ସାମ୍ବାଦିକଙ୍କ ସମସ୍ୟା ଜାତୀୟ ସ୍ତରରେ ଉଠାଇବି: ପ୍ରସନ୍ନ ମହାନ୍ତି
1 min read
ଓଡ଼ିଶା ପ୍ରେସ୍ ଆକ୍ରିଡିଟେସନ୍ କମିଟିର ପୁନର୍ଗଠନ ପାଇଁ ଦାବି, ଦୁଇ ମାସ ମଧ୍ୟରେ ଗଠନ ପାଇଁ PCIର ନିର୍ଦ୍ଦେଶ
ଭୁବନେଶ୍ୱର,//TATKAL ODISHA//
ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI)ର ସଦସ୍ୟ ଭାବେ ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଥିବା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତିଙ୍କୁ ରବିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସାମ୍ବାଦିକଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ନିରନ୍ତର ଉଦ୍ୟମକୁ ସ୍ୱୀକୃତି ଜଣାଇ OUJ ଏହି ସମ୍ବର୍ଦ୍ଧନା ଆୟୋଜନ କରିଥିଲା।
ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ଦ୍ୱିତୀୟ ଥର ଦାୟିତ୍ୱ ପାଇବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ତେବେ ଏହା କେବଳ ଏକ ସମ୍ମାନ ନୁହେଁ, ବରଂ ସାମ୍ବାଦିକ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ ବୋଲି ସେ କହିଥିଲେ। ଦେଶର ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କ ମର୍ଯ୍ୟାଦା, ପେସାଗତ ସୁରକ୍ଷା ଓ ସାମାଜିକ ନିରାପତ୍ତା ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇବା ପାଇଁ ସେ ନିରନ୍ତର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସାମ୍ବାଦିକଙ୍କ ପାଇଁ ପ୍ରେସ୍ ଆକ୍ରିଡିଟେସନ୍, ପେନସନ୍, ରେଳଯାତ୍ରାରେ ରିହାତି ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ଭଳି ପ୍ରସଙ୍ଗକୁ ସେ ପ୍ରାଥମିକତା ଦେବେ ବୋଲି କହିଥିଲେ। ସାମ୍ବାଦିକମାନଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟା ଯେପରି ପ୍ରେସ୍ କାଉନସିଲ୍ରେ ଉପଯୁକ୍ତ ଗୁରୁତ୍ୱ ପାଏ, ସେଥିପାଇଁ ଉଦ୍ୟମ କରିବେ ବୋଲି ସେ ସ୍ପଷ୍ଟ କରିଥିଲେ।
ଓଡ଼ିଶାରେ ଦୀର୍ଘ ପ୍ରାୟ ୧୯ ବର୍ଷ ଧରି ପ୍ରେସ୍ ଆକ୍ରିଡିଟେସନ୍ କମିଟି ଗଠନ ହୋଇନଥିବା ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଏହି କମିଟି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱୀକୃତି ମିଳିବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁରକ୍ଷା ପାଇବାରେ ସହାୟତା ମିଳିଥାଏ। କମିଟି ନଥିବାରୁ ଅନେକ ଯୋଗ୍ୟ ସାମ୍ବାଦିକ ସେମାନଙ୍କ ହକ୍ର ସ୍ୱୀକୃତି ଓ ସୁବିଧାରୁ ବଞ୍ଚିତ ହେଉଥିବା ସେ କହିଥିଲେ।

ଏହି ପ୍ରସଙ୍ଗକୁ ସେ ନିକଟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଏକ ବୈଠକରେ ଉଠାଇଥିବା ସୂଚନା ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ତାଙ୍କ ହସ୍ତକ୍ଷେପ ପରେ ଦୁଇ ମାସ ମଧ୍ୟରେ ଓଡ଼ିଶା ପ୍ରେସ୍ ଆକ୍ରିଡିଟେସନ୍ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ PCI ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କମିଟି ଗଠନ ନହେଲେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ବିଳମ୍ବର କାରଣ ଦର୍ଶାଇବାକୁ ପ୍ରେସ୍ କାଉନସିଲ୍ ଡକାଇପାରିବ ବୋଲି ସେ କହିଥିଲେ।
ଭୁବନେଶ୍ୱରସ୍ଥିତ OUJ ଭବନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ। ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କିଷାନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଗଠନର ଉପସଭାପତି ସନ୍ତୋଷ ସିଂ ଦେଓ, ତ୍ରିବ୍ୟୁନାଲ ଅଧ୍ୟକ୍ଷ ଅଭୟ ପତି, ଲିଗାଲ ସେଲ ଅଧ୍ୟକ୍ଷ ରାଜୀବ ମହାନ୍ତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଦିତ୍ୟ ମେକାପ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଅଶୋକ ନନ୍ଦ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ସମ୍ପାଦକ ଦେବପ୍ରସାଦ ଦାଶ,ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ସଭାପତି ଏବଂ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ବକ୍ତାମାନେ ଶ୍ରୀ ମହାନ୍ତିଙ୍କ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ଓ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ତାଙ୍କ ଉଦ୍ୟମର ପ୍ରଶଂସା କରିଥିଲେ। ପ୍ରେସ୍ କାଉନସିଲ୍ରେ ତାଙ୍କ ନୂଆ ଦାୟିତ୍ୱ ଓଡ଼ିଶାର ସାମ୍ବାଦିକଙ୍କ ସ୍ୱରକୁ ଜାତୀୟ ସ୍ତରରେ ଅଧିକ ଶାଣିତ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ରାଜ୍ୟର ସାମ୍ବାଦିକଙ୍କ ଏକତା ଓ ସ୍ୱାର୍ଥରକ୍ଷା ଦିଗରେ OUJ ଆଗାମୀ ଦିନରେ ଆହୁରି ସକ୍ରିୟ ଭୂମିକା ନେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ରାଜ୍ୟ କୋଷାଧକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
