ଆଦର୍ଶମୟ ଜୀବନ ପାଇଁ ଆମେ ମହାନ ବ୍ୟକ୍ତିମାନଙ୍କ ଆଚରଣକୁ ଅନୁସରଣ କରିବା ଆବଶ୍ୟକ
1 min read
Oplus_16908288
ଶ୍ରୀମଦ୍ ଭଗବଦ୍ ଗୀତା ୪:୧୫ ଶ୍ଳୋକ :
ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।
କୁରୁ କର୍ମୈବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ॥
ହେ ଅର୍ଜୁନ, ଏହି ପରମ ତତ୍ତ୍ୱକୁ ଜାଣି ପୂର୍ବକାଳରେ ମୁମୁକ୍ଷୁ (ମୋକ୍ଷକାମୀ)ମାନେ କର୍ମ କରିଥିଲେ । ତେଣୁ ତୁମେ ମଧ୍ୟ ପୂର୍ବଜମାନଙ୍କ ପରମ୍ପରା ଅନୁସରଣ କରି କର୍ମ କର ।
ଏହାର ପୂର୍ବ ଶ୍ଳୋକ (୪:୧୪)ରେ ଶ୍ରୀକୃଷ୍ଣ କହିଥିଲେ ଯେ, ସେ କର୍ମରେ ଲିପ୍ତ ନୁହନ୍ତି କାରଣ ତାଙ୍କର କୌଣସି ଫଳାସକ୍ତି ନାହିଁ । ଏହି ତତ୍ତ୍ୱକୁ ବୁଝି ଯେଉଁମାନେ କର୍ମ କରନ୍ତି, ସେମାନେ ବନ୍ଧନରେ ପଡ଼ନ୍ତି ନାହିଁ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହୁଛନ୍ତି ଯେ, ଏହି କର୍ମତତ୍ତ୍ୱକୁ ଜାଣି ପୂର୍ବକାଳର ମୋକ୍ଷକାମୀ ମହାନ ବ୍ୟକ୍ତିମାନେ ମଧ୍ୟ କର୍ମ କରିଥିଲେ । ତେଣୁ ତୁମେ ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରି କର୍ତ୍ତବ୍ୟ ପାଳନ କର ।
ଜ୍ଞାନ ବିହୀନ କର୍ମ ବନ୍ଧନର କାରଣ ହୁଏ, କିନ୍ତୁ ଜ୍ଞାନ ସହିତ କରାଯାଇଥିବା କର୍ମ ମୋକ୍ଷର ପଥ ପ୍ରଶସ୍ତ କରେ । ପୂର୍ବଜ ମୁନିମାନେ ମଧ୍ୟ ଜୀବନର କର୍ତ୍ତବ୍ୟକୁ ଛାଡ଼ି ଦେଇନଥିଲେ; ସେମାନେ ଆତ୍ମତତ୍ତ୍ୱକୁ ବୁଝି ନିଷ୍କାମଭାବରେ କର୍ମ କରିଥିଲେ । ଯିଏ ମୋକ୍ଷ ଚାହେଁ, ସେ କର୍ମରୁ ପଳାଏନାହିଁ; ବରଂ ସେ କର୍ମକୁ ଏକ ସାଧନାରୂପେ ଗ୍ରହଣ କରେ । ଗୀତା ଏଠାରେ କହୁଛି ଯେ ଧର୍ମର ପଥ କୌଣସି ନୂତନ ପଥ ନୁହେଁ; ଏହା ଅନାଦିକାଳ ଧରି ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ । ଏହା ଆମକୁ ସୂଚନା ଦେଉଛି ଯେ ଆଦର୍ଶମୟ ଜୀବନ ପାଇଁ ଆମେ ମହାନ ବ୍ୟକ୍ତିମାନଙ୍କ ଆଚରଣକୁ ଅନୁସରଣ କରିବା ଆବଶ୍ୟକ ।
ପାରମ୍ପରିକ ଦାର୍ଶନିକ ଚିନ୍ତାଧାରାରେ ଏକ ପ୍ରଶ୍ନ ଉଠେ – ମୋକ୍ଷ ପାଇଁ କର୍ମ ଆବଶ୍ୟକ କି ତ୍ୟାଗ ଆବଶ୍ୟକ? ଏହି ଶ୍ଳୋକ ସ୍ପଷ୍ଟ କରେ ଯେ କର୍ମ ନିଜେ ବନ୍ଧନ ନୁହେଁ; ବନ୍ଧନ ହେଉଛି ଅହଂକାର ଓ ଫଳାସକ୍ତି । ଜ୍ଞାନ ସହିତ କରାଯାଇଥିବା କର୍ମ ଆତ୍ମାକୁ ବାନ୍ଧେ ନାହିଁ । ଏହି ଦୃଷ୍ଟିରୁ ଗୀତା କର୍ମସନ୍ନ୍ୟାସକୁ ପ୍ରତ୍ୟାଖ୍ୟାନ କରି, ନିଷ୍କାମ କର୍ମକୁ ମୋକ୍ଷର ସାଧନାରୂପେ ପ୍ରତିଷ୍ଠା କରେ । ଗୀତା କହେ ଯେ ସତ୍ୟ କୌଣସି ନୂତନ ଆବିଷ୍କାର ନୁହେଁ; ଏହା ଅନାଦି ସନାତନ ତତ୍ତ୍ୱ। ମହାନ ଋଷିମୁନିମାନେ ଏହାକୁ ଅନୁଭବ କରି ଜୀବନରେ ପ୍ରୟୋଗ କରିଥିଲେ । ଏହି ଶ୍ଳୋକ ମାନବଜୀବନରେ କର୍ତ୍ତବ୍ୟର ଅନିବାର୍ଯ୍ୟତାକୁ ଦର୍ଶାଏ । ଜୀବନ ଏକ କ୍ରିୟାଶୀଳ ପ୍ରକ୍ରିୟା; ନିଷ୍କ୍ରିୟତା ପ୍ରକୃତିବିରୋଧୀ । ତେଣୁ ଗୀତାର – କର୍ମ କର, କିନ୍ତୁ ଆତ୍ମସ୍ୱରୂପରେ ଅବସ୍ଥିତ ରୁହ । ବାହ୍ୟରେ କର୍ମ, ଆନ୍ତରିକତାରେ ନିର୍ଲିପ୍ତତା । ଏହି ସମନ୍ୱୟ ହିଁ ଯୋଗ ।

ମନୁଷ୍ୟ ଯେତେବେଳେ ଦାୟିତ୍ୱର ସମ୍ମୁଖୀନ ହୁଏ, ସେତେବେଳେ ତା’ ମନରେ ଭୟ ଓ ସଂଶୟ ଜନ୍ମ ନେଇଥାଏ । ଅର୍ଜୁନଙ୍କ ଭଳି ଆମେ ମଧ୍ୟ ଅନେକ ପରିସ୍ଥିତିରେ କର୍ମରୁ ପଛକୁ ହଟିଯିବାକୁ ଚାହୁଁ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି, “ତୁମେ ଏକା ନୁହଁ; ପୂର୍ବଜମାନେ ମଧ୍ୟ ଏହି ପରିସ୍ଥିତିରେ କର୍ମ କରିଛନ୍ତି।”ଏହା ମନରେ ସାମୂହିକ ଆଶ୍ଵାସନା ସୃଷ୍ଟି କରେ । ମନୁଷ୍ୟ ଯେତେବେଳେ ଜାଣେ ଯେ ସେ ଏକ ପରମ୍ପରାର ଅଂଶ, ସେଥିରେ ଭୟ କମିଯାଏ ଓ ନିଷ୍ପତ୍ତିଶକ୍ତି ବୃଦ୍ଧି ପାଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
9437046849
