ଉତ୍କଳସ୍ୟ ସମୋ ଦେଶଃ,ଦେଶୋ ନାସ୍ତି ମହୀତଳେ’
1 min read
ଉତ୍କଳ ଦିବସ ଅନୁଚିନ୍ତା
ଓଡିଶର ଅନେକ ପୁରାତନ ନାମ ମଧ୍ୟରୁ ‘ଉତ୍କଳ’ ଗୋଟିଏ | ଉତ୍କଳର ଗଜପତି କପିଳେନ୍ଦ୍ର ଦେବ ତାଙ୍କ ରଚିତ ‘କପିଳ ସଂହିତା ‘ଲେଖିଛନ୍ତି :-
‘ଉତ୍କଳସ୍ୟ ସମୋ ଦେଶଃ,
ଦେଶୋ ନାସ୍ତି ମହୀତଳେ |’
ଅର୍ଥାତ ଏ ମହିମଣ୍ଡଳରେ ଉତ୍କଳ ପରି ଦେଶ ନାହିଁ “ଏହାହିଁ ଉତ୍କଳର ସ୍ୱତନ୍ତ୍ରତା |ଜଗତର ନାଥ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଉତ୍କଳର ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥିତ |ଏ ରାଜ୍ୟ ଅନେକ ଘଟଣାର ମୁକ ସାକ୍ଷୀ |ଦୟାନଦୀ କୂଳରେ ସଂଘଠିତ ହୋଇଥିଲା କଳିଙ୍ଗ ଯୁଦ୍ଧ ଯାହା ମଗଧ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକ ରୁ ଧର୍ମାଶୋକରେ ପରିଣତ କରିଥିଲା | ଉତ୍କୃଷ୍ଟ କଳାର ଦେଶ ବୋଲି ଏହାର ନାମ ଉତ୍କଳ | ପୁରୀ, କୋଣାର୍କ, ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଗାତ୍ରରେ ଶୋଭିତ କଳା ସ୍ଥାପତ୍ୟ ବିଶ୍ଵ ପ୍ରସିଦ୍ଧ |ବ୍ରିଟିଶ ଶାସନ କବଳିତ ଭାରତର ଶେଷ ସ୍ୱାଧୀନ ଅଞ୍ଚଳ ଥିଲା ଉତ୍କଳର ଖୋର୍ଦ୍ଧା ଗଡ଼ |ସାରା ଦେଶରେ ବ୍ରିଟିଶ ହାତରୁ ମୁକ୍ତି ପାଇଁ ସ୍ୱାଧୀନତା ଆନ୍ଦୋଳନରେ ଓଡିଶା ମଧ୍ୟ ଯୋଗ ଦେଇଥିଲା | ପରବର୍ତ୍ତୀ ଅବସ୍ଥାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଆନ୍ଦୋଳନ ହେଲା |ଏଥିରେ ତାଙ୍କୁ ସହଯୋଗ କରିଥିଲେ ପ୍ରସିଦ୍ଧ ସାମ୍ବାଦିକ ନୀଳମଣି ବିଦ୍ୟାରତ୍ନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ଉତ୍କମଣି ଗୋପବନ୍ଧୁ ଦାସ ପ୍ରମୁଖ |

ପରବର୍ତ୍ତୀ ଅବସ୍ଥାରେ ଏ ଆନ୍ଦୋଳନରେ ସକ୍ରିୟ ସହଯୋଗ ଦେଇଥିଲେ ଜଗବନ୍ଧୁ ସିଂ, ଗଙ୍ଗାଧର ମେହେର, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖ |
ଉତ୍କଳ ସମ୍ମିଳନୀ ମାଧ୍ୟମରେ ସୁପ୍ତ ଓଡ଼ିଆ ଜାତିକୁ କୂଳବୃଦ୍ଧ ମଧୁସୂଦନ ଆହ୍ୱାନ ଦେଇଥିଲେ :
“ମା’ ମା’ ବୋଲି କେତେ ମୁଁ ଡାକିଲି ମ’କୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି|”
“ଏହି ସମ୍ମିଳନୀ ଜାତି ପ୍ରାଣ
ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ,
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡି ସିନ୍ଧୁ ନିରେ |”
“ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ,
ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ |”
ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଗଙ୍ଗାଧର ଓଡିଶବାସୀଙ୍କୁ ଆହ୍ୱାନ ଦେଇଥିଲେ:
- ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ,
ତାକୁ ଯଦି ଗୁଣୀ ଗଣରେ ଗଣିବାଅଜ୍ଞାନ ରହିବେ କାହିଁ|”
ଏହି ମହାପୁରୁଷମାନଙ୍କ ପରିଶ୍ରମ ଓ ତ୍ୟାଗର ଫଳ ସ୍ୱରୂପ 1936 ମସିହା ଏପ୍ରିଲ 1ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା |ତା ଯଥେଷ୍ଟ ପୂର୍ବରୁ 1928ରେ ଗୋପବନ୍ଧୁ ଇହଧାମ ତ୍ୟାଗ କରିଥିଲେ |କୂଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ 1934ମସିହା ଏପ୍ରିଲ 28ରେ ଇହଧାମ ତ୍ୟାଗ କରିଥିଲେ |
ଏପ୍ରିଲ 1ତାରିଖରେ ଆମେ ସେଥିପାଇଁ ଉତ୍କଳ ଦିବସ ପାଳନ କରୁଛୁ |ଆମେ ଏ ଦିବସ ପାଳନ କରିବାରେ ଯେତିକି ଗର୍ବ ଅନୁଭବ କରୁଛୁ, ଟିକେ ସଚେତନ ହେଲେ ଅପମାନିତ ଅନୁଭବ କରିବା | କାରଣ ଓଡ଼ିଆ ଭାଷା ଭାଷୀ ଅନେକ ଅଞ୍ଚଳ ଓଡିଶା ବାହାରେ ରହିଅଛି|
ସିଂହଭୂମି, ଷଢ଼େଇକଳା, ଖରସୁଆଁ, ବସ୍ତର, , ମେଦିନୀପୁରରେ ଓଡ଼ିଆ କଳା ସଂସ୍କୃତି ଭରି ରହିଥିବା ବେଳେ ରାଜନୈତିକ ଦୁରଭିଶନ୍ଧି ରଖି ସେ ସବୁକୁ ଓଡିଶାରେ ମିଶେଇ ଦିଆଗଲାନାହିଁ | ଓଡ଼ନେଲ କମିଟିର ଚଞ୍ଚକତା, ଡ଼ ରାଜେନ୍ଦ୍ର ପ୍ରସାଦଙ୍କ ବିହାର ପ୍ରୀତି, ଓଡିଶାର ତତ୍କାଳୀନ ନେତାଙ୍କ ଆତ୍ମଘାତି ରାଜନୀତି ପାଇଁ ବିଛିନାଞ୍ଚଳ ମିଶ୍ରଣ ସମ୍ଭବ ହୋଇ ପାରିଲା ନାହିଁ |ତେବେ ଯାହା ପାଇଛେ ତାକୁ ସୁରକ୍ଷିତ ରଖିବା ଆମର ନୈତିକ ଦାୟିତ୍ୱ|
ଉତ୍କଳ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆମ ଜାତି,ଭାଷା, ସଂସ୍କୃତି, କଳା, ସାହିତ୍ୟ, ପରମ୍ପରା କୁ ବଜାୟ ରଖିବା |କେବଳ ଗତାନୁଗତିକ ଧରାରେ ଏ ଦିବସ ପାଳନ କରୁଛେ,|ଭାଷଣ ଦେଇ ଏ ରାଜ୍ୟ ଗଠନରେ ଲହୁ ଲୁହ ଢାଳିଥିବା ମହାପୁରୁଷଙ୍କ ସ୍ତୁତି ଗାନ କରି ଚାଲିଛେ |
ଆମ ଆଚରଣ ଓ ଉଚ୍ଚାରଣରେ ମେଳ ରହୁନି |ଓଡିଶାର ଭାଷା ସୁରକ୍ଷା କଥା କହୁଥିବା ନେତାଙ୍କ ପିଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଛନ୍ତି |ଏମିତି କି ମହା ବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟରେ ଓଡିଆ ବିଷୟରେ ପାଠ ପଢିଥିବା ମେଧାବୀ ଛାତ୍ର /ଯୁବକ ସଠିକ ଓଡିଆ ଲେଖି ପାରୁନାହାନ୍ତି |ଓଡିଆ ଉଚ୍ଚାରଣ କରି ପାରୁନାହାନ୍ତି |କଥା କହିଲା ବେଳେ ପାଶ୍ଚାତ୍ୟ ସାହିତ୍ୟ, ସଂସ୍କୃତିର ଉଦାହରଣ ଦେଉଛନ୍ତି,|କହିବାକୁ ଲାଜ ଲାଗେ ଆମେ ଆମ ଭାଷା କୁ ଭୁଲି ଯାଇଛେ |ଗାଁ ରେ ଭାଗବତ ଟୁଙ୍ଗୀ ଘର ଭଗ୍ନ ଅବସ୍ଥାରେ ପଡିଛି, ଭାଗବତ ଚର୍ଚ୍ଚା ହେଉନି |ଆମ ଓଡିଆ ପାରମ୍ପରିକ ଖାଦ୍ୟ ମଣ୍ଡା, ଚକୁଳି, ଆରିସା, ଖୁରୁମା, ଗଜା, ଏଣ୍ଡୁରି, ଇଟିଲି ସ୍ଥାନ ନେଇଛି ପିଜା, ବର୍ଗର, କେକ ଇତ୍ୟାଦି |
ଋଷି ପ୍ରତିମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ 1954ରେ ଓଡ଼ିଆ ଭାଷା ଆଇନ ବିଧାନ ସଭାରେ ପାରିତ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଓଡିଶାରେ ସମସ୍ତ କ୍ଷେତ୍ରରେ ଓଡିଆ ଭାଷା ବ୍ୟବହୃତ ହେବ |କିନ୍ତୁ ଆଜି ଯାଏଁ ଇଂରାଜୀ ଭାଷା ର ବ୍ୟବହାର ହେଉଛି ଅର୍ଥାତ ଆମ ମାତୃଭାଷା ଦାସୀ ହୋଇ ରହିଛି, ଇଂରାଜୀ ଭାଷା ରାଣୀ ହୋଇ ରହିଛି |
1954ଭାଷା ଆଇନକୁ କାର୍ଯ୍ୟକାରୀ କରିବାପାଇଁ ସରକାର 2018 ମେ ମାସରେ ଆଇନ ସଂଶୋଧନ କରି ଓଡିଆ ଭାଷା ବିଦ୍ବେଶୀ /ଭାଷାର ଅମର୍ଯ୍ୟାଦା କାରୀ /ଓଡ଼ିଆ ଭାଷା ବ୍ୟବହାର ନ କରି ଇଂରାଜୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଛି |ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ ଓଡ଼ିଆ ଭାଷା ବ୍ୟବହାର କରୁନଥିବା ଅଧିକାରୀଙ୍କୁ ଦଣ୍ଡ ଦେବା ବ୍ୟବସ୍ଥା ରହିଛି ଆଉ ମଧ୍ୟ ଓଡ଼ିଆ ଭାଷା ର ସଠିକ ଓ ବହୁଳ ବ୍ୟବହାର କରୁଥିବା ଅଧିକାରୀଙ୍କୁ ପୁରସ୍କାର ଦେବା ବ୍ୟବସ୍ଥା ରହିଛି |ସେଇ ବର୍ଷ ଅକଟୋବରରେ ଦ୍ଵିତୀୟ ସଂଶୋଧନ ରେ ଦୋକାନ, ବଜାର, ଵ୍ୟବସାୟ ପ୍ରତିଷ୍ଠାନ ର ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତା ମୂଳକ କରାଯାଇଛି | ବ୍ୟତିକ୍ରମ ହେଲେ ଦଣ୍ଡ, ବିଧାନ ରହିଛି |ଏପରିକି ଆର୍ଥିକ ଦଣ୍ଡ 1000 ଟଙ୍କାରୁ 25000 ଟଙ୍କା ରଖାଯାଇଛି |ଏସବୁ ଆଇନଗତ ବ୍ୟବସ୍ଥା ଥିଲେ ହେଁ ଆକ୍ଷି ଦୃଷ୍ଟିଆ ଦଣ୍ଡ ନ ମିକିବାରୁ ଓଡ଼ିଆ ଭାଷା ବିଦ୍ବେଶୀଙ୍କ ସଂଖ୍ୟା ବଢ଼ି ଚାଲିଛି |ଗଣ ମାଧ୍ୟମରେ (news paper, tv,)ଯେଉଁ ବିକୃତ ଓଡ଼ିଆ ଆସୁଛି ତାହା ଭାଷା ପ୍ରେମୀଙ୍କୁ ବ୍ୟଥିତ କରୁଛି |
ଏସବୁ ଭିତରେ ଆମେ ଉତ୍କଳ ଦିବସ ପାଳୁଛେ |ଏ ଅବସରରେ ଆମର ତିନୋଟି ମୌଳିକ ସମସ୍ୟାର ସମାଧାନ ଆବଶ୍ୟକ |
- (1)ଆମେ ଆମର ରାଜନେତା ମାନଙ୍କୁ ପ୍ରଶ୍ନ କରିବା, “ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ସେମାନେ କଣ କରୁଛନ୍ତି?
- (2)ଆମେ ନିଜକୁ ପଚାରିବା,”ଆମେ ଆମ ସଂସ୍କୃତି ପ୍ରତି କେତେ ବିଶ୍ୱସ୍ତ?
- (3)ଆମେ ତଥାକଥିତ ଭାଷାବିତ୍ ତଥା ଶିକ୍ଷିତ ମାନଙ୍କୁ ପଚାରିବା,”ଯେଉଁ ଭାଷାରେ ସେମାନେ କୁଆଁ କୁଆଁ ଶବ୍ଦ କଲେ, ସେଇ ଭାଷାର ସୁରକ୍ଷା ପାଇଁ ସେମାନେ କେତେ ସଚେତନ?”
ଏସବୁ ପ୍ରଶ୍ନ ସହିତ ଆମେମାନେ ସ୍ୱାର୍ଥପରତାର ଉପରକୁ ଉଠିବା ଦରକାର |ଗୋଟିଏ ଜାତିର ଉତ୍ଥାନ ପାଇଁ ମଧୁବାବୁଙ୍କ ଆହ୍ୱାନକୁ ଧ୍ୟାନ ଦେବାର ଅଛି |ସେ କହିଥିଲେ
- :”ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ,
ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧାଥିଲେ |
ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ |”
ଆଜିର ପବିତ୍ର ଦିନରେ ଏ ଦିବସର ମହତ୍ତ୍ୱ ରଖିବା ପାଇଁ ଆମେ ଶପଥ ନେବା |ଆଉ ଶପଥ ନେବା ଏକ ଉନ୍ନତ ଜାତୀୟ ଚରିତ୍ର ଗଠନ ପାଇଁ |ସ୍ୱାର୍ଥ, ତୋଷମଦ, ପରଶ୍ରୀକାତରତାକୁ ବଳିଦେଇ ଏକ ଜାତି ଗଠନରେ ଆଗଭର ହେବା
ବନ୍ଦେ ଉତ୍କଳ ଜନନୀ 🙏🙏
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,
ମୋବାଇଲ ନମ୍ବର 9238304919
