ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ॥
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୩:୧୦ ଶ୍ଳୋକ :
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ॥
ସୃଷ୍ଟିର ଆରମ୍ଭରେ ପ୍ରଜାପତି (ସୃଷ୍ଟିକର୍ତ୍ତା) ମନୁଷ୍ୟମାନଙ୍କୁ ଯଜ୍ଞ ଭାବନା ସହିତ ସୃଷ୍ଟି କରି କହିଥିଲେ, “ଏହି ଯଜ୍ଞ ମାଧ୍ୟମରେ ତୁମେ ସମୃଦ୍ଧି ଲାଭ କର; ଏହି ଯଜ୍ଞ ହିଁ ତୁମର ଆକାଂକ୍ଷିତ କାମନା ପୂରଣ କରିବାର ଉପାୟ ହେବ।”
ସୃଷ୍ଟିର ଆରମ୍ଭରେ ପ୍ରଜାପତି ମନୁଷ୍ୟମାନଙ୍କୁ ଯଜ୍ଞ ସହିତ ସୃଷ୍ଟି କରିଥିଲେ । ଏହାର ଅର୍ଥ ହେଉଛି, ମନୁଷ୍ୟ କେବଳ ଭୋଗ ପାଇଁ ନୁହେଁ, ବରଂ କର୍ତ୍ତବ୍ୟ, ସମର୍ପଣ ଓ ସହଯୋଗ ପାଇଁ ଜନ୍ମ ନେଇଛି । ଯଜ୍ଞ ଏଠାରେ କେବଳ ଅଗ୍ନିହୋତ୍ର କିମ୍ବା ଧାର୍ମିକ କ୍ରିୟାକଳାପକୁ ସୂଚିତ କରେନାହିଁ; ଏହା ହେଉଛି ନିଷ୍କାମ ଭାବରେ କରାଯାଇଥିବା କର୍ମ, ଯାହା ସମାଜ, ପ୍ରକୃତି ଓ ଈଶ୍ୱର ପ୍ରତି ଦାୟିତ୍ୱବୋଧକୁ ପ୍ରକାଶ କରେ । ପ୍ରକୃତିରେ ସର୍ବତ୍ର ଯଜ୍ଞ ଭାବନା ଦୃଷ୍ଟିଗୋଚର ହୁଏ । ସୂର୍ଯ୍ୟ ପ୍ରକାଶିତ ହୁଏ, ଚନ୍ଦ୍ର ଉଦିତ ହୁଏ, ସମୁଦ୍ର ସ୍ପନ୍ଦିତ ହୁଏ, ପୃଥିବୀ ପ୍ରାଣୀମାନଙ୍କୁ ଧାରଣ କରେ – ଏସବୁ ଯଜ୍ଞ ଭାବନାରେ କର୍ମ କରିଥାନ୍ତି, ଯେଉଁ କର୍ମରେ ତିଳେମାତ୍ର ଆଶକ୍ତି ନ ଥାଏ । ଉକ୍ତ ଶ୍ଳୋକ ମନୁଷ୍ୟକୁ କହେ ଯେ ଯଜ୍ଞ ଭାବରେ କର୍ମ କଲେ ଜୀବନର ସମୃଦ୍ଧି ସ୍ୱାଭାବିକ ଭାବେ ଆସିଥାଏ। ସମୃଦ୍ଧି କେବଳ ଧନ-ସମ୍ପତ୍ତିରେ ସୀମିତ ନୁହେଁ; ଏହା ମାନସିକ ଶାନ୍ତି, ସାମାଜିକ ସମନ୍ୱୟ ଓ ଆତ୍ମିକ ସନ୍ତୁଷ୍ଟିକୁ ମଧ୍ୟ ସାମିଲ କରେ । ଯେତେବେଳେ ମନୁଷ୍ୟ ନିଜ କର୍ମକୁ ଯଜ୍ଞ ଭାବରେ କରେ, ସେତେବେଳେ ତାହା ଲୋଭ ଓ ଅହଂକାରରୁ ମୁକ୍ତ ହୁଏ । ଗୀତା କାମନାକୁ ଅସ୍ୱୀକାର କରେନାହିଁ, କିନ୍ତୁ ସେ କହେ ଯେ କାମନା ପୂରଣ ହେବା ଉଚିତ ଯଜ୍ଞ ଓ କର୍ତ୍ତବ୍ୟର ମାର୍ଗରେ । ଯେଉଁ କାମନା ନିଷ୍କାମ କର୍ମ ଦ୍ୱାରା ପୂରଣ ହୁଏ, ସେହି କାମନା ମନୁଷ୍ୟକୁ ବନ୍ଧନରେ ବାନ୍ଧେନାହିଁ, ବରଂ ତାଙ୍କୁ ଉନ୍ନତିର ପଥରେ ଆଗେଇ ନେଇଯାଏ । କର୍ତ୍ତବ୍ୟ, ସମର୍ପଣ ଓ ସହଯୋଗ ଭିତ୍ତିକ ଯଜ୍ଞମୟ କର୍ମ ହିଁ ଜୀବନର ସତ୍ୟ ସମୃଦ୍ଧିର ମୂଳ ।
ପରିବାର ହେଉଛି ମନୁଷ୍ୟର ପ୍ରଥମ କର୍ମକ୍ଷେତ୍ର । ପିତାମାତା, ସ୍ୱାମୀ-ସ୍ତ୍ରୀ, ସନ୍ତାନ ଓ ବୃଦ୍ଧ ଆତ୍ମୀୟମାନଙ୍କ ସହିତ ସମ୍ପର୍କ ମଧ୍ୟରେ ଯଦି ଯଜ୍ଞ ଭାବ ନଥାଏ, ତେବେ ସେ ସମ୍ପର୍କ ସ୍ୱାର୍ଥ ଓ ଉପେକ୍ଷାରେ ଦୂଷିତ ହୋଇଯାଏ । ଗୀତା ଏହି କଥା ଉଲ୍ଲେଖ କରେ ଯେ, ସୃଷ୍ଟି ସମୟରୁ ମନୁଷ୍ୟକୁ ଯଜ୍ଞ ସହିତ ସୃଷ୍ଟି କରାଯାଇଛି, ଅର୍ଥାତ୍ ପରସ୍ପର ପାଇଁ କିଛି ତ୍ୟାଗ କରିବା ହିଁ ମନୁଷ୍ୟ ଜୀବନର ସ୍ୱାଭାବିକ ଧର୍ମ । ପାରିବାରିକ ଜୀବନରେ ଯଜ୍ଞର ଅର୍ଥ ହେଉଛି ନିଷ୍କାମ ସେବା । ପିତାମାତା ସନ୍ତାନଙ୍କ ପାଇଁ ନିଜ ସୁବିଧାକୁ ତ୍ୟାଗ କରନ୍ତି, ସ୍ୱାମୀ-ସ୍ତ୍ରୀ ପରସ୍ପର ଭୁଲକୁ ସହ୍ୟ କରି ପରସ୍ପରକୁ ସମର୍ଥନ କରନ୍ତି, ଏବଂ ସନ୍ତାନମାନେ ବୃଦ୍ଧ ପିତାମାତାଙ୍କ ପ୍ରତି କୃତଜ୍ଞତା ଓ ସେବାଭାବ ପ୍ରଦର୍ଶନ କରନ୍ତି । ଏହି ସମସ୍ତ କର୍ମ ଯଦି ଯଜ୍ଞ ଭାବରେ କରାଯାଏ, ତେବେ ପରିବାରରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ କମିଯାଏ । ଯେଉଁ ପରିବାରରେ ସଦସ୍ୟମାନେ କେବଳ ନିଜ ଅଧିକାର ନୁହେଁ, ବରଂ ନିଜ କର୍ତ୍ତବ୍ୟକୁ ପ୍ରଥମରେ ରଖନ୍ତି, ସେହି ପରିବାର ଦୀର୍ଘକାଳ ଧରି ସୁସ୍ଥ ଓ ସୁସଂଗଠିତ ରହେ । ଆଧୁନିକ ପାରିବାରିକ ଜୀବନରେ ଦେଖାଯାଉଥିବା ବିଚ୍ଛେଦ, ଅସନ୍ତୋଷ ଓ ପିଢ଼ୀ ମଧ୍ୟରେ ଦୂରତାର ମୂଳ କାରଣ ହେଉଛି ଯଜ୍ଞ ଭାବର ଅଭାବ । ଗୀତା ଆମକୁ ଶିଖାଏ ଯେ ପରିବାରକୁ ଚଳେଇ ରଖିବା ପାଇଁ ଭୋଗ ନୁହେଁ, ବରଂ ତ୍ୟାଗ ଓ ସମର୍ପଣ ଆବଶ୍ୟକ ।

ମନୁଷ୍ୟ ଏକାକୀ ଭାବେ ଜୀବନ ଯାପନ କରିପାରେନାହିଁ; ସେ ସମାଜ ଉପରେ ନିର୍ଭରଶୀଳ । ଖାଦ୍ୟ, ପୋଷାକ, ଶିକ୍ଷା, ସୁରକ୍ଷା ସବୁ କିଛି ସାମୂହିକ ପ୍ରୟାସର ଫଳ । ଏହି ସାମୂହିକ ପ୍ରୟାସକୁ ଗୀତା “ଯଜ୍ଞ” ଭାବେ ବ୍ୟାଖ୍ୟା କରେ । ସାମାଜିକ ପରିପ୍ରେକ୍ଷୀରେ ଯଜ୍ଞର ଅର୍ଥ ହେଉଛି ନିଷ୍କାମ ସେବା, ସାମାଜିକ ଦାୟିତ୍ୱ ଓ ନୀତିମୟ କର୍ମ । ଜଣେ କୃଷକ ନିଜ କ୍ଷେତରେ କାମ କରି ଯେତେବେଳେ ସମାଜକୁ ଖାଦ୍ୟ ଯୋଗାଏ, ଜଣେ ଶିକ୍ଷକ ଶିକ୍ଷା ଦାନ କରି ସଚେତନ ପିଢ଼ୀ ଗଢ଼େ, ଓ ଜଣେ ଡାକ୍ତର ନିଜ କର୍ମ ଦ୍ୱାରା ମାନବଜୀବନ ରକ୍ଷା କରେ, ସେହି ସମସ୍ତ କର୍ମ ଯଜ୍ଞର ଆକାର ନେଇଥାଏ । ଏହି ପ୍ରକାର କର୍ମ ସମାଜର ସ୍ୱାସ୍ଥ୍ୟ ଓ ସ୍ଥିରତାକୁ ସୁନିଶ୍ଚିତ କରେ । ଆଧୁନିକ ସମାଜରେ ଦେଖାଯାଉଥିବା ସଂପର୍କରେ ପ୍ରଦୂଷଣ, ସାମାଜିକ ବିଭେଦ ଓ ନୀତିହୀନତାର ମୂଳରେ ଯଜ୍ଞ ଭାବର ଅଭାବ ରହିଛି । ଗୀତା ଏହି ସମସ୍ୟାର ସମାଧାନ ଭାବେ ସମାଜକୁ କର୍ତ୍ତବ୍ୟ ଓ ସହଯୋଗର ପଥ ଦେଖାଏ । ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ କାମକୁ ସମାଜ ପ୍ରତି ଏକ ଯଜ୍ଞ ଭାବେ ଦେଖେ, ସେତେବେଳେ ସାମାଜିକ ସମନ୍ୱୟ ଓ ସମୃଦ୍ଧି ସ୍ୱାଭାବିକ ଭାବେ ଗଢ଼ିଉଠେ ।
ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ “ଯଜ୍ଞ” ଅର୍ଥ ହେଉଛି – କର୍ମକୁ ଅହଂକାର ଓ ଅତିଆକାଂକ୍ଷାରୁ ମୁକ୍ତ କରିବା । ଯେତେବେଳେ ମନୁଷ୍ୟ ନିଜ କର୍ମକୁ କେବଳ ଫଳ ପାଇଁ କରେ, ସେତେବେଳେ ତା’ର ମନ ଚିନ୍ତା, ଭୟ ଓ ଅସନ୍ତୋଷରେ ଆକ୍ରାନ୍ତ ହୁଏ । ଗୀତା ଏହି ଚାପରୁ ମୁକ୍ତି ପାଇଁ କର୍ମକୁ ଯଜ୍ଞ ଭାବେ କରିବାର ପରାମର୍ଶ ଦେଉଛି । ଯେତେବେଳେ ଜଣେ ବ୍ୟକ୍ତି କାମକୁ ଅର୍ଥପୂର୍ଣ୍ଣ ବୋଧ କରି କରେ, ଫଳାଫଳ ପ୍ରତି ଅତ୍ୟଧିକ ଆଶା ରଖେନାହିଁ, ସେତେବେଳେ ତାହାର ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହୁଏ ।
ଦାର୍ଶନିକ ଭାବେ “ଯଜ୍ଞ” ଶବ୍ଦର ଅର୍ଥ ହେଉଛି ଅର୍ପଣ ଓ ତ୍ୟାଗ । ବୈଦିକ ପରମ୍ପରାରେ ଯଜ୍ଞକୁ ସୃଷ୍ଟିର ମୂଳ ଗତିଶକ୍ତି ଭାବେ ଦେଖାଯାଏ। ପ୍ରଜାପତି ମନୁଷ୍ୟମାନଙ୍କୁ ଯଜ୍ଞ ସହିତ ସୃଷ୍ଟି କଲେ, ଏହା ଏକ ଦାର୍ଶନିକ ସୂଚନା । ସୃଷ୍ଟି ନିଜେ ଏକ ଯଜ୍ଞମୟ ପ୍ରକ୍ରିୟା । ବ୍ରହ୍ମାଣ୍ଡ ଅବିରତ ଭାବେ ଦାନ ଓ ପ୍ରତିଦାନର ନୀତିରେ ଚାଲୁଛି । ମନୁଷ୍ୟ ସ୍ୱାଧୀନ ଇଚ୍ଛାଶକ୍ତି ସହିତ କର୍ମ କରେ, କିନ୍ତୁ ସେହି କର୍ମ ଯଦି ବ୍ରହ୍ମାଣ୍ଡୀୟ ଧର୍ମ (ଋତ) ସହିତ ସମନ୍ୱୟ ରଖେ, ତେବେ ସେ କର୍ମ ମୋକ୍ଷପଥକୁ ସହଜ କରେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
