02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ ।ମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ॥

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୨୩ ଶ୍ଳୋକ :

ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ॥

ହେ ପାର୍ଥ (ଅର୍ଜୁନ) ! ଯଦି ମୁଁ ସଦା ସଚେତନ ଭାବରେ କର୍ମରେ ଲିନ ନ ହେବି, ତେବେ ସମସ୍ତ ମନୁଷ୍ୟମାନେ ମୋର ପଥକୁ ଅନୁସରଣ କରିବେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କର୍ମର ଆବଶ୍ୟକତା ଏବଂ ଆଦର୍ଶ ନେତୃତ୍ଵର ମହତ୍ତ୍ୱ ବିଷୟରେ କହୁଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯଦି ସେ ନିଜେ କର୍ମ କରିବେ ନାହିଁ, ତେବେ ସାଧାରଣ ଲୋକମାନେ ମଧ୍ୟ କର୍ମ କରିବା ଛାଡ଼ିଦେବେ । କାରଣ ଲୋକମାନେ ସଦା ମହାନ ବ୍ୟକ୍ତିଙ୍କୁ ଅନୁସରଣ କରନ୍ତି । ଯଦି ଶ୍ରେଷ୍ଠ ବ୍ୟକ୍ତି କର୍ମ ନ କରନ୍ତି, ତେବେ ସମାଜରେ ଅନିୟମ ଓ ଆଳସ୍ୟତା ଆସିବ । ସମାଜର ସମତା ଓ ଶୃଙ୍ଖଳା ରକ୍ଷା ପାଇଁ କର୍ମ ଆବଶ୍ୟକ । ଶ୍ରୀକୃଷ୍ଣଙ୍କ ପାଇଁ କୌଣସି କର୍ତ୍ତବ୍ୟ ନଥିଲେ ମଧ୍ୟ, ସେ କର୍ମ କରନ୍ତି, କାରଣ ସେ ସମାଜକୁ ଠିକ ପଥ ଦେଖାଇବାକୁ ଚାହୁଁଛନ୍ତି । ଏହା ନିଷ୍କାମ କର୍ମର ସର୍ବୋତ୍ତମ ଉଦାହରଣ ।
ଶ୍ରେଷ୍ଠ ବ୍ୟକ୍ତିଙ୍କର ଆଚରଣ ସମାଜ ପାଇଁ ଆଦର୍ଶ ହୋଇଥାଏ । ସାଧାରଣ ଲୋକମାନେ ମହାନ ବ୍ୟକ୍ତିଙ୍କୁ ଦେଖି ତାଙ୍କ ପଥକୁ ଅନୁସରଣ କରନ୍ତି । ଯଦି ନେତା, ଗୁରୁ, ଶିକ୍ଷକ କିମ୍ବା ଶ୍ରେଷ୍ଠ ବ୍ୟକ୍ତି ନିଜ କର୍ତ୍ତବ୍ୟ ପାଳନରେ ଆଳସ୍ୟତା ଦେଖାନ୍ତି, ତେବେ ସମାଜରେ ଅନୁଶାସନହୀନତା ଓ ଅସ୍ଥିରତା ସୃଷ୍ଟି ହୁଏ । ଶ୍ରୀକୃଷ୍ଣ ସ୍ୱୟଂ ସର୍ବଶକ୍ତିମାନ ଓ ସର୍ବସିଦ୍ଧ; ତାଙ୍କ ପାଇଁ କୌଣସି ଅପୂର୍ଣ୍ଣତା ନାହିଁ, କୌଣସି କର୍ତ୍ତବ୍ୟ ବାଧ୍ୟତା ନାହିଁ । ତଥାପି ସେ କର୍ମ କରନ୍ତି । ଏହାର ଅର୍ଥ ହେଉଛି – କର୍ମ କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ; ଏହା ସମାଜର ମଙ୍ଗଳ ଓ ଲୋକଶିକ୍ଷା ପାଇଁ ମଧ୍ୟ ଆବଶ୍ୟକ । ନିଷ୍କାମ ଭାବରେ କରାଯାଇଥିବା କର୍ମ ସମାଜକୁ ଶୃଙ୍ଖଳିତ ଓ ସୁସଂଗଠିତ ରଖେ ।

Oplus_16908288


ପରିବାର ହେଉଛି ସମାଜର ମୂଳ ଏକକ, ଏବଂ ପରିବାରରେ ଥିବା ବୃଦ୍ଧ, ମାତାପିତା ଓ ଅଭିଭାବକମାନେ ଛୋଟମାନଙ୍କ ପାଇଁ ଆଦର୍ଶ ହୋଇଥାନ୍ତି । ପରିବାରରେ ଶିଶୁମାନେ ପ୍ରଥମେ ତାଙ୍କର ମାତାପିତାଙ୍କୁ ଦେଖି ଶିଖନ୍ତି । ମାତାପିତାଙ୍କର ଆଚରଣ, କର୍ତ୍ତବ୍ୟପାଳନ, ଶୃଙ୍ଖଳା ଓ ନୈତିକତା ଶିଶୁମାନଙ୍କ ମନରେ ଗଭୀର ପ୍ରଭାବ ପକାଏ । ଯଦି ମାତାପିତା ନିଜ କର୍ତ୍ତବ୍ୟରେ ଆଳସ୍ୟତା ଦେଖାନ୍ତି କିମ୍ବା ଅନୁଶାସନ ରକ୍ଷା କରନ୍ତି ନାହିଁ, ତେବେ ଶିଶୁମାନେ ମଧ୍ୟ ସେହି ପଥକୁ ଅନୁସରଣ କରନ୍ତି । ତେଣୁ, ପରିବାରରେ ଥିବା ବଡ଼ମାନେ ନିଜେ ଆଦର୍ଶ ହୋଇ ନିଜ କର୍ତ୍ତବ୍ୟକୁ ସଚେତନ ଭାବରେ ପାଳନ କରିବା ଉଚିତ । ପରିବାରର ମୁଖ୍ୟ ବ୍ୟକ୍ତି ଯଦି ଦାୟିତ୍ୱଶୀଳ ଓ କର୍ମନିଷ୍ଠ ହୁଅନ୍ତି, ତେବେ ପରିବାରରେ ଶାନ୍ତି, ସମନ୍ୱୟ ଓ ଶୃଙ୍ଖଳା ରହେ । ଉଦାହରଣ ସ୍ୱରୂପ, ଯଦି ପିତା କିମ୍ବା ମାତା ପରିଶ୍ରମୀ, ସତ୍ୟନିଷ୍ଠ ଓ ନୈତିକ ହୁଅନ୍ତି, ତେବେ ସନ୍ତାନମାନେ ମଧ୍ୟ ସେହି ଗୁଣ ଅନୁସରଣ କରନ୍ତି। ଏହା ପରିବାରକୁ ସୁଦୃଢ଼ ଓ ସୁସଂଗଠିତ କରେ । ଯଦି ବଡ଼ମାନେ ନିଜ କର୍ତ୍ତବ୍ୟରୁ ପଛୁଆହେବେ, ତେବେ ପରିବାରରେ ଅନୁଶାସନହୀନତା ଓ ଅସମନ୍ୱୟ ସୃଷ୍ଟି ହୁଏ । ତେଣୁ, ପରିବାରର ଉନ୍ନତି ପାଇଁ ବଡ଼ମାନଙ୍କର କର୍ମନିଷ୍ଠା ଓ ଆଦର୍ଶ ଆଚରଣ ଅତ୍ୟନ୍ତ ଆବଶ୍ୟକ ।
ସମାଜର ଶୃଙ୍ଖଳା ଓ ସମନ୍ୱୟ ରକ୍ଷା ପାଇଁ ନେତାମାନଙ୍କର କର୍ମନିଷ୍ଠା ଅତ୍ୟାବଶ୍ୟକ । ଯଦି ସମାଜର ନେତା କିମ୍ବା ଶ୍ରେଷ୍ଠ ବ୍ୟକ୍ତି ନିଜ କର୍ତ୍ତବ୍ୟ ପାଳନରେ ଆଳସ୍ୟତା ଦେଖାନ୍ତି, ତେବେ ସମାଜରେ ଅନିୟମତିତତା, ଅନୈତିକତା ଓ ଅସ୍ଥିରତା ସୃଷ୍ଟି ହୁଏ । ଲୋକମାନେ ଭ୍ରାନ୍ତ ପଥକୁ ଅନୁସରଣ କରନ୍ତି, ଯାହା ସମାଜର ସମଗ୍ର ଉନ୍ନତିକୁ ବାଧା ଦେଇଥାଏ । ଏହାର ବିପରୀତରେ, ଯଦି ନେତାମାନେ ସତ୍ୟନିଷ୍ଠ, କର୍ତ୍ତବ୍ୟନିଷ୍ଠ ଓ ଆଦର୍ଶ ହୁଅନ୍ତି, ତେବେ ସମାଜରେ ଶୃଙ୍ଖଳା, ନୈତିକତା ଓ ସମନ୍ୱୟ ସ୍ଥାପିତ ହୁଏ । ସମାଜରେ ଶ୍ରେଷ୍ଠ ବ୍ୟକ୍ତି ଓ ନେତାମାନେ ନିଜ କର୍ମ ଓ ଆଦର୍ଶ ଆଚରଣ ଦ୍ୱାରା ସମାଜକୁ ସଠିକ ପଥରେ ନେବା ଉଚିତ, କାରଣ ସମାଜ ସଦା ସେମାନଙ୍କୁ ଅନୁସରଣ କରେ ।
ପରମ ସତ୍ୟ ସ୍ୱରୂପ ହେବା ସତ୍ତ୍ୱେ ମଧ୍ୟ ଶ୍ରୀକୃଷ୍ଣ କର୍ମ କରନ୍ତି, କାରଣ ସେ ଜଗତର ନିୟମ ଓ ସମତାକୁ ରକ୍ଷା କରିବାକୁ ଚାହୁଁଛନ୍ତି। କାରଣ କର୍ମ ହେଉଛି ସୃଷ୍ଟିର ମୂଳ ନିୟମ, ଏବଂ କର୍ମ ଦ୍ୱାରା ହିଁ ସୃଷ୍ଟିର ଚକ୍ର ଚାଲିଥାଏ । ଆତ୍ମଜ୍ଞାନୀ ବ୍ୟକ୍ତିଙ୍କ ପାଇଁ କୌଣସି ବ୍ୟକ୍ତିଗତ ଲାଭ ବା କ୍ଷତି ନଥାଏ, ତଥାପି ସେ କର୍ମ କରନ୍ତି । କାରଣ ସେ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ଜଗତର ମଙ୍ଗଳ ପାଇଁ କର୍ମ କରନ୍ତି । ଏହା ନିଷ୍କାମ କର୍ମର ସର୍ବୋଚ୍ଚ ଅବସ୍ଥାକୁ ପ୍ରକାଶ କରେ । ଗୀତାରେ ଶ୍ରୀକୃଷ୍ଣ ‘ମୁଁ’ ଶବ୍ଦର ପ୍ରୟୋଗ ଦେବକୀ ପୁତ୍ର କୃଷ୍ଣଙ୍କ ଅର୍ଥରେ କରି ନାହାନ୍ତି, ବରଂ ଶୁଦ୍ଧ ଆତ୍ମସ୍ୱରୂପ ଦୃଷ୍ଟିରେ, ଆତ୍ମାନୁଭଵୀ ପୁରୁଷ ଅର୍ଥରେ କରିଛନ୍ତି । ଭଗବାନ କ୍ରିୟାଶୀଳ ହୋଇ ଜଗତରେ ନ ରହିଲେ, ସମାଜ ଗତିହୀନ ହୋଇଯିବ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply