tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୪୨ ଶ୍ଳୋକ : ସଙ୍କରୋ ନରକାୟୈବ..

1 min read

ସଙ୍କରୋ ନରକାୟୈବ କୁଲଘ୍ନାନାଂ କୁଲସ୍ୟ ଚ ।
ପତନ୍ତି ପିତରୋ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ ॥

  • ବର୍ଣ୍ଣଶଙ୍କର (ସାମାଜିକ ଅବ୍ୟବସ୍ଥା) ହେଲେ, ସେଥିରୁ କୁଳନାଶକ ଲୋକମାନେ ଜନ୍ମ ନିଅନ୍ତି ଓ ସମଗ୍ର କୁଳ ନରକରେ ପଡ଼ନ୍ତି । ଏହି କୁଳନାଶ ଦ୍ୱାରା ପୂର୍ବଜମାନଙ୍କ ପାଇଁ ପିଣ୍ଡ ଓ ତର୍ପଣ ଭଳି କ୍ରିୟାମାନେ ବିଲୁପ୍ତ ହୋଇଯାଏ; ତେଣୁ ପିତୃଗଣ ମଧ୍ୟ ଅଧୋଗତିକୁ ଗମନ କରନ୍ତି ।
  • ଏହି ଶ୍ଳୋକରେ ଅର୍ଜୁନ ତାଙ୍କ ମନର ଗଭୀର ଆଶଙ୍କାକୁ ପ୍ରକାଶ କରୁଛନ୍ତି । ଯୁଦ୍ଧ ଫଳରେ ଯଦି କୁଳର ବୟସ୍କ ଓ ନୀତିବାନ ସଦସ୍ୟମାନେ ମୃତ୍ୟୁବରଣ କରିବେ, ତେବେ ସମାଜର ନୀତି-ନିୟମ ଭାଙ୍ଗିଯିବ । ଏହି ଅବସ୍ଥାକୁ ସେ “ବର୍ଣ୍ଣଶଙ୍କର” ବୋଲି କହୁଛନ୍ତି – ଅର୍ଥାତ୍ ନୀତିହୀନତା, ଅସ୍ଥିର ପରିବାର ବ୍ୟବସ୍ଥା ଓ ସାମାଜିକ ଅସମନ୍ୱୟ ଅବସ୍ଥା ।


ଅର୍ଜୁନଙ୍କ ଦୃଷ୍ଟିରେ, କୁଳନାଶ କେବଳ ଜୀବନ ନଷ୍ଟ ନୁହେଁ; ଏହା ସହିତ ଧର୍ମ, ପରମ୍ପରା ଓ ପିତୃଋଣ ପୂରଣର ପଥ ମଧ୍ୟ ଭଙ୍ଗ ହୁଏ । ପିଣ୍ଡଦାନ ଓ ତର୍ପଣ ଭଳି କ୍ରିୟାଗୁଡିକ ପୂର୍ବଜଙ୍କ ପ୍ରତି କୃତଜ୍ଞତାର ପ୍ରତୀକ । ସେଗୁଡ଼ିକ ନ ହେଲେ, ପୂର୍ବଜମାନେ ଅସନ୍ତୋଷ ଓ ଅଧୋଗତିକୁ ପହଞ୍ଚନ୍ତି ବୋଲି ସେ ଭାବୁଛନ୍ତି । ଭାରତୀୟ ଦାର୍ଶନିକ ପରମ୍ପରାରେ ପିତୃଋଣ ଏକ ମହତ୍ତ୍ୱପୂର୍ଣ୍ଣ ଧାରଣା। ପୂର୍ବଜମାନଙ୍କ ପାଇଁ ପିଣ୍ଡଦାନ ଓ ତର୍ପଣ କେବଳ ଧାର୍ମିକ କ୍ରିୟା ନୁହେଁ; ଏହା ଆମର ସାମାଜିକ ସ୍ମୃତି ଓ କୃତଜ୍ଞତାର ପ୍ରତୀକ । ଅର୍ଜୁନ ଭାବୁଛନ୍ତି – ଯଦି କୁଳ ଧ୍ୱଂସ ହୋଇଯାଏ, ତେବେ ଏହି ସ୍ମୃତିର ସେତୁ ଭାଙ୍ଗିଯିବ, ଏବଂ ପୂର୍ବଜମାନେ ମଧ୍ୟ ଅବମାନିତ ଓ ବିସ୍ମୃତ ହେବେ ।


ଅର୍ଜୁନ “କୁଳଘ୍ନ” ଶବ୍ଦ ବ୍ୟବହାର କରି ଏହାକୁ ସ୍ପଷ୍ଟ କରନ୍ତି ଯେ ଯେଉଁମାନେ ନିଜ କୁଳକୁ ଧ୍ୱଂସ କରନ୍ତି, ସେମାନେ କେବଳ ହତ୍ୟାକାରୀ ନୁହେଁ; ସେମାନେ ସାମାଜିକ ମୂଲ୍ୟବୋଧର ହତ୍ୟାକାରୀ । ବର୍ଣ୍ଣଶଙ୍କର କେବଳ ଜାତିଗତ ମିଶ୍ରଣ ନୁହେଁ, ବରଂ ନୀତି, ଶିଷ୍ଟାଚାର ଓ ଦାୟିତ୍ୱର ସଂକରଣ – ଯାହା ସମାଜକୁ ନୀତିହୀନ କରିଦିଏ । ଯୁଦ୍ଧ ଯଦି କେବଳ ସତ୍ତା ପାଇଁ ହୁଏ, ତେବେ ସେ ରାଜ୍ୟକୁ ଧ୍ୱଂସ କରେ । ଅର୍ଜୁନଙ୍କ ଭୟ – ଏହି ଯୁଦ୍ଧ ରାଜ୍ୟର ନେତୃତ୍ୱ, ଶାସନ ଓ ନୀତିମୟ ପରମ୍ପରାକୁ ନଷ୍ଟ କରିଦେବ । ନୀତିହୀନ ବିଜୟ ନରକସମ ପରିଣାମ ଆଣିବ ।


ଆଜିର ସମାଜରେ ଯେତେବେଳେ ପରିବାର ବ୍ୟବସ୍ଥା ଦୁର୍ବଳ ହେଉଛି, ବୃଦ୍ଧମାନେ ଅବହେଳିତ, ଓ ପରମ୍ପରା ବିସ୍ମୃତ; ସେତେବେଳେ ଗୀତା ୧.୪୨ ଆମକୁ ପ୍ରଶ୍ନ କରେ: “ଆମର ପ୍ରଗତି କ’ଣ ନୈତିକ ମୂଲ୍ୟବୋଧକୁ ନଷ୍ଟ କରି ଦେଉନି କି ?” ଅର୍ଜୁନଙ୍କ ଭୟ ଆଜିର ସମୟରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ – ଯେତେବେଳେ ହିଂସା, ସ୍ୱାର୍ଥ ଓ ସତ୍ତାଲୋଭ ସମାଜକୁ ନିୟନ୍ତ୍ରଣ କରେ, ସେତେବେଳେ ପରମ୍ପରା ଓ ମୂଲ୍ୟବୋଧ ଧ୍ୱସ୍ତ ହୋଇଯାଏ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply