କର୍ମର ସତ୍ୟ ସ୍ୱରୂପ ବୁଝିଲେ ଚିନ୍ତା ହ୍ରାସ ପାଏ
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୪:୧୬ ଶ୍ଳୋକ :
କିଂ କର୍ମ କିମକର୍ମେତି କବୟୋଽପ୍ୟତ୍ର ମୋହିତାଃ ।
ତତ୍ତେ କର୍ମ ପ୍ରବକ୍ଷ୍ୟାମି ୟଜ୍ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ୍ ॥
କର୍ମ କ’ଣ? ଅକର୍ମ କ’ଣ? ଏହି ବିଷୟରେ ବୁଦ୍ଧିମାନ ଲୋକମାନେ ମଧ୍ୟ ମୋହିତ ହୁଅନ୍ତି । ସେହି କର୍ମତତ୍ତ୍ୱକୁ ମୁଁ ତୁମକୁ କହିବି; ଯାହାକୁ ଜାଣିଲେ ତୁମେ ଅଶୁଭ (ପାପ ଓ ବନ୍ଧନ)ରୁ ମୁକ୍ତ ହେବ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କର୍ମର ଗୁଢ ରହସ୍ୟ ସମ୍ବନ୍ଧରେ କହିଛନ୍ତି । ସାଧାରଣତଃ ଆମେ ଭାବୁ, ଶରୀର ଦ୍ୱାରା କାମ କରିବା ହେଉଛି କର୍ମ, ନ କରିବା ହେଉଛି ଅକର୍ମ । କିନ୍ତୁ ଗୀତାର ଦୃଷ୍ଟିରେ ବିଷୟଟି ଏତେ ସରଳ ନୁହେଁ । କେବେ କେବେ ବାହ୍ୟରୂପେ କାମ କରୁଥିବା ମଣିଷ ମଧ୍ୟ ଅକର୍ମରେ ଅବସ୍ଥିତ ହୋଇପାରେ (ଯେତେବେଳେ ସେ ନିଷ୍କାମ ଭାବରେ କାମ କରେ), ଏବଂ ବାହ୍ୟରୂପେ କାମ ନ କରିଲେ ମଧ୍ୟ ମାନସିକ ଆସକ୍ତି ଦ୍ୱାରା ସେ କର୍ମବନ୍ଧନରେ ପଡ଼ିପାରେ । ଏଠାରେ “କର୍ମ” ମାନେ କେବଳ ଶାରୀରିକ କାର୍ଯ୍ୟ ନୁହେଁ; ଏହା ଉଦ୍ଦେଶ୍ୟ, ଚେତନା ଓ ଭାବନା ସହିତ ଜଡିତ । ଗୀତା କହେ ଯେଉଁ କାମ ଆସକ୍ତି, ଅହଂକାର ଓ ଫଳାଶା ବିହୀନ ଭାବରେ କରାଯାଏ, ସେହି କାମ ବନ୍ଧନ ସୃଷ୍ଟି କରେନାହିଁ ।
ଶ୍ରୀକୃଷ୍ଣ କହୁଛନ୍ତି, କର୍ମର ଗୂଢତା ବୁଝିଲେ ମଣିଷ “ଅଶୁଭ”ରୁ ମୁକ୍ତ ହୁଏ । “ଅଶୁଭ” ମାନେ କେବଳ ପାପ ନୁହେଁ; ଏହା ଅଜ୍ଞାନ, ମୋହ ଓ ବନ୍ଧନର ପ୍ରତୀକ । ଯେତେବେଳେ ଜ୍ଞାନ ଆସେ, ମୋହ ଦୂର ହୁଏ । ଯେପର୍ଯ୍ୟନ୍ତ ମଣିଷ କର୍ମର ମୂଳ ତତ୍ତ୍ୱକୁ ବୁଝିପାରେନି, ସେପର୍ଯ୍ୟନ୍ତ ସେ ଫଳାଶା ଓ ଆସକ୍ତିର ଜାଲରେ ବନ୍ଧିତ ହୋଇ ରହେ। ଏହି ବନ୍ଧନ ମନକୁ ଅଶାନ୍ତ କରେ ଓ ଜୀବନକୁ ଦୁଃଖମୟ କରିଦିଏ । କିନ୍ତୁ ଯେତେବେଳେ କର୍ମର ସଠିକ ଜ୍ଞାନ ହୁଏ, ମଣିଷର ଦୃଷ୍ଟିକୋଣ ପରିବର୍ତ୍ତିତ ହୁଏ । ସେ ନିଜ କର୍ତ୍ତବ୍ୟକୁ ଧର୍ମରୂପେ ଗ୍ରହଣ କରିଥାଏ ଓ ଫଳପ୍ରତି ଆସକ୍ତ ହୁଏନାହିଁ। ଏହି ଅବସ୍ଥା ହେଉଛି ଆଧ୍ୟାତ୍ମିକ ମୁକ୍ତିର ପଥ ।
ଦାର୍ଶନିକ ଭାବେ “କର୍ମ” ହେଉଛି କେବଳ କାର୍ଯ୍ୟ ନୁହେଁ; ଏହା କାର୍ଯ୍ୟ ପଛରେ ଥିବା ଚେତନା, ଉଦ୍ଦେଶ୍ୟ ଓ ଆତ୍ମସମ୍ପୃକ୍ତିର ଅଭିବ୍ୟକ୍ତି । ଯଦି କାମ ଅହଂକାର, ଆସକ୍ତି ଓ ଫଳାଶା ସହିତ ହୁଏ, ତେବେ ସେହି କର୍ମ ବନ୍ଧନ ସୃଷ୍ଟି କରେ । କିନ୍ତୁ ଯଦି କାର୍ଯ୍ୟ ନିଷ୍କାମ ଭାବରେ, ଆତ୍ମଜ୍ଞାନ ସହିତ ଓ ଧର୍ମର ଅନୁସାରେ କରାଯାଏ, ସେହି କର୍ମ ଅକର୍ମର ସ୍ଥାନକୁ ପ୍ରାପ୍ତ କରେ, ଅର୍ଥାତ୍ ବନ୍ଧନରହିତ ହୋଇଯାଏ । ଏଠାରେ ଗୀତା ଏକ ଗୁଢ ପାରମାର୍ଥିକ ସୂତ୍ର ଦେଇଛି – କାର୍ଯ୍ୟର ସତ୍ୟତା ବାହ୍ୟ ରୂପରେ ନୁହେଁ, ଆନ୍ତରିକ ଚେତନା ଉପରେ ନିର୍ଭର କରେ । ଯେତେବେଳେ ମଣିଷ ନିଜକୁ କର୍ତ୍ତା ବୋଲି ଭାବେ, ସେ ବନ୍ଧନରେ ପଡ଼େ; କିନ୍ତୁ ଯେତେବେଳେ ସେ ନିଜକୁ ସାକ୍ଷୀରୂପେ ଅନୁଭବ କରେ, ସେ କର୍ମ କରିଥିଲେ ମଧ୍ୟ ଅକର୍ମରେ ଅବସ୍ଥିତ ହୁଏ ।

ମନୋବୈଜ୍ଞାନିକ ଭାବେ ଦେଖିଲେ, ମଣିଷ ସବୁବେଳେ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ “କରିବି କି ନ କରିବି” ଏହି ଆନ୍ତରିକ ସଂଘର୍ଷରେ ରହେ । ନିଷ୍ପତ୍ତି ନେବାର ଏହି ଦ୍ୱନ୍ଦ୍ୱ ମନରେ ଅନିଶ୍ଚିତତା, ଭୟ ଓ ଚିନ୍ତା ସୃଷ୍ଟି କରେ । ଏହା ମନର ଅସ୍ପଷ୍ଟତା ବା ଦ୍ବନ୍ଦର ପ୍ରତୀକ । ଯେତେବେଳେ ମଣିଷ ନିଜ କାର୍ଯ୍ୟର ଉଦ୍ଦେଶ୍ୟ ସ୍ପଷ୍ଟ ରୂପେ ଜାଣି ନପାରେ , ସେତେବେଳେ ତା’ର ମନ ଅଶାନ୍ତ ହୁଏ । ମନୋବିଜ୍ଞାନ କହେ ଯେ ଅଧିକାଂଶ ମାନସିକ ଚାପର ମୂଳ ହେଉଛି ଫଳପ୍ରତି ଅତିରିକ୍ତ ଆସକ୍ତି ଓ ଭବିଷ୍ୟତ୍ ନେଇ ଚିନ୍ତା । ଗୀତା ଏହାର ଉତ୍ତର ଦେଉଛି – କର୍ମର ସତ୍ୟ ସ୍ୱରୂପ ବୁଝିଲେ ଏହି ଚିନ୍ତା ହ୍ରାସ ପାଏ । ଯେତେବେଳେ ମଣିଷ ନିଜ କର୍ତ୍ତବ୍ୟକୁ ଫଳାଶା ବିହୀନ ଭାବରେ କରେ, ସେତେବେଳେ ମନ ହାଲକା ହୁଏ । ଫଳପ୍ରତି ଅତିରିକ୍ତ ଆକାଂକ୍ଷା, ଅସଫଳତାର ଭୟ ଓ ସଫଳତାର ଅହଂକାର ଉଭୟକୁ ଜନ୍ମ ଦେଇଥାଏ । କିନ୍ତୁ ନିଷ୍କାମ କର୍ମ ମନକୁ ସମତାରେ ରଖେ । ଏହି ସମତା ମନର ଏକ ଉଚ୍ଚ ଅବସ୍ଥା, ଯେଉଁଠାରେ ମଣିଷ ବାହ୍ୟ ପରିସ୍ଥିତିରେ ବିଚଳିତ ହୁଏନାହିଁ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
9437046849
