ଶ୍ରୀମନ୍ଦିରରେ ସ୍ବର୍ଣ୍ଣ ଚିତାଲାଗି ଅମାବାସ୍ୟା
1 min read
(ଶ୍ରୀମନ୍ଦିରରେ ଚିତାଲାଗି)
ଶ୍ରାବଣ ଅମାବାସ୍ୟାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଳିତ ହୁଏ| ଏହି ପର୍ବରେ ଅନୁସୃତ ନୀତି କାନ୍ତି ଉପରେ ସମ୍ୟକ ଆଲୋଚନା କରୁଛି|
ତଡଉ ମାନେ ସୁନା | ରତ୍ନ ଭଣ୍ଡାର ବା ଭଣ୍ଡାର କରଣ ସେବକ ହେଉଛନ୍ତି ତଡଉ କରଣ | ରତ୍ନ ବେଦିରେ ତ୍ରିମୁର୍ତ୍ତିଙ୍କ ଶ୍ରୀଅଙ୍ଗରେ ବର୍ଷ ସାରା,ଅଣସର ସମୟକୁ ଛାଡି କିଛି ନା କିଛି ଅଳଙ୍କାରଲାଗି ହୋଇଥାଏ |ଶ୍ରୀ ଅଙ୍ଗରେ ସର୍ବଦା ତିନି ଦିଅଁଙ୍କର ସୁବର୍ଣ୍ଣ ଝୋବା କଣ୍ଠି, (2ମୂର୍ତ୍ତି ଲେଖାଏଁ )ଥାଏ |ପ୍ରତ୍ୟେକ ଧୂପ ପୂଜାରେ ଗୋଟିଏ ଲେଖାଏଁ ସୁନା ଚିତା ଲାଗି ହୁଅନ୍ତି | ନୀଳାଦ୍ରି ବିଜେ ଠାରୁ ଚିତାଲାଗି ଅମାବାସ୍ୟା ଯାଏ ଶ୍ରୀଗୁଣ୍ଡିଚା ବେଶ ହୁଅନ୍ତି |ଏହି ବେଶରେ ଲାଗି ହେଉଥିବା ରତ୍ନ ଅଳଙ୍କାରମାନ ହେଲା – ନଳୀ ଭୁଜ-2,କୁଣ୍ଡଳ -2,ମାଳି -1,ତିଳକ -1ଦୁଇ ଠାକୁରଙ୍କ ପାଇଁ ଓ ମାଳି 1ଓ ତଡ଼କୀ -2 ସୁଭଦ୍ରାଙ୍କ ପାଇଁ |ଚିତାଲାଗି ଅମାବାସ୍ୟା ଶ୍ରୀମନ୍ଦିରରେ ପାଳିତ ହୁଏ |ସକାଳ ଧୂପ ପୂଜା ବସିଥିବା ବେଳେ ଭଣ୍ଡାର ମେକାପ ମୁଦ ହୋଇଥିବା ସୁନାଚିତା ତିନିଗୋଟି ଆଣି ବେହରଣ ଠାରେ ତଡଉ, ଦେଉଳ କରଣ ଓ ପ୍ରଶାସନିକ ଅଧିକାରୀଙ୍କ ମାର୍ଫତରେ ଦିଅନ୍ତି |ଶ୍ରୀମନ୍ଦିର ବଣିଆ ସେବକ ସେମାନଙ୍କ ଉପସ୍ଥିତିରେ ଚିତାମାନ ମାଜି ସଫା କରନ୍ତି |

ସକାଳ ଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ତିନି ବାଡ଼ରୁ “ଝୋବାକଣ୍ଠି “ଅଳଙ୍କାର ମଇଲମ କରି ପାଳିଆ ମେକାପଙ୍କୁ ଦିଅନ୍ତି |ସେ ସବୁ ଅଳଙ୍କାର ଭଣ୍ଡାର ମେକାପଙ୍କୁ ଦିଅନ୍ତି | ପୁଷ୍ପାଳକ ମନେ ଲକ୍ଷ୍ମୀ ଓ ସରସ୍ବତୀ (ଶ୍ରୀଦେବୀ ଓ ଭୁଦେବୀ )ଙ୍କୁ ଖଟ ଶେଜ ଘରେ ବିଜେ କରାନ୍ତି | ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକନ୍ତି |ସେମାନଙ୍କ ସାଥୀରେ ପାଳିଆ ମେକାପ ଥାଆନ୍ତି | ବାଡ଼ଗ୍ରାହୀ ଦଇତା ଓ ପତି ତିନିବାଡ଼ରେ ସିଂହାସନ ଉପରକୁ ଉଠି ଚିତାଲାଗି କରନ୍ତି |ଏଥିପାଇଁ ଅଣସର ସୁଧ ସୁଆର ଓଷୁଓ ଓ ପାଟରା ବିଶୋଇ ପାଟଡୋର ଯୋଗାନ୍ତି | ଚିତାଲାଗି ହେବାପରେ ପାଳିଆ ମେକାପ ସିଂହାସନ ଉପର ଧୁଅନ୍ତି | ସୁଧ ସୁଆର ମହାସ୍ନାନ ପୂଜା ଠା’କରନ୍ତି |ତିନିଜଣ ପୂଜାପଣ୍ଡାଆସି ମଇଲମ କରନ୍ତି | ତା’ପରେ ଭିତରେ ପାଣି ପଡି ଧୋପଖାଳ ହେବାପରେ ପୁଷ୍ପାଳକମାନେ ଆସି ମଇଲମ କରନ୍ତି |ସେମାନେ ଖଟଶେଯ ଘରେ ଥିବା ଶ୍ରୀଦେବୀ ଓ ଭୁଦେବୀଙ୍କୁ ନେଇ ସିଂହାସନରେ ବିଜେ କରାନ୍ତି | ମାଳ ଫୁଲ ଇତ୍ୟାଦି ଲାଗି ହେବାପରେ ଓ ବେଶ ବଢିବା ପରେ ଦିଅଁ ମାନେ ଛ’ମୂର୍ତ୍ତି ଅଳଙ୍କାର ଲାଗି ହୁଅନ୍ତି | ଏହାପରେ ମଧ୍ୟାହ୍ନ ଧୂପ ହୁଏ | ତା’ପରେ ପାଣି ପଡିଲା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି |
ଜୟ ଜଗନ୍ନାଥ 🙏🙏
(ସହାୟକ ଗ୍ରନ୍ଥ ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥ)
ଶ୍ରୀକାନ୍ତଦାଶ, ସଭାପତି’ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
Email srikantadash.bpc@gmail.com
