02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ।ନିରାଶୀର୍ନିର୍ମମୋ ଭୂତ୍ୱା ଯୁଦ୍ଧ୍ୟସ୍ୱ ବିଗତଜ୍ୱରଃ ॥

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୩୦ ଶ୍ଳୋକ :

ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀର୍ନିର୍ମମୋ ଭୂତ୍ୱା ଯୁଦ୍ଧ୍ୟସ୍ୱ ବିଗତଜ୍ୱରଃ ॥

ସମସ୍ତ କର୍ମକୁ ମୋ’ ନିକଟରେ ଅର୍ପଣ କରି, ଆତ୍ମଚିନ୍ତନରେ ଲଗ୍ନ ହୋଇ, ଫଳାଶା ଓ ମମତାରହିତ ହୋଇ, ଶୋକ–ଚିନ୍ତାରୁ ମୁକ୍ତ ହୋଇ ତୁମେ ଯୁଦ୍ଧ କର ।
ମନୁଷ୍ୟଜୀବନ କର୍ମରେ ପୂର୍ଣ୍ଣ । ଜୀବନର ପ୍ରତ୍ୟେକ କ୍ଷଣରେ ମନୁଷ୍ୟ କୌଣସି ନା କୌଣସି କର୍ମ କରୁଥାଏ । କିନ୍ତୁ ଏହି କର୍ମ ମନୁଷ୍ୟଙ୍କୁ କେବେ ମୁକ୍ତିର ପଥରେ ନେଇଯାଏ ତ କେତେବେଳେ ଏହା ବନ୍ଧନର କାରଣ ହୁଏ । ଏହି ଦ୍ୱନ୍ଦ୍ୱର ସମାଧାନ ଦେଇଥାଏ ଗୀତାର ଏହି ଶ୍ଳୋକ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ତତ୍ତ୍ୱ ବୁଝାଇ ଦେଇଛନ୍ତି ଏବଂ ମନୁଷ୍ୟ କିପରି କର୍ମ କରିବା ଉଚିତ, ତାହାର ଏକ ଉଚ୍ଚ ଆଦର୍ଶ ପ୍ରସ୍ତୁତ କରିଛନ୍ତି ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି – “ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା।” ଅର୍ଥାତ୍, ମନୁଷ୍ୟ ନିଜର ସମସ୍ତ କର୍ମକୁ ପରମାତ୍ମାଙ୍କ ପାଖରେ ଅର୍ପଣ କରିବା ଉଚିତ । କର୍ମ ସନ୍ୟାସର ଅର୍ଥ ଅକର୍ମଣ୍ୟତାର ଜୀବନ ନୁହେଁ । କର୍ମରୁ ଅହଂକାର ଓ ସ୍ୱାର୍ଥ୍ୟକୁ ତ୍ୟାଗକରି କର୍ମ କରିବାକୁ ‘କର୍ମ ସନ୍ନ୍ୟାସ’ କୁହାଯାଏ । ସାଧାରଣତଃ ମନୁଷ୍ୟ ଭାବେ – “ମୁଁ କରୁଛି”, “ଏହା ମୋର କର୍ମ”, “ଏହାର ଫଳ ମୋତେ ମିଳିବ।” ଏହି ‘ମୁଁ’ ଓ ‘ମୋର’ ଭାବ ହିଁ ବନ୍ଧନର ମୂଳ କାରଣ । ଶ୍ରୀକୃଷ୍ଣ କହୁଛନ୍ତି ଯେ, ମନୁଷ୍ୟ ଯଦି ନିଜ କର୍ମକୁ ଭଗବାନଙ୍କୁ ଅର୍ପଣ କରି କରେ, ତେବେ ସେ କର୍ମରେ ବନ୍ଧିତ ହୁଏନାହିଁ ।
ଏହି ଶ୍ଳୋକର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶବ୍ଦ ହେଉଛି “ଆଧ୍ୟାତ୍ମଚେତସା”, ଯାହାର ଅର୍ଥ ହେଉଛି ଆତ୍ମତତ୍ତ୍ୱରେ ସ୍ଥିର ଚେତନା । ଯେତେବେଳେ ମନୁଷ୍ୟ ନିଜକୁ କେବଳ ଶରୀର ବୋଲି ନୁହେଁ, ଆତ୍ମା ବୋଲି ଅନୁଭବ କରେ, ସେତେବେଳେ ସେ କର୍ମରେ ଆସକ୍ତ ହୁଏନାହିଁ । ତାହାର କର୍ମ ଶୁଦ୍ଧ ଓ ନିଷ୍କାମ ହୋଇଯାଏ । ଏହି ଭାବ ମନୁଷ୍ୟକୁ ଆନ୍ତରିକ ଶାନ୍ତି ଓ ସମତା ଦେଇଥାଏ ।

Oplus_16908288


ଏହି ଶ୍ଳୋକରେ ଶ୍ରୀକୃଷ୍ଣ “ନିରାଶୀ” ଓ “ନିର୍ମମ” ହେବାକୁ ମଧ୍ୟ ଉପଦେଶ ଦେଇଛନ୍ତି । “ନିରାଶୀ” ମାନେ ଫଳର ଆଶା ନ ରଖିବା ଏବଂ “ନିର୍ମମ” ମାନେ ‘ମୋର’ ଭାବକୁ ତ୍ୟାଗ କରିବା । ସାଧାରଣତଃ ମନୁଷ୍ୟ କର୍ମ କରେ ଫଳ ପାଇବାର ଆଶାରେ । ଯଦି ସୁଫଳ ମିଳେ, ସେ ଖୁସି ହୁଏ; ଯଦି ବିଫଳ ହୁଏ, ସେ ଦୁଃଖୀ ହୁଏ । କିନ୍ତୁ ଯଦି ମନୁଷ୍ୟ ଫଳର ଆଶା ଛାଡ଼ି କର୍ମ କରେ, ସେ ଏହି ସୁଖ–ଦୁଃଖର ଦ୍ୱନ୍ଦ୍ୱରୁ ମୁକ୍ତ ହୋଇପାରେ । ଏହା ମନୁଷ୍ୟକୁ ମାନସିକ ଶାନ୍ତି ଓ ସ୍ଥିରତା ଦେଇଥାଏ ।
ଶ୍ରୀକୃଷ୍ଣ ଏହି ଶ୍ଳୋକରେ “ବିଗତଜ୍ୱର” ହେବାକୁ କହିଛନ୍ତି, ଯାହାର ଅର୍ଥ ହେଉଛି ଚିନ୍ତା, ଶୋକ ଓ ମାନସିକ ଦ୍ୱନ୍ଦ୍ୱରୁ ମୁକ୍ତ ହେବା । ମନୁଷ୍ୟ ଯେତେବେଳେ କର୍ମର ଫଳକୁ ନେଇ ଚିନ୍ତା କରେ, ସେତେବେଳେ ତାର ମନରେ ଭୟ, ଦ୍ୱନ୍ଦ୍ୱ ଓ ଅଶାନ୍ତି ସୃଷ୍ଟି ହୁଏ । କିନ୍ତୁ ଯଦି ସେ ଭଗବାନଙ୍କୁ ଭରସା କରି କର୍ତ୍ତବ୍ୟ ପାଳନ କରେ, ସେ ଚିନ୍ତାମୁକ୍ତ ହୋଇପାରେ ।
ଏଠାରେ ‘ଯୁଦ୍ଧ କରିବା’ର ତାତ୍ପର୍ଯ୍ୟ ‘ଜୀବନ ସଂଗ୍ରାମଗୁଡିକରେ ଆସୁଥିବା ଦ୍ୱନ୍ଦ୍ୱଗୁଡିକୁ ସମ୍ମୁଖୀନ ହେବା’। ଶ୍ରୀକୃଷ୍ଣଙ୍କର ଏହି ଉପଦେଶ କେବଳ ଅର୍ଜୁନଙ୍କ ପାଇଁ ନୁହେଁ, ବରଂ ସମସ୍ତ ମାନବ ଜାତି ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ବିଚାର ପୂର୍ବକ ଜୀବନ ନିର୍ବାହ କରି ପୂର୍ଣ୍ଣତ୍ୱ ପ୍ରାପ୍ତି ପାଇଁ ଇଛା ରଖନ୍ତି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply