ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ। ପରସ୍ପରଂ ଭାବୟନ୍ତଃ ଶ୍ରେୟଃ ପରମବାପସ୍ୟଥ॥
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୩:୧୧ ଶ୍ଳୋକ :
ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ପରଂ ଭାବୟନ୍ତଃ ଶ୍ରେୟଃ ପରମବାପସ୍ୟଥ ॥
ଏହି କର୍ମ (ଯଜ୍ଞ) ଦ୍ୱାରା ତୁମେ ଦେବତାମାନଙ୍କୁ ପୋଷଣ କର; ଦେବତାମାନେ ତୁମକୁ ପୋଷଣ କରିବେ । ଏଭଳି ପରସ୍ପର ସହଯୋଗରେ, ତୁମେ ସର୍ବୋଚ୍ଚ କଳ୍ୟାଣ (ଶ୍ରେୟ) ପାଇବ । ଏହି ଶ୍ଳୋକରେ କୁହାଯାଇଛି ଯେ ମନୁଷ୍ୟ ଯଜ୍ଞ ଭାବନାରେ କର୍ମ କଲେ ଦେବତାମାନେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କର କୃପାରେ ମନୁଷ୍ୟର ଜୀବନ ଫଳଦାୟକ ହୁଏ । ଏଠାରେ “ଦେବ” ଶବ୍ଦଟି କେବଳ ବେଦ ପୁରାଣର ଦେବତାମାନଙ୍କୁ ସୂଚାଏ ନାହିଁ; ଏହା ପ୍ରକୃତିର ସମସ୍ତ ଶକ୍ତି ସୂର୍ଯ୍ୟ, ବର୍ଷା, ବାୟୁ, ଅଗ୍ନି ଇତ୍ୟାଦିଙ୍କ ପ୍ରତୀକ ଭାବେ ମଧ୍ୟ ବୁଝାଏ । ମନୁଷ୍ୟ ଯଦି ପ୍ରକୃତି ସହ ସମନ୍ୱୟରେ କର୍ମ କରେ, ପ୍ରକୃତି ମଧ୍ୟ ତାକୁ ଜୀବନର ଆବଶ୍ୟକ ସମ୍ପଦ ଦାନ କରେ ।
ମନୁଷ୍ୟ ସମାଜରେ କେହି ମଧ୍ୟ ସ୍ୱୟଂପୂର୍ଣ୍ଣ ନୁହେଁ । ପରିବାର, ସମାଜ ଓ ରାଷ୍ଟ୍ରର ସୁସ୍ଥତା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟପାଳନ ଆବଶ୍ୟକ । ଯେତେବେଳେ ମନୁଷ୍ୟ ନିଜ କର୍ତ୍ତବ୍ୟକୁ ଯଜ୍ଞର ଭାବନାରେ କରେ, ସେତେବେଳେ ସମାଜ ମଧ୍ୟ ତାକୁ ସୁରକ୍ଷା ଓ ସମ୍ମାନ ଦେଇଥାଏ । ଆଜିର ପରିବେଶ ସଙ୍କଟ, ସାମାଜିକ ଅସମତା ଓ ନୈତିକ ଅବନତିର ପରିପ୍ରେକ୍ଷୀରେ ଗୀତା ଆମକୁ ସଚେତନ କରେ ଯେ ଅତିଭୋଗ ଓ ସ୍ୱାର୍ଥପରତା ଦ୍ୱାରା ପ୍ରକୃତି ଓ ସମାଜର ସମତୁଳନ ଭଙ୍ଗ ହୁଏ । ପ୍ରକୃତିକୁ ସମ୍ମାନ ଓ ସୁରକ୍ଷା କଲେ, ସେ ଆମକୁ ପୁନଃଜୀବନର ସମ୍ଭାବନା ଦେଇଥାଏ ।
ଶ୍ଳୋକରେ ଉଲ୍ଲେଖିତ “ଦେବାନ୍ ଭାବୟତାନେନ” ବାଣୀକୁ ପାରିବାରିକ ପରିପ୍ରେକ୍ଷୀରେ ବୁଝିଲେ, “ଦେବ” ହେଉଛନ୍ତି ପରିବାରର ସେହି ସଦସ୍ୟମାନେ ଯେଉଁମାନେ ଆମ ଜୀବନକୁ ପୋଷଣ କରନ୍ତି – ମାତା–ପିତା, ଜ୍ୟେଷ୍ଠ ବ୍ୟକ୍ତି, ଅଭିଭାବକ ଓ ପରିବାରର ରକ୍ଷକ । ମନୁଷ୍ୟ ଯେତେବେଳେ ନିଜ କର୍ତ୍ତବ୍ୟକୁ ସେବା, ସମ୍ମାନ ଓ ତ୍ୟାଗର ଭାବନାରେ ପୂରଣ କରେ, ସେତେବେଳେ ପରିବାରର ମୂଳ ଭିତ୍ତି ସୁଦୃଢ଼ ହୁଏ । ପରିବାର ହେଉଛି ପରସ୍ପର ସହଯୋଗର ଏକ ଛୋଟ ଆଦର୍ଶ ସମାଜ । ପିତା–ମାତା ସନ୍ତାନଙ୍କୁ ଜୀବନ, ଶିକ୍ଷା ଓ ସୁରକ୍ଷା ଦିଅନ୍ତି; ସନ୍ତାନମାନେ ଆଜ୍ଞାପାଳନ, ସମ୍ମାନ ଓ ସେବା ଦ୍ୱାରା ପିତା–ମାତାଙ୍କୁ ପ୍ରତିଦାନ ଦେଇଥାନ୍ତି । ଏହି ପରସ୍ପର ଭାବନାର ଅଭାବ ହେଲେ ପରିବାରରେ ଅସନ୍ତୋଷ, ଦ୍ୱନ୍ଦ୍ୱ ଓ ବିଚ୍ଛିନ୍ନତା ସୃଷ୍ଟି ହୁଏ । ଏହି କାରଣରୁ ଗୀତାର “ପରସ୍ପରଂ ଭାବୟନ୍ତଃ” ବାକ୍ୟ ପାରିବାରିକ ସମ୍ପର୍କର ମୂଳ ନୀତିକୁ ସ୍ପଷ୍ଟ କରେ । ଏହି ଶ୍ଳୋକ ଆମକୁ ଏହା ମଧ୍ୟ ଶିଖାଏ ଯେ ପରିବାରରେ କର୍ତ୍ତବ୍ୟକୁ କେବଳ ଦାୟିତ୍ୱ ଭାବେ ନୁହେଁ, ବରଂ ଯଜ୍ଞ ଭାବରେ ଦେଖିବା ଉଚିତ। ଘରର ଆର୍ଥିକ ଦାୟିତ୍ୱ, ସନ୍ତାନଙ୍କ ପାଳନ–ପୋଷଣ, ବୃଦ୍ଧଙ୍କ ସେବା ଏସବୁ କାମ ଯଦି ନିଷ୍କାମ ଭାବନାରେ କରାଯାଏ, ତେବେ ପରିବାର ମଧ୍ୟରେ ପ୍ରେମ, ବିଶ୍ୱାସ ଓ ଶାନ୍ତି ବୃଦ୍ଧି ପାଏ ।
ଶ୍ଳୋକରେ ଉଲ୍ଲେଖିତ “ଦେବ” ଶବ୍ଦଟିକୁ ସାମାଜିକ ପରିପ୍ରେକ୍ଷୀରେ ବୁଝିଲେ, ଏହା ସମାଜର ବିଭିନ୍ନ ସଂସ୍ଥା, ପ୍ରଣାଳୀ ଓ ସାମୂହିକ ଶକ୍ତିମାନଙ୍କ ପ୍ରତୀକ ଭାବେ ଦେଖାଯାଏ – ଯେପରିକି ଶିକ୍ଷା, ଶାସନ, ଅର୍ଥନୀତି, ସ୍ୱାସ୍ଥ୍ୟ, ପରିବେଶ ଓ ସଂସ୍କୃତି । ମନୁଷ୍ୟ ନିଜ କର୍ମକୁ ଯଜ୍ଞ ଭାବରେ କଲେ, ଏହି ସମସ୍ତ ସାମାଜିକ ବ୍ୟବସ୍ଥା ସୁଦୃଢ଼ ହୁଏ ଓ ସେମାନଙ୍କର ଫଳ ସମାଜକୁ ପୁନଃ ଫେରିଆସେ। “ପରସ୍ପରଂ ଭାବୟନ୍ତଃ” ବାକ୍ୟଟି ସାମାଜିକ ସମନ୍ୱୟର ମୂଳ ନୀତିକୁ ଦର୍ଶାଏ । ସମାଜରେ ଯଦି ପ୍ରତ୍ୟେକ ବ୍ୟକ୍ତି କେବଳ ନିଜ ସ୍ୱାର୍ଥ ପୂରଣରେ ଲାଗିରହନ୍ତି, ତେବେ ସମାଜ ଅସ୍ଥିର ହୋଇଯାଏ । କିନ୍ତୁ ଯେତେବେଳେ ନାଗରିକ ନିଜ କର୍ତ୍ତବ୍ୟକୁ ସାମୂହିକ କଳ୍ୟାଣର ଭାବନାରେ କରେ, ସେତେବେଳେ ସମାଜରେ ଶାନ୍ତି, ନ୍ୟାୟ ଓ ସମତା ପ୍ରତିଷ୍ଠିତ ହୁଏ ।

ଦାର୍ଶନିକ ଦୃଷ୍ଟିକୋଣରୁ “ଦେବ” ଶବ୍ଦଟି ଅତ୍ୟନ୍ତ ଗଭୀର ଅର୍ଥ ବହନ କରେ । ଏହା କେବଳ ପୌରାଣିକ ଦେବତା ନୁହେଁ, ବରଂ ବିଶ୍ୱନିୟମ ଓ ପ୍ରକୃତିର ନିୟନ୍ତ୍ରକ ଶକ୍ତିମାନଙ୍କର ପ୍ରତୀକ । ମନୁଷ୍ୟ ଯେତେବେଳେ ଏହି ବିଶ୍ୱନିୟମ ସହ ସମନ୍ୱୟରେ କର୍ମ କରେ, ସେତେବେଳେ ବିଶ୍ୱ ମଧ୍ୟ ତାହାକୁ ସମର୍ଥନ କରେ । ଅଦ୍ୱୈତ ଦର୍ଶନରେ ଜୀବ ଯେତେବେଳେ ନିଷ୍କାମ କର୍ମ କରେ, ସେ ଅବିଦ୍ୟାର ବନ୍ଧନକୁ ଶିଥିଳ କରେ । ଦ୍ୱୈତ ଦର୍ଶନରେ ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପରସ୍ପର କୃପା ଓ ସେବାର ସମ୍ପର୍କକୁ ଦର୍ଶାଏ । ଫଳାଶାରହିତ କର୍ମ ମନୁଷ୍ୟକୁ ବନ୍ଧନରୁ ମୁକ୍ତ କରେ, କାରଣ ଏହା “ଅହଂକାର” ଓ “ମମତା”କୁ ଶିଥିଳ କରେ । ଏହିଠାରେ କର୍ମ ଯଜ୍ଞରେ ପରିଣତ ହୁଏ, କର୍ତ୍ତା ଭଗବାନଙ୍କୁ ସମର୍ପିତ ହୋଇଯାଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
