tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୧୧ ଶ୍ଳୋକ : ଅୟନେଷୁ ଚ ସର୍ବେଷୁ…

1 min read

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ।
ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ॥*

  • ଶ୍ଳୋକରେ ଦୁର୍ଯ୍ୟୋଧନ ନିଜ ସେନାପତି ଓ ସହଯୋଦ୍ଧାମାନଙ୍କୁ ସଚେତନ କରୁଛନ୍ତି । ସେ କହୁଛନ୍ତି, ସମସ୍ତେ ନିଜ-ନିଜ ବ୍ୟୁହ ସ୍ଥାନରେ ରହି ଭୀଷ୍ମପିତାମହଙ୍କୁ ସୁରକ୍ଷା ଦିଅନ୍ତୁ, କାରଣ ସେ ହିଁ ଯୁଦ୍ଧର ମୂଳ ଭରସା ।
  • ଏଠାରେ ଦୁର୍ଯ୍ୟୋଧନଙ୍କ ମନୋଭାବ ସ୍ପଷ୍ଟ । ବାହ୍ୟ ଭାବେ ସେ ଭୀଷ୍ମଙ୍କୁ ସମ୍ମାନ ଦେଉଥିବା ପରି ଲାଗୁଥିଲେ ମଧ୍ୟ, ତାଙ୍କ ଭିତରେ ଭୟ ଓ ଅବିଶ୍ୱାସ ଭାବ ଲୁଚି ରହିଛି । କାରଣ ସେ ଜାଣନ୍ତି ଭୀଷ୍ମଙ୍କ ହୃଦୟ ପାଣ୍ଡବମାନଙ୍କ ପ୍ରତି ନରମ । ଦୁର୍ଯ୍ୟୋଧନଙ୍କ ଆଦେଶ ଏକ ଆତ୍ମବିଶ୍ୱାସ ନୁହେଁ, ବରଂ ଆଶଙ୍କାର ପ୍ରତିଫଳନ । ଆଜିର ରାଜନୀତି, ସଂଗଠନ କିମ୍ବା କାର୍ଯ୍ୟାଳୟରେ, ଯେଉଁ ନେତା ନିଜ ନୀତିରେ ଦୁର୍ବଳ, ସେ ବରିଷ୍ଠ ଓ ପ୍ରତିଷ୍ଠିତ ଲୋକଙ୍କୁ ଆଗରେ ରଖି ନିଜର ଅସୁରକ୍ଷାତାକୁ ଲୁଚାଏ । ଉକ୍ତ ଶ୍ଳୋକ ପ୍ରତିପାଦନ କରେ ଯେ – ଯେଉଁଠି ଧର୍ମ ନଥାଏ, ସେଠାରେ ବାହ୍ୟ ସୁରକ୍ଷାର ଆବଶ୍ୟକତା ପଡେ ।
  • ଭୀଷ୍ମ ଧର୍ମର ପ୍ରତୀକ, କିନ୍ତୁ ଦୁର୍ଯ୍ୟୋଧନ ତାଙ୍କୁ “ଧର୍ମର ନେତା” ଭାବେ ନୁହେଁ, “ଯୁଦ୍ଧର ହତିଆର” ଭାବେ ବ୍ୟବହାର କରୁଛନ୍ତି । ଏହା ଦର୍ଶାଏ, ଅଧର୍ମ ସଦା ଧର୍ମକୁ ବ୍ୟବହାର କରିବାକୁ ଚାହେଁ । କିନ୍ତୁ ଧର୍ମ କେବେ ଅଧର୍ମର ରକ୍ଷା କରେ ନାହିଁ । ଗୀତା ଦର୍ଶାଏ ଧର୍ମକୁ ଢାଲ କରି ଅଧର୍ମ ଦୀର୍ଘକାଳ ତିଷ୍ଠି ରହିପାରେନାହିଁ ।
    ଯେଉଁ ପରିବାରରେ, ବଡ଼ମାନଙ୍କୁ ସମ୍ମାନ ନ ଦେଇ, କେବଳ “ନାମ” ପାଇଁ ବ୍ୟବହାର କରାଯାଏ, ସେହି ପରିବାର ଭିତରେ ଦୁର୍ଯ୍ୟୋଧନୀ ସଂସ୍କୃତି ଜନ୍ମ ନେଇଥାଏ । ଯେଉଁ ପରିବାରରେ ବଡ଼ମାନଙ୍କୁ ନୀତିର ମାର୍ଗଦର୍ଶକ ଭାବେ ନୁହେଁ କେବଳ ନାମ, ପଦବୀ, କିମ୍ବା ସମ୍ପତ୍ତି ରକ୍ଷା ପାଇଁ ବ୍ୟବହାର କରାଯାଏ, ସେଠାରେ ପରିବାର ଧୀରେ ଧୀରେ ଭାଙ୍ଗିଯାଏ । ଭୀଷ୍ମ ଏଠାରେ ପିତାମହ ନୁହଁନ୍ତି, କେବଳ ଯୁଦ୍ଧ କ୍ଷେତ୍ରରେ ଏକ ଢାଲ ।
  • ସେହିପରି ଭୀଷ୍ମଙ୍କ ପରି ଜ୍ଞାନୀ ଯଦି ଅନ୍ୟାୟ ଦେଖି ନୀରବ ରହନ୍ତି, ତେବେ ସେ ନୀରବତା, ପରିବାରରେ ଦ୍ୱନ୍ଦ୍ୱ ଓ ସନ୍ତାନମାନଙ୍କ ମଧ୍ୟରେ ବିଷ ସୃଷ୍ଟି କରେ । ସେହିପରି ସମାଜରେ “ଭୀଷ୍ମ” ସଦୃଶ ବୁଦ୍ଧିଜୀବୀ, ବୃଦ୍ଧ, ନୀତିବାଦୀ, ପ୍ରତିଷ୍ଠିତ ବ୍ୟକ୍ତିମାନେ ଯଦି ଅନ୍ୟାୟକୁ ସମର୍ଥନ କରନ୍ତି କିମ୍ବା ନୀରବ ରହନ୍ତି, ତେବେ ସମାଜ ଭ୍ରଷ୍ଟ ହୋଇଯାଏ । ପରିବାରରେ ବଡ଼ମାନେ ଧର୍ମ, ନ୍ୟାୟ ଓ ମୂଲ୍ୟବୋଧର ରକ୍ଷକ ଭାବେ ରହିବା ଉଚିତ । କିନ୍ତୁ ଗୀତା ୧.୧୧ରେ ଭୀଷ୍ମଙ୍କ ଅବସ୍ଥା ସୂଚିତ କରେ – ଯେତେବେଳେ ବଡ଼ ଓ ଜ୍ଞାନୀମାନେ ସତ୍ୟର ପକ୍ଷରେ ସ୍ପଷ୍ଟ ଭାବେ ଦଣ୍ଡାୟମାନ ହେବା ପରିବର୍ତ୍ତେ, ଅନ୍ୟାୟ ପ୍ରଣାଳୀର ଢାଲ ହୋଇଯାନ୍ତି, ସେତେବେଳେ ପରିବାର ଭିତରେ ଦ୍ୱନ୍ଦ୍ୱ ଓ ଅନୀତି ଜନ୍ମ ନିଏ । ଏହି ସତ୍ୟ ସମାଜ ପାଇଁ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ । ସମାଜରେ ବୁଦ୍ଧିଜୀବୀ, ବରିଷ୍ଠ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ “ଭୀଷ୍ମ” ସ୍ୱରୂପ । ଯଦି ସେମାନେ ଅନ୍ୟାୟ, ଅସତ୍ୟ ଓ ଶୋଷଣକୁ ଦେଖି ନୀରବ ରହନ୍ତି କିମ୍ବା ନିଜ ସ୍ୱାର୍ଥ ପାଇଁ ଶକ୍ତିଶାଳୀଙ୍କ ସହ ସାମିଲ ହୋଇଯାନ୍ତି, ତେବେ ସମାଜ ନୀତିହୀନ ହୋଇପଡ଼େ ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply