ସବୁ ସୁନାବେଶ ରାଜବେଶ ନୁହେଁ..ରାଜବେଶ ବର୍ଷକୁ ହୁଏ ପାଞ୍ଚ ଥର
1 min read
Oplus_16908288
- ରାଜବେଶ ବା ସୁନାବେଶ
ରାଜବେଶକୁ ବଡ଼ ତଡଉ ବେଶ ମଧ୍ୟ କହନ୍ତି |ତଡଉ ମାନେ ସୁନା |ଏ ଦିଗରୁ ଦେଖିଲେ ରାଜ ବେଶକୁ ବଡ ତଡଉ ବେଶ କୁହାଯିବାର ଯଥାର୍ଥ୍ୟ ରହିଛି | ରତ୍ନ ଭଣ୍ଡାର ବା ଭଣ୍ଡାର କରଣ ସେବକ ହେଉଛନ୍ତି ତଡଉ କରଣ |
ରତ୍ନ ବେଦିରେ ତ୍ରିମୁର୍ତ୍ତିଙ୍କ ଶ୍ରୀଅଙ୍ଗରେ ବର୍ଷ ସାରା,ଅଣସର ସମୟକୁ ଛାଡି କିଛି ନା କିଛି ଅଳଙ୍କାରଲାଗି ହୋଇଥାଏ |ଶ୍ରୀ ଅଙ୍ଗରେ ସର୍ବଦା ତିନି ଦିଅଁଙ୍କର ସୁବର୍ଣ୍ଣ ଝୋବା କଣ୍ଠି, (2ମୂର୍ତ୍ତି ଲେଖାଏଁ )ଥାଏ |ପ୍ରତ୍ୟେକ ଧୂପ ପୂଜାରେ ଗୋଟିଏ ଲେଖାଏଁ ସୁନା ଚିତା ଲାଗି ହୁଅନ୍ତି | ନୀଳାଦ୍ରି ବିଜେ ଠାରୁ ଚିତାଲାଗି ଅମାବାସ୍ୟା ଯାଏ ଶ୍ରୀଗୁଣ୍ଡିଚା ବେଶ ହୁଅନ୍ତି |
ଏହି ବେଶରେ ଲାଗି ହେଉଥିବା ରତ୍ନ ଅଳଙ୍କାରମାନ ହେଲା
– ନଳୀ ଭୁଜ-2,କୁଣ୍ଡଳ -2,ମାଳି -1,ତିଳକ -1ଦୁଇ ଠାକୁରଙ୍କ ପାଇଁ ଓ ମାଳି 1ଓ ତଡ଼କୀ -2 ସୁଭଦ୍ରାଙ୍କ ପାଇଁ |ଆଉ କେତୋଟି ପର୍ବ ପର୍ବାଣି ଦିନରେ ଯଥା :-ବାମନ ଜନ୍ମ, ରାଧା -ଦାମୋଦର ବେଶ, ଚାଚେରୀ ବେଶରେ ଅଧିକ ଅଳଙ୍କାର ଲାଗି ହୁଅନ୍ତି | ଏଣୁ କହିବା ସମିଚୀନ ହେବ ଯେ ସବୁ ରାଜବେଶ ସୁନାବେଶ କିନ୍ତୁ

ସବୁ ସୁନାବେଶ ରାଜବେଶ ନୁହେଁ |
ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ |
ସେହି ଦିନ ସବୁ ହେଲା ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣିମା,ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଓ ରଥ ଉପରେ ବଡ଼ ଏକାଦଶୀ |କେବଳ ରଥ ଉପରେ ରାଜ ବେଶ ଶ୍ରୀମନ୍ଦିର ବାହାରେ ହୁଏ | ରଥ ଉପରେ ଏହି ବେଶକୁ ବଡ଼ ତଡଉ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାର ରାଜ ବେଶକୁ ରାଜ ରାଜେଶ୍ୱର ବେଶ କୁହାଯାଏ |
ରଥ ଉପରେ ରାଜ ବେଶ ପ୍ରଭୁଙ୍କର ଐଶ୍ୱର୍ଯ୍ୟକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାଏ |ଏହି ବେଶର ତାଲିକା ଦେଖିଲେ ଆମେ ମୁଗ୍ଧ ହୋଇଯାଉ |
- ଶ୍ରୀପୟର -4,ଶ୍ରୀଭୁଜ -4(ଦେବୀଙ୍କର ନାହିଁ )କିରିଟ -3,କାନ -6,(ପ୍ରତ୍ୟେକ 2),ବାହାଡା ମାଳି -2(ଶ୍ରୀ ବଳଭଦ୍ର -1,ଶ୍ରୀଜଗନ୍ନାଥ -1)ତାବିଜ ମାଳି -1(ଶ୍ରୀ ଜଗନ୍ନାଥ )ବାଘନଖି ମାଳି -1(ଶ୍ରୀଜଗନ୍ନାଥ )କଦମ୍ବ ମାଳି -4(ଶ୍ରୀବଳଭଦ୍ର -2,ଶ୍ରୀଜଗନ୍ନାଥ -1,ଦେବୀ ସୁଭଦ୍ରା -1)ସେବତୀ ମାଳି -3(ପ୍ରତ୍ୟେକ -1)ହଳ ମୁଷଳ (1+1,ଶ୍ରୀବଳଭଦ୍ର )ଚକ୍ର -1(ଶ୍ରୀଜଗନ୍ନାଥ ), ତିଳକ -2(ଶ୍ରୀ ବଳଭଦ୍ର -1,ଶ୍ରୀ ଜଗନ୍ନାଥ -1)ଆଡ଼କାନି -4(ଶ୍ରୀ ବଳଭଦ୍ର -2,ଶ୍ରୀଜଗନ୍ନାଥ -2)ଚନ୍ଦ୍ରସୂର୍ଯ୍ୟ -6(ପ୍ରତ୍ୟେକ 2) ଅଳକା -3(ପ୍ରତ୍ୟେକ -1),ଓଡ଼ିଆଣୀ -3(ପ୍ରତ୍ୟେକ-1),ଚନ୍ଦ୍ରିକା -2,( ,ଶ୍ରୀବଳଭଦ୍ର -1,ଶ୍ରୀଜଗନ୍ନାଥ -1)ତଡକୀ -2 (ଶ୍ରୀ ବଳଭଦ୍ର – ଶ୍ରୀଜଗନ୍ନାଥ -1),ଶଙ୍ଖ -1(ରୁପା ନିର୍ମିତ, ଶ୍ରୀଜଗନ୍ନାଥ ଙ୍କର )
- ଏହି ରାଜ ବେଶରେ ଶଙ୍ଖଟି ରୁପାର ଓ ଅନ୍ୟ ସବୁ ସୁନାର | ରଥ ଉପରେ ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନ ଥାଏ | ତାହା ହେଲା ସୁନାର ରାହୁ ରେଖା ଓ ରତ୍ନ ଚିତା |ରଥ ଯାତ୍ରା ସମୟରେ ତିନି ଦିଅଁଙ୍କର ଶ୍ରୀମୁଖ ମଣ୍ଡଳରେ ପ୍ରକୃତ ରତ୍ନ ଚିତା ନ ଥାଏ | ରଥ ଯାତ୍ରା ଦିନ ପହଣ୍ଡି ଶେଷରେ ଓ ଛେରା ପହଁରା ପୂର୍ବରୁ ତିନି ଦିଅଁଙ୍କୁ ଗୋଟିଏ ଲେଖାଁ ସୋଲ ଚିତା ଲାଗି କରାଯାଏ | ସୋଲ ଚିତା ମଝିରେ ଅଳ୍ପ ପରିମାଣ ସୁନା ଓ ରତ୍ନ ପଥର ବସାଯାଇଥାଏ |
ଏହି ସୁନ୍ଦର ସୁନା ବେଶ କେବେ ଠାରୁ ପ୍ରଚଳିତ ହେଲା ତାର ନିର୍ଦିଷ୍ଟ ସମୟ ଜଣା ନ ଥିଲେ ହେଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ ଓଡିଶାର ରାଜା ବୋଲି ଗଙ୍ଗ ବଂଶର ରାଜା ଅନଙ୍ଗଭୀମ ଦେବ -3ୟ (ଖ୍ରୀଷ୍ଟାବ୍ଦ 1211-1238)ଘୋଷଣା କରିଥିଲେ | ହୁଏତ ତାଙ୍କ ସମtୟରେ ଏହି ବେଶ ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ | ତେବେ ଏତିକି କୁହାଯାଇପାରେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜକୀୟତା ଓ ଐଶ୍ୱର୍ଯ୍ୟ ରାଜବେଶରେ ପ୍ରତିଫଳିତ ହୋଇଥାଏ | ମହାପ୍ରଭୁ ହେଉଛନ୍ତି ଆଶ୍ଚର୍ଯ୍ୟ ଓ ଐଶ୍ଵର୍ଯ୍ୟର ଖଣି | ମାଧ୍ୟାହ୍ନ ଧୂପ ପରେ ରଥାରୁଢ଼ ପ୍ରଭୂ ସୁବର୍ଣ୍ଣ ଅଳଙ୍କାର ମଣ୍ଡିତ ହୋଇ ଭକ୍ତଜନଙ୍କୁ ମୁଗ୍ଧ କରନ୍ତି | ଏହି ଦୁର୍ଲଭ ସୁନାବେଶରେ ପ୍ରଭୁଙ୍କର ମଣ୍ଡଣୀରେ ଲାଗିଥିବା ସୁନାର ଓଜନ ପ୍ରାୟ ଦୁଇ କୁଇଣ୍ଟାଲ ଆଠ କିଲୋଗ୍ରାମ |
ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ ପରେ 16ଟି ହାତୀ ଉପରେ ସୁନା ନେଇକରି ଆସିଥିଲେ ଓ ସେହି ସୁନା ସୁନାବେଶ ରେ ନିୟୋଜିତ ହୋଇଛି ବୋଲି କୁହାଯାଏ | ତେବେ ଯାହା ହେଊ ଭାବ ବିନୋଦିୟା କାଳିଆ ଠାକୁର, ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ମା’ସୁଭଦ୍ରା ଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତଗଣ ପରିତୃପ୍ତ ହୋଇଥାନ୍ତି|ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ଵନିରେ ବଡଦାଣ୍ଡ ପ୍ରକମ୍ପିତ ହୁଏ |

ହରିଶୟନ ଯାତ୍ରା
+++++++++++++++++++++
ଶ୍ରୀମନ୍ଦିର ପରମ୍ପରାରେ ବାର ମାସରେ ତେର ପର୍ବ ପାଳିତ ହୁଏ | ଲୀଳାମୟ ନୀଳାଦ୍ରୀଶଙ୍କ ସ୍ୱୟଂ ନିର୍ଦେଶ କ୍ରମେ ଏ ସମସ୍ତ ପର୍ବ ଓ ଯାତ୍ରା ଅନୁଷ୍ଠିତ ହୁଏ |ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ସବୁ ହେଲା ସ୍ନାନ ଯାତ୍ରା, ରଥ ଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ଵ ପରିବର୍ତ୍ତନ, ଦେବୋତ୍ଥାନ , ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ଉତ୍ତରାୟଣ ଯାତ୍ରା, ଦୋଳ ଯାତ୍ରା, ଦୟଣା ଯାତ୍ରା, ଚନ୍ଦନ ଯାତ୍ରା (ଅକ୍ଷୟତୃତୀୟା )|ରଥଯାତ୍ରା ର ଶେଷ ଅଙ୍କ ନୀଳାଦ୍ରି ବିଜେ, ଯାହା ତ୍ରୟୋଦଶୀ ତିଥିରେ ସମ୍ପନ୍ନ ହୁଏ|ତା ପୂର୍ବରୁ ଦ୍ୱାଦଶୀରେ ଅଧର ପଣା ଓ ଗରୁଡ଼ ଶୟନ, ଓ ବଡ଼ ଏକାଦଶୀରେ ପ୍ରଭୁଙ୍କର ସୁନାବେଶ ଯାହା ରାଜ ରାଜେଶ୍ୱର ବେଶ ନାମରେ ଖ୍ୟାତ, ଅନୁଷ୍ଠିତ ହୁଏ | ଏହିଦିନକୁ ମଧ୍ୟ ହରି ଶୟନ ଏକାଦଶୀ କୁହାଯାଏ ଓ ଶୟନ ଠାକୁଙ୍କ ବିଜେ ନୀତି ଅନୁଷ୍ଠିତ ହୁଏ |
ରଥ ଉପରେ ବଡ଼ସିଂହାର ଭୋଗ ପରେ ମହାସ୍ନାନ ଓ ପୂଜା’ଠା ହେଲାପରେ ଭଣ୍ଡାର ମେକାପ ଭଣ୍ଡାର ଘରୁତିନି ମୂର୍ତ୍ତି ଶୟନ ଠାକୁରଙ୍କୁ ତିନି ରଥଙ୍କୁ ବିଜେ କରାନ୍ତି | ସେମାନେ ହେଲେ ବଡବାଡ଼ (ବଳଭଦ୍ର)-ବାସୁଦେବ, ମଝିବାଡ଼(ସୁଭଦ୍ରା)- ଭୁବନେଶ୍ୱରୀ, ମହାପ୍ରଭୁଙ୍କ ବାଡ଼ (ଶ୍ରୀଜଗନ୍ନାଥ)- ନାରାୟଣ | ଏହି ଦିଅଁ ମାନେ ଶ୍ରୀଅଙ୍ଗକୁ ଲାଗି ହେବାପରେ ତିନିଜଣ ପୂଜାପଣ୍ଡା ମହାସ୍ନାନ ବଢ଼ାନ୍ତି | ସର୍ବାଙ୍ଗ ଲାଗି, ନୂଆ ପତନୀ ଲୁଗା ଲାଗି ଓ ମାଳ ଫୁଲ ଲାଗି ହୁଅନ୍ତି | ତା’ପରେ ପାଣି ପଡି ଟେରା ବନ୍ଧାଯାଏ | ପାଳିଆ ପଢ଼ିଆରୀ ତଳିଚ୍ଛ ମହାପାତ୍ର ଓ ପ୍ରଧାନୀ ଘଣ୍ଟ, ଛତା ଓ କାହାଳୀ ସହ ବଲ୍ଲଭ ବଡ଼ସିଂହାର ଭୋଗ ରଥ ଉପରକୁ ଆଣନ୍ତି |ବଡ଼ସିଂହାର ଭୋଗ ଶେଷ ହେବାପରେ ଯଦି ଅଧିକା ଭୋଗ ହୁଏ ତାହାକୁ “ବଲ୍ଲଭ ବଡ଼ ସିଂହାର”ଭୋଗ କହନ୍ତି |ଏହି ଭୋଗ ଷୋଡଶ ଉପଚାରରେ ପୂଜାପଣ୍ଡା ପୂଜା କରନ୍ତି |
ଏହାପରେ କର୍ପୁର ଆଳତି ହୁଏ | ତିନିଜଣ ପୂଜାପଣ୍ଡା ତିନି ରଥରୁ ବିଜେ ହୋଇଥିବା ଶୟନ ଠାକୁରଙ୍କୁ ଧରି ଶ୍ରୀମନ୍ଦିର ସାତ ପାହାଚ, ଜଗମୋହନ ଦେଇ ଭଣ୍ଡାର ଘର ଦୁଆରକୁ ନିଅନ୍ତି | ତା’ପରେ ଶୟନ ଠାକୁରଙ୍କୁ ଶୟନ ଘରେ ଶେଯ ମାଣ୍ଡିରେ ଶୟନ କରାନ୍ତି | ମୁଦିରସ୍ତ ପ୍ରସାଦ ଲାଗି, ଆରତୀ ଓ ବନ୍ଦାପନା କରନ୍ତି | ପରେ ଶୟନ ଘର ଦ୍ଵାରକୁ ତଡାଉ କରଣ ମୁଦ ଦିଅନ୍ତି |
ଅଧର ପଣା ଓ ଗରୁଡ଼ ଶୟନ ନୀତି ଦ୍ୱାଦଶୀରେ ପାଳିତ ହୁଏ | ସନ୍ଧ୍ୟା ଧୂପ ପରେ ଗରୁଡ଼ସ୍ତମ୍ଭ ପାଖରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଧସୁଆର ପୂଜା ଠା’ କରିବାପରେ ଜଣେ ପୂଜାପଣ୍ଡା ମହାସ୍ନାନ କରାନ୍ତି | ତା’ପରେ ଶୀତଳ ଭୋଗ କରି ଆଳତି ଓ ବନ୍ଦାପନା କରନ୍ତି | ଏଥି ପୂର୍ବରୁ”ହରିଙ୍କ ଶୟନ”ପଲଙ୍କ ଅର୍ଥାତ ପୂର୍ବରୁ ଶୋଇଥିବା ପ୍ରଭୁଙ୍କର ପଲଙ୍କ ତଳେ ଶୋଇବା ପାଇଁ ଗରୁଡଙ୍କୁ ପ୍ରାର୍ଥନା କରାଯାଇ ଶୟନ ଯାତ୍ରା ଶେଷ କରାଯାଏ |
ଜୟ ଜଗନ୍ନାଥ 🙏🙏
- ଶ୍ରୀକାନ୍ତ ଦାଶ, ସଭାପତି “ଅବି” ଓ ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :923830419
