tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆସ ମିଳିମିଶି ଖାଇବା!!

1 min read

Oplus_16908288

//ଖଟିରୁ// ଶ୍ରୀକୁମାର ଶୁକ୍ଲା //

+++++++++++++++++

ପୁଣି ମିଳିମିଶି ଖାଇବା ବେଳ ଆସୁଛି!!! ✍🏼
ଏବେ କଅଣ ହୋଇଛି କେଜାଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅଥବା କୌଣସି ମନ୍ତ୍ରୀ ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅମୁକ ପ୍ରକଳ୍ପ କି ସମୁକ ରାସ୍ତାଟା ହେବ ବୋଲି ଯେତେ ଯାହା କହିଲେ ମଧ୍ୟ ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଇ ବିଶ୍ୱାସ କଲାଭଳି ଲାଗୁନି। ଏଭଳି ଏକ ଅଦ୍ଭୁତ ଅବସ୍ଥା ପୂର୍ବରୁ ରାଜ୍ୟରେ କେବେ ଦେଖା ଦେଇନଥିଲା ବୋଲି ଆଜି ଖଟିରେ ଯଦୁଭାଇ କହିଲେ।

ମିଳିତ ପ୍ରଚେଷ୍ଟା


ଏହା ଶୁଣି ବାବୁଲି ଭାଇ କହିଲେ ରାଜନୈତିକ ବିଜ୍ଞାନ ଭାଷାରେ ଏ ସରକାର ଉପରେ ଟ୍ରଷ୍ଟ ଡେଫିସିଏନସି ସୃଷ୍ଟି ହୋଇଛି। ଯାହାକୁ ଆମେ ବିଶ୍ୱାସନିୟତା ହ୍ରାସ ବୋଲି କହିଥାଉ। ସରକାରଙ୍କ କଥାକୁ ଲୋକେ ବିଶ୍ୱାସ କରୁନାହାଁନ୍ତି ।ନବୀନ ପଟ୍ଟନାୟକଙ୍କ ପ୍ରଥମ ପର୍ଯ୍ୟାୟ ଶାସନ ସମୟରେ ଓଡିଶାରେ ବଡ ବଡ ଶିଳ୍ପ କରିବାକୁ ପୋସ୍କୋ ଆସିଲା, ବେଦାନ୍ତ ଭଳି ବହୁ କମ୍ପାନୀ ଆସି ଚୁକ୍ତିପତ୍ରରେ ଦସ୍ତଖତ କଲେ।ଏସବୁ ଦେଖି ଲୋକଙ୍କ ଭିତରେ ଶୀହରଣ ସୃଷ୍ଟି ହେଉଥିଲା। ଏମାନେ ଆସିବା ପରେ ମଧ୍ୟ ଓଡିଶାରେ କିଛି ନ ହେବା ଦେଖି ତାପରେ ହଜାର କୋଟି କି ଦଶ ଲକ୍ଷ କୋଟିରେ ଶିଳ୍ପ ହେବ ବୋଲି ଯେତେ କହିଲେ ମଧ୍ୟ ସେସବୁ ଲୋକଙ୍କ ଭିତରେ କିଛି ପ୍ରଭାବ ପକାଇ ପାରିଲାନି। ସେମିତି ମୋହନ ଏବେ ଆବୁ ଧାବି ଯାଇ କେତେ ଲକ୍ଷ କୋଟି ଟଙ୍କାର କଅଣ ସବୁ ଦସ୍ତଖତ କରିପକାଉଛି ବୋଲି କହିଲେ ମଧ୍ୟ ସେସବୁ ଖବର ଉପରେ କେହି ଟିକିଏ ନଜର ପକାଉ ନାହାଁନ୍ତି। ନବୀନ ପଟ୍ଟନାୟକର ଶାସନ ଆରମ୍ଭରୁ ଓଡିଶା ଗୋଟେ ଶିଳ୍ପ କାଙ୍ଗାଳ ରାଜ୍ୟ ଥିଲା। ନାଲକୋ ଆଉ ରାଉରକେଲା ଇସ୍ପାତ କାରଖାନାକୁ ଛାଡିଦେଲେ ଆଉ ସେଭଳି କିଛି ବୃହତ ଶିଳ୍ପ ନଥିଲା।
ଯେତେବେଳେ ଆନ୍ତର୍ଜାତୀୟ ମାର୍କେଟରେ ଖଣି ଖୋଲିଲା ସେତେବେଳେ ସେମାନେ ଓଡିଶାକୁ ଆସିବା ପାଇଁ ବଡ ବଡ ଶିଳ୍ପପତିମାନେ ଲାଇନ ଲଗାଇଲେ। ସେମାନଙ୍କର ଉଦେ୍ଦଶ୍ୟ ଥିଲା ଖଣି ନେବା, ଶିଳ୍ପ କରିବା ନୁହେଁ। ଏତେ କୋଟି ଟଙ୍କା ଆଣିବି ବୋଲି ମୋହନ ଏବେ ଯେଉଁ ପ୍ରଚାର କରୁଛି ହେଲେ ଲୋକେ କିନ୍ତୁ ନବୀନ ବେଳୁ ସେହି ବିଶ୍ୱାସଟିକୁ ହରାଇ ସାରିଛନ୍ତି। ଅନେକ ସମୟରେ ମଧ୍ୟ ନବୀନ ସରକାର କଥା କହି ସେସବୁକୁ ପୂରଣ କରିନାହାଁନ୍ତି। ଯେମିତି ଅମୁକ ସବଡିଭିଜନକୁ ଜିଲ୍ଳା କରିଦେବି ବୋଲି କହିଥିଲା କିନ୍ତୁ କିଛି କଲାନି। ରାଜ୍ୟରେ ବିଜେପି ସରକାରର ପ୍ରତିଶ୍ରୁତି ବିଶେଷ କାମ କରୁନି।


ବଡବଡ ଶିଳ୍ପ କଥା ଛାଡି ଦିଅନ୍ତୁ ଏ ସରକାରରେ ଛୋଟ ଛୋଟ କାମ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦିଲ୍ଳୀରେ ଥିବା ଓଡିଶା ଭବନ ବିଲ୍‌ଡିଂଟା ଅତି ପୂରୁଣା ହୋଇ ବିପଦସଂକୁଳ ହୋଇପଡିବାରୁ ତାକୁ ଏ ସରକାର ଭାଙ୍ଗି ଦେଇ ଭଲ କଲା। ବିଜେଡି ସରକାର ସମୟରୁ ସରକାରୀ ଭାବେ ଅନ୍‌ସେଫ୍‌ ଘୋଷଣା ହେବା ସତ୍ତ୍ୱେ ବିଲ୍‌ଡିଂରେ ଲୋକେ ସେଠାରେ ରହୁଥିଲେ । କିନ୍ତୁ ଭାଙ୍ଗିବା ପୂର୍ବରୁ ନୂତନ ବିଲ୍‌ଡିଂ ନିର୍ମାଣ ଲାଗି ସମସ୍ତ ପୂର୍ବ ପ୍ରସ୍ତୁତି ନକରି ତରବରିଆ ଭାବରେ ଭାଙ୍ଗିଦେଲେ। ଦିଲ୍ଲୀ ସରକାରଙ୍କ ଠାରୁ ଯାହା ସବୁ କାଗଜପତ୍ରର ମଞ୍ଜୁରୀ ଦରକାର ସେସବୁକୁ ଏବେ ଗୋଟିଏ ଗୋଟିଏ ଆଣୁଛନ୍ତି। ଏ ପର୍ଯ୍ୟନ୍ତ ସବୁ ମିଳିନି । ଅଥଚ ଏତିକି ପଇସା ଖର୍ଚ୍ଚ ହେବ କି ସେତିକି ମହଲା ହେବ ବୋଲି ମନକୁ ମନ ଖର୍ଚ୍ଚର ହିସାବ ଦେଖାଇ ବଜେଟ୍‌ ମଧ୍ୟ ପାଶ୍‌ କରିଦେଲେ। ଭାଙ୍ଗିବାର ୨ ବର୍ଷ ଭିତରେ ଆବଶ୍ୟକ କାଗଜପତ୍ରର ମଞ୍ଜୁରୀ ଆଣିନଥିବାରୁ କାମ ଆରମ୍ଭ ହୋଇପାରୁନି।


ତେବେ ବିଭିନ୍ନ କାମରେ ଦିଲ୍ଳୀ ଯାଉଥିବା ମନ୍ତ୍ରୀ ଓ ଅଫିସରମାନେ କେଉଁଠି ରହୁଛନ୍ତି ବୋଲି ଯଦୁଭାଇ ପଚାରିବାରୁ ସେ କହିଲେ ସେମାନେ ସବୁ ସରକାରୀ ଖର୍ଚ୍ଚରେ ପାଞ୍ଚତାରକା ବିଶିଷ୍ଟ ଅଶୋକା ହୋଟେଲରେ ରହୁଛନ୍ତି। ସେ ବାବଦରେ ସରକାରଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଗଲାଣି। ହେଟେଲର କେତୋଟି କୋଠରୀକୁ ସରକାର ଭଡା ନେଇ ଯାଇଛନ୍ତି । ସେମାନଙ୍କୁ ହୋଟେଲରେ ରହିବାକୁ ମଜା ଲାଗୁଥିବାରୁ କେହି ଓଡିଶା ଭବନ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦେଉନାହାଁନ୍ତି। ସରକାରର ଅପାରଗତା ପାଇଁ ସମୟ ବଢିବା ସହିତ ବିଲ୍ଡିଂ ତିଆରି ଖର୍ଚ୍ଚର ପରିମାଣ ମଧ୍ୟ ଆହୁରି ବହୁ କୋଟି ବଢିବ। ନିଜେ ରହିବା ପାଇଁ ଏମାନେ ଘରଟିଏ କରିପାରୁ ନାହାଁନ୍ତି ଆଉ ଏମାନେ ଆମ ପାଇଁ କଅଣ କରିବେ ବୋଲି କହିବା ଶୁଣି ସମସ୍ତେ ପରସ୍ପର ମୁହଁକୁ ଚହାଁଚୁହିଁ ହୋଇଥିଲେ।
ଏ ସରକାର ବେଳେ କୌଣସି କାମ କାହିଁକି ହୋଇପାରୁନି ବୋଲି ପଚାରିବାରୁ ସେ କହିଲେ ସବୁ କାମରେ ରାଜନେତାମାନେ ପିସି ନିଅନ୍ତି ବୋଲି ସମସ୍ତେ ଜାଣନ୍ତି। ବିଜେଡି ବେଳେ ପାଣ୍ଡିଆନ ହେଉ କି ନବୀନ ନିବାସ ହେଉ ସିଙ୍ଗିଲ ୱିଣ୍ଡୋରେ ଟଙ୍କା ଆଦାୟ ହେଉଥିଲା। ଏଠି ମନ୍ତ୍ରୀମାନଙ୍କୁ ଦେଲେ ତ ସେମାନେ ନେଇ ପଳାଉଛନ୍ତି ଅଥଚ କିଛି କାମ ହୋଇପାରୁନି।ମୋହନ ମାଝିକୁ ଦେବେ ନା ମନମୋହନ ସାମଲକୁ ଦେବେ ନା ପୁରନେ୍ଦଶ୍ୱରୀକୁ ଦେବେ?କାହାକୁ ଦେବେ ଜାଣିପାରୁ ନାହାଁନ୍ତି।ସେତେବେଳେ ଗୋଟିଏ ଯାଗାରେ ନେଇ ପଇସା ଥୋଇ ପଳାଇ ଆସୁଥିଲେ ଆଉ ସବୁକାମ ସୁରୁଖୁରୁରେ ହୋଇ ଯାଉଥିଲା।


ସେ କହିଲେ ବିଜେଡି ହେଉକି କଂଗ୍ରେସ ହେଉ ସେମାନେ ବିରୋଧି ଦଳରେ ଅଛନ୍ତି ବୋଲି ଜାଣିଥିବାରୁ ଯେତେ ଅସନ୍ତୁଷ୍ଟ ନୁହଁନ୍ତି ବରଂ ବେଶୀ ଅସନ୍ତୁଷ୍ଟ ହେଉଛନ୍ତି ବିଜେପିର କର୍ମୀମାନେ।ତାର କାରଣ ହେଉଛି ଅନେକ ପରିଶ୍ରମ କରି ସେମାନେ ବିଜେପିକୁ ଶାସନକୁ ଆଣିଥିଲେ। ସରକାରଟା ଆସିଲା ଅଥଚ ସେମାନେ କିଛି କରିପାରୁ ନାହାଁନ୍ତି। ନିଜ ଦଳ ଓ ସରକାରରେ ମନ୍ତ୍ରୀ,ଏମଏଲଏ କେମିତି ଲୁଟିକି ଖାଉଛନ୍ତି ସେ ସବୁ ଭିତିରି କଥା ଜାଣୁଛନ୍ତି। ସେମାନେ ଏକ ପ୍ରକାର ହତୋସôାହିତ ହୋଇପଡି ସରକାରରେ ଚାଲିଥିବା ଦୁର୍ନୀତିକୁ ବାଟରେ ଘାଟରେ ଗପୁୁଛନ୍ତି। ଏମିତି ଚାଲିଲେ ଭବିଷ୍ୟତ କଅଣ ହେବ ବୋଲି ପଚାରିବାରୁ ସେ କହିଲେ ଦଳଟା ଯିବ । ପୁଣି ବିଜେପି ଓ ବିଜେଡି ମିଶି ଶାସନ କରିବେ। ୨୦୦୦ରୁ ୨୦୦୮ ମିଶିକରି ଖାଇଲେ। ୨୦୨୪ ଯାଏଁ ବିଜେଡି ଏକୁଟିଆ ଖାଇଲା । ଏବେ ୨୦୨୯ ପର୍ଯ୍ୟନ୍ତ ବିଜେପି ଏକୁଟିଆ ଖାଇବ । ତାପରେ ଅସଲ ସର ଲହୁଣୀ (ଖଣି) ସବୁ ସରିଯାଇଥିବ l ଯାହା କିଛି ବଳିଥିବ ତାକୁ ବିଜେପି-ବିଜେଡି ପୁଣି ମିଳିମିଶି ଖାଇବେ ବୋଲି କହିବାରୁ ଖଟିରେ ହାସ୍ୟରୋଳ ହୋଇଥିଲା ।

(ଖଟି✍🏼 ତା ୩୦/୦୯/୨୦୨୬ ଖଟିରୁ ଶୁକ୍ଲା (ଲେଖକଙ୍କ ମତ ବ୍ୟକ୍ତିଗତ)

Share

Leave a Reply