ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ : ଆକାଶଦୀପ
1 min read
ଗଳ୍ପ
*ଆକାଶଦୀପ*
ମନୋଜ କୁମାର ମହାପାତ୍ର
ସତୁରି ବର୍ଷର ବୁଢ଼ୀ କାଳିଆ-ମା ବକର ବକର ହେଉଥିଲା - ଏ ବର୍ଷ କାର୍ତ୍ତିକ ବ୍ରତ,ପଞ୍ଚୁକ ଏକୁଟିଆ ପାଳନ କରିବାକୁ ପଡିବଲୋ ମା l ବୁଢା ତ ଗଲେଣି ଆରପାରିକୁ ବର୍ଷେରୁ ବେଶୀ ହେଲା l ନଈକୁ ଗାଧେଇବା ପାଇଁ ମୋ ସାଙ୍ଗରେ କିଏ ଆଉ ଯିବ ? ଏଇ ପରା ପୂରୁବ ଆକାଶରେ ସିନ୍ଦୁରା ଫାଟିଲାଣି l କୁମ୍ଭାଟୁଆଟା ଲମ୍ବା ଲାଞ୍ଜକୁ ହଲେଇ ହଲେଇ ଶୁଜୁନା ଗଛ ଡାଳରେ ବସି ତୁହାକୁ ତୁହା ରାବୁଛି l କାର୍ତ୍ତିକ ନ ସରୁଣୁ ଦେଖୁନ ସକାଳର ହାଲୁକା ଶୀତ ପରଶରେ ମୋ ଦିହଟା ପରା ଏବେ ଶିତେଇ ଉଠିଲାଣି, ଆଗକୁ ପୁଣି ମଗୁଶିର,ପୁଷ ଅଛି l ବାହା ହେଇ ଏ ଘରକୁ ଆସିବା ଦିନରୁ ସେ ଓ ମୁଁ ପ୍ରତିବର୍ଷ କାର୍ତ୍ତିକ ବ୍ରତ ଆଉ ପଞ୍ଚୁକ କେତେ ଖୁସିରେ ପାଳନ କରୁଥିଲୁ l ଆଜି ମୁଁ ଏକା l ହଉ ପ୍ରଭୁ ରଘୁନାଥଙ୍କ ଇଛା l ବାଡ଼ିଟିକୁ ଧରି ନଈ ଆଡକୁ ଠୁକଠୁକ କରି ଚାଲିଲା ଅତି ନିରାଶରେ l
ବାଉଁଶବୁଦା-ଗୁଡାକ ଏଡ଼େ ଏଡ଼େ ଡେଙ୍ଗା ହେଇ ଠିଆହେଇଛି, ସେଥିରେ ପୁଣି ଶିଆଳିଲଟା ମାଡିଛି, ଉପରେ ତ ଆକାଶ ଦିଶୁନି, ଜହ୍ନର ଆଲୁଅ କେମିତି ତଳେ ପଡିବ ? ନଈ ପର୍ଯ୍ୟନ୍ତ ଅଙ୍କାବଙ୍କା ହେଇ ପଡ଼ିଥିବା ପାଦଚଲା ବାଟଟା ଜହ୍ନ ଆଲୁଅ ଧିସାରେ ଛାବୁଲା ଛାବୁଲା ଦିଶୁଛି l ଆଖିକୁ କଣ ଦେଖାଯାଉଛି l ଝୁଣ୍ଟି ପଡିଲେ ଆଉ କଣ ଉଠିପାରିବି ? ଏମିତି ବକର ବକର ହେଇ ନଈ କୂଳରେ ସେ ପହଁଚିଲା l
ତେରସ୍ତା ସାଲ କାଳିଆ-ବାପ ଜାମ୍ବ ଓ କେନ୍ଦୁଗଛର ଗଣ୍ଡି ପକାଇ ଏଇ ତୁଠଟା ତିଆରି କରିଥିଲା, ପଞ୍ଚୁକରେ ଭୋରୁ ଗାଧେଇବା ପାଇଁ l ଦେଖୁନ ବାଉଁଶ ଖୁଣ୍ଟିଗୁଡିକରେ ଭିଡା ହେଇଥିବା କେରଟର ଗଣ୍ଠି, ଟିକିଏ ବି ଆଜି ଯାଏଁ ହୁଗୁଳା ହେଇନି l ତାର ମନ ଯେମିତି କାମ ସେମିତି l ତୁଠର କାଠଗଣ୍ଡି ଉପରେ ବସି ଖଣ୍ଡିଏ ବାଉଁଶ-କଣିରେ ବୁଢୀ ଦାନ୍ତ ଘଷୁଥାଏ,ବକର ବକର ବି ହେଉଥାଏ l
ପୁଣି ବୁଢୀ କହୁଛି - ବକର ବକର ହେବା କାଳେ ମୋର ଗୋଟେ ସ୍ୱଭାବ l ମୁଁ କହୁନି ମଃ, ସେଇ କାଳିଆ-ବାପ ମୋତେ ପରା ଏଥିପାଇଁ ସାର୍ଟିଫିକେଟ ଦେଇଯାଇଛି l ସେ ଏମିତି ମୋତେ କହି ଚିଡ଼ାଇଲେ ମୁଁ କଣ ତାକୁ ଛାଡେ ? ତାକୁ କହେ - ତୋ ଭଳି ମୁଁ ନିଦା ବିଷ୍ଣୁ ହେଇପାରିବିନି,ଦଶପଦ କଥା ଶୁଣି ପଦଟିଏ କହିବାବାଲି ମୁଁ ନୁହେଁ l ମୋ ମା ମୋର ନାଁ ଦେଇଥିଲା ଖରଖରି ଚଞ୍ଚଳା l ତୁମେ ହେଉଛୁ ମୋହନ ମୁହାଁ ଧୁଳିଆ ଜନ୍ଦା l ନୁହେଁ କି, ମୁଁ କଣ ମିଛ କହୁଛି ?
ସେ ପୁଣି ମୁରୁକେଇ ହସି କହିଲା - ଧୁଳିଆ ଜନ୍ଦା ଯଦି ତୁମେ ନ ହେଇଥାନ୍ତ ତେବେ ସେଇ ଉଗ୍ରଚଣ୍ଡୀ ବୋହୂଟା ତୁମକୁ ଗୋଟିଏ ଲୁଗାକଳର ୱାର୍କର କହି ବେଜିତ କରିପାରିଥାନ୍ତା ? ତାକୁ କିଛି ନ କହି ମୁହଁକୁ ତଳକୁ କରି,ଚୁପଚାପ ସିଧା ଗାଁକୁ ପଳାଇ ଆସିଥାନ୍ତ ?
ବୁଢୀର ମୁହଁଟା ରାଗରେ ଫଣ ଫଣ କଲା l ସେ କହିଲା - ଆଲୋ ଦାନ୍ତୁରି ବୋହୂ ,ତୁ କଣ ଜାଣିନାହୁକି ତୋ ଶଶୁର ଲୁଗାକଳର ୱାର୍କର ଟିଏ ହେଇ ତୋ ଗେରସ୍ତକୁ ପାଠଶାଠ ପଢାଇ ମଣିଷ କରିଛି, ତୋ ପୁଅକୁ ବି ପଢ଼େଇ ଚାର୍ଟର୍ଡ଼ ଆକାଉଟେଣ୍ଟ କରିଛି l ଏବେ ତାଙ୍କୁ କହୁଛୁ ଯେ ତୁମେ ମୂର୍ଖ ୱାର୍କରଟା ଗାଁରେ ରହିବା ତୁମର ଜାଗା l ତୋର କମ ହିମନ୍ତ ନୁହେଁ ତ ? ମୁଁ ଯଦି ସେଠି ଥାଆନ୍ତିନା,ତୋ ଭଳି ପୋଡ଼ାମୁହିଁର ବତିଶ ଦାନ୍ତ ଝଡ଼େଇ ଦେଇଥାନ୍ତି l
ଏଇ ସମୟରେ ଭଣ୍ଡାରିପୁଅ ନୋକା ବୁଢା ବାଡ଼ି ଠକ ଠକ କରି ତୁଠରେ ଗାଧେଇବାକୁ ପହଁଚିଲା l ସେ କହିଲା - ଆଲୋ କାଳିଆ-ମା, ମୁହଁ ଅନ୍ଧାରରୁ ଗାଧେଇବାକୁ ଆସିଲୁଣି, ନ ଗାଧେଇ କାହା ସହିତ ବକର ବକର ହେଉଛୁ ?
ହେଇମଃ ଆମ କଳାକାନୀ ବୋହୂ ଯିଏ ମୋ ପୁଅକୁ ଭେଣ୍ଡିଆ ବଅସରେ ଯୋଗଣି ହେଇ ଖାଇଲା l ଏବେ ତା ପୁଅ ଗୋଟେ କମ୍ପାନୀରେ ବଡ଼ ହାକିମ ହେଇ ଲକ୍ଷେଟଙ୍କା ମାସକୁ ଦରମା ପାଉଛି l ଆରେ ବାରିକପୁଅ, ତୁ ତ ଜାଣିଛୁ ଆମର ଏକାଇବଳା ପୁଅ କାଳିଆଟା ଆର୍ମିରେ ସିପାହୀ ଚାକିରୀ କରୁଥିଲା, ସ୍ତ୍ରୀ ଓ ପୁଅକୁ ନେଇ ଜବଲପୁରରେ ରହୁଥିଲା l ପ୍ରତମାସ କିଛି ଟଙ୍କା ଆମକୁ ଚଳିବା ପାଇଁ ପଠାଉ ଥିଲା l କିନ୍ତୁ ଏମିତି ଆମ ଫଟା କପାଳ ଯେ କାଳିଆ ଅଳ୍ପ ବୟସରେ ହାର୍ଟ ଆଟାକରେ ମଲା ପରେ ନାତିଟାକୁ ଫୁସୁଲେଇ ଆମ ପାଖ ମାଡିବାକୁ ଦେଲାନି l କେଡେ ସୁନ୍ଦରିଆ ନାତି ଆମର ସତେ !!
ବାରିକ ପୁଅ ମୁଣ୍ଡ ହଲାଇ ଚୁ.. ଚୁ କରି କହିଲା - ହଁ ପରା l ତୁମ ପୁଅ ମରିବା ପରେ ବୋହୂ ଓ ନାତିକୁ ଏଇ ଗାଁରେ ରଖି ତୁମେ ଦୁହେଁ ସମ୍ଭାଳିଲ,ନାତିକୁ କେତେ କଷ୍ଟରେ ଉଚ୍ଚ ଶିକ୍ଷିତ କରେଇଛି କାଳିଆ-ବାପା ମୁଁ ସବୁ ଦେଖିଛି l କି ଯୁଗ ହେଲା ହୋ l ଦେଖୁନୁ ମୋର ଗୋଟିଏ ବୋଲି ଝିଅ ସାବି,କଣ ସେ ନ କଲା ଶେଷରେ ? ତାକୁ ବାହା କରେଇ ଜୋଇଁକୁ ଘର ଜୋଇଁଆ କରି ପାଖରେ ରଖିଲି l ଭାବିଥିଲି ଝିଅ ଜୋଇଁ ମୋର ବୁଢା କାଳରେ ସାହା ହେବେ l କଣ ହେଲା ? ଜୋଇଁ ଝିଅକୁ ଦିଲ୍ଲୀରେ ରଖି ଚାକିରୀ କଲା ଯେ ଆଜିକି ପାଞ୍ଚବର୍ଷ ହେଲା ଚିଠି ଖଣ୍ଡିଏ ବି ଦେଉନି କି ଫୋନ ବି କରୁନି l ମୋ ବୁଢ଼ୀ ତ କେଉଁ କାଳରୁ ମଲେଣି, ଏବେ ରୋଷେଇ କରି ଗୁଜରାଣ ମେଣ୍ଟାଉଛି l ଛାଡ଼ଛାଡ଼ ଆଉ କହନା ଆଜିକାଲି ଯୁଗର ବ୍ୟଥା l
ବେନି ଜନେ ପଡିଛି ଏକା ଦଶା କହି,ବୁଢ଼ୀ ଦୀର୍ଘ ନିଃଶ୍ୱାସ ପକାଇ କହିଲା - ବୁଝିଲ ବାରିକ ପୁଅ l ନାତିଟା ମୋର ଭାରୀ ଭଲ l ହେଲେ କଣ ହେବ ? ତା' ମା ମାନେ ମୋ ବୋହୂ ଗୋଟେ ବାରିଷ୍ଟ୍ରାଣୀ, ମୁହଁବାଲି, ଆଉ ଭେନିଟବେଗ କାନ୍ଧରେ ଝୁଲାଇ ପୁଅ ବଡ଼ ଅଫିସର ବୋଲି ଚନ୍ଦ୍ର ସୂର୍ଯ୍ୟ ମାନେନି-ଲୋ' ମା l କହିଲା କଣନା ମୋ ଗେରସ୍ତ ହେଉଛି ୱାର୍କର.... ଶଃ l ତାର ଭାରୀ ରାଗ ମୋ ଉପରେ l ତାକୁ ମୁହଁ ଭାଙ୍ଗିଲା ଭଳି କଥା ମୁଁ କହେ ତ l ସେଥିପାଇଁ ନାତିକୁ ହାତେଇ ନେଇଛି ମିଛ ସତ କହି କେତେ ବାଗରେ l
ବାରିକପୁଅ କହିଲା - ଆଉ କେତେକାଳ ଅନ୍ଧାରରେ ଗେଙ୍ଗୁଟିକୁ ଗୁଡ଼ ଭାବି ଖାଇବ ସେ l ଶାଶୁର ପାଳିଏ ତ ବୋହୂର ପାଳିଏ l ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ ବୋଲି କରି କହୁଛି ମୋ ଦିନ କାଳ ଆସୁଛି l ତା ପୁଅ ବାହା ହେବାପରେ ଦେଖିବୁ ରହ ତାର ଅବସ୍ଥା କଣ ହେବ l
କଣ କହିବି ତତେ ବାରିକ ପୁଅ ମୋ ଦୁଃଖ କଥା l ବୋହୂଟା କାଳିଆ-ବାପାକୁ ୱାର୍କର କହି ଘରୁ ତଡି ଦେବା ଦିନଠାରୁ, ବୁଢା ଆଖିରୁ ଲୁହ ବିଲକୁଲ ଶୁଖିଲାନି l ନାତିଟାକୁ ଝୁରି ଝୁରି କଣ୍ଟା ହେଇଗଲା l ତାକୁ ଯେତେ ପ୍ରକାରେ ବୁଝାଇଲେ କଣ ମୋ କଥା ଶୁଣିଲା ? ନାତି ନାତି ହେଇ ଶେଷରେ ପ୍ରାଣ ଛାଡିଲା l
ସତରେ ବାରିକ ପୁଅ,ମୁଁ ତ ମୂର୍ଖ ଲୋକ,ଏତେ ପାଠ ପଡିନି, ହାଇସ୍କୁଲ ପିଣ୍ଡା ମାଡିନି l ଲୋକେ କହନ୍ତି ସଂସାରଟା ମାୟା l କେହି କାହାର ନୁହନ୍ତି l ହଁ ଏବେ ସେଇ ଢଗର ମାନେ ବୁଝିଲିଣି l ସତରେ ଏ ଦୁନିଆଟା ଗୋଟେ ମିଛ ମାୟା l
ହଉ ଛାଡ଼ ପିଣ୍ଡରେ ପ୍ରାଣ ଥିବା ଯାଏଁ ଜିଇଁବାକୁ ହେବ l ଆଛା ବାରିକପୁଅ ମୋର ଟିକେ ଉପକାର କରିବ ?
ବାରିକପୁଅ କହିଲା - କଣ କହୁନୁ ? ଆମ ବାଉଁଶବୁଦାରୁ ଖଣ୍ଡେ ବାଉଁଶ କାଟି ଆଜି ଦେବୁ ? ଆକାଶ ଦୀପ ବସେଇବି l ଆଜି ଠାରୁ ପଞ୍ଚକ ଆରମ୍ଭ ହେଉଛି ତ ?
ବାରିକ ପୁଅ କହିଲା - ହଉ ହେଲା l ସବୁ ପଞ୍ଚୁକରେ ତ ଦେଇଆସୁଛି l ଏଥିରେ ଉପକାର କଣ l ହଁ କଣ କହୁଥିଲିକି ଆଜିକାଲି ତ ଗାଁଗଣ୍ଡାରେ ଆକାଶ ଦୀପ ହଜିଗଲାଣି l କାହିଁକି ଏ ବୁଢ଼ୀ ବୟସରେ ଖିଟମିଟିଆ ଧନ୍ଦାରେ ମନ ବଳାଉଛୁ ?
ନାଇଁ ଏ ବାରିକପୁଅ, କଥାଟା ସେମିତି ନୁହେଁ l ଯେତେହେଲେ ମୁଁ ବାହ୍ମଣଘର ଝିଅ l ତାବାଦେ ପୁଣି ଆମ ଘରେ କୁଳଦେବତା ରଘୁନାଥ କେଉଁ କାଳରୁ ପୂଜା ପାଉଛନ୍ତି l ପଞ୍ଚୁକରେ ସକାକେ ସଞ୍ଜେ ଆଳତି ହେବ l ଆକାଶଦୀପ ନ ବସେଇଲେ ପିତୃପୁରୁଷ କଣ ଶାନ୍ତି ପାଇବେ ? ଏ ସବୁ କାମ କାଳିଆ-ବାପ କରୁଥିଲା l ସେ ତ ଏବେ ସ୍ୱର୍ଗବାସୀ l ମୋତେ କରିବାକୁ ହେବ l
ଏତକ କହି କାଳିଆମା ଝଅଟ ଝଅଟ ଗାଧେଇ ଘରେ ପହଁଚିଲା ବେଳକୁ ପୁରୋହିତ ଠାକୁର ଘରେ ପହଂଚି ଡାକ ଛାଡ଼ୁଛନ୍ତି - ହଇହେ କାଳିଆ- ମା କୁଆଡେ ଗଲ ?
ତର ତର ହେଇ କାଳିଆ-ମା ଘିଅବଳିତା ପୁରୋହିତଙ୍କୁ ବଢ଼ାଇ ଦେଇ ଶଙ୍ଖ ଫୁଙ୍କିଲା ଏବଂ ଘଣ୍ଟ ବାଡେଇଲା l ତାପରେ ଚଉଁରା ପାଖରେ ମୁରୁଜ ପକାଇ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଚିତ୍ର ଆଙ୍କିଲା l
ବାରିକ ପୁଅ ଇତ୍ୟବସରେ ପୂର୍ବ ବର୍ଷ ଭଳି ଲମ୍ବା ବାଉଁଶ ଅଗଣାରେ ପୋତି ବାଉଁଶ ଅଗରୁ ଦଉଡିଟିଏ ଉପରୁ ତଳ ପର୍ଯ୍ୟନ୍ତ ଝୁଲାଇ ଦେଲା l କାଳିଆ-ମା ଗୋଟିଏ ଛୋଟ ହାଣ୍ଡିରେ ଦୀପଟିଏ ଜଳାଇ ହାଣ୍ଡିରେ ଢାଙ୍କୁଣି ଲଗାଇ ହାତ ଯୋଡି ଠିଆ ହେଇ ଜୁହାର ହେଲା ପୂର୍ବପୁରଷଙ୍କୁ l ପୁରୋହିତ ମନ୍ତ୍ର ପାଠ କରି ପୂଜାର୍ଚନା କରିବା ପରେ କାଳିଆ ମା ଆକାଶ ଦୀପ ହାଣ୍ଡିକୁ ଦଉଡି ଟାଣି ଉଠଇ ଦେଲା ବାଉଁଶ ଅଗକୁ l
ଉପରକୁ ଚାହିଁଲା ହାଣ୍ଡି ଭିତରେ ଦୀପ ଦାଉ ଦାଉ ଜଳୁଛି l ବେକରେ ଶାଢ଼ୀକାନିକୁ ଗୁଡ଼ାଇ ଲୁହ ଭରା ଆଖିରେ ଗୁଣୁ ଗୁଣୁ ହେଇ କହିଲା - ହେ ପ୍ରଭୁ ରଘୁନାଥ, ମୋ କାଳିଆ-ବାପକୁ ଶାନ୍ତିରେ ଟିକେ ସରଗରେ ରଖିବ l ପୁଣି ପୂର୍ବପୁରୁଷଙ୍କୁ ଜୁହାର ହେଇ କହିଲା - ହାତୀ ବନସ୍ତରେ ବୁଲୁଥିଲେ ବି ସେ ରଜାଙ୍କର l ମୋ ନାତି ଯେଉଁଠି ଥାଉ ପଛେ ସେ ମୋ କୁଳର ଦୀପ, ତାକୁ ଘଣ୍ଟ ଘୋଡେଇ ରଖିବ ହେ ପୂର୍ବପୁରୁଷମାନେ l
ଏତକ କହି ତଳେ ଭୂଇଁରେ ମୁଣ୍ଡ ଥାପି ଜୁହାର ହେଉଥିବା ସମୟରେ ଗୁସୁମା ଗୁସୁମା ଡାକ ଶୁଣି ସେ ଚମକି ପଡିଲା l ପଛକୁ ଚାହିଁ ଦେଖେତ ନାତି ରଘୁନାଥ ଠିଆ ହେଇଛି l ଆଶ୍ଚର୍ଯ୍ୟ-ମିଶା-ଖୁସିରେ ସେ କଣ କହିବାକୁ ଯାଉଥିବାବେଳେ ନାତି ଗୋଟାପଣେ ଗୋସମାକୁ ଉପରକୁ ଦୁଇ ହାତରେ ଟେକି ଧରିଲା,ପୁଣି ନିଜ ଛାତିରେ ଜୋରରେ କୁଣ୍ଢାଇ ପକାଇଲା l
ହଜିଲା ବଳଦ ମିଳିଲା ପରି ସୁଖରେ ତାର ଆଖିରୁ ଆନନ୍ଦର ଲୁହ ନିଗିଡି ପଡିବାରୁ ସେ ଏକ ଅକୁହା ଶିହରଣ ସର୍ବାଙ୍ଗ ଦେହରେ ଅନୁଭବ କଲା l ନାତିକୁ ଦେଖିବା ପରେ ଯେଉଁ ଖୁସିର ଲହଡି ଛାତି ଭିତରେ ଢେଉ ଢେଉକା ହେଇ ଚରି ଯାଉଥିଲା,ସେମିତି ଖୁସି ସେ କେବେ ଜୀବନରେ ଅନୁଭବ କରିନଥିଲା l ବୁଢା ଆଜି ଯଦି ଥାଆନ୍ତା କେତେ ସେ ଖୁସିରେ ଫାଟିପଡୁନଥାନ୍ତା l
ନାତି ଏମନ୍ତ ସମୟେ ଖୁସିରେ ଗଦ ଗଦ ହେଇ କହିଲା - ଆଲୋ ଗୁସୁମା ! ମୁଁ ଜାଣେ ପରା ଏ ବର୍ଷ ପଞ୍ଚକରେ ଗୋସାପ ବିନା ତୁ ନିଶ୍ଚୟ ପଞ୍ଚୁକ ପାଳିବୁ, ଆକାଶ ଦୀପ ଉଠାଇବୁ l ବଡ଼ ଦହଗଞ୍ଜ ହେବୁ l ସେଥିପାଇଁ ମୁଁ ଦିଲ୍ଲୀରୁ ପଳାଇ ଆସିଛି ତୋ ପାଖକୁ, ଏଣିକି ଆଉ ଚିନ୍ତା କରନା l
ନାତିର ଗାଲରେ ଖୁସିରେ ଆତ୍ମହରା ହେଇ ଚୁମା ପରେ ଚୁମା ଦେଉଥାଏ ଏବଂ କହୁଥାଏ " ଯାହାହେଉ ଶେଷରେ ପ୍ରଭୁ ରଘୁନାଥ ମୋ ରଘୁନାଥକୁ ମତେ ଫେରେଇ ଦେଇଛନ୍ତି l
ନାତି ଜେଜେମାର ଆଖିର ଲୁହକୁ ପୋଛି କହିଲା - ଆଲୋ ଗୁସୁମା, ଦିଲ୍ଲୀରୁ ଚାକିରି ଛାଡି ଚାଲି ଆସିଛି l ଏଣିକି ତୋ ପାଖରେ ସବୁଦିନ ରହିବି l ତିହିଡି ବଜାରରେ ମୋର ଚାର୍ଟର୍ଡ ଆକାଉଣ୍ଟେଣ୍ଟ ଫାର୍ମ କରି ବ୍ୟବସାୟ କରିବି l ତତେ ଛାଡି ଆଉ କୁଆଡେ ଯିବିନି l
ନାତିର ମୁଣ୍ଡର କେରାକେରା ବାଳକୁ ଆଉଁସି ବୁଢ଼ୀ କହିଲା - ଆଉ ତୋ ମମି ?
ସେ ଆଉ ପନ୍ଦର ଦିନ ପରେ ମୋର ଦିଲ୍ଲୀ ଘରର ଜିନିଷ ପତ୍ର ନେଇ ଏଠାରେ ପହଂଚିବ l ବୁଝିଲୁ, ତୁ ମମି ବିଷୟ ଚିନ୍ତା କରନା l ତୁ ମୋର ଆଗେ, ତା ପରେ ମମି l
ନାତିକୁ ପୁଣି ଥରେ ନିଜ ଛାତିରେ ଚାପି ଧରି ବୁଢୀ ଉପରକୁ ଚାହିଁଲା - ଆକାଶ ଦୀପ ଖୁବ ତେଜୀୟାନ ହେଇ ଜଳୁଛି l
————-000000———–
© ମନୋଜ କୁମାର ମହାପାତ୍ର
