03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଘରେ ଘରେ ତ୍ରିରଙ୍ଗା: ଦେଶପ୍ରେମରୁ ଦେଶଗଠନ ପର୍ଯ୍ୟନ୍ତ ଜାତୀୟ ଏକତା, ନାଗରିକ କର୍ତବ୍ୟ ଓ ରାଷ୍ଟ୍ର ଭକ୍ତିର ଏକ ଜନଆନ୍ଦୋଳନ

1 min read
  • ମନମୋହନ ସାମଲ
  • +++++++++++


ଭାରତ କେବଳ ଏକ ଭୌଗୋଳିକ ସୀମାର ନାମ ନୁହେଁ । ଏହା ହଜାର ହଜାର ବର୍ଷର ସଭ୍ୟତା, ସଂସ୍କୃତି, ପରମ୍ପରା, ସଂଘର୍ଷ ଓ ଅସଂଖ୍ୟ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନରେ ଗଢ଼ିଉଠିଥିବା ଏକ ମହାନ ରାଷ୍ଟ୍ର । ଏହି ରାଷ୍ଟ୍ରର ଏକତା, ସ୍ୱାଧୀନତା ଓ ସାର୍ବଭୌମତ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରତୀକ ହେଉଛି ଆମ ଜାତୀୟ ପତାକା, “ତ୍ରିରଙ୍ଗା’ । ତ୍ରିରଙ୍ଗା କେବଳ ଆମର ଜାତୀୟ ପତାକା ନୁହେଁ, ଏହା ଭାରତୀୟଙ୍କ ମନରେ ସ୍ୱାଧୀନତାର ସ୍ମୃତି, ସହିଦମାନଙ୍କ ତ୍ୟାଗ, ଗଣତନ୍ତ୍ରର ମୂଲ୍ୟବୋଧ ଓ ଜାତୀୟ ଏକତାର ଭାବନାକୁ ସଦାସର୍ବଦା ଜାଗ୍ରତ କରେ । ତ୍ରିରଙ୍ଗାକୁ ପ୍ରତ୍ୟେକ ଘରେ ସମ୍ମାନର ସହ ଉତୋଳନ କରିବାର ଆହ୍ୱାନ ହେଉଛି- ‘ହର ଘର ତ୍ରିରଙ୍ଗା’ ।
‘ହର ଘର ତ୍ରିରଙ୍ଗା’ ଅଭିଯାନ ୨୦୨୨ରେ ‘ଆଜାଦୀ କା ଅମୃତ ମହୋତ୍ସବ’ର ଏକ ପ୍ରମୁଖ ଅଂଶ ଭାବେ ଆରମ୍ଭ ହୋଇଥିଲା । ସମୟକ୍ରମେ ଏହା ଏକ ବ୍ୟାପକ ଜନସହଭାଗୀ ଅଭିଯାନର ରୂପ ନେଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୨୫ର ଅଭିଯାନରେ ୭.୫ କୋଟିରୁ ଅଧିକ ନାଗରିକମାନଙ୍କ ‘ସେଲ୍ଫି ତ୍ରିରଙ୍ଗା’ ସହ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ ହୋଇଥିଲା ଏବଂ ୯ ଲକ୍ଷରୁ ଅଧିକ ତ୍ରିରଙ୍ଗା ସ୍ୱେଚ୍ଛାସେବକ ଯୋଗ ଦେଇଥିଲେ । ଏହା ଦେଖାଇଥିଲା ଯେ, ଜାତୀୟ ପ୍ରତୀକକୁ କେନ୍ଦ୍ର କରି ନାଗରିକମାନଙ୍କ ମନରେ ବେଶ ଭାବପ୍ରବଣତା ରହିଛି ।
୨୦୨୬ ସ୍ୱାଧୀନତା ଦିବସ ପାଳନ ଅବସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଚାଲିଛି । ଏହା ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି, ଯାହାର ସଂଯୋଜନା କରୁଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ଏହା ନାଗରିକମାନଙ୍କୁ ଜାତୀୟ ପତାକା ତ୍ରିରଙ୍ଗାକୁ ନିଜ ଘରେ ଗର୍ବର ସହିତ ଉତୋଳନ କରିବାକୁ ଉତ୍ସାହିତ କରେ ଓ ଏହା ସହିତ ଏକ ସେଲ୍ଫି ଉଠାଇ ତାକୁ ହରଘରତ୍ରିରଙ୍ଗା.କମ (https://harghartiranga.com/) ପୋର୍ଟାଲରେ ଅପଲୋଡ଼ କରିବାକୁ ଉତ୍ସାହିତ ମଧ୍ୟ କରେ । ତ୍ରିରଙ୍ଗା ରାଲି, ପତାକା ବଂଟନ, ସଚେତନତା କାର୍ଯ୍ୟକ୍ରମ ଏବଂ ଗୋଷ୍ଟି ପ୍ରଚାର ଭଳି କାର୍ଯ୍ୟକଳା ମାଧ୍ୟମରେ ଏହି ଅଭିଯାନ ନାଗରିକମାନଙ୍କୁ ଗର୍ବ ଏବଂ ସମ୍ମାନର ସହିତ ଜାତୀୟ ପତାକା ଉତୋଳନକୁ ଏକ ପର୍ବ ରୂପେ ପାଳନ କରିବାକୁ ପ୍ରେରଣା ଦିଏ ।

Oplus_16908288


ତ୍ରିରଙ୍ଗାରୁ ‘ଟିମ୍ ଇଣ୍ଡିଆ’ର ଭାବନା ସୃଷ୍ଟି ହୁଏ । ‘ଆଇ ଏମ୍ ଭାରତ’ର ଶକ୍ତି ଏହାର ବିବିଧତାରେ ଅଛି । ଭିନ୍ନ ଭାଷା, ଭିନ୍ନ ଧର୍ମ, ଭିନ୍ନ ପରମ୍ପରା, ଭିନ୍ନ ଖାଦ୍ୟ ଓ ପୋଷାକ ଆମର ବିବିଧତା କିନ୍ତୁ, ଜାତୀୟ ପତାକା ତଳେ ଆମେ ସମସ୍ତେ ଭାରତୀୟ । ଏହି ମନୋଭାବକୁ ଯୁବପିଢ଼ି ମଧ୍ୟରେ ମଜବୁତ କରିବା ଆଜିର ସମୟର ଏକ ବଡ଼ ଆବଶ୍ୟକତା । କାରଣ ଆଗାମୀ ଭାରତର ନେତୃତ୍ୱ ଯେଉଁ ପିଢ଼ି ନେବ, ସେହି ପିଢ଼ି ଯଦି ଜାତୀୟ ଏକତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକ କର୍ତବ୍ୟ ପ୍ରତି ସଚେତନ ହୁଏ, ତେବେ ଭାରତର ଭବିଷ୍ୟତ ଆହୁରି ଦୃଢ଼ ହେବ ।
ଏହି ଅଭିଯାନ ସରକାରୀ ପ୍ରୟାସରେ ସୀମିତ ନ ରହି ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନର ଅଂଶଗ୍ରହଣରେ ଏକ ଜନ ଜାଗରଣ ରୂପ ନେଇଛି । ବିଜେପି ନିଜ ସଂଗଠନର ମଣ୍ଡଳ, ବୁଥ୍ ଓ ସ୍ଥାନୀୟ ସ୍ତରର କର୍ମକର୍ତାଙ୍କ ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା କରିବା, ଘରେ ଘରେ ତ୍ରିରଙ୍ଗା ପହଂଚାଇବା, ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ଓ ଯୁବମାନଙ୍କୁ ଯୋଡ଼ିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି ।
ଏଠାରେ ଏକ ମୌଳିକ ପ୍ରଶ୍ନ ଉଠେ, ଏପରି ଅଭିଯାନରେ ଏକ ରାଜନୈତିକ ଦଳର ଭୂମିକା କାହିଁକି ଆବଶ୍ୟକ? ଏହାର ଉତର ହେଉଛି ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ଦଳମାନେ କେବଳ ନିର୍ବାଚନ ଲଢ଼ୁଥିବା ସଂଗଠନ ନୁହେଁ, ସେମାନେ ଜନସାଧାରଣଙ୍କୁ ସାମାଜିକ ଓ ଜାତୀୟ ପ୍ରସଙ୍ଗରେ ସଂଗଠିତ କରିବାର ଏକ ମାଧ୍ୟମ ମଧ୍ୟ । ତେଣୁ ସବୁ ଦଳ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଆବଶ୍ୟକ । ତେବେ ଏହି ଅଭିଯାନର ମୂଳ ସନ୍ଦେଶ ଦଳୀୟ ସୀମା ଭିତରେ ନରହି ଜାତୀୟତା ଉପରେ ଫୋକସ କରିବା ଦରକାର ।
ଦେଶର ବିଭିନ୍ନ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆଗ୍ରହରେ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ କାର୍ଯ୍ୟକ୍ରମକୁ ଲୋକେମାନେ ଆଗ୍ରହର ସହିତ ପାଳନ କରୁଛନ୍ତି । ଓଡ଼ିଶାର ରାଜନୈତିକ ଇତିହାସ ତ୍ୟାଗ ଓ ଦେଶପ୍ରେମର ଅନେକ ଉଦାହରଣରେ ପରିପୂର୍ଣ୍ଣ । ପାଇକ ବିଦ୍ରୋହରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଅଧ୍ୟାୟ ପର୍ଯ୍ୟନ୍ତ ଓଡ଼ିଶାର ଜନସାଧାରଣ ଜାତୀୟ ଚେତନାରେ ନିଜର ଅବଦାନ ରଖିଛନ୍ତି । ସେହି ପରମ୍ପରାକୁ ଆଧୁନିକ ପିଢ଼ି ସହ ଯୋଡ଼ିବା ପାଇଁ ‘ହର ଘର ତ୍ରିରଙ୍ଗା’ ଏକ ସୁଯୋଗ । ଓଡ଼ିଆ ଭାଷାରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ, ପାଇକ ବିଦ୍ରୋହର ଇତିହାସ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅବଦାନ ଓ ଦେଶ ଗଠନରେ ଓଡ଼ିଶାର ଭୂମିକାକୁ ଯୁବମାନଙ୍କ ନିକଟକୁ ନେଲେ ଏହି ଅଭିଯାନ ଏକ ଶିକ୍ଷଣୀୟ ରୂପ ନେଇପାରିବ ।
୨୦୨୫ରେ କଟକ ବିଜେପି ମଣ୍ଡଳ ପକ୍ଷରୁ ଆୟୋଜିତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ଏହି ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏ ବର୍ଷ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ଓଡ଼ିଶାର ଗାଁ ଠାରୁ ସହର, ମହାନଗରଠାରୁ ଆଦିବାସୀ ଅଂଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପହଂଚାଇବାର ଅର୍ଥ ହେଉଛି ବିଭିନ୍ନ ସାମାଜିକ ବର୍ଗକୁ ଜାତୀୟ ପ୍ରତୀକ ତଳେ ଏକତ୍ରିତ କରିବା ।
‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢ଼ି ଡିଜିଟାଲ୍ ପ୍ଲାଟଫର୍ମରେ ନିଜ ଇତିହାସ, ସ୍ୱାଧୀନତା ସଂଗ୍ରାମ ଓ ଜାତୀୟ ମୂଲ୍ୟବୋଧ ସହ ସମ୍ପର୍କ ମଜବୁତ କରିଥିବା ବାର୍ତା ସମାଜରେ ପ୍ରଚାର କରିପାରିବେ । ଘର ଉପରେ ତ୍ରିରଙ୍ଗା ଉଡ଼ିବା ସମୟରେ ଯଦି ଜଣେ ଯୁବକ କିମ୍ବା ଯୁବତୀ ନିଜକୁ ପଚାରନ୍ତି ଯେ, \”ଏହି ପତାକା ପାଇଁ କେତେ ଲୋକ ତ୍ୟାଗ କରିଥିଲେ? ସ୍ୱାଧୀନତାର ଅର୍ଥ କ’ଣ? ଦେଶ ପାଇଁ ମୋର ଭୂମିକା କ’ଣ?\’- ତେବେ ଅଭିଯାନର ପ୍ରକୃତ ଲକ୍ଷ ପୂରଣ ହେଲା ବୋଲି ବିବେଚନା କରାଯିବ । ଭାରତର ଯୁବପିଢ଼ି ଦେଶର ସବୁଠାରୁ ବଡ଼ ମାନବ ସମ୍ପଦ । ତେଣୁ ‘ହର ଘର ତ୍ରିରଙ୍ଗା’କୁ କେବଳ ପତାକା ଉତୋଳନରେ ସୀମିତ ରଖିଲେ ଏହାର ସମ୍ଭାବନା ଅଧାରେ ରହିଯିବ । ପତାକା ଉତୋଳନ ସହିତ ଯୁବ ବର୍ଗ ମାନେ ସ୍ୱାଧୀନତା ସଂଗ୍ରାମ ଉପରେ କୁଇଜ୍ ଓ ଆଲୋଚନା, ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ପାଠ, ଦେଶପ୍ରେମ ଓ ନାଗରିକ କର୍ତବ୍ୟ ଉପରେ ଡିବେଟ୍‌, ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଓ ସାମାଜିକ ସେବା, ପରିବେଶ ସୁରକ୍ଷା, ଡିଜିଟାଲ୍ ଜାଗରଣ, ସ୍ଥାନୀୟ ଇତିହାସ ଓ ଐତିହ୍ୟ ସୁରକ୍ଷା ଆଲୋଚନା ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ ।
ତେବେ ଦେଶପ୍ରେମର ଅର୍ଥ କେବଳ ତ୍ରିରଙ୍ଗା ଉଡ଼ାଇବା ନୁହେଁ । ଦେଶପ୍ରେମର ଅର୍ଥ ଜଣେ ଭଲ ନାଗରିକ ହେବା, ଆଇନକୁ ସମ୍ମାନ କରିବା, ସାର୍ବଜନୀନ ସମ୍ପତିର ସୁରକ୍ଷା କରିବା, ପରିବେଶକୁ ସୁରକ୍ଷିତ ରଖିବା, ଅନ୍ୟ ନାଗରିକଙ୍କ ଅଧିକାରକୁ ସମ୍ମାନ କରିବା ଓ ନିଜ କର୍ତବ୍ୟ ପାଳନ କରିବା ମଧ୍ୟ । “ଘର ଉପରେ ତ୍ରିରଙ୍ଗା”, ହୃଦୟରେ ଦେଶପ୍ରେମ ଏବଂ ଜୀବନରେ ନାଗରିକ କର୍ତବ୍ୟ”- ଏହା ହିଁ ହେବା ଦରକାର ଅଭିଯାନର ମୂଳ ମନ୍ତ୍ର ।
‘ହର ଘର ତ୍ରିରଙ୍ଗା’କୁ ଯଦି କେବଳ ଅଗଷ୍ଟ ୧୫ର ଏକ ଉତ୍ସବ ଭାବେ ଦେଖାଯାଏ, ତେବେ ଏହାର ଅର୍ଥ ଅତ୍ୟନ୍ତ ସୀମିତ ହୋଇଯିବ । କିନ୍ତୁ ଯଦି ଏହାକୁ ସ୍ୱାଧୀନତାର ଇତିହାସ, ସହିଦଙ୍କ ତ୍ୟାଗ, ଜାତୀୟ ଏକତା, ନାଗରିକ କର୍ତବ୍ୟ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଯୁବଶକ୍ତିର ସୃଜନଶୀଳ ଭୂମିକା ସହିତ ଯୋଡ଼ାଯାଏ, ତେବେ ଏହା ଏକ ଅର୍ଥପୂର୍ଣ୍ଣ ଜନଆନ୍ଦୋଳନରେ ପରିଣତ ହୋଇପାରିବ । ବିଜେପି ଭଳି ବଡ଼ ସଂଗଠନ ପାଇଁ ଏହା ଜନସମ୍ପର୍କର ଏକ ମାଧ୍ୟମ ହୋଇପାରେ କିନ୍ତୁ, ତାହାଠାରୁ ବଡ଼ କଥା ହେଉଛି ଏହାକୁ ଦଳୀୟ ସୀମା ଉପରକୁ ନେଇ ଜାତୀୟ ଅଭିଯାନ କରିବା । କାରଣ ତ୍ରିରଙ୍ଗା କୌଣସି ଦଳର ନୁହେଁ, କୌଣସି ସରକାରର ନୁହେଁ, କୌଣସି ଅଂଚଳର ନୁହେଁ, ତ୍ରିରଙ୍ଗା ହେଉଛି ୧୪୦ କୋଟିରୁ ଅଧିକ ଭାରତୀୟଙ୍କ ଆତ୍ମପରିଚୟର ପ୍ରତୀକ ।
ତେଣୁ ‘ଘରେ ଘରେ ତ୍ରିରଙ୍ଗା’ର ପ୍ରକୃତ ସଫଳତା ସେତେବେଳେ ହେବ, ଯେତେବେଳେ ଘର ଉପରେ ଉଡ଼ୁଥିବା ତ୍ରିରଙ୍ଗା ଯୁବ ହୃଦୟରେ ଦାୟିତ୍ୱବୋଧ, ସେବାଭାବ, ଶୃଙ୍ଖଳା ଓ ଦେଶ ଗଠନର ସଂକଳ୍ପକୁ ଜାଗ୍ରତ କରିବ ।

ଘରେ ଘରେ ତ୍ରିରଙ୍ଗା – ହୃଦୟେ ହୃଦୟେ ଭାରତ!

  • ମନମୋହନ ସାମଲ
    ରାଜ୍ୟ ସଭାପତି,
    ଭାରତୀୟ ଜନତା ପାର୍ଟି, ଓଡିଶା
    ଏବଂ ରାଜ୍ୟସଭା ସାଂସଦ

Share

Leave a Reply