tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଶିଷ୍ଟ ଗାଳ୍ପିକ ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଭୂମିପୁତ୍ରୀ’

1 min read

.

  • TATKAL STORY TELLING//ମନୋଜ କୁମାର ମହାପାତ୍ର //
  • ++++++++++++++++++++++++

ଗଳ୍ପ:ଭୂମିପୁତ୍ରୀ

      ଆମ ଜିଲ୍ଲାର ପ୍ରଥମ ଇଣ୍ଡିଆନ ଏୟାର ଫୋର୍ସର ଲେଡି ଫ୍ଲାଇଟ ଅଫିସର ତଥା ସୌର୍ଯ୍ୟଚକ୍ର ବିଜେତା ତିଳୋତ୍ତମା ଶୈଳଜା  ଚାକିରରୁ ସେବାନିବୃତ୍ତ ହେଇ ଗାଁକୁ ଫେରିଆସିଲେ l ଭୁବନେଶ୍ୱରରେ ସ୍ଥାୟୀ ଭାବେ ନ ରହି ସେ କାହିଁକି ଗାଁରେ ରହିବାକୁ ପସନ୍ଦ କଲେ ? 
   ବିଗତ ଷାଠିଏ ଦଶକରେ ଏହି ନିପଟ ମଫସଲି ଗାଁ,ଯେଉଁଠି ସାଳନ୍ଦୀ ନଦୀ କୂଳ ଲଙ୍ଘିଲେ ବଢ଼ି ପାଣିରେ ଭାସୁଥିଲା,ଆଜି ଅବଶ୍ୟ ସେପରି ଦୃଶ୍ୟ ନାହିଁ,ବିକାଶର ଛାପ ଚାରିଆଡେ l କୁଳୀନ ଶାସନୀ ବ୍ରାହ୍ମଣ ବିପ୍ର ଆଚାର୍ଯ୍ୟ ଏଇ ଗାଁର ବାସିନ୍ଦା କିନ୍ତୁ ତାଙ୍କର ଯଜମାନୀ ଥିଲା ଏକଦା ଆଖପାଖ ଅନେକ ଗାଁରେ ପରିବ୍ୟାପ୍ତ l ତାଙ୍କ କଣ୍ଠରୁ ନିଃସୃତ ମନ୍ତ୍ରଧ୍ଵନି କାଳେ ଯଜ୍ଞକୁଣ୍ଡର ଜ୍ୱଳନ୍ତ ଅଗ୍ନିକୁ ହୁତାଶନ କରୁଥିଲା ବୋଲି ଏବେ ବି ଲୋକେ କହନ୍ତି l ଆଜି ସେଇ ବ୍ରାହ୍ମଣ ଶାସନ ଅଛି,କିନ୍ତୁ ବିପ୍ର  ଆଚାର୍ଯ୍ୟଙ୍କ ଭଳି ସିଦ୍ଧ କର୍ମକାଣ୍ଡି ପୁରୋହିତ କେହି ନାହାନ୍ତି l ତଥାପି କାହିଁକି ଭୂମିପୁତ୍ରୀ ଏୟାର ଫୋର୍ସ ଅଫିସର ଗାଁରେ ନିଜର ସେବାନିବୃତ୍ତ ଜୀବନ ବିତାଇବାକୁ ନିଷ୍ପତ୍ତି ନେଲେ ?  
   ଏମନ୍ତ ପ୍ରଶ୍ନ ପ୍ରଫେସର ମୁକୁନ୍ଦ ଦାସଙ୍କ ମନରେ ଉଠିବା ସ୍ୱାଭାବିକ,କାହିଁକି ନା ସେଇ ଗାଁରେ ତାଙ୍କର କେବଳ ଜନ୍ମ ନୁହେଁ ବରଂ ଗୋଟିଏ ହାଇସ୍କୁଲରୁ ମେଟ୍ରିକ ପାସ ପର୍ଯ୍ୟନ୍ତ ବିପ୍ର ଆଚାର୍ଯ୍ୟଙ୍କର ବଡ଼ ନାତୁଣୀ ତିଲୋତ୍ତମାଙ୍କର ଥିଲେ ସହପାଠୀ l 
      ଏଇ କେତେ ମାସ ହେଲା ଯୁଦ୍ଧ ସରିଛି l କାର୍ଗିଲ ଯୁଦ୍ଧରେ ଫାଇଟର ବିମାନରୁ ବୋମା ବର୍ଷଣ କରି କରିଥିଲେ ଧ୍ଵ°ସ ଵିଧ୍ଵସ୍ତ  ପାକିସ୍ଥାନର ଅନେକ ମିଲିଟାରୀ ଡିପୋ l କିନ୍ତୁ ଭାଗ୍ୟର ବିଡମ୍ବନା ଯେ ହେଲିକେପ୍ଟରରେ ଯୁଦ୍ଧାସ୍ତ୍ର ନେଇ ଯାଉଥିବା ବେଳେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ମାଡ଼ରେ ସେ ଭୀଷଣ ଭାବେ ଆହତ ହେଲେ l ବିଚାରି ଦୁଇଟି ଗୋଡ଼ ସବୁଦିନ ପାଇଁ ହରାଇଲେ l 
    ଗାଁରେ ରହିବାର କାରଣ ତଥାପି ଅସ୍ପଷ୍ଟ l ଜାଣିବାର ଉତ୍କଣ୍ଠା ନେଇ ହଠାତ ବିପ୍ର ଆଚାର୍ଯ୍ୟଙ୍କ ଘରେ ପହଂଚି ଗଲେ ପ୍ରଫେସର ମୁକୁନ୍ଦ ଦାସ l ପହଞ୍ଚି ଦେଖନ୍ତି ଯେ ଗୋଟିଏ ହୁଇଲ ଚେୟାରରେ ବସିଛନ୍ତି ତିଲୋତ୍ତମା l ଏପରି ଦୃଶ୍ୟ ଦେଖି ମୁକୁନ୍ଦବାବୁ ନିରାଶରେ ଝାଉଁଳି ପଡିଲେ l ସତେକି ବିଗତ ବର୍ଷର ସିଂହୀ କାରାରୁଦ୍ଧ!!! କିଛି କହିବାକୁ ସେ ଚେଷ୍ଟା କଲେ ସତ କିନ୍ତୁ କିଛି କହିପାରିଲେନି l 
      ଅଥଚ ତିଲୋତ୍ତମା ତାଙ୍କୁ ଦେଖି ଖୁସିରେ ଉଲ୍ଲସିତ ହେଇଉଠିଲେ କିନ୍ତୁ ଲୁହ ଛଳ ଛଳ ଆଖିରେ କହିଲେ - ଆରେ ମକୁନ୍ଦି ! ତୋ କଥା ଭାବୁଥିଲି l ଏତେ ଦିନ ହେଲା ଗାଁକୁ ଆସିଲିଣି,ଏବେ ମୋ କଥା ମନେ ପଡିଲା ? 
    " ହଁ ମୁଁ ବି ଆସିବି ଆସିବି ହେଉଥିଲି l ଜାଣିଛୁ ତ ପୁରୀ ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲ  ଦାୟିତ୍ୱ ବର୍ତ୍ତମାନ ସମ୍ଭାଳୁଛି " l 
    "ଓହୋଃ... ତେବେ ଆମ ମକୁନ୍ଦି ଓରଫ ମୁକୁନ୍ଦ ଦାସ ଏବେ ପ୍ରିନ୍ସିପାଲ l ବାଃ.... ସଂସ୍କୃତରେ ତୁ ଆମ ହାଇସ୍କୁଲ କ୍ଲାସରେ ଟପର ହେଉଥିଲୁ,ତୋ ଭଳି ପିଲା ପ୍ରିନ୍ସିପାଲ ହେବେନି ତ ଆଉ କିଏ ହେବ "? 
    ସେତବେଳକୁ ତିଲୋତ୍ତମା ଆଖିରେ ଲୁହ ନ ଥିଲା l ତାଙ୍କର ସୁନ୍ଦର ମୁହଁଟା ଖୁବ ଉଜ୍ଜ୍ୱଳ ଦେଖାଯାଉଥିଲା l ସତରେ ତିଲୋତ୍ତମା କେତେ ସୁନ୍ଦର!!  ପ୍ରଫେସର ଦାସ ତିଲୋତ୍ତମାଙ୍କୁ ବାରମ୍ବାର ଚାହୁଁଥିଲେ କିନ୍ତୁ ପଚାରି ପାରୁନଥିଲେ ନିଜ ମନରେ ଉଠୁଥିବା ପ୍ରଶ୍ନକୁ l 
      ଇତ୍ୟବସରେ ତିଲୋତ୍ତମା କହିଲେ - ତୁ କଣ କହିବାକୁ ଚାହୁଁଛୁ କିରେ ? 
      ମୁକୁନ୍ଦବାବୁ ଥା ମା ହେଇ କହିଲେ - ହଁ ହଁ ନିଶ୍ଚୟ l ଆରେ ତୁ ଭୁବନେଶ୍ୱରରେ ନ ରହି ଗାଁରେ ରହିବାକୁ କାହିଁକି ନିଷ୍ପତ୍ତି ନେଲୁ ? ଏଠି କିଏ ତୋର ଦେଖାଶୁଣା କରିବ ? 
    ମୁଁ ଜାଣେ ତୁ ଏମିତି ପ୍ରଶ୍ନ ପଚାରିବୁ l ଆରେ ଏଇ ଘର ପରା ମୋ ଜେଜେଙ୍କର l ତାଙ୍କ ସହିତ ବିତାଇଥିବା ଦିନ ଏବଂ ଶୁଣିଥିବା ତାଙ୍କ ତୁଣ୍ଡରୁ ଦର୍ଶନ ଶାସ୍ତ୍ରର କଥା ଏବଂ ମୋ ପ୍ରତି ରହିଥିବା ତାଙ୍କର ଅପତ୍ୟ ସ୍ନେହର ବାସ୍ନା ପ୍ରତିକ୍ଷଣ ମୋତେ ବଂଚିବାକୁ ପ୍ରେରଣା ଦେଉଛି l ଦେଖୁନୁ ପଙ୍ଗୁ ହେବାର ଦୁଃଖ ବି ପାସୋରି ଯାଉଛି l 
     ତୁମର ଭୁବନେଶ୍ୱର ଘରେ ରହିଥିଲେ କଣ ତାଙ୍କର ସ୍ମୃତିର ବାସ୍ନା ତୋତେ ମିଳି ନଥାନ୍ତା ? 
    ନା, ଜେଜେଙ୍କ ଅନ୍ତେ ମୋ ବାପା ଭୁବନେଶ୍ୱରରେ ଘର ତିଆରି କରିଥିଲେ l ସେଠାରେ ମୋ ଜେଜେଙ୍କର ସ୍ମୃତି ରୂପ ନେଇପାରିବନି କିନ୍ତୁ ଏଠାରେ ମୋର ସ୍ମୃତିସବୁ ରୂପ ନେଉଛି..... ହେଇ ଦେଖୁନୁ - ଏଇଠି ଜେଜେ ଶୋଉଥିଲେ,ଏଇଠି ଖାଉଥିଲେ, ପଢୁଥିଲେ,ପରାମର୍ଶ ଦେଉଥିଲେ, ହସୁଥିଲେ, ତାଲପତ୍ରରେ ଲେଖୁଥିଲେ ଭଳି କେତେ ଘଟଣା l ତୁ କଣ ଦେଖିନୁ ?
   ହେଇ ଦେଖ ମୋ ପଛପଟ ମାଟି କାନ୍ଥକୁ l କଉଡ଼ିରେ ମୋ ଜନ୍ମ ବେଳରେ ମୋ ଜେଜେ କେମିତି ସଠି ଘର ତିଆରି କରିଥିଲେ l ଧଳା କଉଡ଼ିଗୁଡିକ ମାଟି ଭିତରେ କିପରି ସୁନ୍ଦର ଭାବରେ ପଶାଯାଇଛି ଦେଖୁଛୁ ତ ? ଏବେ ମୋ ବୟସ ପଚାଶ ହେଲେଣି,ଏଇ ସଠିଘରକୁ ବି ପଚାଶ ବର୍ଷ ହେଲେଣି l ୟାକୁ ଦେଖିଲେ ମୋ ଜେଜେ ସେଠି ଠିଆହେଲା ଭଳି ଦିଶନ୍ତି l 
    ମକୁନ୍ଦିବାବୁ କହିଲେ - ହଁ ହଁ ସବୁ ଆଗରୁ ଦେଖିଛି l ଆଛା, ଏଇ ଘରେ ତୋ ବଡ଼ନନା ଜେଜେଙ୍କୁ ଥରେ ସୃଷ୍ଟି ବିଷୟରେ ପ୍ରଶ୍ନ ପଚାରିଥିଲେ ଏବଂ ଜେଜେ ତାହାର ଦେଇଥିବା ଉତ୍ତର ଏବେ ମୋ ମନରେ ସତେଜ ରହିଛି l ସତରେ ତିଲୋତ୍ତମା,ତୋ ଜେଜେଙ୍କ ଭଳି ବିଦ୍ୱାନ ଆଜି କେଉଁଠି ଦେଖୁନି l 
   ଆରେ ହଁ ହଁ ମୋର ମନେ ଅଛି l ସେଇ କଥାଟା କଣ କହିଲୁ ?  ତିଲୋତ୍ତମ ପଚାରିଲେ l
       ତୋ ଜେଜେ କହିଥିଲେ - " ସୃଷ୍ଟି ଥିଲା କି ନାହିଁ ? ତାହା କହିବା କଷ୍ଟସାଧ୍ୟ,ଏଇଥିପାଇଁ ଯେ ସୃଷ୍ଟି ଭଳି ଶବ୍ଦର ଉତ୍ପନ୍ନ ଘଟେ ଯେତେବେଳେ ତାହାର ବିପରୀତ ଶବ୍ଦ ବିନାଶ ବା ପ୍ରଳୟ ରହିଥାଏ l
         ତୋ ବଡ଼ନନା ପୁଣି କହିଥିଲେ - ଜେଜେ,ତୁମର ଏମିତିଆ ଆକାଶ-ଛିଣ୍ଡା କଥା ସବୁବେଳେ ମୋତେ ହରଡ଼ ଘଣାରେ ପକାଉଛି l ସିଧା କଥାରେ ବୁଝାଇ ଦିଅନା l 
    ଜେଜେ କହିଲେ - କଥାଟା ପ୍ରଥମେ ଭଲ ଭାବରେ ବୁଝୁ l କହିଲୁ ଭଲା ମୁଁ ତୋର କଣ ହେବି ? 
         " ଜେଜେ " 
        "ଜେଜେର ଅସ୍ତିତ୍ୱ ବିନା ନାତିର ଅସ୍ତିତ୍ୱ ସମ୍ଭବ କି"? 
        " କେବେ ନୁହେଁ " 
        ଠିକ ସେହିଭଳି କଥା l ବିନା ପ୍ରଳୟରେ ସୃଷ୍ଟି କଥା ଚିନ୍ତା କରିହେବନି l ଯେମିତି ଅନ୍ଧାର ବିନା ଆଲୋକ କିମ୍ବା ବସ୍ତୁର ଅସ୍ତିତ୍ୱ ବିନା ଶୂନ୍ୟର ଚିନ୍ତା ଭାବିହୁଏନି l ଏହିପରି ଭାବରେ  ଜାଗତିକ ସ୍ତରରେ ଆମେ ଯାହା ସବୁ ଭାବନ୍ତି ସେ ସବୁକୁ ପରମାର୍ଥିକ ସ୍ତର ପର୍ଯ୍ୟନ୍ତ ନେଇପାରିବାନି l 
      ଆମେ ଯଦି କହିବା ସୃଷ୍ଟି ପୂର୍ବରୁ କିଛି ନ ଥିଲା,କେବଳ ଶୂନ୍ୟ ଓ ମହାଶୂନ୍ୟ,ଅନ୍ଧାର ହିଁ ଅନ୍ଧାର l ତେବେ ଏଇଠି ବଡ଼ ସାଙ୍ଘାତିକ ଭୁଲ କରିଦେଲେ ବୋଲି ଭାବିବାକୁ ହେବ l କାହିଁକି ନା, ଜାଗତିକ ସଂସାରରେ ଯାହାକୁ ଆଲୋକ-ଅନ୍ଧାର, ଶୂନ୍ୟ-ପୂର୍ଣ୍ଣ, ଅସ୍ତିତ୍ୱ-ଅନସ୍ତିତ୍ୱ, ସୃଷ୍ଟି-ପ୍ରଳୟ ଭଳି ଜିନିଷ କହନ୍ତି, ତାହା କେବେ ବି ପରମାର୍ଥିକ ବା ଆବସୋଲ୍ୟୁଟ ଶବ୍ଦ କୋଷ ଭିତରେ ରହିପାରିବନି l ସୁତରାଂ ଏହା ଏକ ଅମୀମାଂଶିତ ପ୍ରଶ୍ନ,ଯାହାର ଉତ୍ତର ନାହିଁ ବିଶେଷ କରି ରିଲେଟିଭ ୱାର୍ଲଡରେ l 
      ଓହୋଃ... ଏବେ ବୁଝିଲି l ତା' ମାନେ ଗୋଟିଏ ଜିନିଷର ବିପରୀତ ଜିନିଷ ନ ଥିଲେ ସେହି ଜିନିଷର ଅସ୍ତିତ୍ୱ ରହିବନି l ପ୍ରଳୟ ଥିଲେ ସୃଷ୍ଟି ହେବ l ସୃଷ୍ଟି  ଥିଲେ ପ୍ରଳୟ ହେବ l 

ଜେଜେ ପୁଣି ନାକରେ ଟିପେ ଦୋକ୍ତା-ନାଶ ଜୋରରେ ଶୁଙ୍ଘି କହିଲେ – ହେଇପାରେ ଯିଏ ଅପେକ୍ଷିକ ଜଗତକୁ ଅତିକ୍ରମ କରିଛି,ସେ ଯଦି ଏ ସମ୍ବନ୍ଧରେ କିଛି କୁହନ୍ତି ତେବେ ବି ଆପେକ୍ଷିକ ଜଗତକୁ ଜାବୁଡି ଧରିଥିବା ଆମ ଭଳି ଲୋକେ ବୁଝିପାରିବେନି l ସେଥିପାଇଁ ସେମାନେ ଅପେକ୍ଷିକ ଜଗତର ଭାଷାରେ ଆମକୁ ବୁଝେଇଛନ୍ତି l
ସବୁ ଶବ୍ଦକୁ ବୁଝି ବା ହୃଦୟଙ୍ଗମ କର, ତା’ବାଦେ ପ୍ରକୃତ ସତ୍ୟ ଅଭିମୁଖେ ଆଗେଇପାରିବ l ସତ୍ୟ ଅଭିମୁଖେ ଅଗ୍ରସର ହେବା ମାନେ ହିଁ ଆକ୍ଷେପିକ ଜଗତର ଯୁଗଳ-ଶବ୍ଦରେ ପରିପୂର୍ଣ୍ଣ ସ୍ଥିତି ଠାରୁ ଉର୍ଦ୍ଧ୍ୱକୁ ଯିବା,ଯେଉଁଠି କେବଳ ସତ୍ୟ ହିଁ ସତ୍ୟ ଅର୍ଥାତ ପରମାର୍ଥିକ ଜଗତ l ଅନସ୍ତିତ୍ୱରୁ ଅସ୍ତିତ୍ୱ ସମ୍ଭବ ନୁହେଁ ବରଂ ଅସ୍ତିତ୍ୱରୁ ଅସ୍ତିତ୍ୱ ସମ୍ଭବ l ବୁଝିଲୁ,ନଥିଲା ରୁ ଥିଲା ସମ୍ଭବ ନୁହେଁ l
ଇତ୍ୟବସରେ ତୁ ସେ ଦିନ ଜେଜେଙ୍କୁ ମଜାରେ ପଚାରିଥିଲୁ – ଆଛା ଜେଜେ ମୋତେ ତ ତୁମେ ଅଣ୍ଡିରାଚଣ୍ଡୀ ବୋଲି ଡାକ l ଯଦି ମୁଁ ଗୋଟେ ଅଣ୍ଡିରାଚଣ୍ଡୀ ତେବେ ଇୟେ କେଉଁଠୁ ଆସିଲା ?
ଜେଜେ କହିଲେ – ” ମୋ ଠୁଁ “
ଓହୋଃ…… ଏବେ ବୁଝିଲି l ତାହାଲେ ତୁମେ ଜଣେ ଅଣ୍ଡିରାଚଣ୍ଡୀ ନିଶ୍ଚିତ ଥିଲ l ତା ନ ହେଇଥିଲେ, ଏଇ ଅଣ୍ଡିରାଚଣ୍ଡୀ ପୁଣି କେମିତି ଆସିଥାନ୍ତା l
ଜେଜେଙ୍କ ଭିତରୁ ଏମିତି ଠୋ ଠୋ ହସ ଉଛୁଳି ପଡିଲା ଯେ ତାଙ୍କର ପାକୁଆ ପାଟି କିଛି ମୁହୂର୍ତ୍ତ ମେଲା ପଡିଲା l ଜେଜେଙ୍କ ହସରେ ସେ ଦିନ ଆମେ ସମସ୍ତେ ହର୍ଷମୁଖର ହେଇଯାଇଥିଲେ l ନୁହେଁ କି ?
ହଁ ପରା l ଆରେ ମକୁନ୍ଦି ! ମୋ ନାଁ ତ ଖୋଦ ଜେଜେ ଗଣନା କରି ଦେଇଛନ୍ତି – ତିଳୋତ୍ତମା ଶୈଳଜା l ସେ କାହିଁକି ମୋତେ ଅଣ୍ଡିରାଚଣ୍ଡୀ ବୋଲି ଡାକନ୍ତି ?
ମକୁନ୍ଦି ହସି କହିଲେ – ଜେଜେଙ୍କର ତୁ ଥିଲୁ ନୟନ ପିତୁଳା l ଗେହ୍ଲରେ ଅଣ୍ଡିରାଚଣ୍ଡୀ ବୋଲି କହୁଥିଲେ,ତା ପଛରେ କିଛି କାରଣ ନାହିଁ l
ଓହୋଃ – ଏବେ ବୁଝିଲି l ତୁ ଠିକ ଜାଣିଛୁ କିନ୍ତୁ କହୁନାହୁଁ l ତେବେ ଶୁଣ – ଆମ ଘର ପିଣ୍ଡାକୁ ଲାଗି ଡେଙ୍ଗା ନଡ଼ିଆ ଗଛର ଆଗକୁ ମାଙ୍କଡ଼ ଭଳି ଚଢି ଯାଉଥିଲି , ଘର ପଛପଟ ବିରାଟ ପୋଖରୀର ଭରା ପାଣିରେ ଚିତ ପଟାଙ୍ଗ ଦେଇ ପହଁରିବାରେ ମଜା ନେଉଥିଲି, ପିଜୁଳି ଓ ଆମ୍ବ ଗଛର ଡାଳକୁ ଡାଳ ଚଢି ପିଜୁଳି, ଆମ୍ବ ତୋଳୁଥିଲି , ବାଗୁଡ଼ି ଖେଳରେ ପୁଅପିଲାଙ୍କୁ ପଛରେ ପକାଇ ଦେଉଥିଲି l କେବଳ ସେତିକି ନୁହେଁ,ମାଡଗୋଳରେ ପୁଅପିଲା ସାଙ୍ଗମାନଙ୍କୁ ହରେଇ ବାହାବା ଗୋଟଉ ଥିଲି l
ଏଇଥିପାଇଁ ଜେଜେ ମୋତେ ଅଣ୍ଡିରାଚଣ୍ଡୀ ଡାକିବେନି ତ ଆଉ କଣ ବୋଲି ଡାକିଥାନ୍ତେ ? ହେଲେ କଣ ହେବ ? ଆମ ଚାଳଘର ପରସ୍ତର ଘରକୋଣରେ ବୋଉ ରଖିଥିବା ଗୁଡ଼ବଣାକୁ ଯେମିତି ଢେଗା ଢେଗା କଳାଜନ୍ଦା ଭଲପାଆନ୍ତି,ତା’ଠାରୁ ଅଧିକ ମୋ ଜେଜେଙ୍କର ଭଲପାଉବା ମୋ ଉପରେ ସବାର ହେଇଥିଲା l
ମକୁନ୍ଦି କହିଲେ – ଆରେ ଛାଡ଼, ତୋ ପାଖରୁ କେତେ ମୁଁ ମାଡ଼ ନ ଖାଇଛି ପିଲା ଦିନରେ, କହିଲୁ l
ଅବଶ୍ୟ ତତେ ବହୁତ ମାରୁଥିଲି କିନ୍ତୁ ତତେ ବହୁତ ଭଲ ପାଉଥିଲି ବି l
ମକୁନ୍ଦି ଓଠରେ ଛୋଟ ହସ ଖେଳିଗଲା l ସେ କହିଲେ – ହଁ ପରା, ମୁଁ ଜାଣିଛି l କିନ୍ତୁ ହୁରିଆ ବଣିଆ ଉପରେ ସାଇକେଲ ପକେଇ ଯେମିତି ମାଡିବସିଥିଲୁନା, ସେ ନିଶ୍ଚୟ ମରିଥାନ୍ତା l
ତିଲୋତ୍ତମା ଖୁବ ଜୋରରେ ହସି କହିଲେ – ହଁ ପରା,ଥରେ ଗାଁ ନିକଟସ୍ଥ କଲେଜରୁ ଉଦୁଉଦିଆ ଖରାବେଳେ ସାଇକେଲ ଚଢି ଆସୁଥିଲି l ନିଛାଟିଆ ଭାରୀ ନିଛାଟିଆ,କୁଆ କୋଇଲିର ରାବ ନାହିଁ l ମାଟି ରାସ୍ତା l ରାସ୍ତା ଦୁଇ କଡରେ ଠାଏ ଠାଏ କିଆବୁଦା,ତା’ ପଛକୁ ଖାଲି ଟାଙ୍ଗରା ବିଲ ହି ବିଲ l
ତୁ ଭଲ ଭାବେ ଜାଣିଛୁ ଯେ ଡର ଭୟ କଣ ମୁଁ ଜାଣେନି l ସେ ଦିନ ଜୋରରେ ପେଡାଲ ମାରି ନିଃସଙ୍ଗ ରାସ୍ତାରେ ଛୁଟୁଥିଲି l ହଠାତ ଦେଖିଲି କିଆବୁଦା ପଛପଟୁ ମେଟ୍ରିକ ପରୀକ୍ଷାରେ ତିନିଥର ଫେଲ ହେଇଥିବା ଆମ ସ୍କୁଲ ସାଙ୍ଗ ହୁରିଆ ବଣିଆ ରାସ୍ତା ମଝିକୁ ଚାଲି ଆସି କହିଲା – ହଇଲୋ ଅଣ୍ଡିରାଚଣ୍ଡୀ,ଏ ତାଳୁଫଟା ଖରାବେଳେ ଏକୁଟିଆ ସାଇକେଲରେ କୁଆଡେ ଧାଉଁଛୁ ?
ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା ତାର ଅଣ୍ଡିରାଚଣ୍ଡୀ ଡାକ ଶୁଣି,ଦପ କିନା ସାଇକେଲରୁ ଓହ୍ଲାଇ ପଡିଲି l ଦେଖିଲି ଯେ ସେ ଖଜୁରୀ ତାଡି ପେଟେ ପିଇଛି l ତାର ଆଖି ଦି ‘ଟାରେ ସିନ୍ଦୁରା ଫାଟିଛି l
ଓଢ଼ଣୀକୁ ଅଣ୍ଟାରେ ଛନ୍ଦି କହିଲି – ଆବେ ହୁରିଆ ! କଣ କହିଲୁ ଅଣ୍ଡିରାଚଣ୍ଡୀ ?
ହଁ ହଁ କଣ ହେଲା କି ? ତୁ ତ ଗୋଟେ ଅଣ୍ଡିରାଚଣ୍ଡୀ,ତାହା ନ ହେଇଥିଲେ ନିଛାଟିଆ ରାସ୍ତାରେ ଜଣେ ଯୁବତୀ କଣ ଯାଇପାରନ୍ତା ?
ଵାସ,ସେଇଠି ଘଟିଲା ଛୋଟ ପ୍ରଳୟ l ସାଇକେଲକୁ ତା ଉପରେ ପକାଇ ମାଡିବସିଲି l
ଗଁ ଗଁ ହେଇ ହୁରିଆ କହିଲା – ହଉ ହେଲା ତିଲୋତ୍ତମା, ମୁଁ ତୋ ସହ ମଜା କରୁଥିଲି l ଛାଡି ଦେ ମୋ ନିଃଶ୍ୱାସ ବନ୍ଦ ହେଇଯିବ ଯେ l
ଶଃ…. ମୋ ଜେଜେ ଅଣ୍ଡିରାଚଣ୍ଡୀ କହିବ ବୋଲି ତୁ ମୋତେ କହିବୁନା କଣ ?
ଏ କଥାଟା ଚାରିଆଡେ ପ୍ରଘଟ ହେଇଗଲା l ମୋ ପରିବାର ଲୋକେ ମୋର ଏଭଳି ଦୁଃସାହସିକ କାର୍ଯ୍ୟକୁ ନିନ୍ଦା କଲେ l କିନ୍ତୁ ମୋ ଜେଜେ କହିଥିଲେ – ତାକୁ କାହିଁକି ନିନ୍ଦୁଛ ? ଅନ୍ୟ ଝିଅ ଭଳି ସେ ନୁହେଁ,ବରଂ ସେ ଆକାଶରେ ଉଡିବା ଝିଅ l ଦେଖିବ ରୁହ,ସେ ଏଇ ମାଟିରୁ ଆକାଶକୁ ଡ଼େଇଁବ l ପକ୍ଷୀରାଜ ଘୋଡା ଚଢ଼ିବ ମୋ ତିଳୋତ୍ତମା l
ସତରେ ମକୁନ୍ଦି, ମୋ ଜେଜେଙ୍କ ଭବିଷ୍ୟବାଣୀ ସତକୁ ସତ ସଫଳ ହେଲା l ବି.ଏସ.ସି ପାସ କଲାପରେ ଇଣ୍ଡିଆନ ଏୟାର ଫୋର୍ସରେ ଜଣେ ପାଇଲଟ ଭାବରେ ଜଏନ କଲି l ସେତେବେଳକୁ ମୋ ଜେଜେ ବିପ୍ର ଆଚାର୍ଯ୍ୟଙ୍କର ମୃତ୍ୟୁ ହେଇସାରିଥିଲା l
ମକୁନ୍ଦି କହିଲା – ହଁ ପରା, ଜେଜେ ବଞ୍ଚିଥିଲେ ତାଙ୍କର ଖୁସିର ଲହରୀ ଚତୁଃର୍ଦିଗରେ ବ୍ୟାପି ଯାଇଥାନ୍ତା l
କିନ୍ତୁ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଲଢ଼ି ମୋର ଦୁଇଟି ଯାକ ଗୋଡ଼ ହରାଇଲି l ଚାକିରୀରୁ ମୋତେ ସରକାର ଅବଶ୍ୟ ସେବା ନିବୃତ୍ତ କଲେ କିନ୍ତୁ ସୌର୍ଯ୍ୟ ଚକ୍ର ଉପାଧିରେ ବିଭୂଷିତ କରିଛନ୍ତି l ତା’ବାଦେ ଜଣେ ସିପାହୀ ମୋ ପାଖରେ ରହି ମୋର ଯତ୍ନ ନେବାର ସରକାର ବ୍ୟବସ୍ଥା କରିଛନ୍ତି l
ମକୁନ୍ଦି କହିଲେ – ଏବେ ବୁଝିପାରୁଛି ତୋର ଜୀବନ ଯନ୍ତ୍ରଣାର ରହସ୍ୟ l ତୋର ଅବିବାହିତ ଜୀବନ ଓ ଶାରୀରିକ ପଙ୍ଗୁତା ଭିତରେ କେବଳ ତୋ ଜେଜେଙ୍କୁ ଏଠାରେ ଦେଖିବୁନି ବରଂ ତୋ ବାଲ୍ୟ ଜୀବନର ପ୍ରତ୍ୟେକ ଘଟଣାକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରିପାରିବୁ l ଆମ ଗାଁର ଆବାଳ ବୃଦ୍ଧ ବନିତା ତୋ ପାଇଁ କେବେଳ ଗର୍ବିତ ନୁହନ୍ତି ବରଂ ଏଇ ଗାଁର ଧୂଳିକଣା ତୋର ତ୍ୟାଗ ଓ ସାହସର ଗୁଣଗାନ କରିବ ଯାହା ତୁ ଭୁବନେଶ୍ୱର ମାଟିରେ କେବେ ପାଇନଥାନ୍ତୁ l କେବଳ ସେତିକି ନୁହେଁ,ଭୂମିପୁତ୍ରୀ ସାଜି ଗାଁର ଅନେକ ପିଲାଙ୍କର ପ୍ରେରଣାଦାତ୍ରୀ ହେବୁ l
ଦୁଇ ବାଲ୍ୟ ବନ୍ଧୁଙ୍କର କଥାବାର୍ତ୍ତା ଭିତରେ ସମୟ ସେତେବେଳେ ସଠିଘରର କଉଡ଼ି ଭଳି ଗତିହୀନ ଓ କାରାରୁଦ୍ଧ l
——————0000————–
® ମନୋଜ କୁମାର ମହାପାତ୍ର

Share

Leave a Reply