‘ନୂଆଖାଇ ଜୁହାର’: ସୃଜନୀ ଅନ୍ତରାଷ୍ଟ୍ରୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ
1 min read
ଚେନ୍ନାଇ, ଭୁବନେଶ୍ୱର, ସମ୍ବଲପୁର//TATKAL ODISHA //
ସୃଜନୀ ପରିବାର ଆନୁକୂଲ୍ୟରେ ” ନୂଆଖାଇ ଜୁହାର” ସୃଜନୀ ଅନ୍ତରାଷ୍ଟ୍ରୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ ବହୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ତଥା ବରେଣ୍ୟ ଅତିଥି ଓ ଆଲୋଚକ ବୃନ୍ଦଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I
ଓଡ଼ିଶାର ଅନନ୍ୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସୃଜନୀ ଦ୍ୱାରା ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ କୋଶଳୀ-ସମ୍ବଲପୁରୀ ଭାଷାର ଲୋକକବି ,”ଲୋକକବି ରତ୍ନ” ପଦ୍ମଶ୍ରୀ ଡକ୍ଟର ହଳଧର ନାଗ ବରେଣ୍ୟ ମୁଖ୍ୟଅତିଥି ରୂପେ ଯୋଗଦେଇ ନୂଆଁଖାଇର ପବିତ୍ର ପରମ୍ପରା ପ୍ରସଙ୍ଗରେ ଆଲୋଚନା କରିବା ସହ ଲୋକଗୀତ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ I
ଭବ୍ୟ ସଭାରେ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ ) ପ୍ରାପ୍ତ ଲୋକତତ୍ତ୍ଵବିତ୍ ପଦ୍ମଶ୍ରୀ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ସଭାର ବରେଣ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗଣପର୍ବ ନୂଆଁଖାଇ ର ସାଂସ୍କୃତିକ ମୂଲ୍ୟବୋଧ ସହ ପରମ୍ପରା ,ଲୌକିକ ତଥ୍ୟ,ତତ୍ତ୍ୱ ଓ ସାମାଜିକ ବାର୍ତ୍ତା ପ୍ରସଙ୍ଗରେ ଆଲୋଚନା କରିବା ସହ ବିଶ୍ୱ ଭାବନା ପ୍ରତି ଗଣପର୍ବ ନୂଆଁଖାଇ ର ପ୍ରାସଙ୍ଗିକତା ପ୍ରତି ନିଜ ବକ୍ତବ୍ୟରେ ଦୃଷ୍ଟିପାତ କରିଥିଲେ I
କାନାଡା ରାଷ୍ଟ୍ରର ପ୍ରସିଦ୍ଧ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନ “କୁଇନ୍ସ ବିଶ୍ୱବିଦ୍ୟାଳୟ” ର ପ୍ରାକ୍ତନ ପୋଷ୍ଟଡକ୍ଟୋରାଲ୍ ଗବେଷକ ତଥା ବିଶିଷ୍ଟ ମନସ୍ତତ୍ତ୍ୱବିତ୍ତ ପ୍ରଫେସର୍ ଅର୍ଜୁନ ପୁରୋହିତ ସଭାରେ ବରେଣ୍ୟ ଅତିଥି ରୂପେ ଯୋଗଦେଇ ବିଦେଶ ମାଟିରେ ଗଣପର୍ବ ନୂଆଁଖାଇ ଭାବନା ପ୍ରସଙ୍ଗରେ ଆଲୋଚନା କରିଥିଲେ I
ଟରୋଣ୍ଟୋ( କାନାଡ଼ା) ସ୍ଥିତ ପ୍ରଭୁ କନ୍ସଲଟିଙ୍ଗ ଇଣ୍ଟରନେସନାଲ୍ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଶାନ୍ତ ଭୂୟାଁ, ସାନ ଫ୍ରାନ୍ସିସ୍କୋ ରେ ଅବସ୍ଥାପନ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରୀଯୁକ୍ତ ଦେବବ୍ରତ ପଣ୍ଡା, ପ୍ରାକ୍ତନ ଭେଷଜ ବୈଜ୍ଞାନିକ ଶ୍ରୀମତୀ ଚନ୍ଦ୍ରା ମିଶ୍ର , କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ବରେଣ୍ୟ ଆଲୋଚକ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର,ସଭାର ବରେଣ୍ୟ ଆବାହକ ତଥା ପ୍ରାକ୍ତନ ମହାପ୍ରବନ୍ଧକ (Indian Bank) ଶ୍ରୀଯୁକ୍ତ ବନବିହାରୀ ପଣ୍ଡା ଆଦି ସଭାରେ ଉପସ୍ଥିତ ରହି “ଓଡ଼ିଆ ଜାତିର ପରିଚୟ ଭାଷା,ସଂସ୍କୃତି ଓ ଗଣପର୍ବ : ଆମ ସ୍ୱାଭିମାନ : ଜାତିର ଜାଗୃତି ଓ ପ୍ରଗତି ” ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ମାଧ୍ୟମରେ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I

ବିଶେଷ ଅବସରରେ ଆୟୋଜିତ ଆଭାସୀ ସଭାରେ ସୃଜନୀର ମୁଖ୍ୟ ଉପଦେଷ୍ଟା-ସୃଜନୀ ତଥା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଆଶୁତୋଷ ସାମନ୍ତସିଂହାର, ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଡ. ଗୋଦାବରୀଶ ମିଶ୍ର, ସୃଜନୀର ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ,ସଂପାଦକ ଅଶୋକ ସାମନ୍ତ ,ସମଦୃଷ୍ଟି-ସମ୍ପାଦକ ବିଘ୍ନେଶ୍ଵର ସାହୁ, ଲିପିତ୍ତ୍ୱବିତ କୈବଲ୍ୟ ମିଶ୍ର ଆଦି କାର୍ଯ୍ୟକ୍ରମ ପ୍ରଗତିରେ ସହାୟତା କରିଥିଲେ ।
ଆକାଶବାଣୀ ଭବାନୀପାଟଣାର ସ୍ୱୀକୃତିପ୍ରାପ୍ତ ଉଦ୍ଘୋଷିକା ସୁମତି ମୁଣ୍ଡ ଏବଂ ସାହିତ୍ୟିକା ସୁଦ୍ରୁମା ପଣ୍ଡା ଉଭୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ଆଭାସୀ ସଭାରେ ପ୍ରସାର ଭାରତୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ଗୀତିକାର ତଥା କଣ୍ଠଶିଳ୍ପୀ ଆନନ୍ଦିନୀ ମିଶ୍ର,ଗୀତିକାର ତଥା କଣ୍ଠଶିଳ୍ପୀ ଝରଣା ପାଢ଼ୀ ସମେତ ସମସ୍ତ କଣ୍ଠଶିଳ୍ପୀଙ୍କ ଗୀତରେ ସଭା ସଂଗୀତମୟ ହୋଇଥିଲା I
ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I
