ହେରା ପଞ୍ଚମୀ
1 min read
ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ୱର ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନିଅନ୍ତି |
ଔଷଧ ସେବନ ପରେ ସୁସ୍ଥ ହୋଇ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା କରନ୍ତି |
ଲକ୍ଷ୍ମୀ ଠାକୁରାଣୀଙ୍ଗ ଅଙ୍ଗବାସରୁ ଗଇଁଠାଳ ଫିଟି ନ ଥାଏ | ବିରହ ବିଧୁରା ମା’ମହାଲକ୍ଷ୍ମୀ ମା’ବିମଳାଙ୍କ ପରାମର୍ଶରେ ହେରା ପଞ୍ଚମୀ ଦିନ ରାତିରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରନ୍ତି |ମହାପ୍ରଭୁଙ୍କ ଦର୍ଶନ ଲାଭ ପାଇଁ ମହାଲକ୍ଷ୍ମୀଙ୍କ ମନ ବ୍ୟାକୁଳ ହୁଏ |ମା’ ମୁଖ ଶୃଙ୍ଗାର କରି ପାଟ ଶାଢ଼ୀରେ ଭୂଷିତା ହୋଇଥାନ୍ତି |

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅଭିମାନିନୀ ମା’ଲକ୍ଷ୍ମୀ ଅପମାନ ଓ ରାଗରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ନିରାଡ଼ମ୍ବର ଶୋଭାଯାତ୍ରା ରେ ଶ୍ରୀମନ୍ଦିରକୁ ଫେରିଆସନ୍ତି |
ପରମ୍ପରା ଅନୁଯାୟୀ ମା’ଲକ୍ଷ୍ମୀ ହେରା ପଞ୍ଚମୀ ରାତିରେ ବିମାନରେ ସିଂହଦ୍ୱାର ଦେଇ ଯାତ୍ରା କରନ୍ତି |ଶ୍ରୀମନ୍ଦିରରୁ ବାହାରିବା ପରେ ଘଣ୍ଟଘଣ୍ଟା, କାହାଳି ବାଦ୍ୟରେ ଶୋଭାଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି |ନନ୍ଦିଘୋଷ ରଥ ପାଖରେ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୁଏ |, ତା’ପରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଜୟ ବିଜୟ ଦ୍ୱାର ନିକଟରେ ପହଞ୍ଚି ଦେଖନ୍ତି ମହାପ୍ରଭୁଙ୍କ ସନ୍ଧ୍ୟା ନୀତି ଚାଲିଛି |
ଜୟ ବିଜୟ ଦ୍ୱାର ପାଖରେ ମା ‘ପ୍ରଭୁଙ୍କୁ ଦର୍ଶନ କରନ୍ତି | ତା’ପରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଲକ୍ଷ୍ମୀଙ୍କ ପାଖରେ ପହଞ୍ଚାଇ ଦିଆଯାଏ |ଧୂପ ଚାଲି ଥିବାରୁ ଦୁଇଟି ଯାକ ଦ୍ୱାର ତତକ୍ଷଣାତ ବନ୍ଦ କରିଦିଆଯାଏ |ଏଥିରେ ମା ‘ଲକ୍ଷ୍ମୀ ଅପମାନିତା ବୋଧ କରନ୍ତି |
କ୍ରୋଧ ଜର୍ଜରିତା ହୋଇ ନାକଚଣା ଦ୍ୱାର ଦେଉ ବାହାରକୁ ଆସନ୍ତି | ରାଗରେ ରଥ କାଠ ଖଣ୍ଡେ ଭାଙ୍ଗିଦିଅନ୍ତି |ଗଲାବେଳେ ଯେପରି ଘଣ୍ଟ ଘଣ୍ଟା କାହାଳି ନାଦରେ ଶୋଭାଯାତ୍ରାରେ ଯାଇଥିଲେ ତାହା ଫେରିବା ସମୟରେ ନ ଥାଏ |
କ୍ରୋଧୀତା ମା’ଲକ୍ଷ୍ମୀ ବଡଦାଣ୍ଡରେ ନ ଆସି ହେରାଗୋହିରି ସାହି ଦେଇ ବିଳମ୍ବିତ ରାତ୍ରୀରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି |
ଏହା ହେରା ପଞ୍ଚମୀର ଵିଧି 🙏🙏
- ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :9238304919
