tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାତିଲ୍ କଲେ ମନ୍ତ୍ରୀ?

1 min read

Oplus_16908288

  • ତ୍ରିଶଙ୍କୁରେ କଟକ ପ୍ରେସ୍‌ଛକରେ ଡକ୍ଟର ମହତାବଙ୍କ ପ୍ରତିମୂର୍ତ୍ତି ସଂଲଗ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ

କଟକ,ଭୁବନେଶ୍ୱର,/TATKAL ODISHA//

‘୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ୧୦୦ବର୍ଷ ପୂରଣ କରିବ। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସର୍ବଶ୍ରେଷ୍ଠ ଅବଦାନ ରଖିଥିବା ବରପୁତ୍ରମାନଙ୍କ ମଧ୍ୟରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ନାମ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ। ଡଃ ମହତାବଙ୍କ ସ୍ମୃତି ରକ୍ଷା ସହ ତାଙ୍କ ଉପରେ ଯେଉଁମାନେ ଗବେଷଣା କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଇ ତାଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜନମାନସକୁ ଅଣାଯିବ। ଡଃ ମହତାବଙ୍କ ଅନେକ ପୁସ୍ତକକୁ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ମଧ୍ୟ ପୁନଃ ପ୍ରକାଶିତ କରାଯିବ। ତାଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପ୍ରଦର୍ଶିତ ହେବ।’


  ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ଗ୍ରହଣକରିଥିଲା। ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ପାଇଁ କ୍ୟାବିନେଟ୍ ମୋହର ବି ବାଜିଥିଲା। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଠିତ ଡଃ ମହତାବଙ୍କ ଜୟନ୍ତୀ ପାଳନ ପାଇଁ ଶୀର୍ଷକମିଟି କାର୍ଯ୍ୟାରମ୍ଭ ବି କରିଥିଲା। ମାତ୍ର ସବୁ ଚିତ୍ ପଟାଙ୍ଗ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା‘ଫୁ’ କରି ଉଡ଼ାଇଦେଇଥିବା ଚର୍ଚ୍ଚା ଜୋର ଧରିଛି। ସେ କଟକ ପ୍ରେସ୍‌ଛକରେ ଡକ୍ଟର ମହତାବଙ୍କ ପ୍ରତିମୂର୍ତ୍ତି ସଂଲଗ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ବାତିଲ କରିଦେଇଥିବା ଶୁଣାଯାଉଛି। ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। 

ବିବାଦର ସୂତ୍ରପାତ:

  • ଅନୁସନ୍ଧାରୁ ଜଣାପଡ଼ିଛି ଯେ,କଟକ ପ୍ରେସ୍ ଛକରେ ଅନେକ ଦିନରୁ ସ୍ଥାପିତ ଡକ୍ଟର ମହତାବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସଂଲଗ୍ନ ଅଞ୍ଚଳ, ଯାହା କି ‘ମହତାବ ମେମୋରିଆଲ୍‌’ ଭାବରେ ଜଣାଶୁଣା, ଏହାକୁ ନେଇ ତାଙ୍କର ୧୨୫ତମ ଜନ୍ମବାର୍ଷିକୀରେ ଯେଉଁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ପ୍ରସ୍ତାବ ରହିଥିଲା ତାହା ବାତିଲ୍ ହୋଇଯାଇଛି।
  • ପାର୍କ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିଜସ୍ୱ ପ୍ରାୟ ୧ଏକର ଅବ୍ୟବହୃତ ଜମିକୁ ଡକ୍ଟର ମହତାବଙ୍କ କୃତିତ୍ୱର ସ୍ମରଣ ପାଇଁ ଏନ୍‌ଏଚ୍‌ଏଆଇକୁ ପ୍ରଦାନ କରିବାକୁ ସହମତ ହୋଇଥିଲା। ଏପରିକି ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ କଟକ ଡେଭେଲପ୍‌ମେଣ୍ଟ ଅଥରିଟି(ସିଡିଏ) ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ମଧ୍ୟ ପ୍ରସ୍ତୁତ କରିସାରିଥିଲା। ସହରର ପ୍ରମୁଖ ସ୍ଥାନରେ ଥିବା ଏହି ପ୍ରତିମୂର୍ତ୍ତି ସଂଲଗ୍ନ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ମହତାବପ୍ରେମୀ ଅନେକ ଦିନରୁ ଦାବି ମଧ୍ୟ କରିଆସୁଥିଲେ।
  • ଆହୁରି ମଧ୍ୟ କଟକ ସହରରେ ଡକ୍ଟର ମହତାବଙ୍କର ଏହା ଏକମାତ୍ର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ହୋଇଥିବାରୁ ଏହାର ପାରିପାଶ୍ୱିର୍କ ସୁରକ୍ଷା ପ୍ରାଚୀର ଏବଂ ସୌନ୍ଦର୍ଯ୍ୟକରଣ ଜରୁରୀ ହୋଇପଡ଼ିଛି। କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ପ୍ରକଳ୍ପକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହାର ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରକଳ୍ପଟିକୁ ଶେଷମୁହୂର୍ତ୍ତରେ ବାତିଲ୍ କରିଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ଼ଃ ମହତାବଙ୍କୁ ଗୁରୁତ୍ୱ ଦେଉଥିଲେ ହେଁ ରାଜ୍ୟର ଜଣେ ମନ୍ତ୍ରୀ ବେଖାତିର କରୁଥିବା ଅଭିଯୋଗ ହେଉଛି…

ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପ୍ରକଳ୍ପକୁ ବାତିଲ୍ କଲେ କି?

  • ଶୁଣାଯାଉଛି ଯେ, ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରକଳ୍ପକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣରେ ପ୍ରଶ୍ନଉଠିଛି ଯେ, ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ସହମତି ଦେଇସାରିବା ପରେ ତାଙ୍କ କ୍ୟାବିନେଟ୍‌ର ଜଣେ ସହଯୋଗୀ ଏହାକୁ କିଭଳି ବାତିଲ୍ କରିପାରିବେ?
  • ଯଦି ଘଟଣାରେ ସତ୍ୟତା ଥାଏ, ତାହେଲେ ଏହା ଏକ ସାଂଘାତିକ ଘଟଣା ବୋଲି କୁହାଯାଉଛି।
  • ବିଭୂତି ଜେନାଙ୍କ ନିଷ୍ପତ୍ତି ଏକ ନୂଆ ନଜିର ସୃଷ୍ଟିକରିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଯେ ‘କିଛିନୁହେଁ’ ଏନେଇ ଏକ ନକାରାତ୍ମକ ବାର୍ତ୍ତା ଜନତାଙ୍କ ଭିତରକୁ ଯିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ଏଭଳି କରି ସଂପୃକ୍ତ ମନ୍ତ୍ରୀ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିନାହାନ୍ତି, ବରଂ ପୂଜ୍ୟପୂଜାକୁ ଅସମ୍ମାନିତ କରିବାକୁ ପଛାଇନାହାନ୍ତି ବୋଲି ମତ ପ୍ରକାଶପାଇଛି।
  • ଅନଭିଜ୍ଞ ମନ୍ତ୍ରୀଙ୍କ ଏଭଳି ଅପରିପକ୍ୱ ନିଷ୍ପତ୍ତିକୁ ନେଇ କଟକ ସହରସାରା ତୀବ୍ର ଆଲୋଡ଼ନ ସୃଷ୍ଟିହୋଇଛି। ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳ ଭାଉସାହେବ ସିନ୍ଦେଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ପ୍ରେସ୍ ଛକରେ ଡକ୍ଟର ମହତାବଙ୍କ ସ୍ମୃତିରକ୍ଷା ପ୍ରକଳ୍ପ ଓ ସୌନ୍ଦର୍ଯ୍ୟକରଣ ପାଇଁ ବାଣିଜ୍ୟ ବିଭାଗପକ୍ଷରୁ ଜମି ମିଳିନଥିଲା। କେବଳ ଆବେଦନ କରାଯାଇଥିଲା। ପ୍ରକଳ୍ପ ବାତିଲ୍ ନେଇ କୌଣସି ସୂଚନା ପ୍ରଶାସନ ନିକଟରେ ନାହିଁ। ତେବେ ସିଡିଏ ଏନେଇ ଏକ ଡିପିଆର୍ ପ୍ରସ୍ତୁତ କରିଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି।

ନେହେରୁ, ସୁବାଷ ବୋଷଙ୍କ ସହ ଡ଼ଃ ମହତାବ

ବରପୁତ୍ରଙ୍କୁ ଏଇ ସମ୍ମାନ?

  • କଟକରେ ଡଃ ମହତାବଙ୍କ ସ୍ମୃତିରକ୍ଷା ପାଇଁ ଆଉ କ’ଣ ପ୍ରସ୍ତାବ ରହିଥିଲା, କ’ଣ କାର୍ଯ୍ୟ ଅଗ୍ରଗତି ହୋଇଛି? ପ୍ରଶ୍ନର ଉତ୍ତରରେ ଶ୍ରୀ ସିନ୍ଦେ, ସେଭଳି କୌଣସି ପ୍ରସ୍ତାବ ନାହିଁ। ସେତେବେଳେ ଯାହା କାର୍ଯ୍ୟକ୍ରମ ଥିଲା ସରିଯାଇଛି। ଅଧିକ ସଂସ୍କୃତି ବିଭାଗ କହିପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।
  • ତେବେ ପ୍ରଶ୍ନଉଠୁଛି, ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ବର୍ଷ ପାଳନ ଅବସରରେ କଟକ ଜିଲ୍ଲା ପ୍ରଶାସନର ଭୂମିକା କ’ଣ ଥିଲା? କ’ଣ କେବଳ ମାରାଥନ୍ କରିବା, ସଭାର ଆୟୋଜନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ? କ’ଣ ଓ କିଭଳି ଡକ୍ଟର ମହତାବଙ୍କ ଜନ୍ମବାର୍ଷିକୀ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ତାହା ଜିଲ୍ଲା ପ୍ରଶାସନ ସାର୍ବଜନୀନ କରିବାକୁ ମହତାବପ୍ରେମୀ ଦାବି କରିଛନ୍ତି। ଏହାଛଡ଼ା ଜମିର ବ୍ୟବସ୍ଥା ନଥାଇ ଜଣେ ମହାପୁରୁଷଙ୍କ ସ୍ମୃତିରକ୍ଷା ପ୍ରକଳ୍ପପାଇଁ କିଭଳି ଡିପିଆର୍ ପ୍ରସ୍ତୁତ ହେଲା ଏବଂ ଜିଲ୍ଲା ପ୍ରଶାସନଠାରୁ କୌଣସି ପରାମର୍ଶ ସିଡିଏ କର୍ତ୍ତୃପକ୍ଷ ଲୋଡ଼ିଥିଲେ କି ନାହିଁ; ବୁଦ୍ଧିଜୀବୀମହଲରେ ଉଠିଛି ଅନେକ ପ୍ରଶ୍ନ। ଯଦି ଡିପିଆର୍ ଉଭୟ ସିଡିଏ ଓ ଜିଲ୍ଲା ପ୍ରଶାସନର ସହମତିରେ ପ୍ରସ୍ତୁତ ହୋଇଥିଲା, ତେବେ ପ୍ରକଳ୍ପ ବାତିଲ୍ ହେବାର ପ୍ରଶ୍ନ ଉଠିବ କାହିଁକି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।(କ୍ରମଶଃ)

Share

Leave a Reply