tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କାହିଁକି ଚାହିଁଲା ବିଜେଡି?

1 min read

Oplus_16908288

ବିଧାୟକଙ୍କ ଅଯୋଗ୍ୟତା ବିବାଦ

  • ପ୍ରକ୍ରିୟାଗତ ତ୍ରୁଟି ନା ଆଇନଗତ ରଣନୀତି?

କଟକ, ଭୁବନେଶ୍ୱର,//TATKAL ODISHA//

ବିଧାୟକଙ୍କ ଅଯୋଗ୍ୟତା ବିବାଦର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି ବିରୋଧୀ ବିଜେଡି I ଏପରିକି ବାଘ-ଛେଳି ଖେଳ ଭିତରେ ବି ଦଳ ଫସିଗଲା ଭଳି ସ୍ଥିତି ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି I

ଓଡ଼ିଶା ବିଧାନସଭାର ୫ ଜଣ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କିତ ମାମଲା ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଦାଖଲ କରିଥିବା ଅଯୋଗ୍ୟତା ଆବେଦନକୁ ବାଚସ୍ପତି ବୈଧାନିକ ତଥା ନିୟମାବଳୀ ଅନୁଯାୟୀ ଉପଯୁକ୍ତ ପ୍ରକ୍ରିୟା ପାଳନ ହୋଇନଥିବା ଦର୍ଶାଇ ଖାରଜ କରିଦେଇଥିଲେ। ଏହି ଆଦେଶ ବିରୋଧରେ ବିଜେଡି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ଶୁଣାଣି ବେଳେ ମାମଲାକୁ ଆଗକୁ ନବଢ଼ାଇ, ପୂର୍ବ ଆବେଦନ ପ୍ରତ୍ୟାହାର ପୂର୍ବକ ବାଚସ୍ପତିଙ୍କ ନିକଟରେ ପୁନର୍ବାର ଏକ ନୂତନ ଆବେଦନ ଦାଖଲ କରିବାକୁ ଅନୁମତି ଲୋଡ଼ିଥିଲେ ଆବେଦନକାରୀ।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ଆଭିମୁଖ୍ୟକୁ କୋର୍ଟରେ ଦୃଢ଼ ବିରୋଧ କରିଛନ୍ତି। ସରକାରୀ ପକ୍ଷର ଯୁକ୍ତି ଅନୁଯାୟୀ, ବାଚସ୍ପତି ଥରେ ଏକ ଅଯୋଗ୍ୟତା ମାମଲାର ବିଚାର କରି ନିଷ୍ପତ୍ତି ନେବା ପରେ ତାହା ଚୂଡ଼ାନ୍ତ ଆଦେଶର ରୂପ ନିଏ। ସେହି ଆଦେଶର ସଠିକତା କେବଳ ଉଚ୍ଚ ନ୍ୟାୟାଳୟଙ୍କ ନ୍ୟାୟିକ ସମୀକ୍ଷା ପରିସରଭୁକ୍ତ ହୋଇପାରିବ।


ସମାନ ପ୍ରସଙ୍ଗରେ ପୁଣି ଥରେ ବାଚସ୍ପତିଙ୍କ ନିକଟରେ ନୂତନ ଆବେଦନ କରିବାର ଆଇନଗତ ଅଧିକାର ନାହିଁ।

“ଶୁଣାଣି ବେଳେ ମାମଲାକୁ ଆଗକୁ ନବଢ଼ାଇ, ପୂର୍ବ ଆବେଦନ ପ୍ରତ୍ୟାହାର ପୂର୍ବକ ବାଚସ୍ପତିଙ୍କ ନିକଟରେ ପୁନର୍ବାର ଏକ ନୂତନ ଆବେଦନ ଦାଖଲ କରିବାକୁ ଅନୁମତି ଲୋଡ଼ିଥିଲେ ଆବେଦନକାରୀ।”

ପ୍ରଥମ ଆବେଦନରେ ସମ୍ବିଧାନର ଦଶମ ଅନୁସୂଚୀ କିମ୍ବା ବିଧାନସଭା ଅଯୋଗ୍ୟତା ନିୟମାବଳୀ ଅନୁସାରେ ଆବଶ୍ୟକ ତଥ୍ୟ, ସତ୍ୟପାଠ କିମ୍ବା ନିର୍ଦ୍ଦିଷ୍ଟ ବୈଧାନିକ ଫର୍ମାଟ୍ ପାଳନ ହୋଇନଥିଲା। ଏହି ତ୍ରୁଟି ଧରାପଡ଼ିବା ପରେ ବିଜେଡି ପୂର୍ବ ଭୁଲ ସୁଧାରି ନୂତନ ଭାବେ ଏକ ଆଇନଗତ ଭାବେ ସୁଦୃଢ଼ ଆବେଦନ ଦାଖଲ କରିବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି। ୫ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଭଳି ଏକ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରାରମ୍ଭିକ ଆବେଦନ ଅତ୍ୟନ୍ତ ଖାମଖିଆଲି ଭାବେ କରାଯାଇଥିଲା କି? ଆଇନଗତ ପରାମର୍ଶ ବିନା କିମ୍ବା ତରବରିଆ ଭାବେ ଆବେଦନ କରାଯାଇଥିବାରୁ ଏହା ବୈଧାନିକ ପରୀକ୍ଷାରେ ତିଷ୍ଠି ପାରିଲା ନାହିଁ। ଯଦି ହାଇକୋର୍ଟ ପୁନଃ ଆବେଦନ ଦାଖଲ କରିବାକୁ ଅନୁମତି ନଦିଅନ୍ତି, ତେବେ ବିଜେଡିକୁ କେବଳ ବାଚସ୍ପତିଙ୍କ ଖାରଜ ଆଦେଶର ତ୍ରୁଟି ପ୍ରମାଣ କରିବାକୁ କୋର୍ଟରେ ଲଢ଼ିବାକୁ ପଡ଼ିବ, ଯାହାକି ଦଳ ପାଇଁ ଆଇନଗତ ଭାବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ସଚେତକ ମହଲରେ ମତ ପ୍ରକାଶ ପାଇଛି I

ଯାହା ଜଣାପଡ଼ିଛି ହାଇକୋର୍ଟରେ ନଭେମ୍ବର ମାସରେ କ୍ରସ ଭୋଟିଂ କରିଥିବା ବିଧାୟକମାନେ ମତ ଦେବା ସହ ଡିସେମ୍ବରରେ ବିଜେଡି ତାର ପକ୍ଷ ରଖିବାର ଦିନ ଧାର୍ଯ୍ୟ ହୋଇଛି I ସେଥିପାଇଁ ୨୦୨୭ ଜାନୁଆରୀ ୧୧ ରେ ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଣୀ କରିବାର ଅଛି I ଏହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I


ଗତକାଲି ଅର୍ଥାତ ଗୁରୁବାର ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯେତେବେଳେ ଏଇ ପ୍ରସଙ୍ଗ କଥା ଉଠିଥିଲା, ସେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଦଳର ଭିତିରି ଉଦେଶ୍ୟକୁ ବୁଝି ପାରି ନ ଥିଲେ I ଫଳରେ ସବୁ ଗଣମାଧ୍ୟମରେ ଏକ ପାଖିଆ ଖବର ଅର୍ଥାତ ବିଜେଡିର ମତ ପ୍ରକାଶ ପାଇଛି, ହେଲେ ତାହା ବାସ୍ତବ କଥା ନୁହେଁ I ଅନେକ କଥା ଲୋକଲୋଚନକୁ ଆସି ପାରି ନାହିଁ I

ଗତକାଲି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ବିଧାନସଭାରେ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେଡି ଟିକେଟ୍ ନିର୍ବାଚିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରି କହିଥିଲେ ଯେ, କ୍ରସ ଭୋଟିଂ ଅଭିଯୋଗରେ ବିଜେଡି ପୂର୍ବରୁ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ନିକଟରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ଏହାକୁ ଗ୍ରହଣ ନ କରି ଖାମଖିଆଲ ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ଖାରଜ କରିଥିଲେ । ଏହାକୁ ନେଇ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ହାଇକୋର୍ଟ ୫ ବିଧାୟକଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନୋଟିସ୍ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଡଭୋକେଟ୍ ଜେନେରାଲ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। ଯେଉଁ ବିଧାୟକ ମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ, ତାଙ୍କ ସଭ୍ୟ ପଦ ରଦ୍ଦ ଉପରେ ମତାମତ ନ ରଖି ବିଜେଡି ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ କରିଥିବା ଆବେଦନ ଉପରେ ଆଡଭୋକେଟ୍ ଜେନେରାଲ ମନ୍ତବ୍ୟ ରଖିବା ନିନ୍ଦନୀୟ ବୋଲି କହିଥିଲେ I

ତେବେ ବିଜେଡି ଆବେଦନ ପ୍ରକ୍ରିୟାରେ ନିଜେ କରିଥିବା ଭୁଲକୁ ଲୁଚାଇବାକୁ ଯାଇ ତରବରରେ ଏଭଳି ସାମ୍ବାଦିକ ସମ୍ମିଳନୀ କରି ମତ ଦେଲା କି? ଯାହା ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share

Leave a Reply