ପୂଜା ଭକ୍ତିର ଏକ ସ୍ତର, କିନ୍ତୁ ଲକ୍ଷ୍ୟ ହେଉଛି ଲୌକିକ ସଫଳତା
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୪:୧୨ ଶ୍ଳୋକ :
କାଙକ୍ଷନ୍ତଃ କର୍ମଣାଂ ସିଦ୍ଧିଂ ୟଜନ୍ତ ଇହ ଦେବତାଃ।
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା॥
ଯେଉଁମାନେ କର୍ମ ମାଧ୍ୟମରେ ସିଦ୍ଧି (ଫଳ) ପ୍ରାପ୍ତି କାମନା କରନ୍ତି, ସେମାନେ ଏହି ଲୋକରେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରନ୍ତି; କାରଣ ମନୁଷ୍ୟ ଲୋକରେ କର୍ମଜ ଫଳ ଶୀଘ୍ର ମିଳେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କର୍ମ, ଭକ୍ତି ଓ ଫଳକାମନାର ମଧ୍ୟରେ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି । ମନୁଷ୍ୟ ସାଧାରଣତଃ ନିଜ ଇଚ୍ଛା ପୂରଣ ପାଇଁ କାର୍ଯ୍ୟ କରେ । ଧନ, ସଫଳତା, ପଦ, ପ୍ରତିଷ୍ଠା ଇତ୍ୟାଦି ଲାଭ କରିବା ପାଇଁ ସେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରେ । କାରଣ ସେ ମନେ କରେ ଯେ ନିର୍ଦ୍ଦିଷ୍ଟ ଦେବତା ନିର୍ଦ୍ଦିଷ୍ଟ ଫଳ ଦେଇଥାନ୍ତି । ମନୁଷ୍ୟ ଲୋକରେ କରାଯାଇଥିବା କର୍ମର ଫଳ ଶୀଘ୍ର ମିଳେ, ଏହା ଏକ ପ୍ରାକୃତିକ ନିୟମ । ଯେପରିକି ପରିଶ୍ରମ କଲେ ଧନ ମିଳେ, ପଢ଼ିଲେ ଜ୍ଞାନ ମିଳେ, ବ୍ୟବସାୟ କଲେ ଲାଭ ହୋଇପାରେ । ଏହି କାରଣରୁ ଲୋକମାନେ ତତକ୍ଷଣାତ୍ ଫଳ ପାଇଁ ଦେବତାଙ୍କ ଆଶ୍ରୟ ନେଇଥାନ୍ତି । ଯେପରିକି କୃଷକ ଭଲ ଫସଲ ପାଇଁ ପୂଜା କରେ, ବ୍ୟବସାୟୀ ଲାଭ ପାଇଁ ଦେବତାଙ୍କୁ ପ୍ରାର୍ଥନା କରେ, ଛାତ୍ର ସଫଳତା ପାଇଁ ଉପାସନା କରେ । ଏହି ପୂଜା ଭକ୍ତିର ଏକ ସ୍ତର, କିନ୍ତୁ ଏହାର ଲକ୍ଷ୍ୟ ହେଉଛି ଲୌକିକ ସଫଳତା ।

କିନ୍ତୁ ଫଳକାମନାପୂର୍ଣ୍ଣ ପୂଜା ଏକ ନିମ୍ନତର ଆଧ୍ୟାତ୍ମିକ ଅବସ୍ଥା । ଏହା ଅସ୍ଥାୟୀ ଫଳ ଦିଏ, କିନ୍ତୁ ଆତ୍ମଜ୍ଞାନ ଓ ମୋକ୍ଷ ଦିଏନାହିଁ । ଏହା ମନୁଷ୍ୟକୁ ଶାଶ୍ୱତ ଶାନ୍ତି ଦେଇପାରେନାହିଁ । ସକାମ କର୍ମ ଓ ସକାମ ଭକ୍ତି ମନୁଷ୍ୟକୁ ପୁନଃ ପୁନଃ ଆକାଂକ୍ଷାର ବନ୍ଧନରେ ପକାଇ ରଖେ । ଯିଏ ନିଷ୍କାମ ଭାବରେ ପରମେଶ୍ୱରଙ୍କୁ ଭଜନ କରେ, ସେ ଶ୍ରେଷ୍ଠ ଆଧ୍ୟାତ୍ମିକ ଲକ୍ଷ୍ୟ ପ୍ରାପ୍ତ କରେ ।
ସକାମ କର୍ମ ହେଉଛି ଫଳପ୍ରାପ୍ତିର ଆଶାରେ କରାଯାଇଥିବା କାର୍ଯ୍ୟ । ଏଠାରେ କର୍ତ୍ତା ନିଜକୁ କର୍ମର ମୂଳ କେନ୍ଦ୍ର ଭାବେ ଦେଖେ ଓ ଫଳକୁ ନିଜର ସଂପତ୍ତି ଭାବେ ଗ୍ରହଣ କରିବାକୁ ଚାହେଁ । ଏହାର ପରିଣାମ ହେଉଛି ବନ୍ଧନ, କାରଣ ଆକାଂକ୍ଷା ପୁନଃ ପୁନଃ ଜନ୍ମ ନେଇ ମନୁଷ୍ୟକୁ ସଂସାର ଚକ୍ରରେ ବାନ୍ଧି ରଖେ । ଏହାର ବିପରୀତରେ ନିଷ୍କାମ କର୍ମ ହେଉଛି ଆସକ୍ତିହୀନ କାର୍ଯ୍ୟ । ଏହା କର୍ତ୍ତୃତ୍ୱ ଅଭିମାନର ତ୍ୟାଗ । ଯେତେବେଳେ ମନୁଷ୍ୟ ବୁଝେ ଯେ ସେ କେବଳ ପରମ ସତ୍ୟର ଏକ ଉପକରଣ, ସେତେବେଳେ କର୍ମ ମୁକ୍ତିର ମାର୍ଗ ହୋଇଯାଏ । ଏହି ଶ୍ଳୋକ ଆମକୁ ସୂଚନା କରେ ଯେ ସକାମ ପୂଜା ମାନବ ଚେତନାର ଏକ ପ୍ରାରମ୍ଭିକ ସ୍ତର; ଏହା ଆଧ୍ୟାତ୍ମିକ ଯାତ୍ରାର ଆରମ୍ଭ, କିନ୍ତୁ ଶେଷ ଲକ୍ଷ୍ୟ ନୁହେଁ ।
ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ମନୁଷ୍ୟ ମନ ସ୍ୱାଭାବିକ ଭାବରେ ଫଳମୁଖୀ । ଯେତେବେଳେ ମନ ଏକ ଲକ୍ଷ୍ୟ ଧାରଣ କରେ, ସେ ତାହାକୁ ଶୀଘ୍ର ପ୍ରାପ୍ତ କରିବାକୁ ଚାହେଁ । ଏହି ତତ୍କାଳିକ ଫଳପ୍ରାପ୍ତିର ଆକାଂକ୍ଷା ମନରେ ଆଶା, ଭୟ ଓ ଚିନ୍ତା ସୃଷ୍ଟି କରେ । ଗୀତାର ଏହି ଶ୍ଳୋକ ଦେଖାଏ ଯେ ମନୁଷ୍ୟ ଶୀଘ୍ର ସଫଳତା ପାଇଁ ବାହ୍ୟ ଶକ୍ତିର ଆଶ୍ରୟ ନେଇଥାଏ, ଯାହା ମନକୁ ଏକ ମନୋବୈଜ୍ଞାନିକ ସୁରକ୍ଷା ଦେଇଥାଏ । ଏଠାରେ “ଦେବତାଙ୍କୁ ପୂଜା” ମନୋବୈଜ୍ଞାନିକ ଭାବରେ ଆଶ୍ରୟବୋଧର ପ୍ରତୀକ । ଯେତେବେଳେ ବ୍ୟକ୍ତି ନିଜକୁ ଅସହାୟ ବୋଧ କରେ କିମ୍ବା ଅନିଶ୍ଚିତତାର ସମ୍ମୁଖୀନ ହୁଏ, ସେ ବାହ୍ୟ ଶକ୍ତିରେ ଆସ୍ଥା ରଖି ମନୋଶାନ୍ତି ଲାଭ କରେ । ଏହା ମନକୁ ଧୃତି ଓ ସାହସ ଦେଇଥାଏ । କିନ୍ତୁ ଯଦି ଏହି ଭକ୍ତି କେବଳ ଫଳପ୍ରାପ୍ତିର ଲୋଭରେ ଆଧାରିତ ହୁଏ, ତେବେ ଫଳ ନ ମିଳିଲେ ମନରେ ନିରାଶା ଓ ଅସନ୍ତୋଷ ଜନ୍ମ ନେଇପାରେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
