ଶ୍ରୀମଦ୍ ଭଗବଦ୍ ଗୀତା ୧: ୭ ଶ୍ଳୋକ : ଅସ୍ମାକଂ ତୁ ବିଶିଷ୍ଟା…
1 min read
ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍ବ୍ରବୀମି ତେ ॥
- “ହେ ଦ୍ୱିଜଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ ! ଆମ ପକ୍ଷରେ ଥିବା ଶ୍ରେଷ୍ଠ ଯୋଦ୍ଧାମାନଙ୍କ ବିଷୟରେ ଆପଣ ଜାଣନ୍ତୁ,ସେମାନଙ୍କର ନାମ ମୁଁ ଆପଣଙ୍କୁ କହୁଛି।”
ଏହି ଶ୍ଳୋକରେ ଦୁର୍ଯୋଧନଙ୍କର ମନୋଭାବ ସ୍ପଷ୍ଟ ହୁଏ । ସେ ନିଜ ସେନାପକ୍ଷକୁ “ବିଶିଷ୍ଟ” ବୋଲି ଘୋଷଣା କରୁଛନ୍ତି। ଦ୍ରୋଣାଚାର୍ଯ୍ୟଙ୍କୁ ନିଜ ପକ୍ଷର ଶକ୍ତି ସ୍ମରଣ କରାଇ ଉତ୍ସାହିତ କରୁଛନ୍ତି । କିନ୍ତୁ, ଏହାରି ମଧ୍ୟରେ ତାଙ୍କର ଭୟ ଓ ଆତ୍ମବିଶ୍ୱାସର ଦ୍ୱନ୍ଦ୍ୱ ଲୁଚିରହିଛି । ବାହ୍ୟ ଭାବରେ ଆତ୍ମବିଶ୍ୱାସ, କିନ୍ତୁ ଅନ୍ତର୍ମନରେ ଅସୁରକ୍ଷା । ଗୀତା ୧.୭ ରେ ଦୁର୍ଯୋଧନ ଦ୍ରୋଣାଚାର୍ଯ୍ୟଙ୍କୁ କହୁଛନ୍ତି – “ଆମ ପକ୍ଷର ଶ୍ରେଷ୍ଠ ସେନାନାୟକମାନଙ୍କୁ ଜାଣନ୍ତୁ।” ଏହା ଦେଖିବାକୁ ସାଧାରଣ କଥା ଲାଗିଲେ ବି, ଏହାର ମଧ୍ୟରେ ଗଭୀର ଦାର୍ଶନିକ ସୂତ୍ର ରହିଛି । ଦୁର୍ଯୋଧନ “ଅସ୍ମାକଂ” (ଆମର) ବୋଲି ଜୋର ଦେଇ କହୁଛନ୍ତି । ଏହା ମମତ୍ୱ ଓ ଅହଂକାରର ପ୍ରତୀକ । ଦାର୍ଶନିକ ଭାବରେ – “ମୋର” ବୋଧ ଯେଉଁଠି ଅଧିକ, ସେଠି ସତ୍ୟର ଦୃଷ୍ଟି ଧୁସର ।
ଅଧର୍ମର ପକ୍ଷ ସଦା ନିଜ ଶକ୍ତିକୁ ଭରସା କରେ । ଧର୍ମର ପକ୍ଷ ଶକ୍ତି ନୁହେଁ, ନ୍ୟାୟ ଓ ସତ୍ୟରେ ଭରସା କରେ । ଯେଉଁଠି ଧର୍ମ ନାହିଁ, ସେଠି ଶକ୍ତି ଗଣନା ହୁଏ; ଯେଉଁଠି ଧର୍ମ ଅଛି, ସେଠି ଶକ୍ତି ସ୍ୱୟଂ ଆସେ । ଅଧର୍ମର ପକ୍ଷ ସଦା ଶକ୍ତି, ସଂଖ୍ୟା ଓ ନାମ ଉପରେ ଭରସା କରେ । ଧର୍ମର ପକ୍ଷ ନୀତି, ସତ୍ୟ ଓ ଭଗବାନଙ୍କ କୃପା ଉପରେ ଭରସା କରେ । ଦୁର୍ଯୋଧନ “କିଏ କିଏ ଆମ ସହିତ ଅଛନ୍ତି”- ତାହା ଗଣୁଛନ୍ତି । ମାତ୍ର “କାହିଁକି ଆମେ ଯୁଦ୍ଧ କରୁଛୁ” ସେଥିପାଇଁ ଚିନ୍ତା କରୁନାହାନ୍ତି ।
ରାଜନୀତି ଓ ସମାଜରେ କେବଳ ସଂଖ୍ୟାବଳ ଓ ପ୍ରଭାବ ଦେଖାଇ, ନ୍ୟାୟହୀନ କାର୍ଯ୍ୟ ଦୀର୍ଘକାଳ ଚାଲେନାହିଁ । ସେହିପରି ବ୍ୟକ୍ତିଗତ ଜୀବନରେ ନିଜ ସଫଳତା, ସମ୍ପର୍କ, ସମ୍ପତ୍ତି ଗଣି, ମନର ଭୟକୁ ଲୁଚେଇବା – ଏହା ଦୁର୍ଯୋଧନୀ ପ୍ରବୃତ୍ତି । ଦୁର୍ଯୋଧନ ନୀତି ନୁହେଁ, ଶକ୍ତିର ତାଲିକା ପ୍ରଦର୍ଶନ କରୁଛନ୍ତି । ରାଜନୀତିରେ ସଂଖ୍ୟା, ସମର୍ଥନ, ପଦବୀ, ସବୁ ଥିଲେ ବି ଯଦି ନ୍ୟାୟ ଓ ଧର୍ମ ନାହିଁ, ଶାସନ ଦୀର୍ଘକାଳ ରହିପାରେନାହିଁ । ଦୁର୍ଯୋଧନଙ୍କ ପରି, ଶକ୍ତି ଗଣନା କରି ଧର୍ମକୁ ଅଣଦେଖା କରିବା ଦ୍ୱାରା ପତନର ଆରମ୍ଭ ହୋଇଯାଇଥାଏ ।
ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମେ ଏଭଳି କହୁ – “ମୋ ପାଖରେ ଏତେ ସମ୍ପତ୍ତି”,“ମୋ ସହ ଏତେ ଲୋକ”। ଏହା କେବଳ ମନର ଭୟକୁ ସାମୟିକ ଭାବରେ ଢାଙ୍କିବାର ଉପାୟ । ଗୀତାର ଶିକ୍ଷା – ଆତ୍ମଶାନ୍ତି ବାହ୍ୟ ଗଣନାରେ ନୁହେଁ, ଆତ୍ମଜ୍ଞାନ ଓ ନୀତିରେ । ପାରିବାରିକ ଜୀବନରେ “ମୋ ଲୋକ”, “ମୋ ପକ୍ଷ” ସମ୍ପର୍କ ଧୀରେ ଧୀରେ ଯୁଦ୍ଧକ୍ଷେତ୍ର ପାଲଟିଯାଏ । ଗୀତା ୧.୭ ଶିଖାଏ – ଅଧିକ “ମୋର” ମାନେ ଅଧିକ ସଂଘର୍ଷ । ଯୁଦ୍ଧ ଆରମ୍ଭ ହୁଏ ଶସ୍ତ୍ରରୁ ନୁହେଁ, “ମୋର” ବୋଧରୁ । ଏବଂ ମୁକ୍ତି ଆସେ -“ମୁଁ କିଏ?” ଜ୍ଞାନରୁ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
