ଘ ହୋଇଗଲେ ହେଁ ଦୁଃଖ ନାହିଁ – କାରଣ ତୋ ସୁଦୀର୍ଘ ସମୀକ୍ଷା ଅପେକ୍ଷା ତାହା ସ୍ବଳ୍ପ, ସାମାନ୍ୟ ।

ଆଜି ମୋତେ ଯେଉଁ ନିରବଦ୍ୟ ନୀରବତା ଦେଲୁ, ଏଥିପାଇଁ ଅଂତରରୁ ଅଶେଷାଶିଷ ନେ•••

  • ଗିରିଜା ଭାଇ

Share

Leave a Reply