tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଲୁଟୁଛି ଟାଟା? ଓଡିଶାର ସୁରକ୍ଷା ଜମା ପଞ୍ଜାବ ଠାରୁ ଢେର ଅଧିକ

1 min read
  • ଆନନ୍ଦ ମହାପାତ୍ର,ଶକ୍ତି ସମୀକ୍ଷକ
  • +++++++++++++++++++
  • ପଞ୍ଜାବ ଭଳି ସୁରକ୍ଷା ଜମା ନିୟମ ସୁଲଭ ଓ ସରଳ ହେଉ; ସମୀକ୍ଷକ

ଓଡିଶା ବିଦ୍ୟୁତସେବାରେ ନିୟୋଜିତ ଥିବା ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ ପାଇଁ ନୋଟିସ ଦେବା ପରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ବିରୋଧୀ ରାଜନୈତିକ ଦଳ ବିଜେଡ଼ି ଓ କଂଗ୍ରେସ, ଉପଭୋକ୍ତା ମହାସଂଘ ସହିତ ବୁଦ୍ଧିଜୀବୀଗଣ ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିବା ସହ ପ୍ରତ୍ୟାହାର ପାଇଁ ଓଇଆରସି ଓ ଟାଟା ପାୱାର ନିକଟରେ ଦାବି କରିଛନ୍ତି। ଏହାକୁ ନେଇ ବିବାଦ ଥମି ନଥିବା ବେଳେ ଆଉ ଗୋଟିଏ ଖବର ସାମ୍ନାକୁ ଆସିଛି। ଓଡିଶାର ଏକକୋଟି ବିଦ୍ୟୁତ ଉପଭୋକ୍ତା ପଞ୍ଜାବ ଠାରୁ ବହୁଗୁଣ ଅଧିକ ସୁରକ୍ଷା ଜମା ପଇଠ କରୁଥିବା ଜଣାପଡିଛି।

ସୂଚନା ଅନୁଯାଇ ଓଡିଶାର ଘରୋଇ ଉପଭୋକ୍ତା ୨ କିଲୋୱାଟ ସଂଯୋଗ ପାଇଁ ସୁରକ୍ଷା ଜମା ବାବଦକୁ ୧ ହଜାର ୨୫୪ ଟଙ୍କା ପଇଠ କରୁଥିବାବେଳେ ପଞ୍ଜାବ ଉପଭୋକ୍ତା ୧ ହଜାର ୨୦୦ ଟଙ୍କା ଦେଉଛନ୍ତି। ୧୦ କିଲୋୱାଟ ବିଦ୍ୟୁତ ସଂଯୋଗ ପାଇଁ ପଞ୍ଜାବର ଘରୋଇ ଉପଭୋକ୍ତା ମାତ୍ର ୩ ହଜାର ଟଙ୍କା ଦେଉଥିବା ବେଳେ ଓଡିଶା ଉପଭୋକ୍ତା ତାର ପ୍ରାୟ ୩ ଗୁଣ ଅଧିକ ଦେଉଛନ୍ତି। ବାଣିଜ୍ୟ ଉଦ୍ଧେଶ୍ଵରେ ୨ କିଲୋୱାଟ ସଂଯୋଗ ନେଲେ ଓଡିଶା ଉପଭୋକ୍ତା ପଞ୍ଜାବ ଠାରୁ ସାଡେ ତିନିଗୁଣ ଅଧିକ ସୁରକ୍ଷା ଜମା ପଇଠ କରୁଛି। ସେହିପରି ବାଣିଜ୍ୟ ପ୍ରତିଷ୍ଠାନ ୧୦ କିଲୋୱାଟ ବିଦ୍ୟୁତ ସଂଯୋଗ ନେଲେ ଓଡିଶା ଉପଭୋକ୍ତା ପଞ୍ଜାବ ଠାରୁ ୭ ଗୁଣ ଅଧିକ ପଇଠ କରୁଛି। ୯୦ କିଲୋୱାଟ କ୍ଷମତାର କୃଷିଭିତ୍ତିକ ଉଦ୍ୟୋଗ ପାଇଁ ଓଡିଶା ଲୋକ ୧ ଲକ୍ଷ ୪୫ ହଜାର ଟଙ୍କା ଦେଉଥିବା ବେଳେ ପଞ୍ଜାବରେ ଦେବାକୁ ପଡୁଛି ମାତ୍ର ୩୬ ହଜାର ଟଙ୍କା। ରାସ୍ତା ଆଲୋକିକରଣ ଓ ପାନୀୟଜଳ ପ୍ରକଳ୍ପ ପାଇଁ ଓଡିଶା ଜନଗଣ ବହୁଗୁଣରେ ପଞ୍ଜାବ ଠାରୁ ଅଧିକ ପଇଠ କରୁଛନ୍ତି। କ୍ଷୁଦ୍ର, ମଧ୍ୟମ ଓ ବଡ ଉଦ୍ୟୋଗକୁ ବିଦ୍ୟୁତ ସଂଯୋଗ ନେବାପାଇଁ ଓଡିଶା ଲୋକ ପଞ୍ଜାବ ଠାରୁ ପ୍ରାୟ ୩ ଗୁଣ ଅଧିକ ସୁରକ୍ଷା ଜମା ପଇଠ କରିବା ଆମର ଶିଳ୍ପବିକାଶ ଉପରେ ନକରାତ୍ମକ ପ୍ରଭାବ ପକାଉଛି। ନିମ୍ନରେ ପ୍ରଦର୍ଶିତ ସାରଣୀ ଅନୁସାରେ ଓଡିଶାର ସମସ୍ତ ଶ୍ରେଣୀର ଉପଭୋକ୍ତା ପଞ୍ଜାବ ଠାରୁ ବହୁଗୁଣ ଅଧିକ ସୁରକ୍ଷା ଜମା ବିତରଣ କମ୍ପାନୀକୁ ପଇଠ କରୁଛନ୍ତି।

ବିଦ୍ୟୁତ ଉପଭୋକ୍ତାଙ୍କ ସୁରକ୍ଷା ଜମା (ଟଙ୍କାରେ)

  • ଉପଭୋକ୍ତା(କିଲୋୱାଟ)
    ଓଡିଶା
    ପଞ୍ଜାବ
  • ଘରୋଇ-୨ କିୱା
    ୧୨୫୪
    ୧୨୦୦
  • ଘରୋଇ-୧୦ କିୱା
    ୮୨୮୪
    ୩୦୦୦
  • ବାଣିଜ୍ୟ- ୨ କିୱା
    ୬୧୦୬
    ୧୭୬୦
  • ବାଣିଜ୍ୟ- ୧୦ କିୱା
    ୩୨୫୫୨
    ୪୭୦୦
  • କୃଷି ଉଦ୍ୟୋଗ- ୯୦ କିୱା
    ୧୪୫୧୪୦
    ୩୬୦୦୦
  • ରାସ୍ତା ଆଲୋକ-୫୦ କିୱା
    ୨୨୪୭୧୦
    ୧୪୦୦୦୦
  • ପାନୀୟଜଳ- ୫୦ କିୱା
    ୨୨୮୨୦୦
    ୭୫୦୦୦
  • ନୀୟଜଳ(ବଡ)-୧୫୦କିୱା
    ୬୯୧୮୦୦
    ୨୨୫୦୦୦
  • କ୍ଷୁଦ୍ର ଉଦ୍ୟୋଗ- ୧୫ କିୱା
    ୨୭୯୨୪
    ୯୭୫୦
  • ମଧ୍ୟମ ଉଦ୍ୟୋଗ- ୫୦ କିୱା
    ୧୪୧୯୬୦
    ୪୫୦୦୦
  • ବଡ ଉଦ୍ୟୋଗ-୫୦୦ କିୱା
    ୩୦୬୯୨୦୦
    ୯୫୦୦୦୦
  • ବିଦ୍ୟୁତ ଆଇନ, ୨୦୦୩ ଧାରା ୪୭ ଅନୁସାରେ ବିତରଣ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ଠାରୁ ସୁରକ୍ଷା ଜମା ଆଦାୟ କରିପାରିବେ। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଗୁଡିକ ଆବଶ୍ୟକୀୟ ସପ୍ଲାଇ କୋଡ ପ୍ରଣୟନ କରିବା ପାଇଁ ନିର୍ଦ୍ଧେଶ ଅଛି। ପଞ୍ଜାବ ଆୟୋଗ ପ୍ରଣୟନ କରିଥିବା ନିୟମ ଅନୁସାରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ପାଇଁ ଘରୋଇ ଉପଭୋକ୍ତାଙ୍କୁ କିଲୋୱାଟ ପିଛା ୬୦୦ ଟଙ୍କା ଦେବାକୁ ପଡୁଥିବାବେଳେ ୨ ରୁ ୫ କିଲୋୱାଟ ପର୍ଯ୍ୟନ୍ତ ୯୦୦ ଟଙ୍କା ଓ ୫ କିଲୋୱାଟରୁ ଅଧିକ ହେଲେ କିଲୋୱାଟ ପିଛା ୧୨୦୦ ଟଙ୍କା ହିସାବରେ ବିତରଣ କମ୍ପାନୀକୁ ଦେଉଛନ୍ତି। ବାଣିଜ୍ୟିକ ଅନୁଷ୍ଠାନ, କୃଷି ଓ କୃଷିଭିତ୍ତିକ ଉଦ୍ୟୋଗ, ରାସ୍ତା ଆଲୋକିକରଣ, ଜଳଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବଡ ଉଦ୍ୟୋଗ ପାଇଁ କିଲୋୱାଟ ପିଛା ୩୦୦ ଟଙ୍କାରୁ ଆରମ୍ବ କରି ୨୮୦୦ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରିଛନ୍ତି। ପଞ୍ଜାବ ଆୟୋଗ ପ୍ରଣୟନ କରିଥିବା ସୁରକ୍ଷା ଜମା ଅଦାୟ ନିୟମ ଓଡିଶା ନିୟମ ଠାରୁ ଅଧିକ ସୁଲଭ, ସରଳ ଓ ସହଜ ହୋଇଛି। ଏପରି ସୁଲଭ ଓ ସରଳ ନିୟମ ଆନ୍ଧ୍ର ଓ ଦିଲ୍ଲୀ ଭଳି ଅନ୍ୟାନ ରାଜ୍ୟ ଆପଣେଇଛନ୍ତି।

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କ ମତରେ ପଞ୍ଜାବ ଆପଣେଇଥିବା ସୁଲଭ ଓ ସରଳ ନିୟମକୁ ଅଣଦେଖା କରି ଓଡିଶା ଆୟୋଗ ଏକ ଜଟିଳ ପକ୍ରିୟାରେ ବଳବତ୍ତର ଥିବା ବିଦ୍ୟୁତ ମୂଲ୍ୟ ଆଧାରରେ ୨ ମାସର ବିଦ୍ୟୁତ ମୂଲ୍ୟ ସହିତ ଫିକ୍ସଡ/ଡିମାଣ୍ଡ ଚାର୍ଜ ଯୋଗକରି ଅତ୍ୟଧିକ ସୁରକ୍ଷା ଜମା ଉପଭୋକ୍ତାଙ୍କ ଠାରୁ ଆଦାୟ କରୁଛନ୍ତି। ପଞ୍ଜାବ ନିୟମକୁ ଉପଭୋକ୍ତା ସହଜରେ ବୁଝୁଥିବା ବେଳେ ଓଡିଶା ନିୟମକୁ ବୁଝିବା ପାଇଁ ବହୁତ ସମସ୍ୟା ହେଉଛି, ଯାହା ଶୋଷଣର ଏକ ମାଧ୍ୟମ ହୋଇଛି। ତେଣୁ ଓଡିଶା ଆୟୋଗ ପ୍ରଣିତ କରିଥିବା ସୁରକ୍ଷା ଜମା ଆଦାୟ ନିୟମକୁ ପଞ୍ଜାବ ଭଳି ସୁଲଭ ଓ ସରଳ ହୋଇପାରିଲେ ଓଡିଶା ଉପଭୋକ୍ତା ଉପକୃତ ହେବେ। ଏଥିପାଇଁ ଶ୍ରୀ ମହାପାତ୍ର ଟାଟା ପାୱାର ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ବଳବତ୍ତର ଥିବା ସପ୍ଲାଇ କୋଡକୁ ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ନିବେଦନ କରିଛନ୍ତି।(କ୍ରମଶଃ )

  • ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର ୮୮୯୫୪୧୮୧୬୯
Share

Leave a Reply