tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

‘ଗୁଣ ଓ କର୍ମର ଭେଦ ଅନୁଯାୟୀ ମୁଁ ଚାରି ବର୍ଣ୍ଣର ସୃଷ୍ଟି କରିଛି’

1 min read

ଶ୍ରୀମଦ୍ ଭଗବଦ୍ ଗୀତା ୪:୧୩ ଶ୍ଳୋକ :

ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।
ତସ୍ୟ କର୍ତ୍ତାରମପି ମାଂ ବିଦ୍ଧ୍ୟକର୍ତ୍ତାରମବ୍ୟୟମ୍ ॥

ଗୁଣ ଓ କର୍ମର ଭେଦ ଅନୁଯାୟୀ ମୁଁ ଚାରି ବର୍ଣ୍ଣର ସୃଷ୍ଟି କରିଛି । ଯଦ୍ୟପି ମୁଁ ତାହାର କର୍ତ୍ତା, ତଥାପି ମୋତେ ଅକର୍ତ୍ତା ଓ ଅବ୍ୟୟ ବୋଲି ଜାଣ।
ଏହି ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ସମାଜ ବ୍ୟବସ୍ଥା ଓ ତାଙ୍କର ଦୈବୀ ସ୍ୱଭାବ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ପ୍ରକାଶ କରିଛନ୍ତି । ସେ କହୁଛନ୍ତି ଯେ ଚାରି ବର୍ଣ୍ଣ – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର – ଜନ୍ମ ଆଧାରିତ ନୁହେଁ, ବରଂ “ଗୁଣ” (ସ୍ୱଭାବ) ଓ “କର୍ମ” (କାର୍ଯ୍ୟ) ଆଧାରିତ । ଗୁଣ ଅର୍ଥାତ୍ ସତ୍ତ୍ୱ, ରଜ, ତମ ମନୋଭାବ ଓ ପ୍ରକୃତିର ଗୁଣ । କର୍ମ ଅର୍ଥାତ୍ ବ୍ୟକ୍ତିର କାର୍ଯ୍ୟ, ଦାୟିତ୍ୱ ଓ ବୃତ୍ତି । ସମାଜର କାର୍ଯ୍ୟ ବିଭାଗ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ଓ ଯୋଗ୍ୟତା ଅନୁଯାୟୀ ହେବ ଉଚିତ ।


ମନୁଷ୍ୟମାନଙ୍କ ମଧ୍ୟରେ ମନୋଭାବ, ପ୍ରବୃତ୍ତି, କ୍ଷମତା ଓ ରୁଚିର ଭିନ୍ନତା ରହିଥାଏ । କେହି ଜ୍ଞାନମୁଖୀ, କେହି ଶୌର୍ଯ୍ୟଶାଳୀ, କେହି ବାଣିଜ୍ୟମୁଖୀ ଓ କେହି ସେବାମୂଳକ ପ୍ରବୃତ୍ତିର । ଏହି ପ୍ରକୃତିଗତ ଭିନ୍ନତାକୁ ଆଧାର କରି ସମାଜରେ କାର୍ଯ୍ୟବିଭାଗ ଗଠିତ ହୋଇଥାଏ । ତେଣୁ “ବର୍ଣ୍ଣ” ବୋଲି କହିଲେ ଜନ୍ମ ନୁହେଁ, ବରଂ ଗୁଣ ଓ କର୍ମକୁ ବୁଝାଯାଏ । ଏଠାରେ “ଗୁଣ” ବୋଲି ସତ୍ତ୍ୱ, ରଜ ଓ ତମ ନାମକ ପ୍ରକୃତିର ତିନିଟି ମୂଳ ଗୁଣକୁ ବୁଝାଯାଏ । ଏହି ଗୁଣମାନଙ୍କର ପ୍ରାଧାନ୍ୟ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ଗଠିତ ହୁଏ । “କର୍ମ” ଅର୍ଥାତ୍ ବ୍ୟକ୍ତିର କାର୍ଯ୍ୟ, ଦାୟିତ୍ୱ ଓ ବୃତ୍ତି । ତେଣୁ ଗୀତାର ଏହି ଶିକ୍ଷା ଏହାକୁ ସ୍ପଷ୍ଟ କରେ ଯେ ସମାଜର ସଠିକ ଗଠନ ପାଇଁ ଜନ୍ମ ନୁହେଁ, ଯୋଗ୍ୟତା ଓ କାର୍ଯ୍ୟକୁ ମୂଲ୍ୟ ଦିଆଯିବା ଉଚିତ । ଭଗବାନ ସୃଷ୍ଟିକର୍ତ୍ତା ହେଉଥିଲେ ମଧ୍ୟ ସେ “ଅକର୍ତ୍ତା”। ଏହାର ଅର୍ଥ, ସେ ସମସ୍ତ ବ୍ୟବସ୍ଥାର ମୂଳ କାରଣ ହୋଇଥିଲେ ମଧ୍ୟ କର୍ମଫଳରେ ବନ୍ଧା ନୁହନ୍ତି । ସେ ନିର୍ଲିପ୍ତ, ନିଷ୍କାମ ଓ ଅବିନାଶୀ ।


ସାମାଜିକ ଦୃଷ୍ଟିକୋଣରୁ ଏହି ଶ୍ଳୋକ ଜନ୍ମାଧାରିତ ଜାତିବାଦକୁ ସମର୍ଥନ କରେ ନାହିଁ । ଏଠାରେ ବର୍ଣ୍ଣ ବ୍ୟବସ୍ଥାକୁ ଜନ୍ମ ନୁହେଁ, ବରଂ ବ୍ୟକ୍ତିର ଗୁଣ ଓ କାର୍ଯ୍ୟ ଆଧାରରେ ବ୍ୟାଖ୍ୟା କରାଯାଇଛି । ଅର୍ଥାତ୍ ଯେଉଁ ବ୍ୟକ୍ତିର ମନୋଭାବ ଜ୍ଞାନମୁଖୀ, ସେ ଶିକ୍ଷା ଓ ଆଧ୍ୟାତ୍ମିକ କ୍ଷେତ୍ରରେ କାମ କରିପାରିବେ; ଯାହା ନିକଟରେ ସାହସ ଓ ନେତୃତ୍ୱ ଗୁଣ ଅଛି, ସେ ପ୍ରଶାସନ ଓ ସୁରକ୍ଷା କ୍ଷେତ୍ରରେ ଯୋଗଦାନ କରିପାରିବ । ଏହା ସମାଜରେ ଯୋଗ୍ୟତା ଆଧାରିତ ଭୂମିକା ବଣ୍ଟନର ପକ୍ଷପାତୀ । କିନ୍ତୁ ଇତିହାସରେ ଏହି ଧାରଣାକୁ ଭ୍ରାନ୍ତ ଭାବେ ବ୍ୟବହାର କରାଯାଇ ଜନ୍ମାଧାରିତ କଠୋର ଜାତି ବ୍ୟବସ୍ଥା ଗଢ଼ିଉଠିଥିଲା, ଯାହା ସମାଜରେ ବିଭେଦ ସୃଷ୍ଟି କରିଥିଲା । ସାମାଜିକ ଦୃଷ୍ଟିକୋଣରୁ ଏହା ଗୀତାର ମୂଳ ଆଦର୍ଶ ସହ ବିରୋଧାଭାସୀ । ଗୀତାର ଉଦ୍ଦେଶ୍ୟ ହେଉଛି ସମନ୍ୱୟ, ବିଭେଦ ନୁହେଁ ।


ପ୍ରକୃତିର ତିନିଟି ଗୁଣ ସମସ୍ତ ସୃଷ୍ଟିର ମୂଳ ଗଠନତତ୍ତ୍ୱ । ଏହି ଗୁଣମାନଙ୍କର ବିଭିନ୍ନ ସମ୍ମିଶ୍ରଣ ମାନବର ସ୍ୱଭାବ ଓ କାର୍ଯ୍ୟକୁ ନିର୍ଣ୍ଣୟ କରେ । ତେଣୁ ବର୍ଣ୍ଣ ବ୍ୟବସ୍ଥା କୌଣସି ବାହ୍ୟ ବିଭେଦ ନୁହେଁ, ବରଂ ପ୍ରକୃତିଗତ ଗୁଣର ଦାର୍ଶନିକ ପ୍ରତିଫଳନ । ଭଗବାନ ସୃଷ୍ଟିର କର୍ତ୍ତା ହେଉଥିଲେ ମଧ୍ୟ ଅକର୍ତ୍ତା । ଈଶ୍ୱର ସମସ୍ତ କାର୍ଯ୍ୟର ଆଧାର, କିନ୍ତୁ ସେ କାର୍ମିକ ବନ୍ଧନରେ ବନ୍ଧା ନୁହେଁ । ଯେପରି ସୂର୍ଯ୍ୟ ଆଲୋକ ଦେଇଥାଏ, କିନ୍ତୁ ତାହାର କାର୍ଯ୍ୟରେ ଲିପ୍ତ ହୁଏନାହିଁ, ସେପରି ପରମାତ୍ମା ସୃଷ୍ଟିର ମୂଳ ହୋଇ ମଧ୍ୟ ନିର୍ଲିପ୍ତ । ଯଦି ପରମାତ୍ମା ସୃଷ୍ଟିକର୍ତ୍ତା ହୋଇ ମଧ୍ୟ ନିଷ୍କାମ ଓ ଅକର୍ତ୍ତା, ତେବେ ମାନବ ମଧ୍ୟ କର୍ମ କରି ତାହାରେ ଆସକ୍ତି ରଖିବା ଉଚିତ୍ ନୁହେଁ ।


ସତ୍ତ୍ୱ ଗୁଣ ମନର ପବିତ୍ରତା, ସ୍ଥିରତା ଓ ଜ୍ଞାନପ୍ରବୃତ୍ତିକୁ ସୂଚାଏ; ରଜ ଗୁଣ ଚଞ୍ଚଳତା, କାମନା ଓ କ୍ରିୟାଶୀଳତାକୁ; ତମ ଗୁଣ ଅଜ୍ଞାନ, ଆଲସ୍ୟ ଓ ଅବିବେକକୁ ପ୍ରକାଶ କରେ । ଆଧୁନିକ ମନୋବିଜ୍ଞାନ ମଧ୍ୟ କହେ ଯେ ବ୍ୟକ୍ତିର ଆନ୍ତରିକ ପ୍ରବୃତ୍ତି ଓ ମନୋଦଶା ତାହାର ଚରିତ୍ର ଓ ବ୍ୟବହାରକୁ ନିର୍ଣ୍ଣୟ କରେ । ତେଣୁ ଗୀତାର ଏହି ତତ୍ତ୍ୱକୁ ଆମେ ବ୍ୟକ୍ତିତ୍ୱ ତତ୍ତ୍ୱ ସହ ସମ୍ପର୍କ କରିପାରିବା । ଯେପରି ଚିନ୍ତା, ସେପରି କାର୍ଯ୍ୟ, ଏହା ମନୋବିଜ୍ଞାନର ମୂଳ ସିଦ୍ଧାନ୍ତ । ଯଦି ମନ ସତ୍ତ୍ୱମୟ, କାର୍ଯ୍ୟ ମଧ୍ୟ ଶାନ୍ତ ଓ ସୃଜନଶୀଳ ହୁଏ। ଯଦି ମନ ରଜ ଓ ତମ ଦ୍ୱାରା ପ୍ରଭାବିତ, ତେବେ ଆତୁରତା, ଅସନ୍ତୋଷ ଓ ଭ୍ରମ ବୃଦ୍ଧି ପାଏ। ତେଣୁ ଏହି ଶ୍ଳୋକ ଆମକୁ ଆତ୍ମ-ପର୍ଯ୍ୟବେକ୍ଷଣର ପ୍ରେରଣା ଦେଇଥାଏ – ଆମ ମନରେ କେଉଁ ଗୁଣ ପ୍ରାଧାନ୍ୟ ରଖୁଛି? ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱଭାବ ଅନୁଯାୟୀ କାର୍ଯ୍ୟ କଲେ ସେ ସଫଳ ଓ ସନ୍ତୁଷ୍ଟ ହୁଏ । ନିଜ ପ୍ରକୃତିକୁ ଅନୁସରଣ କରିବା ମାନେ ମନୋବୈଜ୍ଞାନିକ ସମନ୍ୱୟକୁ ରକ୍ଷା କରିବା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply