tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନବରାତ୍ରୀ ଓ ନଅ ଶାଢ଼ୀ

1 min read


★★★★★★★★★★

ଅରବିନ୍ଦ ଦାସ

କିଟି ପାର୍ଟି ଗ୍ରୁପର ସାଙ୍ଗମାନେ ବାଧ୍ୟକଲେ ବୋଲି,ଏବର୍ଷ ନବରାତ୍ରୀ ବ୍ରତ ପ୍ରଥମ ଥର ପାଇଁ ପାଳିବାକୁ ମନସ୍ଥ କରିଥିଲା
ମନୀଷା ।

  • ଏଇ ବ୍ରତ କଲେ ସବୁ ମାନସିକ ନିଶ୍ଚୟ ପୂରଣ ହୁଏ।ମା ଭାରି ପ୍ରତ୍ୟକ୍ଷ୍ୟ।”
    ମିତାଲି ଅଗ୍ରୱାଲ କହୁଥିଲା,
    -“ମୁଁ ପରା ଏତେଥର ଇଉରୋପ ଟ୍ରିପ ରେ ଯିବି ଯିବି ବୋଲି ଇଛା କରି ସୁଦ୍ଧା ଯାଇ ପାରୁ ନଥିଲି,ପ୍ରୀତିଶ ସବୁବେଳେ ବାହାନା ଦେଖାଇ ମନା କରନ୍ତି।
    ଗତବର୍ଷ ନବରାତ୍ରୀ କରି ମାନସିକ କରିଥିଲି ;ବିଶ୍ବାସ କରିବୁନି ଦଶହରା ପରଦିନ ପ୍ରୀତିଶ ଇଉରୋପ ଟ୍ରିପ ବୁକ କରିଦେଲେ।”
    ସ୍ଵାଗତିକା ଧୀର ସ୍ୱରରେ କହିଲା,
    -“ମୋ ମିଷ୍ଟରଙ୍କର ଗୋଟେ ଝିଅ ସହ ଚକ୍କର ଚାଲୁଥିଲା।ନବରାତ୍ରୀ କଲି, ସେଇ ଟୋକିର ବାହାଘର ଅନ୍ୟ ଲୋକ ସହ ହୋଇ ଦିଲ୍ଲୀ ଟ୍ରାନ୍ସଫର ହୋଇଗଲା।ଜୟ ମାତା ଦୀ।”
    ମନୀଷା ପଚାରିଲା,
    -“ତୁ ତ କିନ୍ତୁ କହୁଥିଲୁ ସନ୍ତୋଷୀ ମାତା ବ୍ରତ କରୁଥିଲୁ ବୋଲି ?”
    ଟିକେ ବିରକ୍ତ ହୋଇ ସ୍ଵାଗତିକା କହିଲା,
  • “କରୁଥିଲି,ହେଲେ ଏବେ ସନ୍ତୋଷୀ ମା ବ୍ରତ କାମ ଦେଉନି।ଷୋହଳ ଶୁକ୍ରବାର ରୁ ଛବିଷ ଶୁକ୍ରବାର ହୋଇଗଲା,କିଛି ଫଳ ମିଳିଲାନି।ନବରାତ୍ରୀ ବ୍ରତ କିନ୍ତୁ ଭଲ କାମ ଦେଲା।ତା ସାଙ୍ଗରେ ନଅ ଟା ଶାଢ଼ୀ ବି କିଣିବାର ମଉକା ମିଳିଲା।ଅବଶ୍ୟ ପୁରୁଣା ଶାଢୀ ପିନ୍ଧି ଏ ପୂଜା ହୋଇ ପାରିବ।ହେଲେ ତୋ ବାହାଘରକୁ ତ ବର୍ଷେ ପୁରିନି।ତୋ ହଜବ୍ୟାଣ୍ଡ କଣ ନଅ ଟା ଶାଢ଼ୀ ପାଇଁ ମନା କରିବେ ?”
    ଆଶ୍ଚର୍ଯ୍ୟ ହୋଇ ମନୀଷା ଅନେଇବାରୁ ମିତାଲି ଅଗ୍ରୱାଲ କହିଲା,
    -“କଲର କୋଡ଼ ଅନୁସାରେ ନଅ ରଙ୍ଗର ଶାଢ଼ୀ ସମସ୍ତେ ପିନ୍ଧି ପୂଜା କରିବା,ସେଲ୍ଫି ଉଠାଇବା।ତୁ ତ ଏଇ ବର୍ଷ ନୂଆ ଆସିଛୁ।ତେଣୁ ପୂର୍ବ ବର୍ଷ ଆମ ଫଟ ସବୁ ଦେଖିନୁ।”
    ମୋବାଇଲରେ ନବରାତ୍ରୀ ପୂଜା ଫଟ ଦେଖିଲା ମନୀଷା।ସମସ୍ତେ ଏକା ରଙ୍ଗର ଦାମୀ ଶାଢ଼ୀ ସହ ମେକପ ହୋଇ ଫଟ ଉଠାଇଛନ୍ତି।କେଉଁଠି ଅଣ୍ଟାକୁ ଅଣ୍ଟା ଧରି ତ କେଉଁଠି ପୂଜା ଆରତୀ ଥାଳି ଧରି।ବାଃ, କେତେ ସୁନ୍ଦର ଫଟ !
    ଟିକେ ଚିନ୍ତାକରି ମନୀଷା କହିଲା,
  • ସତ କହିବାକୁ ଗଲେ ମୁଁ ନିର୍ଜଳା କାଷ୍ଠା ଓପାସ କରିପାରେନା।ଦିନ ସାରା ଓପାସ ରହି ସନ୍ଧ୍ୟା ବେଳକୁ ଖାଇବା ବି ମୋ ଦେଇ ହୁଏନା।ମୁଣ୍ଡ ବୁଲାଏ ମୋର।”
    ହସିଦେଇ ସେଜଲ କହିଲା,
  • ନିର୍ଜଳା ଓପାସ କାହିଁକି କରିବୁ ?ଆଇଁଶ,ଭାତ ଇତ୍ୟାଦି କିଛି ଜିନିଷ ବାରଣ ଅଛି।ଇଣ୍ଟରନେଟ ଦେଖି ନବରାତ୍ରୀ ଖାଇବା ବନାଇବୁ ।ତା ଛଡା ସେଇ ନଅ ଦିନ ସବୁ ସାଙ୍ଗଙ୍କ ଘରେ ଦିନେ ଦିନେ ପୂଜା ଓ ଏକାଠି ଖିଆପିଆ।ଆଉ ରାତିରେ କ୍ଳବରେ ଦାଣ୍ଡିଆ ଓ ସେଇଠି ଖାଇବା ଆରେଞ୍ଜ ହୁଏ।କିଛି ଚିନ୍ତା ନାହିଁ।ନଅ ଦିନ ସରିଗଲା ପରେ ଲାଗେ,ଆହା ଏ ବ୍ରତ ନବେଦିନ ହେଲେ ହୋଇଥାନ୍ତା ?”
    ହସିଲେ ସମସ୍ତେ।
    ସାଙ୍ଗମାନଙ୍କ ନବରାତ୍ରୀ ପୁରୁଣା ଫଟ ସବୁ ଦେଖି ମନୀଷା ଭାବିଲା କଣ କହି ରାଜି କରାଇବ ସ୍ବାମୀକୁ ?ସୁମନ୍ତ ତ ଜମା ରାଜି ହେବନି।ଅଯଥା ଖର୍ଚ୍ଚ ବୋଲି ମନା କରିଦେଇପାରେ।
    ଘରକୁ ଫେରି ମମିଙ୍କୁ ଫୋନ ଲଗାଇଲା ମନୀଷା।
  • ମମି,ନଅ ରଙ୍ଗ ଶାଢ଼ୀ କଥା ଶୁଣି ସୁମନ୍ତ ରାଗିବେ ଓ ଏଇ ବ୍ରତ କରିବାକୁ ସିଧା ମନା କରିଦେବେ।ମୋପାଖରେଲାଲ,ହଳଦିଆ,ଶାଗୁଆ,କମଳା ଇତ୍ୟାଦି ରଙ୍ଗର ଶାଢ଼ୀ ଅଛି।କିନ୍ତୁ ଅନ୍ୟ କିଛି ରଙ୍ଗ ଶାଢ଼ୀ କିଣିବାକୁ ପଡିବ।ମୋ କିଟି ପାର୍ଟି ସାଙ୍ଗମାନଙ୍କୁ ମୁଁ କଣ କହିବି ?ତୁ ଟିକେ ୟାଙ୍କୁ କହିଦେ ଯେ ଏଇ ବ୍ରତ ମୋତେ କରିବାକୁ ତୁ କହିଛୁ ବୋଲି।ତୋ କଥା ଇୟେ ଜମା କାଟି ପାରିବେ ନାହିଁ।ବାପାଙ୍କୁ ତୁ ତ ସବୁବେଳେ ବଢିଆ ପଟାଉ।”
    ହସିଦେଇ ସଂଘମିତ୍ରା କହିଲେ,
    -“ଇୟେ ଗୋଟେ କଥା ?ମୁଁ ପରା ଯେବେ ବ୍ରତକରେ,ସବୁବେଳେ ତୋ ଡ୍ୟାଡ଼ିଙ୍କୁ କହେ ଏଇ ଶାଢ଼ୀ ମୁଁ ନୁହେଁ ଦେବୀ ମା ପିନ୍ଧିବେ ବୋଲି।ତୋ ଡ୍ୟାଡ଼ି ଆଉ କେମିତି ମନା କରନ୍ତେ ?ତେବେ ଜ୍ବାଇଁ ଙ୍କୁ କହିବୁନି କି ତୋ ପାଖରେ କିଛି ଶାଢ଼ୀ ଅଛି ବୋଲି।ପୁରା ନଅ ଟା ରଙ୍ଗର ନବରାତ୍ରୀ ସେଟ ପାଟ ଶାଢ଼ୀ କିଣିବା ପାଇଁ ତାଙ୍କୁ ରାଜି କରାଇଦେବି।କିଛି ଖର୍ଚ୍ଚ କରନ୍ତୁ ଜ୍ବାଇଁ ଆମର ଦଶହରା ରେ।”
    ମମିଙ୍କ କଥା ଶୁଣି ଉଲ୍ଲସିତ ହୋଇଉଠୁଥିଲା ମନୀଷା।
    ସୁମନ୍ତ ଅଫିସରୁ ଫେରିବା ପରେ ମନୀଷା ଗେଳ୍ହେଇ ହୋଇ ସବୁ କହି ମମିଙ୍କୁ ଫୋନ ଲଗାଇ ଧରାଇ ଦେଲା।ଚୁପଚାପ ସବୁ ଶୁଣିଲା ସୁମନ୍ତ।
  • ଏକାବେଳେ ନଅ ଟା ଶାଢ଼ୀ ?ତାହା ପୁଣି ପାଟ ?ଆଛା ଏ କିଟି ପାର୍ଟି ବାଲାଙ୍କ ନବରାତ୍ରୀ।”ଦୀର୍ଘ ନିଶ୍ବାସ ଛାଡିଲା ସୁମନ୍ତ।
    ପରଦିନ ଅଫିସରୁ ଫେରି ସୁମନ୍ତ ହସିଦେଇ କହିଲା,
    -“ଆମ ଘରକୁ ଫୋନ କରି ବୋଉକୁ ତମ ବ୍ରତ କଥା କହିବାରୁ ଭାରି ଖୁସି ହେଲା।ବୋଉ କହିବା ଅନୁସାରେ ବ୍ରତ ପାଇଁ ନଅଟା ରଙ୍ଗର ଶାଢ଼ୀ ଆଣି ଆଲମାରୀ ରେ ରଖିଛି।”
    ନିଜ କାନକୁ ବିଶ୍ବାସ କରିପାରିଲାନି ମନୀଷା।ଶାଶୁ ବି ରାଜି ହୋଇଗଲେ ?ଗୋଟେ,ଯୋଡ଼େ ନୁହେଁ, ନଅ ଟା ଶାଢ଼ୀ ନେଇଆସିଲେ ସୁମନ୍ତ।ଦେବୀ ମାତା ଏତେ ପ୍ରତ୍ୟକ୍ଷ !ବ୍ରତ ପୂର୍ବରୁ ମନୋସ୍କାମନା ପୁରଣ କରିଦେଉଛନ୍ତି !ଜୟ ମାତା ଦୀ।
    ଆଲମାରୀରେ ଥିବା ପ୍ୟାକେଟ ଖୋଲି ଆଶ୍ଚର୍ଯ୍ୟ ହୋଇ ମନୀଷା ପଚାରିଲା,
    -“ଏଇ କୁନି କୁନି ନଅଟା ଶାଢ଼ୀ କାହାର ?କଣ୍ଢେଇ ପିନ୍ଧିଲା ଭଳି ହୋଇଛି।”
  • ସେଇଟା ଦେବୀ ମା ଙ୍କ ପାଇଁ।ତମ ମମି କହିଥିଲେ ପରା ।”
  • ଆଉ ,ମୋ ଶାଢ଼ୀ ?”
    ସୁମନ୍ତ କିଛି କହିବା ଆଗରୁ ମନୀଷା ର ମୋବାଇଲ ବାଜି ଉଠିଲା।ସେପଟୁ ମମିଙ୍କ ଫୋନ।
  • ମା ମନୀଷା, ତୋ ଶାଶୁ ବୁଢ଼ୀ ଖଣ୍ଡକ ପକ୍କା ଚାଲାଖ।ମୋତେ ଫୋନ କରି କହିଲେ,ଝିଅକୁ ବ୍ରତ କରିବାକୁ କହି ମୋ ପୁଅକୁ ଶାଢ଼ୀ କିଣିବାକୁ ବରାଦ ଦେଉଛ ?ବାହାଘର ପ୍ରଥମ ବର୍ଷରେ ଝିଅ ପାଇଁ ସବୁ ପୂଜାଜିନିଷ,ଶାଢ଼ୀ,
    ବେଭାର ପଠାଇବା ଦାୟିତ୍ୱ ପରା ବାପଘର’ର।ସାଙ୍ଗରେ ଶାଶୁ ପ୍ରଣାମୀ ବି ପଠାଇବ ସମୁଦୁଣି।”
    ଟିକେ ନିଶ୍ବାସ ନେଇ ପୁଣି କହିଲେ,
    -“ଏଇନା ତୋ ପାଇଁ ନଅଟା ରଙ୍ଗର ପାଟ ଶାଢ଼ୀ, ଯାହା ଜ୍ବାଇଁଙ୍କୁ କିଣିବାକୁ କହିଥିଲି,ତାହା ତୋ ବାପାଙ୍କୁ କିଣିବାକୁ କହିବାରୁ, ମୋତେ ମୋ ବାପଘରକୁ ଯିବାକୁ କହୁଛନ୍ତି।ତୁ ଆଛା ଏ ନବରାତ୍ରୀ ପୂଜା କଲୁଯେ ମୋର ଦଶହରା ବାହାରିଲାଣି।”
    (©ଅରବିନ୍ଦଦାସ)
Share

Leave a Reply