03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୧୪ ଶ୍ଳୋକ : ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ..

1 min read

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାଃସ୍ତାଂସ୍ତିତିକ୍ଷସ୍ୱ ଭାରତ ॥

ହେ କୁନ୍ତୀପୁତ୍ର ଅର୍ଜୁନ ! ଇନ୍ଦ୍ରିୟ ଓ ବିଷୟର ସ୍ପର୍ଶ ଦ୍ୱାରା ଶୀତ-ଉଷ୍ଣ, ସୁଖ-ଦୁଃଖ ଉତ୍ପନ୍ନ ହୁଏ । ସେଗୁଡିକ ଆସେ ଓ ଯାଏ – ସ୍ଥାୟୀ ନୁହଁନ୍ତି । ତେଣୁ ହେ ଭାରତ ! ସେଗୁଡିକୁ ତୁମେ ସହନ କର ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଜୀବନର ଦ୍ୱନ୍ଦ୍ୱମୟ ସ୍ୱଭାବକୁ ସ୍ପଷ୍ଟ କରୁଛନ୍ତି । ସୁଖ ଓ ଦୁଃଖ କେବଳ ଶରୀର ଓ ଇନ୍ଦ୍ରିୟର ସମ୍ପର୍କ ଜନିତ ଅନୁଭୂତି । ଯେପରି ଶୀତ ଓ ଉଷ୍ଣ ଋତୁ ଆସେ ଏବଂ ଚାଲିଯାଏ, ସେହିପରି ସୁଖ-ଦୁଃଖ ମଧ୍ୟ ଅସ୍ଥାୟୀ । ଯେଉଁ ବ୍ୟକ୍ତି ଏହାକୁ ସମବୁଦ୍ଧିରେ ଗ୍ରହଣ କରନ୍ତି, ସେ ଜ୍ଞାନୀ ଅଟନ୍ତି । ଏହି ଶ୍ଳୋକ ମାନସିକ ସନ୍ତୁଳନର ମୂଳମନ୍ତ୍ର ଦେଉଅଛି । ମନୁଷ୍ୟ ଯେତେବେଳେ ସୁଖକୁ ଜାବୁଡି ରଖିବାକୁ ଚାହେଁ ଓ ଦୁଃଖରୁ ପଳାୟନ କରିବାକୁ ଚେଷ୍ଟା କରେ, ସେତେବେଳେ ମନ ଅଶାନ୍ତ ହୁଏ । ଗୀତା କହୁଛି – ସୁଖ ଓ ଦୁଃଖ, ଦୁହେଁ ଅସ୍ଥାୟୀ; ଏହି ବୋଧ ମନୁଷ୍ୟକୁ ଭିତରୁ ଦୃଢ଼ କରେ । ଏହା ମାନସିକ ସହନଶୀଳତାର ଆଧାର । ଜୀବନର କଷ୍ଟକୁ ସ୍ଥାୟୀ ମନେ କରି ଭାଙ୍ଗି ପଡ଼ିବା ଉଚିତ ନୁହେଁ । ସୁଖରେ ଅହଙ୍କାର ଓ ଦୁଃଖରେ ନିରାଶା, ଏହି ଉଭୟ ଠାରୁ ଦୂରରେ ରହିବା ଉଚିତ । ସହନଶୀଳତା ହେଉଛି ଆତ୍ମବିକାଶର ପଥ ।


ସାମାଜିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସମାଜ ସଦା ସମୟରେ ପରିବର୍ତ୍ତନଶୀଳ । କେବେ ସମୃଦ୍ଧି, କେବେ ସଂକଟ; କେବେ ସମ୍ମାନ, କେବେ ଅପମାନ – ଏହି ସବୁ ସାମାଜିକ “ସ୍ପର୍ଶ” ମନୁଷ୍ୟ ମନକୁ ପ୍ରଭାବିତ କରେ । ଗୀତା ୨:୧୪ କହେ – ଏହି ସମସ୍ତ ପରିସ୍ଥିତି “ଆଗମାପାୟିନ” ଅର୍ଥାତ୍ ଆସୁଥିବା ଓ ଯାଉଥିବା ପରିସ୍ଥିତି । ଯେଉଁ ସମାଜ ଏହି ସତ୍ୟକୁ ବୁଝେ, ସେ ଅସହିଷ୍ଣୁତା, ହିଂସା ଓ ଅତିକ୍ରିୟାରୁ ଦୂରେ ରହେ ।

ସହନଶୀଳତା ଓ ସମବୁଦ୍ଧି ହେଉଛି ସୁସ୍ଥ ସମାଜର ମୂଳ ଭିତ୍ତି ।
ସେହିପରି ପାରିବାରିକ ଜୀବନରେ ସୁଖ-ଦୁଃଖ, ମତଭେଦ, ଆଶା-ନିରାଶା ଅନିବାର୍ଯ୍ୟ । ଗୀତାର ଏହି ଶ୍ଳୋକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା ଦିଏ – ସାମୟିକ କଷ୍ଟ କିମ୍ବା ଅପମାନକୁ ଅତିରଞ୍ଜିତ କରି ସମ୍ପର୍କ ଭାଙ୍ଗିଦେବା ଉଚିତ ନୁହେଁ । ଯେପରି ଋତୁ ପରିବର୍ତ୍ତନ ସହ ଶୀତ ଓ ଉଷ୍ଣ ଚାଲିଥାଏ, ସେହିପରି ପରିବାର ମଧ୍ୟରେ ଆସୁଥିବା ଦୁଃଖକୁ ସହନ କରିନେଲେ ଆତ୍ମୀୟତା ଓ ସମ୍ପର୍କ ଦୃଢ଼ ହୁଏ ।
ଶ୍ରୀକୃଷ୍ଣ ସୁଖ-ଦୁଃଖର ତତ୍ତ୍ୱକୁ ସରଳ ଭାବରେ ବ୍ୟାଖ୍ୟା କରିଛନ୍ତି । “ମାତ୍ରାସ୍ପର୍ଶାଃ” ଶବ୍ଦ ମାଧ୍ୟମରେ ସେ ଜଣାଉଛନ୍ତି ଯେ ମନୁଷ୍ୟର ସମସ୍ତ ଅନୁଭୂତି ଇନ୍ଦ୍ରିୟ ଓ ବିଷୟର ସଂସ୍ପର୍ଶରୁ ଉତ୍ପନ୍ନ । ସୁଖ ଓ ଦୁଃଖ ପ୍ରକୃତିଜନିତ ଅନୁଭୂତି । ଶୀତ-ଉଷ୍ଣ, ସୁଖ-ଦୁଃଖ ଏହି ଦ୍ୱନ୍ଦ୍ୱଗୁଡିକ ପ୍ରକୃତିର ଗୁଣଧର୍ମ । ଏହି କାରଣରୁ ଶ୍ରୀକୃଷ୍ଣ କହନ୍ତି-ଏଗୁଡିକ “ଆଗମାପାୟିନଃ” ଅର୍ଥାତ୍ ଆସୁଥିବ ଓ ଯାଉଥିବ, ଏବଂ “ଅନିତ୍ୟ”- ଅସ୍ଥାୟୀ । ତେଣୁ ଅସ୍ଥାୟୀକୁ ସ୍ଥାୟୀ ଭାବିବା ହେଉଛି ଅଜ୍ଞାନ ।

ମନୁଷ୍ୟ ଯେତେବେଳେ ଇନ୍ଦ୍ରିୟଜ ସୁଖକୁ ସର୍ବୋଚ୍ଚ ସତ୍ୟ ଭାବେ ଧରିନିଏ, ସେତେବେଳେ ସେ ଦୁଃଖର ଚକ୍ରରେ ବାନ୍ଧି ହୋଇଯାଏ ।


ଶ୍ରୀକୃଷ୍ଣଙ୍କ “ତିତିକ୍ଷା” ବା ସହନଶୀଳତାର ଉପଦେଶ ଗୀତାର ଦାର୍ଶନିକ ମାର୍ଗର କେନ୍ଦ୍ରବିନ୍ଦୁ । ତିତିକ୍ଷା ଅର୍ଥ କେବଳ ଦୁଃଖକୁ ସହିବା ନୁହେଁ, ବରଂ ସୁଖ ଓ ଦୁଃଖ ଉଭୟକୁ ସମବୁଦ୍ଧିରେ ଗ୍ରହଣ କରିବା । ଏହି ସମତାବୋଧ ହେଉଛି ଜ୍ଞାନୀର ଲକ୍ଷଣ । ଯେତେବେଳେ ମନୁଷ୍ୟ ଅନିତ୍ୟ ସୁଖ-ଦୁଃଖରେ ଆସକ୍ତି ତ୍ୟାଗ କରେ, ସେତେବେଳେ ତା’ର ଚେତନା ଆତ୍ମତତ୍ତ୍ୱ ଦିଗକୁ ଗତି କରେ । ସୁଖ-ଦୁଃଖର ଅନିତ୍ୟତା ବୁଝି ସହନଶୀଳତା ଅଭ୍ୟାସ କରିବା ହେଉଛି ଦାର୍ଶନିକ ଜୀବନଦୃଷ୍ଟିର ସାରତତ୍ତ୍ୱ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply