‘ଖୁଦା କେ ଘର୍ ମେଁ ଦେର୍ ହୈ, ଅନ୍ଧେର୍ ନେହିଁ’
1 min read
Oplus_16908288
।। ଅଭିନନ୍ଦନ କବି ଆଶୁତୋଷ ପରିଡ଼ା ।।
- **************
- ଅସିତ ମହାନ୍ତି
- +++++++++++++
ଖୁସିର କଥା, ଯେ କବି ଆଶୁତୋଷ ପରିଡ଼ାଙ୍କ କବିତା ପୁସ୍ତକ ‘ବିଶ୍ବାସ ଦେ’ ପୣଥ୍ବୀ’ ଏଥରର ‘ଶାରଳା ପୁରସ୍କାର’ ପାଇଛି। ପୁରସ୍କାର ଘୋଷଣା ସହ ଏହି ପୁରସ୍କାର ପ୍ରତି ପୁଣି ବିଶ୍ବାସ ଫେରିଆସିଛି।
ଦୁଇବର୍ଷ ତଳେ କବି ଶ୍ରୀ ପରିଡ଼ା କବିତା ପୁସ୍ତକ ‘ଅପ୍ରସ୍ତୁତ ମୣତ୍ୟୁ'(୨୦୨୦) ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଥିଲେ। ସେହି ପୁରସ୍କାର ପରି ଏ ପୁରସ୍କାର ବି ତାଙ୍କୁ ବିଳମ୍ବରେ ମିଳିଥିଲେ ମଧ୍ୟ, ଏହା ସେହି ଆପ୍ତବାକ୍ୟଟିକୁ ସ୍ମରଣ କରାଇ ଦେଉଛି, ଯେ “ଖୁଦା କେ ଘର୍ ମେଁ ଦେର୍ ହୈ, ଅନ୍ଧେର୍ ନେହିଁ”।
ଆଶୁତୋଷ ପରିଡ଼ା ତାଙ୍କର ପ୍ରଥମ କବିତା ପୁସ୍ତକ ‘ଈପ୍ସିତ କ୍ରୋଧ’ ପାଇଁ ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାହା ଆଜିଠୁ ପ୍ରାୟ ୪୦ ବର୍ଷ ତଳର କଥା। ତାହା ପରଠାରୁ କ୍ରମାଗତ ଭାବେ, ନିୟମିତ ବିରତିରେ ତାଙ୍କର ଗୋଟିଏ ପରେ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇ ଆସିଥିଲେ ହେଁ, ପ୍ରାୟ ୩୮ ବର୍ଷ ପରେ ତାଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର ମିଳିଥିଲା। ଏବଂ, ଆଜି ପ୍ରାୟ ୪୦ ବର୍ଷ ପରେ ମିଳିଛି ‘ଶାରଳା ପୁରସ୍କାର’।
‘ଈପସିତ କ୍ରୋଧ’ ପରେ ଶ୍ରୀ ପରିଡ଼ା ଲେଖିଥିବା କବିତା ପୁସ୍ତକଗୁଡ଼ିକ ହେଉଛି- ‘ଚଂଡାଳ’ (୧୯୯୧), ‘ଶବ୍ଦଭେଦୀ'(୧୯୯୫), ‘ରକ୍ତବର୍ଣ୍ଣ ବାଲି'(୨୦୦୦), ‘ଅଂଗାର ଗାର'(୨୦୦୩), ‘ଲହୁଲୁହାଣ'(୨୦୦୭), ‘ଅନ୍ତରାଳ'(୨୦୦୮), ‘ଦେଶ ନ ଥିବା ଲୋକ'(୨୦୧୦), ‘ଆକ୍ରାନ୍ତ ଅକ୍ଷର’ (୨୦୧୪), ‘କଥା ସରିନାହିଁ'(୨୦୧୭) ଓ ‘ଅପ୍ରସ୍ତୁତ ମୣତ୍ୟୁ'(୨୦୨୦)। ଏହି ‘ଅପ୍ରସ୍ତୁତ ହିଁ ସେ ପାଇଥିଲେ ସାହିତ୍ୟ ଅକାଦେମି ପୁରସ୍କାର।

ଏହି କବିତା ପୁସ୍ତକଗୁଡି଼କ ବ୍ୟତୀତ ଶ୍ରୀ ପରିଡ଼ାଙ୍କର ରହିଛି ଆଉ ଗୋଟିଏ ନିର୍ବାଚିତ କବିତା ପୁସ୍ତକ। ତାହାର ଶୀର୍ଷକ ‘କାଳଧ୍ବନି'(୨୦୧୧)। ଏହା ବ୍ୟତୀତ ତାଙ୍କର ରହିଛି ହିନ୍ଦୀରେ ଅନୂଦିତ ଦୁଇଟି କବିତା ସଂକଳନ- ‘ଅଂଗାର୍ ସେ ଆଗ୍ ତକ୍'(୨୦୦୫) ଓ ‘ଚାଂଡାଲ୍’ (୨୦୨୧) ଏବଂ ଇଂରେଜିରେ ଅନୂଦିତ ଗୋଟିଏ କବିତା ସଂକଳନ ‘ଚେରିସଡ୍ ରାଥ୍’ (୨୦୨୩)।
ତେବେ ଏ ପ୍ରସଙ୍ଗରେ ଗୋଟିଏ କଥା ଉଲ୍ଲେଖଯୋଗ୍ୟ, ଯେ ଈପସିତ କ୍ରୋଧ’ ପୂର୍ବରୁ ମଧ୍ୟ ତାଙ୍କର ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇଥିଲା। ମାତ୍ର ତାହା ଥିଲା ଏକ ଯୌଥ କବିତା ସଂକଳନ। କବିବନ୍ଧୁ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ସହ ମିଶି ପ୍ରକାଶ ପାଇଥିବା ସେହି କବିତା ପୁସ୍ତକର ନାଆଁ ଥିଲା ‘ଯୁକ୍ତ ଯାତନା’ (୧୯୭୨)।
ଏହି କ୍ରମାଗତ କାବ୍ୟଯାତ୍ରା ମଧ୍ୟରେ ଶ୍ରୀ ପରିଡ଼ା ଆହୁରି କେତେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ସେ ସବୁ ମଧ୍ୟରୁ ପ୍ରମୁଖ କେତୋଟି ହେଉଛି- ‘ଗୋକର୍ଣ୍ଣିକା ସମ୍ମାନ’ (୧୯୮୮), ‘ବସନ୍ତ ମୁଦୁଲି କବିତା ପୁରସ୍କାର’ (୧୯୯୦), ‘ବିରଜା ସମ୍ମାନ’, ଯାଜପୁର (୨୦୦୧), ଭାନୁଜୀ ରାଓ ସ୍ମାରକୀ କବିତା ପୁରସ୍କାର’, ଗଙ୍ଗାଧର ରଥ ଫାଉଣ୍ଡେସନ୍ (୨୦୦୩), ‘ସୁଚୟନ କବିତା ସମ୍ମାନ’, ବାଲେଶ୍ବର (୨୦୦୭), ‘ଅନାଦି-ଅନନ୍ତ କବିତା ପୁରସ୍କାର’ (୨୦୧୧), ‘ସଚ୍ଚି ରାଉତରାୟ କବିତା ସମ୍ମାନ’, ଭୁବନେଶ୍ୱର ପୁସ୍ତକ ମେଳା (୨୦୧୧), ‘ଜୀବନ ରଙ୍ଗ ସମ୍ମାନ’, କଟକ (୨୦୧୧), ‘କବି ବ୍ରହ୍ମାନନ୍ଦ ଦାସ କବିତା ପୁରସ୍କାର’ (୨୦୧୫), ‘ଅକ୍ଷର କବିତା ସମ୍ମାନ’ (୨୦୧୭), ‘ଗଙ୍ଗାଧର ମେହେର କବିତା ସମ୍ମାନ’, ଉତ୍କଳ ସାହିତ୍ୟ ସମାଜ (୨୦୧୭), ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’, ସମାଜ (୨୦୧୮), ‘ସୣଜନର ପାହାଚ କବିତାଗୌରବ ସମ୍ମାନ’ (୨୦୧୮), ‘ବ୍ରଜନାଥ ରଥ ସାରସ୍ବତ ସମ୍ମାନ’ (୨୦୧୯), ଓ ‘ଜାତୀୟକବି ବାଞ୍ଛାନିଧି ସ୍ମାରକୀ ସମ୍ମାନ’ (୨୦୧୯)।

ସଦ୍ୟତମ ‘ଶାରଳା ପୁରସ୍କାର’ ପାଇଥିବା କବିତା ପୁସ୍ତକ ‘ ବିଶ୍ବାସ ଦେ’ ପୣଥ୍ବୀ’ ଯାଜପୁରର ‘ପ୍ରବାହ’ ପକ୍ଷରୁ ପ୍ରକାଶିତ। ଏଥିରେ ଅଛି ୫୪ଟି କବିତା। ଶେଷ କବିତା ‘ବିଶ୍ବାସ ଦେ’ ପୣଥ୍ବୀ’ ଅନୁସାରେ ପୁସ୍ତକଟି ନାମିତ।
ସେହି ଶେଷ କବିତାର ଶେଷ ପଂକ୍ତିଗୁଡ଼ିକ ହେଉଛି-
“ତୋ’ର ଅଖଣ୍ଡ ବିଶ୍ବାସ ଦେ’ ପୣଥ୍ବୀ
ଦେ’ ତୋର ସବୁଜିମାର ବିପୁଳ ମହିମା
ଦେ’ ତୋ’ର ନଦୀମାନଙ୍କ ଅବିଶ୍ରାନ୍ତ ଧ୍ବନି
ଦେ’ ତୋ’ର ପର୍ବତର ଆକାଶୀ ଆସ୍ପର୍ଦ୍ଧା
ଦେ’ ତୋ’ର ସମୁଦ୍ରର ଅନନ୍ତ ସ୍ପନ୍ଦନ,
ସମୟ ପାଇଁ ତୋ’ ପାଖରେ
ଯଦି କିଛି ଧିକ୍କାର ଅଛି ଦେ’
ସତ୍ୟ ପାଇଁ ତୋ’ର ଯେତେ
ସଂଚିତ ଶକ୍ତି ଅଛି ଦେ’
ବଞ୍ଚି ରହିବାକୁ, ଗୀତ ଗାଇବାକୁ
ଯେତେ ବିଶ୍ବାସ ଅଛି ଦେ’, ଦେ’।”
କବି ଶ୍ରୀ ପରିଡ଼ା ବିଗତ ଚାରିଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ନିଜର କାବ୍ୟଯାତ୍ରାରେ ସାଧାରଣ ମଣିଷଙ୍କ ସ୍ବପ୍ନ ଓ ସଂଘର୍ଷକୁ ନିଷ୍ଠାପର ଭାବରେ ରୂପାୟିତ କରି ନିଜପାଇଁ ଏକ ସ୍ବତନ୍ତ୍ର ପରିଚୟ ସୣଷ୍ଟି କରିଛନ୍ତି। ତାଙ୍କର ଏହି ସଦ୍ୟତମ କବିତା ସଂକଳନ ‘ବିଶ୍ବାସ ଦେ’ ପୣଥ୍ବୀ’ ସମାଜନିଷ୍ଠ ଚେତନା ଓ ମାନବିକ ସଂବେଦନାର ବିଶ୍ବସ୍ତ ସ୍ବରଲିପି। ବ୍ୟଥା ଓ ବେଦନାର ପରିସୀମା ଡେଇଁ ସାଂପ୍ରତିକ ସମୟର ଜଟିଳ ବାସ୍ତବତାକୁ ସାମନା କରିବାର ସାମର୍ଥ୍ୟ ଏହି କାବ୍ୟଗ୍ରନ୍ଥରେ ଅଛି।
‘ବିଶ୍ବାସ ଦେ’ ପୣଥ୍ବୀ’ ନିମନ୍ତେ, ସଦ୍ୟତମ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶ୍ରୀ ଆଶୁତୋଷ ପରିଡ଼ାଙ୍କୁ ମୋର ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।
