tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୧୦ ଶ୍ଳୋକ : ଅପର୍ଯାପ୍ତଂ ତଦସ୍ମାକଂ..

1 min read

ଅପର୍ଯାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍ ।
ପର୍ଯାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍ ॥

  • ଦୁର୍ଯ୍ୟୋଧନ କହୁଛନ୍ତି – “ଭୀଷ୍ମ ପିତାମହଙ୍କ ଦ୍ୱାରା ସୁରକ୍ଷିତ ଆମ ସେନା ଅପର୍ଯ୍ୟାପ୍ତ ମନେ ହେଉଛି, କିନ୍ତୁ ଭୀମ ଦ୍ୱାରା ସୁରକ୍ଷିତ ପାଣ୍ଡବଙ୍କ ସେନା ପର୍ଯ୍ୟାପ୍ତ ଓ ସଶକ୍ତ ମନେ ହେଉଛି।”
    ଏଠାରେ ଦୁର୍ଯ୍ୟୋଧନଙ୍କ ଆତ୍ମବିଶ୍ୱାସର ଅଭାବ ପରିଲିକ୍ଷିତ ହୁଏ । ଏକ ବୃହତ ସେନାବାହିନୀ ତଥା ଭୀଷ୍ମ ପରି ମହାଯୋଦ୍ଧା ଥିଲେ ମଧ୍ୟ ସେ ମନରେ ଭୟଭୀତ । ଏଥିରୁ ଜଣାପଡେ, ଅନ୍ୟାୟର ପକ୍ଷରେ ଥିଲେ ମନ ଦୁର୍ବଳ ହୁଏ । ପାଣ୍ଡବଙ୍କ ପକ୍ଷର ସେନା ସଂଖ୍ୟା କମ୍ ହେଲେ ମଧ୍ୟ ଧର୍ମ ଓ ନ୍ୟାୟରେ ଥିଲା । ସେଥିପାଇଁ ସେମାନଙ୍କ ଶକ୍ତି “ପର୍ଯ୍ୟାପ୍ତ” ଲାଗୁଥିଲା ।
    ଦୁର୍ଯ୍ୟୋଧନଙ୍କ ଉକ୍ତି – “ଆମ ସେନା ଅପର୍ଯ୍ୟାପ୍ତ”- ପ୍ରମାଣ କରେ ଯେ, ଅନ୍ୟାୟ କରୁଥିବା ଲୋକ ଭିତରୁ ନିଜେ ହାରିସାରିଥାଏ, ବାହ୍ୟ ଶକ୍ତି ମନକୁ ଶକ୍ତିଶାଳୀ କରିପାରେନି । ଗୀତା ୧.୧୦ ର ମହାବାଣୀ -“ସଂଖ୍ୟା ନୁହେଁ, ନୀତି; ଅସ୍ତ୍ର ନୁହେଁ, ଆତ୍ମବଳ; ପଦ ନୁହେଁ, ସତ୍ୟ ହିଁ ଯୁଦ୍ଧ ଜିତାଏ ।
    ଗୀତା ୧.୧୦ରେ ଦୁର୍ଯ୍ୟୋଧନଙ୍କ ମନସ୍ଥିତି ଗୋଟିଏ ପରିବାରର ଅନ୍ତର୍ଦ୍ୱନ୍ଦ୍ୱକୁ ପ୍ରତିବିମ୍ବିତ କରେ । କେତେକ ପରିବାରରେ, ଅଧିକ ସଦସ୍ୟ, ବହୁ ସମ୍ପତ୍ତି, ବୟସ୍କ ଅଭିଭାବକ (ଭୀଷ୍ମ ପରି) ଥିଲେ ମଧ୍ୟ ପରିବାରରେ ଶାନ୍ତି ନଥାଏ ।
    ଭୀଷ୍ମ ଥିଲେ ମଧ୍ୟ ଦୁର୍ଯ୍ୟୋଧନ ନିଶ୍ଚିନ୍ତ ନୁହେଁ, ଏହା ପରିବାରର ଭିତରୁ ଦୁର୍ବଳତା । ପାଣ୍ଡବ ପରିବାର, ସଦସ୍ୟ କମ୍, ସମ୍ପଦ କମ୍, କିନ୍ତୁ ଭାଇମାନଙ୍କ ମଧ୍ୟରେ ବିଶ୍ୱାସ, ନ୍ୟାୟ ଓ ଏକତା ଥିଲା । ଏହି କାରଣରୁ ସେମାନଙ୍କ ପରିବାର “ପର୍ଯ୍ୟାପ୍ତ”।
    ଆହୁରି ମଧ୍ୟ ଭୀଷ୍ମ ପରି ପରିବାରର ବୟୋଜ୍ୟେଷ୍ଠମାନେ ଅନ୍ୟାୟ ଦେଖି ନୀରବ ରହିଲେ, ଯୁବପିଢ଼ି ଭ୍ରମିତ ହୁଏ, ପରିବାର ଭିତରେ ଭୟ ଓ ଦ୍ୱନ୍ଦ୍ୱ ବଢ଼େ । ବୟସ୍କମାନଙ୍କର ନୀରବତାରୁ ହିଁ ପରିବାରରେ ଦୁର୍ଯ୍ୟୋଧନ ସୃଷ୍ଟି ହୁଅନ୍ତି । ସମାଜରେ ବଡ଼ ଗୋଷ୍ଠୀ, ଅଧିକ ଶକ୍ତି, ପ୍ରଭାବଶାଳୀ ନେତା ଥିଲେ ମଧ୍ୟ ଯଦି ନ୍ୟାୟ ନଥାଏ, ସମାଜ ଅସୁରକ୍ଷିତ ରହେ। ଦୁର୍ଯ୍ୟୋଧନଙ୍କ “ଅପର୍ଯ୍ୟାପ୍ତ ବଳ” ସେହି ଅସୁରକ୍ଷିତାକୁ ଦର୍ଶାଏ ।
    ଦୁର୍ଯ୍ୟୋଧନ ପରିବାରର ସଦସ୍ୟମାନଙ୍କୁ ନିୟନ୍ତ୍ରଣ କରୁଥିଲେ, ଅପରପକ୍ଷରେ ପାଣ୍ଡବମାନେ ପରିବାରର ସଦସ୍ୟମାନଙ୍କୁ ନେତୃତ୍ୱ ଦେଉଥିଲେ । ନିୟନ୍ତ୍ରଣ ଭୟ ସୃଷ୍ଟି କରେ ଓ ନେତୃତ୍ୱ ଭରସା ଗଢ଼େ । ଯେଉଁ ପରିବାର ଭୟରେ ଚାଲେ, ସେଠାରେ ଭିତରୁ ଶକ୍ତି ନଥାଏ ।
    ଦୁର୍ଯ୍ୟୋଧନଙ୍କ ଅହଂକାର ଥିଲା ଅଭିଭାବକମାନଙ୍କ ନୀରବତାର ପରିଣାମ । ପରିବାରରେ ଯଦି ଅଭିଭାବକମାନେ କନିଷ୍ଠଙ୍କ ଭୁଲକୁ ସହିଯାନ୍ତି, ସେହି ଭୁଲ୍ ଦିନେ ଭୟଙ୍କର ମହାଭାରତର ରୂପ ନେଇଥାଏ । ଭୀଷ୍ମ ପରି ଜ୍ଞାନୀ ଲୋକ ଯେତେବେଳେ ନୀରବ ହୋଇଯାନ୍ତି, ସେତେବେଳେ ଅନ୍ୟାୟ ବଢ଼େ, ଶାସନ ଭିତରେ ଅସୁରକ୍ଷତା ବଢ଼େ ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply