ନୂଆ ଗଳ୍ପ : ପଢ଼ନ୍ତୁ ମନୋଜ କୁମାର ମହାପାତ୍ରଙ୍କ ‘କାଳପୁରୁଷ’
1 min read
ଗଳ୍ପ
*କାଳପୁରୁଷ*
ମନୋଜ କୁମାର ମହାପାତ୍ର
ହଠାତ ରାତି ଅଧରୁ ନିଦରୁ ଉଠିପଡିଲେ ଶଶାଙ୍କ ଆଚାର୍ଯ୍ୟ l ନିଦୁଆ ଆଖିରେ ଆକାଶକୁ ଚାହାଁନ୍ତେ ଦେଖିଲେ ଯେ ଜପମଗ୍ନ ବୈଷ୍ଣବମାନଙ୍କ ହାତରେ ଜପମୁଣି ଝୁଲିଲା ଭଳି ଆକାଶରେ ଅଷ୍ଟମୀ ଜହ୍ନ ପାର୍ଶ୍ଵରେ ଏକ ଭାସନ୍ତ ଶୁଭ୍ର ବାଦଲ ଝୁଲିପଡିଛି ତଳକୁ l ଏଇ ଟିକକ ବାଦଲ ବର୍ଷା ସମ୍ଭାବନାର ଏକ ସଂକେତ ନ ହେଇପାରେ ବୋଲି ଭାବି ଖୁସି ହେଲେ ସତ କିନ୍ତୁ ମେଘର ମନ୍ଦ୍ର ଧ୍ଵନି ଜପମୁଣି ରୂପୀ ବାଦଲ ଭିତରୁ ଶୁଣାଯିବା ଭଳି ତାଙ୍କୁ ଲାଗିଲା l ଅଷ୍ଟମୀ ଜହ୍ନର ଚାରିପାଖ ଇଲାକାକୁ ନିଠେଇ ଚାହିଁଲେ l କାହଁ କେଉଁଠି ତ ବାଦଲ ନାହିଁ ? ତେବେ ମୋର ମେଘର ଡାକ ଶୁଣିବା ଭଳି ଲାଗିବା କଣ ଏକ ଭ୍ରମ ?
ନା ନା ଭ୍ରମ ନୁହେଁ l ହେଇ ପରା ଆମ ଚାଳ ପିଢାର ପଶ୍ଚିମ ଦିଗରେ ଠିଆହେଇଥିବା ଡେଙ୍ଗା ନଡ଼ିଆ ଗଛ ଆକାଶରେ ତିନିଟିକିଆ କାଳପୁରୁଷ ତାରାକୁ ଖଣ୍ଡିଏ କଳା ବାଦଲ ଦ୍ରୁତଗତିରେ ଗିଳିସାରିଲାଣି l ଦେଖୁ ଦେଖୁ ବୈଷ୍ଣବ ଜପମୁଣି ବି କଳା ବାଦଲ ପେଟରେ ପଶିଗଲାଣି କେତେବେଳୁ l ଜହ୍ନ କାହିଁ ? ଆକାଶଟାକୁ କଳା ବାଦଲ ପୁରା ଘୋଡେଇ ଗର୍ଜନ ତର୍ଜନ କରି ଗାଁକୁ ହୁଲୁସ୍ତୁଲ କଲାଣି l ବାପରେ ବାପ କି ବର୍ଷା !!!
ଖରାଦିନିଆ ବର୍ଷା ତ l ପାଞ୍ଚ ସାତ ମିନିଟ ଭିତରେ ଆକାଶ ସଫା ଦିଶିଲା l ତିନିଟିକିଆ କାଳପୁରୁଷ ତାରା ପୁଣି ତା' ଜାଗାରେ ଉଭା l କିନ୍ତୁ ମଝି ତାରାଟା ଅସ୍ୱାଭାବିକ ଭାବରେ ମିଟମିଟ କରୁଥିବା ଦେଖି ସେ ଭୟରେ ଚମକି ଉଠିଲେ l ପୁଣି ସେ କଣ ଆସିବ କି ? ଅନେକ ବର୍ଷ ତଳେ ସେ ଆସିଥିଲା ଏମିତି ଏଜ ରାତିରେ ମଝି ତାରାଟା ମିଟିମିଟି କରୁଥିବାବେଳେ,ତାକୁ ନେଇ ମୋତେ ନଈ ଆର ପଟରେ ଛାଡ଼ିବାକୁ ପଡିଥିଲା l ସେଥିପାଇଁ ମୋତେ କମ ନାକେଦମ ହେବାକୁ ପଡିନଥିଲା l ହଉ ଏଥର ଦେଖିବା କଣ ହେଉଛି l
କଣ ଆଉ ହେବ ? ପଛକୁ ଚାହିଁ ଦେଖନ୍ତି ତ କିଏ ଜଣେ ଠିଆ ହେଇଛି l ସତର ଅଠର ବର୍ଷର ଝିଅଟିଏ l ଝିଅଟିଏ ନା ଛାଇଟିଏ ? ଚାରିଆଡେ ଅନ୍ଧାର l ସେ ଓଉଗଛ ମୁଳରେ ଠିଆହେବା ଭଳି ଦେଖାଯାଉଛି l ଅନ୍ଧାର ଭିତରେ ଅନ୍ଧାରୀ ଛାଇ କଣ ଠିଆ ହେଇପାରିବ ? ନିଶ୍ଚୟ ସେ ତିର୍ପଣ୍ଡ କାଳି ଝିଅ ହେଇଥିବ ଏବଂ କଳା ଶାଢ଼ୀ ବି ପିନ୍ଧିଥିବ ?
ସେ କାହିଁକି କଳା ପୋଷାକ ପିନ୍ଧିଥିବା କାଳିଆ ପୁଅଟିଏ ହେଇନଥିବ ? ଓହୋଃ ଆଜି ତ ଅମାବାସ୍ୟା l କିଟିମିଟି ଅନ୍ଧାର l ଏଭଳି ଗଭୀର ଅନ୍ଧାର ଭିତରେ ତାକୁ ଚିହ୍ନିବା ଭାରୀ କଷ୍ଟ l ତଥାପି ମୁଁ ନିଶ୍ଚିତ ଯେ ସେ ସେଇ କାଳୀ ଝିଅ ହେଇଥିବ l
ଆଲୁଅ କେଉଁଠୁ ଆଣିବି ? ଏମିତି ଅନ୍ଧାର ଭିତରେ ଆଲୁଅ ଖୋଜିବା ନିରର୍ଥକ l ସମସ୍ତ ଆଲୁଅକୁ ଛାଡି ଏଠିକି ପଳାଇ ଆସିଛି ଢେର ଦିନ ହେଲାଣି l ପୁଣି କଣ ମୋତେ ଆଲୁଅ ପାଖକୁ ଯିବାକୁ ପଡିବ ? ନା ନା ସମ୍ଭବ ନୁହେଁ l
ଆଛା, ଓଉଗଛ ମୁଳରେ ଠିଆହେଇଥିବା କାଳି ଝିଅ ପାଖକୁ ମୁଁ ଯିବି ନା ସେ ମୋ ପାଖକୁ ଆସିବ ? ସେ କାହିଁକି ବା ଆସିବ ? ଯେତେବେଳେ ମୁଁ ଏକୁଟିଆ ରାତି ଅଧରେ ଉମେହିରେ ଗୋବର ଘଷି ଜଳେଇ ନିଆଁ ପୁଉଁଥିଲି,ସେତେବେଳେ ତ ଆସିଲାନି l ଆସିଥିଲେ ମୁଁ ଚିହ୍ନିଥାନ୍ତି, କାହିଁକି ନା ମୋ ପାଖରେ ଆଲୁଅ ଥିଲା l ବର୍ତ୍ତମାନ ଆଲୁଅ ଅଛି ନା ଫାଲୁଅ l ଯାହା ଅଛି, ତାହା ସବୁ କେବଳ ପୋଥିଗତ ବିଦ୍ୟା l କେଉଁ କାମରେ ଆସିବନି l ହେଇ ଦେଖୁନ, ଆକାଶରେ ଆକାଶେ ତାରା ବିଞ୍ଚି ହେଇ ପଡିଛି l ହେଲେ କଣ ହେବ ? ଯେଉଁ ଅନ୍ଧାରକୁ ସେହି ଅନ୍ଧାର l
କିଟମିଟ ଅନ୍ଧାର ଭିତରେ ଏମିତି ଭାବୁ ଭାବୁ ଇୟେ କଣ ଦେଖୁଛି ? ଯେଉଁ ତିନିଟିକିଆ କାଳପୁରୁଷ ତାରା ସମାନ୍ତର ସରଳ ରେଖାରେ ଦେଖାଯାଉଥିଲା,ଏବେ କଣ ତା'ର ମିଟିମିଟି କରୁଥିବା ମଝି ତାରାଟି ଉପରକୁ ଉଠିଗଲାଣି ଏବଂ ଆଉ ଦୁଇଟି ତାରା ତା'ର ତଳକୁ ଖସି ଆସିଛି l ଇୟେ କଣ ତ୍ରିନୟନୀ ବେଶ ମହାକାଳୀଙ୍କର ? ତୃତୀୟ ନୟନ ଖୋଲିଗଲାକି ?
ମୋ ଗୁରୁଙ୍କ ଠାରୁ ଢେର ଦିନ ତଳେ ଶୁଣିଥିଲି - ସୃଷ୍ଟି ଆରମ୍ଭ ଠାରୁ ଏଇ କାଳପୁରୁଷ ତାରା ଆକାଶର ଦକ୍ଷିଣ-ପଶ୍ଚିମ କୋଣରେ ତିନିଟିଜିଆ ତାରା ରୂପରେ ଦେଖାଯାଏ l ତା'ର ଅର୍ଥ ହେଉଛି କାଳ ଓ ପୁରୁଷ l କାଳ ମାନେ ସମୟ ଓ ଆକାଶ l ପୁରୁଷ ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ ଶିବ l କାଳ ତାଙ୍କର ଶକ୍ତି ବା ମହାକାଳୀ l ପ୍ରଳୟ ପରେ ଶିବଙ୍କ ଭିତରେ ଶକ୍ତି ମିଳେଇ ଯାଆନ୍ତି l
ପୁଣି ଗୁରୁ କହିଥିଲେ - ମନେରଖିବୁରେ ଶଶାଙ୍କ ! ମଝି ତାରାଟି ଦେବୀଙ୍କର ତୃତୀୟ ନୟନ ବୋଲି ଜାଣିବୁ l ଦେବୀ ପ୍ରସନ୍ନ ହେଲେ ତାଙ୍କର ତୃତୀୟ ନୟନ ଖୋଲିଯାଏ,ଜୀବକୁ ସେଇ ମାର୍ଗରେ ମୋକ୍ଷ କରାନ୍ତି l
ଗୁରୁଙ୍କ ବାକ୍ୟ ସ୍ମରଣ ମାତ୍ରେ ମୋ ମୁହଁରେ ହସ ଖେଳିଯାଉଛି l ହେ କାଳପୁରୁଷ, ତୁମକୁ ଏଇ ଅନ୍ଧାର ରାଜ୍ୟରେ ପ୍ରଣାମ କରୁଛି l
ଓଉଗଛ ମୁଳରେ ଠିଆ ହେଇଥିବା ରୂପଟି କ୍ରମଶଃ ମୋ ଆଡକୁ କଣ ଆସୁଛି ? ହଁ ତ ସେ କଳାଶାଢ଼ୀ ପିନ୍ଧିବା ପରି ଦେଖାଯାଉଛି l ବଡ଼ ଆଶ୍ଚର୍ଯ୍ୟ ! ତିନିଟିକିଆ ତାରାର ମିଟିମିଟ କରୁଥିବା ମଝି ତାରାଟି ଆଉ ମିଟିମିଟ କରୁନି ବରଂ ଖୁବ ଉଜ୍ଜଳ ଦେଖାଗଲାଣି l ତା'ର ଆଲୋକରେ କାଳୀ ଝିଅଟାର ମୁହଁକୁ ମୁଁ ବେଶ ଦେଖିପାରୁଛି l
ହାଉଳି ଖାଇଲି - କଣ ମୋତେ ଖାଇବୁକି ? ଯଜମାନଙ୍କର ପୁରୋହିତ ଭାବରେ ତୋର ପୂଜା ତ ମୁଁ ଵିଧି ଅନୁଯାୟୀ କରିଛି, ମୋ ଜାଣିବାରେ ମୁଁ କିଛି ଭୁଲ କରିନି l ତୁ ପୁଣି ମୋ ପାଖକୁ କାହିଁକି ଆସିଛୁ ?
ତୋର ମନେନାହିଁକି,ବହୁ ବର୍ଷ ପୂର୍ବରୁ ତୋ ପୂଜାରେ ଥରେ ଭୁଲ କରିଥିଲି ବୋଲି ତୋ କାଳିସୀର ବେତ ପାହାର ଖାଇଥିଲି l ମୋ ପିଠିରେ ପରା ନୋଳା ବସିଯାଇଥିଲା l
ନା ମଃ ସେ କାହିଁକି ଆସିବ ଏଇ ନିଛାଟିଆ ଜାଗାକୁ ? ଜୀବନ ସାରା ତାକୁ ଚାହିଁ ଚାହିଁ ସେ ଆସିଲାନି l ମାଟିର ପ୍ରତିମା ପୂଜା କରି କରି ମୋ ଜୀବନ ସରିଲା l ମୋ ଭଳି ପାଷାଣ୍ଡ କଣ ତା'ର ଚିନ୍ମୟୀ ରୂପ ଦେଖିପାରିବ ? ଗୁଣିଆଟେ ମୁଇଁ l ଭୂତ ପ୍ରେତ ସିନା ମୋର ଗୁଣି ବଳରେ ବଶ ହେବେ, ତୋତେ କିଏ ବଶ କରିବଲୋ ମା? ମନ୍ତ୍ର ଘୋଷିହେଲେ ତୁ କଣ ମିଳିବୁ ?.
ସେଇ କାଳୀ ଝିଅଟା ଗୋଟେ ଅଶରାରୀ ପେତିନି ହେଇଥିବ l ବୁଢା କାଳରେ ମୋ ଉପରେ ଦାଉ ସାଧିବାକୁ ଆସିଛି l ଏବେ ବୁଢା ହେଲିଣି, ନା ମନ୍ତ୍ର ଉଚ୍ଚାରଣ କରିପାରୁଛି ନା ପୂଜା ହୋମ l ତଥାପି ମୋ ଦେହରେ କିଛି ଶକ୍ତି ଅଛି l ତୁ.....ଆ.... ମୋ ପାଖକୁ l ଏଥର ଏମିତି ପାନେ ଦେବି ଯେ ତୋତେ ଦେଶାନ୍ତର କରି ଜନଶୂନ୍ୟ ବିଲ ମଝିରେ ଥିବା କାନକୋଳି କଣ୍ଟାର ବଣ ଭିତରେ ପକାଇଦେବି l ଚାରିପଟେ ପିରିକ କଣ୍ଟା ପୋତିଦେବି l ତୁ ଆଉ ଦିନେ ମୋ ପାଖକୁ ଆସିବାକୁ ସାହସ କରିବୁନି l
ଏମିତି ଭାବି ଭାବି ରାଗରେ ମୋ ଦେହଟା ଖାଲି ଜଳୁଛି l ଆଖି ଡିମା ଡିମା କରି ତାକୁ ଚାହିଁବାକୁ ଚେଷ୍ଟାକଲି l
ଓହୋଃ..... ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରାଇଦେଲି କି ????
କିନ୍ତୁ ତାକୁ ମୁଁ ଆଉ ଚାହିଁ ପାରିଲିନି,ବାପରେ ବାପ ଏତେ ଆଲୁଅ ! ତାକୁ କଣ ଚାହିଁ ହେବ ? ଛାନିଆରେ ତାକୁ ପିଠି କରି ପଛକୁ ବୁଲି ପଡିଲି,ଆଗକୁ ଚାହିଁଲି ବହୁ ଦୁରକୁ, ହଁ ମଃ ଯୋଜନ ଯୋଜନ ଦୁରକୁ l ଏଁ ଏଁ ଏଁ ଇୟେ କଣ ?
ମୋ ଗାଁ ଘର ସାମ୍ନାରେ ଶୋକ ସଭା କଣ ହେଉଛି ? କାହାର ? ଶଶାଙ୍କ ଆଚାର୍ଯ୍ୟ ? ମୁଁ କଣ ମରିଗଲିକି ? ସଭାରେ ଗାଁଟା ଯାକ ଲୋକ ବସିଛନ୍ତି l ସମସ୍ତେ ଚିହ୍ନା ଲାଗୁଛନ୍ତି l
ସେମାନେ ଜଣକ ପରେ ଜଣେ ବକ୍ତା ଭାବରେ ଶଶାଙ୍କ ଆଚାର୍ଯ୍ୟ ବିଷୟରେ କହୁଥିଲେ l ଓହୋଃ ତାହେଲେ ମୁଁ ଜଣେ ବିଶିଷ୍ଟ ବ୍ୟକ୍ତି ? କିନ୍ତୁ କାହିଁ ତ ମୁଁ ଜୀବିତାବସ୍ଥାରେ ଜାଣିନଥିଲି ଯେ ମୋତେ ଏତେ ଲୋକ ଭଲ ପାଆନ୍ତି ବୋଲି l ଆଛା ହେଉ କଣ ସେମାନେ କହୁଛନ୍ତି ଟିକେ ଶୁଣିବା l
ଜଣେ ବକ୍ତା କହୁଥିଲେ - ସେ ଥିଲେ ଆମ ଅଂଚଳର ଜଣେ ବିଶିଷ୍ଟ କର୍ମାଙ୍ଗୀ ବ୍ରାହ୍ମଣ l ରାତି ଅଧରେ ଶୋଇଥିବା ଅବସ୍ଥାରେ,ଏଇ ବାର ଚଉଦ ଦିନ ତଳେ,ଖଟ ଉପରୁ ତଳକୁ ଖସିପଡି ବେହୋସ ହେଇଯାଇଥିଲେ l ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଆଇ. ସି. ୟୁ ରେ ଭର୍ତି କରାଯାଇଥିଲା l ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ସେ ଆଉ କୋମାରୁ ଫେରିଲେ ନାହିଁ l କେତେଦିନ ଆଉ ଭେଣ୍ଟିଲେଟରରେ ରହିଥାନ୍ତେ ? ଏଣେ ତାଙ୍କର ବୟସ ହେଲାଣି ନବେ l ଶେଷରେ ଦେହାନ୍ତ ହେଲା l
ଆଉ ଜଣେ କାନ୍ଦୁରା ମୁହଁରେ ଭାଷଣ ଦେଉଥିଲେ - ଏତେ ବଡ଼ ଶାସ୍ତ୍ରଜ୍ଞ ଅଥର୍ବବେଦୀ ବ୍ରାହ୍ମଣ ତଥା ଶକ୍ତି ଉପାସକ ସତରେ ଖଣ୍ଡମଣ୍ଡଳରେ ବିରଳ l ତନ୍ତ୍ରରେ ଧୂରୀଣ ବ୍ୟକ୍ତିତ୍ୱ l ଗୁଣିଗାରେଡିରେ ସିଦ୍ଧହସ୍ତ l ତାଙ୍କ ନାଁ ଉଚ୍ଚାରଣ ମାତ୍ରେ ଭୂତ ପ୍ରେତଙ୍କର ପ୍ରକୋପ ଥମିଯାଏ l
ଦୁର୍ଗା ଓ କାଳୀଙ୍କର ମୃଣ୍ମୟୀ ପ୍ରତିମା ଆଗରେ ବସି ଚଣ୍ଡୀପାଠ କରିବାର ଭଙ୍ଗୀ ଓ ଶବ୍ଦର ଗୁରୁ ଗମ୍ଭୀର ସ୍ୱର ଯିଏ ଶୁଣେ,ସେ ଅବାକ ହେଇ ବସିଯାଏ ସେଇଠି କିଛି କ୍ଷଣ l ଅନନ୍ୟ ତାଙ୍କର ପୂଜାପଦ୍ଧତି l ଲୋକେ କହନ୍ତି ସ୍ୱୟଂ କାଳୀ କାଳେ ଆବିର୍ଭୁତ ହେଇଯାଆନ୍ତି ମାଟି ପ୍ରତିମାରେ l
ଆଉ ଜଣେ ବ୍ୟକ୍ତି ଆଖି ତରାଟି କହୁଥିଲେ - ବାପରେ ବାପ ! ଦୀପାବଳି ଦିନ ରାତି ଅଧରେ କାଲିମେଘା କାଳୀଙ୍କର ପୂଜା କରୁଥୁବା ସମୟରେ ଶଶାଙ୍କ ନନା ଦେଖିଥିଲେ ଏକ ଅଦ୍ଭୁତ ଦୃଶ୍ୟ l ନାକରେ ପିନ୍ଧିଥିବା ହୀରାଖଚିତ ନୋଥର ଆଲୁଅରେ କାଳୀଙ୍କର ତ୍ରିପଣ୍ଡ କଳା ମୁହଁ-କପାଳରେ ଥିବା ତୃତୀୟ ନୟନ କାଳେ ଜକଜକ କରୁଥିଲା l ସେ ମୋତେ କହିଥିଲେ- ଆହାଃ କି ସୁନ୍ଦର ହସ ମୁହଁ ଦେବୀଙ୍କର !!
ଆଉ ଜଣେ ବକ୍ତା କହୁଥିଲେ - ଯାହାହେଉ ତାଙ୍କର ଏକମାତ୍ର ଭଣଜା ବସନ୍ତ ଓ ତାର ସ୍ତ୍ରୀ ବୁଢାକାଳରେ ଯତ୍ନ ସହିତ ଦେଖାଶୁଣା ତାଙ୍କର କରିଥିଲେ l ଯାହାବିହେଉ ନନା ଜଣେ ଭଲ ମଣିଷ ଥିଲେ ଏବଂ ଥିଲେ ବି ସମସ୍ତଙ୍କର ମଙ୍ଗଳାକାଂକ୍ଷୀ l ବିପଦ ଆପଦରେ ଲୋକଙ୍କ ପାଖରେ ଠିଆ ହେଉଥିଲେ l ଯାହା ରୋଜକାର କରୁଥିଲେ,ଅଧା ଗରିବଙ୍କ ପେଟ ପାଇଁ ଦେଇଦିଅନ୍ତି l ସତରେ ଏପରି ମହତ ବ୍ୟକ୍ତି କୋଟିଏରେ ଗୋଟିଏ ମିଳିବେ l
ଆଉ ଜଣେ ବକ୍ତା କହୁଥିଲେ - ବାର ଚଉଦ ଦିନ ସେ ଅବଶ୍ୟ କୋମାରେ ରହିଲେ, କିନ୍ତୁ ତାଙ୍କ ମୁହଁ ସଦ୍ୟ ଗୋଲାପ ଫୁଲ ଭଳି ସତେଜ ଥିଲା l ଓଠରେ ଲହରୀତ ମୃଦୁ ହସର ଛିଟା l ପ୍ରଶାନ୍ତ ମୁଖ ମଣ୍ଡଳ,ସତେକି ସେ ମହାମାୟା ମହାଦେବୀଙ୍କ କୋଳରେ ନିର୍ଭୟରେ ନିଗୋଢ଼ ନିଦରେ ଶୋଇଛନ୍ତି !
ଆଉ ଜଣେ ବକ୍ତା କହୁଥିଲେ - ବିଚରା ଶଶାଙ୍କ ନନା ସିନା ମନ୍ତ୍ର ତନ୍ତ୍ର ଦ୍ୱାରା ଦେବୀଙ୍କୁ ଟାଣି ଆଣନ୍ତି, ହେଲେ କଣ ହେବ,ପରିବାରଟିଏ ନିଜ ପାଇଁ ଗଢ଼ିପାରିଲେନି l ତିନି ତିନିଥର ବାହା ହେଲେ,କେହି ସ୍ତ୍ରୀ ବର୍ଷେରୁ ଅଧିକ ବଞ୍ଚିଲେନି l ଶେଷରେ ଗୋଟିଏ ସାହାଡ଼ା ଗଛକୁ ବାହାହେଲେ l କିନ୍ତୁ ଫଳ କିଛି ହେଲାନି l
କେମିତିବା ସ୍ତ୍ରୀ ଲୋକ ତାଙ୍କ ଘରେ ରହିପାରିବେ ? ସେ ତ ଗ୍ରାମ ଦେବତୀ ଡାକିନୀଙ୍କୁ ବନ୍ଧନରେ ରଖିଥିଲେ l ଆହାଃ... ବିଚରା ଶଶାଙ୍କ ନନାଙ୍କ ବଅଁଶଟା ଅଯଥାରେ ବୁଡିଗଲା ହୋ l
ଏଥର ଏଭଳି ଅବାନ୍ତର କଥା ଶୁଣି ମୋର ଧୈର୍ଯ୍ୟଚ୍ୟୁତ ଘଟିଲା l ମୁଁ ଗର୍ଜନ କରି କହି ଉଠଲି - ଆରେ ମୂର୍ଖ ? ମୋ ମା ନାଁ ରେ ମିଛ କହନିରେ l କିଏ କାହାକୁ ବନ୍ଧନ କରିବ ହୋ ? ମୋ ମା ହେଉଛି ପରା ସାରା ଜଗତର ମା l ତାକୁ କିଏ ବାନ୍ଧିବ ନା ବଶ କରିପାରିବ ? ସେ ତ ସବୁ ଜୀବକୁ ବାନ୍ଧି ଝୁଲଣରେ ଝୁଲାଇ ନାନାବାୟା ଗୀତ ଶୁଣାଉଛି l ବଅଁଶ ବଢ଼ଉଛି,ପୁଣି ବଅଁଶ ବୁଡ଼ଉଛି l ଇୟେ ତାର ଇଛା,ତାର ଅନନ୍ତ ଲୀଳା l
ହେଇ ଦେଖୁନ,ଶୋକସଭା ମୋ ଆଖି ଆଗରୁ କିପରି ନିମିଷକେ ହେଲା ଅଦୃଶ୍ୟ l ଓହୋ...ତେବେ ମୁଁ ମୃତ l
ଏମନ୍ତ ସମୟେ ମୁଁ ଚାରିଆଡକୁ ଚାହିଁଲି - ଚାରିଆଡେ ଶୂନଶାନ l କିନ୍ତୁ ଆଲୋକମୟ l ଶ୍ମଶାନଟା ଆଖି ଆଗରେ ଝଲସି ଉଠିଲା l ସେଠାରେ ନିଆଁ କି ଧୂଆଁ କିଛି ନାହିଁ l କେବଳ ମେଞ୍ଚାଏ ପାଉଁଶ l ଉଃ... ଏଇଟା ମୋର ମୋର ମୁଠାଏ ପାଉଁଶ ????
ହତାଶ ହେଇ ଚାରିପଟକୁ ଅନାଇଲି l କୁଆଡେ ଗଲା ସେଇ କାଳୀ ଝିଅ ? କୁଆଡେ ଗଲା ତିନିଟିକିଆ କାଳପୁରୁଷ ତାରା ? ଚାରିଆଡେ ଆଲୋକ ଗଙ୍ଗଶିଉଳି ପରି ଭୂମିରେ ବିଛେଇ ହେଇ ପଡିଛି l ନା ଅଛି ମାଟି ନା ଆକାଶ ନା କାଳ l ସବୁକିଛି ପଞ୍ଚଭୂତ-ଶୂନ୍ୟ ଜଗତ l କେବଳ ଆଲୋକର ଉର୍ମିମାଳା ଲହଡି ଭାଙ୍ଗୁଛି l
ଆନନ୍ଦରେ ଗଦ ଗଦ ହେଇ ସେ କହିଉଠିଲେ - ହଁ ହଁ କେବଳ ରହିଛନ୍ତି କାଳାତୀତ ଏକ ଓ ଅଦ୍ୱୈତ ପୁରୁଷ l ଚାହୁଁ ଚାହୁଁ ଶଶାଙ୍କ ଆଚାର୍ଯ୍ୟ ସେହି ଜ୍ୟୋତିର୍ମୟ ପୁରୁଷଙ୍କ ଭିତରେ ମିଳେଇ ଯାଉଥିବା ସମୟରେ କେବଳ ସମଗ୍ର ବ୍ରହ୍ମାଣ୍ଡରେ ସ୍ୱତଃ ଶୁଭୁଥିଲା ଓଂ କାର ଧ୍ଵନି ----
ନ ତତ୍ର ସୂର୍ଯ୍ୟୋ ଭାତି ନ ଚନ୍ଦ୍ରତାରକ°
ନେମା ବିଦ୍ୟୁତୋ ଭାନ୍ତି କୁତୋୟଃମଗ୍ନି,
ତମେବ ଭାନ୍ତ ମନୁଭାତି ସର୍ଵ°,.
ତସ୍ୟ ଭାସା ସର୍ବମିଦ° ବିଭାତି l———–00000———
® ମନୋଜ କୁମାର ମହାପାତ୍ର
