ଓଡ଼ିଆ ନବ ବର୍ଷରେ ‘ସ୍ବାଗତଂ’
1 min read
Oplus_16908288
ଆମ ନବ ବର୍ଷ, ମହାବିଷୁବ ସଂକ୍ରାନ୍ତି , ହନୁମାନ ଜୟନ୍ତୀ
- ++++++++++
- ଶ୍ରୀକାନ୍ତ ଦାଶ
- +++++++++
ମେଷ ସଂକ୍ରାନ୍ତିକୁ ହିଁ ବିଷୁବ ସଂକ୍ରାନ୍ତି ବୋଲି କହିଥାନ୍ତି । ଆଉ ଏ ବିଷୁବ ସଂକ୍ରାନ୍ତି ଓଡ଼ିଶାରେ ନୂଆ ବର୍ଷ ଭାବେ ପାଳନ କରାଯାଏ । ଏହି ଦିନ ଠାରୁ ନୂଆ ପଞ୍ଜିକା ପ୍ରଚଳନ ହୋଇଥାଏ ।
ବିଷୁବ ସଂକ୍ରାନ୍ତି ସୌର ବର୍ଷର ପ୍ରଥମ ଦିବସ ହୋଇଥିବାରୁ , ଏହି ଦିନ ଓଡ଼ିଆ ପରିବାର ତଥା ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ଏହି ବିଷୁବ ସଂକ୍ରାନ୍ତି ପଣାସ°କ୍ରାନ୍ତି ନାମରେ ବେଶ୍ ଜଣାଶୁଣା ।
ପଣାସ°କ୍ରାନ୍ତିରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଏ । ବିଶ୍ବାସ କରାଯାଏ ଯେ ସୂର୍ଯ୍ୟ ଏବଂ ପବନର ପ୍ରକୋପରୁ ରକ୍ଷା ପାଇବା ପାଇଁ ସଂକଟ ମୋଚନ ଶ୍ରୀ ମହାବୀରଙ୍କୁ ଆରାଧନା କରାଯାଇଥାଏ।
ଭାରତର ଅନେକ ଅଞ୍ଚଳରେ ମେଷ ସଂକ୍ରାନ୍ତି କୁ ନଵଵର୍ଷ ଭାବେ ପାଳନ କରାଯାଇଥାଏ।

ତାମିଳନାଡୁ଼,କେରଳ,ଓଡ଼ିଶା ପଶ୍ଚିମଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ମାନେ ଏହାକୁ ପାରମ୍ପରିକ ପର୍ଵ ଭାବେ ପାଳିଥାନ୍ତି । ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ ।
ଵିଷୁଵ (ମେଷ)ସଂକ୍ରାନ୍ତିକୁ ‘ଭୁଇସୁଇ ‘ ନାମରେ ତ୍ରିପୁରା ରେ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଉତ୍ତରାଖଣ୍ଡର କୁମାଉନ୍ ଅଞ୍ଚଳରେ ଏହା “ବିଖୁ ଵା ବିଖାଉତି” ନାମରେ ନଵଵର୍ଷ ରୂପେ ପାଳିତ ହୁଏ । କେରଳୀ ଓ ତୁଲୁମାନେ ‘ଵିଷୁ’, କୋଡ଼ଵାଭାଷୀ ଲୋକମାନେ “ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି” ଓ ତାମିଲ ଭାଷାଭାଷୀ ‘ପୁଥାଣ୍ଡୁ’
ଭାବେ ମହାଵିଷୁଵ ବା ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ରୂପରେ ପାଳିଥାନ୍ତି ।

- ମେଷ ସଂକ୍ରାନ୍ତି ଦିନ ଆସାମ ଓ ମେଘାଳୟର ବୋଡ଼ୋ ଜନଜାତୀୟ ଲୋକଙ୍କ ପାରମ୍ପରିକ ନଵଵର୍ଷ Bwisagu ପାଳନ କରାଯାଉଥିଲାବେଳେ ଆସାମର ମୁଖ୍ୟ ଜନଜାତି ଅହୋମମାନଙ୍କ ଦ୍ବାରା ପାରମ୍ପରିକ ନଵଵର୍ଷ ରୂପରେ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ବିହୁ,ରଙ୍ଗୋଲୀ ବିହୁ ନାମରେ ପାଳିତ ହୋଇଥାଏ । ସେହିପରି ପଞ୍ଜାବ , ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିଆଣାର ଲୋକମାନେ ମହାଵିଷୁଵ (ପଣା ) ସଂକ୍ରାନ୍ତିକୁ ଵୈଶାଖୀ ନାମରେ ପାଳନ କରନ୍ତି ଏଵଂ ଏହା ଏହି ଅଞ୍ଚଳର ଲୋକଙ୍କର ପାରମ୍ପରିକ ନଵଵର୍ଷ ଅଟେ । ନେପାଳ ଓ ବିହାରର ମୈଥିଳୀଭାଷୀ ଲୋକଙ୍କର ମଧ୍ୟ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଅଟେ ।
ଏହି ଦିନରୁ ବର୍ଷ ଆରମ୍ଭ ହେଉଥିବାରୁ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ଲୋକଙ୍କୁ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି । ତୁଳସୀ ଭଳି ପଵିତ୍ରତମ ବୃକ୍ଷ ( ବାସ୍ତୁଶାସ୍ତ୍ର , ଆୟୁର୍ବେଦ ଓ ଧର୍ମ ଶାସ୍ତ୍ର ଅନୁଯାୟୀ) ଉପରେ ଠେକି ବସା ଯାଇ ଜଳଦାନ କରିଵା ସହ ନର, ପଶୁ ପକ୍ଷୀ ବୃକ୍ଷ ଲତା ସମୂହକୁ ଜଳ ଦାନ (ପଣା) ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା କରିବାର ସାଙ୍କେତିକ ଉପଦେଶ ଦେଵା ଭଳି ମହାର୍ଘ ଉତ୍ସବ ହେଉଛି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ / ମହା ଵିଷୁଵ ବା ପଣା ସଂକ୍ରାନ୍ତି !
ଏହି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା,ଚଡ଼କ ଯାତ୍ରା ପାଳିତ ହୁଏ | ବିଭିନ୍ନ ଶକ୍ତି ପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି),କରାଯାଏ |ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଜଳଦାନ ଓ ପଣା ପ୍ରଦାନ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ ।
ଶ୍ରୀ ମନ୍ଦିରରେ ହନୁମାନଙ୍କ ପୂଜାର୍ଚ୍ଚନା * ମହା ଵିଷୁଵ ସଂକ୍ରାନ୍ତିଠାରୁ ବାୟୁର ଗତି କ୍ରମଶଃ ପ୍ରଖର ହୁଏ ଏଵଂ ଏହି ଦିନଠାରୁ ‘କାଳଵୈଶାଖୀ’ ପ୍ରଵାହିତ ହୋଇଥାଏ । ହନୁମାନ ହେଉଛନ୍ତି ଵାୟୁପୁତ୍ର ତଥା ପୁରାଣର କଥା ଅନୁସାରେ ସେ ନିଜ ବାଳବୁଦ୍ଧିରେ ସୂର୍ଯ୍ୟଙ୍କୁ ଗିଳିଦେଵାକୁ ଉଦ୍ୟତ ହୋଇଥିଲେ । ଅତଃ କଳିଙ୍ଗଵାସୀ ଗ୍ରୀଷ୍ମଋତୁର ଆରମ୍ଭରେ ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ମହାଵିଷୁଵ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳନ କରିଥାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ତେଣୁ ଏହି ମହାଵିଷୁଵ ସଂକ୍ରାନ୍ତି ଦିନ ହନୁମାନଙ୍କର ଵିଶେଷ ପୂଜା,ଆରାଧନା କରାଯାଏ । ମହାଵିଷୁଵ ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେଵା ପରେ ହନୁମାନଙ୍କ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିଵା ଵିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାଵୀର ଓ ବାର ଭାଇ ମହାଵୀରମାନଙ୍କୁ ଆଜ୍ଞାମାଳ ଦେଵା ପରେ ଵିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ଵିଜେ କରାନ୍ତି । ହନୁମାନ ଵିମାନରେ ରହିଥିଵା ଅଵସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ଵିରାଜିତ ମହାଵୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା’ପରେ ଦରିଆ ମହାଵୀରଙ୍କୁ ଦେଵା ନିମନ୍ତେ ଯାଆନ୍ତି । ସେଠାରୁ ଫେରିବା ପରେ ମଠ ଠାରେ ଭୋଗ, ବନ୍ଦାପନା ହୁଏ । ତା’ପରେ ବାହୁଡ଼ା ଵିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି । ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିଵା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା’ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିଵା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।
*ମାସ(Month)-
ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଓଡ଼ିଶାର ଜନସାଧାରଣ ଉଭୟ ଚାନ୍ଦ୍ର ଏବଂ ସୌର ମାସକୁ ମାନନ୍ତି। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ମାସ ଅନ୍ତ (ମାସାନ୍ତ)ରେ ହୁଏ। ସୌର ପାଞ୍ଜି ଅନୁସାରେ (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ।
ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଓ ସୂର୍ଯ୍ୟ ର ଗତି ଗଣନା ଅନୁସାରେ ମାସ ତିଆରି କରାଯାଇଥାଏ।
ସୌର ମାସ (solar month)-
ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ । (ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ କୁହାଯାଏ) । ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ । ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ । ୧୨ଟି ସୌରମାସ ପରିମାଣ ୩୬୫ ଦିନ । ରାଶି :ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ।
**ଚାନ୍ଦ୍ରମାସ (synodic month)-
ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ । ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ମୁଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ ।ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ । ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍ଗୁନ ଓ ଚୈତ୍ର ।)
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ମହାବିଷୁବ ସଂକ୍ରାନ୍ତି ଆମ ରାଜ୍ୟ ସହ ସାରା ଭାରତରେ ଏକ ମହାନ ପର୍ବ |ଭାରତୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରୁଥିବା ମହାନ ଗଣ ପର୍ବ |🙏🙏
ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ Email :
srikantadash. bpc@gmail.com
ମୋବାଇଲ :9238304919
