ସାଂସଦ ଭାବେ ୭ ବର୍ଷର ହିସାବ ଦେଲେ ଅପରାଜିତା: ୮୮% ଅଭିଯୋଗ ସମାଧାନ ଦୃଢୋକ୍ତି
1 min read
୭ ବର୍ଷରେ ୭୦ ପ୍ରକାରର ବିକାଶ ଓ ଜନସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର,//TATKAL ODISHA//
: ବିକାଶ ଓ ଜନସେବା ହେଉଛି ରାଜନୀତିର ମୂଳ ମନ୍ତ୍ର। ଏହି ଦର୍ଶନକୁ ଆଧାର କରି ଲୋକଙ୍କ ସହ ଯୋଡ଼ି ରହିବା, ସଂଗଠନକୁ ସୁଦୃଢ଼ କରିବା ଏବଂ ସଂସଦ ସହିତ ଦେଶ ଓ ବିଦେଶର ବିଭିନ୍ନ ମଞ୍ଚରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ପ୍ରତିନିଧିତ୍ୱ କରିବାର ସୁଯୋଗ ମୋତେ ମିଳିଛି। ସାଂସଦ ଭାବେ ମୋର ୭ ବର୍ଷ ପୂର୍ତ୍ତି ଅବସରରେ ଏହି ୭ ବର୍ଷର କାର୍ଯ୍ୟର ରିପୋର୍ଟ କାର୍ଡ ମୁଁ ଉପସ୍ଥାପନ କରୁଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
ପ୍ରଶାସକ ଭାବେ ଏକ ସୁଦୀର୍ଘ ଓ ଗୌରବମୟ କାର୍ଯ୍ୟଜୀବନ ପରେ ରାଜନୀତିରେ ପ୍ରବେଶ କରିଥିବା ଅପରାଜିତା ଷଡ଼ଙ୍ଗୀ ୨୦୧୯ରେ ପ୍ରଥମଥର ପାଇଁ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କର ପ୍ରଥମ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ଭୁବନେଶ୍ୱରବାସୀ ପୁଣିଥରେ ଅପରାଜିତାଙ୍କୁ ପ୍ରଥମ ପସନ୍ଦ ଭାବେ ବାଛିଥିଲେ। ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ସେ ସାଂସଦ ଭାବେ ୭ ବର୍ଷରେ କରିଥିବା ୭୦ ପ୍ରକାରର ବିକାଶ ଓ ଜନସେବା କାର୍ଯ୍ୟର ବିସ୍ତୃତ ବିବରଣୀ ଉପସ୍ଥାପନ କରିଛନ୍ତି।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବହନ, କ୍ରୀଡ଼ା ଓ କୃଷି ସମେତ ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକୁ ପ୍ରମୁଖତା ଦିଆଯାଇଛି। ଏଥିସହ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର-ପ୍ରସାର ପାଇଁ ହୋଇଥିବା ପ୍ରୟାସକୁ ମଧ୍ୟ ରିପୋର୍ଟରେ ସ୍ଥାନ ଦିଆଯାଇଛି।
ସଂସଦୀୟ କ୍ଷେତ୍ରର ୮ଟି ବ୍ଲକ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜନଶୁଣାଣି ସମୟରେ ଲୋକମାନେ ଉଠାଇଥିବା ଦାବି ଓ ଆବଶ୍ୟକତା ଆଧାରରେ ହୋଇଥିବା ପ୍ରମୁଖ ବିକାଶ ଓ ଜନସେବା କାର୍ଯ୍ୟଗୁଡ଼ିକ ମଧ୍ୟରେ—
ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା
ଖୋର୍ଦ୍ଧାର ରାମେଶ୍ୱରଠାରୁ କଟକର ଟାଙ୍ଗୀ ପର୍ଯ୍ୟନ୍ତ ୧୧୧ କିଲୋମିଟର ଦୀର୍ଘ ୬-ଲେନ୍ ବିଶିଷ୍ଟ ସଡ଼କ ପାଇଁ ₹୮,୩୦୭ କୋଟି ମଞ୍ଜୁର ହୋଇଛି। ଏହା ସହିତ ଖୋର୍ଦ୍ଧା, ବାଘମାରୀ, ରାଜସୁନାଖଳା, ବେଗୁନିଆ ଏବଂ ପୁବୁସାହି ବାଇପାସ୍କୁ ସଂଯୋଗ କରୁଥିବା ବିଭିନ୍ନ ସଡ଼କ ପ୍ରକଳ୍ପ, ପଳାସୁଣି ବ୍ରିଜ୍ର ସମ୍ପ୍ରସାରଣ, ପଳାସୁଣି-ରସୁଲଗଡ଼ ରାସ୍ତାର ଭିତ୍ତିଭୂମି ବିକାଶ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ୩୭ଟି ସଡ଼କ ପ୍ରକଳ୍ପର ବିବରଣୀ ରିପୋର୍ଟରେ ରହିଛି।
ଏଥିସହ ସର୍ଭିସ୍ ରୋଡ୍ ଓ ଡ୍ରେନ୍ ନିର୍ମାଣ ସହ ଭୁବନେଶ୍ୱରକୁ ଯାନଜଟମୁକ୍ତ କରିବା ଏବଂ ଯାତାୟାତକୁ ଅଧିକ ସୁଗମ ଓ ସୁବିଧାଜନକ କରିବା ପାଇଁ ଅନେକ ନୂଆ ସଡ଼କ ପ୍ରକଳ୍ପ ହାତକୁ ନିଆଯାଇଛି।
ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ରିଜ୍ ନିର୍ମାଣ ସହିତ ₹୨୪୦ କୋଟି ବ୍ୟୟରେ ୭ଟି ଫ୍ଲାଏଓଭର ଏବଂ ₹୧୮୬ କୋଟି ବ୍ୟୟରେ ୧୬ଟି ଅଣ୍ଡରପାସ୍ ନିର୍ମାଣ କରାଯାଇଛି ବୋଲି ରିପୋର୍ଟ କାର୍ଡରେ ଉଲ୍ଲେଖ ରହିଛି।
ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବିକାଶ ସହ ଭୁବନେଶ୍ୱର, ମଞ୍ଚେଶ୍ୱର ଓ ଲିଙ୍ଗରାଜ ରେଳ ଷ୍ଟେସନର ନବୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପଟିଆ ଓ କଳାରାହାଙ୍ଗାଠାରେ ରେଳ ଓଭରବ୍ରିଜ୍ ଏବଂ ଅତ୍ରି, ସାନପଦର, ତାରାବୋଇ ଓ ବୋଲଗଡ଼ ଷ୍ଟେସନରେ ଟ୍ରେନ୍ ରହଣି ବ୍ୟବସ୍ଥା କରାଯାଇଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି।
ଶିକ୍ଷା ଓ ସ୍ୱାସ୍ଥ୍ୟସେବା
ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂସଦୀୟ କ୍ଷେତ୍ରରେ ସେବା ବ୍ୟବସ୍ଥାର ଉନ୍ନତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
₹୫.୪୪ କୋଟି ଆନୁମାନିକ ବ୍ୟୟରେ ୮ଟି ବ୍ଲକ୍ ସ୍ତରୀୟ ଆଧୁନିକ ପାଠାଗାର ଓ କୋଚିଂ ସେଣ୍ଟର ଏବଂ ₹୨୩.୪୦ କୋଟି ଆନୁମାନିକ ବ୍ୟୟରେ ୧୫୬ଟି ପଞ୍ଚାୟତ ସ୍ତରୀୟ ପାଠାଗାର ପ୍ରତିଷ୍ଠା ସମେତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି।
ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବ୍ଲକ୍ ସ୍ତରରେ ଏମ୍ପି ମେଡିକାଲ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ୩୦,୦୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ପ୍ରଦାନ କରାଯାଇଛି। ନିଜସ୍ୱ ପଦକ୍ଷେପରେ ବିଭିନ୍ନ ହସ୍ପିଟାଲରେ ୨,୦୦୦ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଛି।

ପାନୀୟ ଜଳ, ସ୍ୱେରେଜ୍ ଓ ଜଳସେଚନ
ପାନୀୟ ଜଳ ଯୋଗାଣ, ଭୁବନେଶ୍ୱରରେ ସ୍ୱେରେଜ୍ ନେଟୱର୍କର ବିକାଶ, ଜଳସେଚନ ବ୍ୟବସ୍ଥାର ଉନ୍ନତି ଏବଂ ବିଭିନ୍ନ କେନାଲ୍ ଓ ଗଙ୍ଗୁଆ ଡ୍ରେନେଜ୍ ଚ୍ୟାନେଲର ବ୍ୟାପକ ପୁନରୁଦ୍ଧାର ସମ୍ପର୍କିତ କାର୍ଯ୍ୟର ବିବରଣୀ ମଧ୍ୟ ରିପୋର୍ଟରେ ରହିଛି।
ବିଦ୍ୟୁତ୍ ଓ ସୌର ଶକ୍ତି
ବିଦ୍ୟୁତ୍ ସେବାକୁ ଅଧିକ ଲୋକାଭିମୁଖୀ ଓ ସୁଦୃଢ଼ କରିବା ପାଇଁ ବାଲିଅନ୍ତାରେ ₹୬୧୬ କୋଟି ବ୍ୟୟରେ ଗ୍ରିଡ୍ ସବ୍ଷ୍ଟେସନ୍ ଏବଂ ନାଗେଶ୍ୱର ଟାଙ୍ଗୀରେ ₹୧୯ କୋଟି ବ୍ୟୟରେ ସବ୍ଷ୍ଟେସନ୍ ନିର୍ମାଣ କରାଯାଇଛି। ବିଭିନ୍ନ ସ୍ଥାନରେ ସୋଲାର ଲାଇଟ୍ ମଧ୍ୟ ସ୍ଥାପନ କରାଯାଇଛି।
କ୍ରୀଡ଼ା ଭିତ୍ତିଭୂମି
କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବେଗୁନିଆରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ମାଗଣା କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି।
ବଜାର ଓ ଜୀବିକା ଭିତ୍ତିଭୂମି
ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ପାଣ୍ଡରାଠାରେ ₹୫୭ କୋଟି ଆନୁମାନିକ ବ୍ୟୟରେ ଆଧୁନିକ ମାଛ ବଜାର ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ ଅନେକ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଉଛି। ସହିଦନଗର ହାଟ ପାଇଁ ମଧ୍ୟ ଜମି ଯୋଗାଇ ଦିଆଯାଇଛି।
ବାଲିଅନ୍ତାର ଜଗନ୍ନାଥପୁରରେ ୧୫ ଏକର ଜମିରେ ₹୨୫୦ କୋଟି ନିବେଶରେ ବୃହତ୍ ପରିମାଣର ବୟନ ଓ ପୋଷାକ ଉତ୍ପାଦନ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ଏଥିସହ ଯୋଗ ଓ ନେଚରୋପାଥି ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ
ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର-ପ୍ରସାର ପାଇଁ ଲିଙ୍ଗରାଜ ଓ କପିଳେଶ୍ୱର ମନ୍ଦିର ସମେତ ୨୯ଟି ମନ୍ଦିରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି।
ଖୋର୍ଦ୍ଧାରେ ଏକ ସାଂସ୍କୃତିକ ଅଡିଟୋରିୟମ୍ ଏବଂ ଭୁବନେଶ୍ୱରରେ ଏକ ଆଧୁନିକ ଆର୍ଟ ଗ୍ୟାଲେରୀ ପାଇଁ ପ୍ରାୟ ₹୬୩୦ କୋଟି ବ୍ୟୟରେ ଚାଲିଥିବା କାର୍ଯ୍ୟକୁ ମଧ୍ୟ ରିପୋର୍ଟରେ ସ୍ଥାନ ଦିଆଯାଇଛି।
ପ୍ରସିଦ୍ଧ ନୀଳାମ୍ବୁ ଚିଲିକାର ବିକାଶକୁ ମଧ୍ୟ ଏହି ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ସାମିଲ କରାଯାଇଛି।
୮୮ ପ୍ରତିଶତ ଜନଅଭିଯୋଗର ସମାଧାନ
ରିପୋର୍ଟ କାର୍ଡ ଅନୁଯାୟୀ, ସଂସଦୀୟ କ୍ଷେତ୍ରରୁ ମିଳିଥିବା ମୋଟ ୨୩,୪୭୮ଟି ଜନଅଭିଯୋଗ ମଧ୍ୟରୁ ୨୦,୬୬୧ଟି ଅଭିଯୋଗର ସମାଧାନ କରାଯାଇଛି। ଅର୍ଥାତ୍ ପ୍ରାୟ ୮୮ ପ୍ରତିଶତ ଜନଅଭିଯୋଗର ସମାଧାନ ହୋଇଛି।
ଏହି ରିପୋର୍ଟ କାର୍ଡ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ୭ ବର୍ଷର ବିକାଶ ଓ ଜନସେବା କାର୍ଯ୍ୟର ଏକ ବିସ୍ତୃତ ହିସାବ ଉପସ୍ଥାପନ କରିଛନ୍ତି। ଏଥିରେ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବହନ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡ଼ା, ଜୀବିକା, କଳା, ସଂସ୍କୃତି ଓ ଐତିହ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ପଦକ୍ଷେପର ବିବରଣୀ ରହିଛି।
