ମଣିଷ ଭିତରେ ମଣିଷଟିଏ ବିନାୟକ ଆଚାର୍ଯ୍ୟ
1 min read
(ଜୟନ୍ତିରେ ଶ୍ରଦ୍ଧାଞ୍ଜଳି)
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ଥିଲେ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ବିରଳ ରାଜନେତା |1918 ମସିହା ଅଗଷ୍ଟ 30 ତାରିଖରେ ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ଶଙ୍କରପୁର ସାହିରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ |ତାଙ୍କ ପିତାଙ୍କ ନାମ ରଘୁନାଥ ଆଚାର୍ଯ୍ୟ ଓ ମାତାଙ୍କ ନାମ ପାର୍ବତୀ ଦେବୀ ଥିଲା |ତାଙ୍କ ପ୍ରପିତାମହ ପାଲକୋଣ୍ଡା ରାଜାଙ୍କ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କୁ ବ୍ରିଟିଶ ସରକାର ବ୍ରହ୍ମପୁରରେ ଥଇଥାନ କରିଥିଲେ |ବିନାୟକ ଆଚାର୍ଯ୍ୟ ନିଜର ପ୍ରାଥମିକ ଶିକ୍ଷା ବ୍ରହ୍ମପୁରରେ ଶେଷ କରି ଖଲ୍ଲିକୋଟ କଲେଜରୁ I. A. ଓ ପାରଳା ମହାରାଜା କଲେଜରୁ B. A. ଓ କଟକରୁ B. ED. ଡିଗ୍ରୀ ହାସଲ କରିଥିଲେ |
ଛାତ୍ର ଅବସ୍ଥାରେ ସେ କାର୍ଲ ମାର୍କ୍ସଙ୍କ ସାମ୍ୟବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ବି ପରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇଥିଲେ |ସେ ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର ହେବାର ସୁଯୋଗ ପାଇଥିଲେ ହେଁ ଶିକ୍ଷକତା କୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଥିଲେ |ବ୍ରହ୍ମପୁର ପୌର ଉଚ୍ଚ ବିଦ୍ୟାଳରେ ପ୍ରଥମେ ସହକାରୀ ଶିକ୍ଷକ ଓ ପରେ ପ୍ରଧାଶିକ୍ଷକ ଭାବେ କାର୍ଯ୍ୟ କରି ସାରା ଗଞ୍ଜାମ ଜିଲ୍ଲାରେ “ବିନାୟକ ମାଷ୍ଟ୍ରେ ” ନାମରେ ପରିଚୟ ହାସଲ କରିଥିଲେ |ଶିକ୍ଷକମାନଙ୍କ ହକ ପାଇଁ ସେ ଓଡିଶା ମାଧ୍ୟମିକ ଶିକ୍ଷକ ମହାସଙ୍ଘ ଗଠନ କରିଥିଲେ |
ସେ 1942 ଭାରତ ଛାଡ଼ ଆନ୍ଦୋଳନ, ହରିଜନ ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଏବଂ ବିନୋବା ଭାବେଙ୍କ ଭୁଦାନଆନ୍ଦୋଳରେ ମହତ୍ତ୍ପୂପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ଜଣେ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ଆସି ମଧ୍ୟ ସେ ଅସ୍ପୃଶ୍ୟତା ବିରୁଦ୍ଧରେ ଲଢ଼ିଥିଲେ |ଦୀର୍ଘ 30 ବର୍ଷ ଧରି ରାଷ୍ଟ୍ର ଭାଷା ପ୍ରଚାର ସମିତି ସହ ଜଡିତ ରହି ଓଡ଼ିଶାରେ ହିନ୍ଦୀ ଭାଷାର ବ୍ୟାପକ ପ୍ରସାର କରିଥିଲେ |
ପ୍ରଥମେ କମୁନିଷ୍ଟ ପାର୍ଟି ସହ ଜଡିତ ଥିବା ବିନାୟକ ବାବୁ 1958 ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ | 1967ମସିହାରେ ସେ ଶିକ୍ଷକତାରୁ ଇସ୍ତଫା ଦେଇ ପ୍ରଥମ ଥର ପାଇଁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେଲେ ଓ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ |1971 ଓ 1974 ମସିହାରେ କ୍ରମାଗତ ବିଜୟୀ ହୋଇ ସେ ନନ୍ଦିନୀ ଶତପଥିଙ୍କ ମନ୍ତ୍ରୀ ମଣ୍ଡଳରେ କୃଷି, ଶିକ୍ଷା, ଅର୍ଥ ଓ ଅବକାରୀ ଭଳି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ|
1976 ମସିହା ଡ଼ିସେମ୍ବର 29 ତାରିଖରେ ଓଡିଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ |ତାଙ୍କ ମୁଖ୍ୟମନ୍ତ୍ରୀତ୍ବର ଅବଧି 123 ଦିନ ଥିଲେ ମଧ୍ୟ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ | କଲେଜ ଶିକ୍ଷକ ମାନଙ୍କପାଇଁ UGC ଦରମା ଲାଗୁ କରିବା, ଗରିବ ଛାତ୍ରଙ୍କ ପାଇଁ ବ୍ଲକ ବ୍ୟାଙ୍କ ପ୍ରତିଷ୍ଠା, ଗ୍ରାମାଞ୍ଚଳ ରେ ମହାଜନୀ କାରବାର ବନ୍ଦ କରି କୃଷକମାନଙ୍କ ପାଇଁ ସମବାୟ ଋଣ ବ୍ୟବସ୍ଥା କରିବା ଆଦି ତାଙ୍କ ଶାସନ ସମୟର ପ୍ରମୁଖ ସଫଳତା ଥିଲା |ତାଙ୍କ ମତରେ ମାନବ ସମ୍ବଳ ବିକାଶ ବିନା ରାଜ୍ୟର ପ୍ରଗତି ଅସମ୍ଭବ |
1977 ଏବଂ 1980 ବିଧାନସଭା ନିର୍ବାଚରେ ପରାଜୟ ସତ୍ୱେ ସେ ନିଜର ଆଦର୍ଶରୁ ବିଚ୍ୟୁତ ହୋଇ ନଥିଲେ |1983 ମସିହା ଡ଼ିସେମ୍ବର 11 ତାରିଖ ଦିନ ମାତ୍ର 65 ବର୍ଷ ବୟସରେ ଆଦର୍ଶ ମଣିଷ ବିନାୟକ ଆଚାର୍ଯ୍ୟ ଙ୍କର ଦେହାନ୍ତ ହୋଇଥିଲା |ତାଙ୍କ ଅନ୍ତିମ ସଂସ୍କାରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |ତାଙ୍କ ପରଲୋକରେ ଏକ ସଚୋଟ ଗାନ୍ଧିବାଦୀଙ୍କ ଜୀବନ ଅବସାନ ଘଟିଲା |
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ
