tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗୀତା ୧:୨ ଶ୍ଳୋକ: ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ…

1 min read

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧:୨ ଶ୍ଳୋକ

ସଞ୍ଜୟ ଉବାଚ –
ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ୟୂଢଂ ଦୁର୍ୟୋଧନସ୍ତଦା ।
ଆଚାର୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ୍ ॥

  • ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିର ଦୃଶ୍ୟ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି – ପାଣ୍ଡଵ ସେନାଙ୍କ ବ୍ୟୁହ ରଚନା ଦେଖି ଦୁର୍ଯ୍ୟୋଧନ ତାଙ୍କ ଗୁରୁ ଆଚାର୍ଯ୍ୟ ଦ୍ରୋଣଙ୍କ ପାଖକୁ ଯାଇ ଏପରି କହିଲେ ।
    ଏହି ଶ୍ଳୋକରେ ପାଣ୍ଡବମାନଙ୍କର ସେନାବାହିନୀକୁ ଦେଖି ଦୁର୍ଯ୍ୟୋଧନଙ୍କ ମନରେ ଗୁପ୍ତ ଭୟ ଓ ଅଶାନ୍ତି ପ୍ରକାଶ ପାଉଛି । ଜଣେ କ୍ଷମତାଶାଳୀ ରାଜା ହେବା ସତ୍ତ୍ୱେ ସେ ନିଜର ଆତ୍ମବିଶ୍ୱାସ ହରାଇଛନ୍ତି । କାରଣ, ଅନ୍ୟାୟ ଉପାୟରେ ହାସଲ କରିଥିବା ଶକ୍ତି ସଦା ଭୟଭୀତ ରହିଥାଏ ।
    ଅନ୍ୟପକ୍ଷରେ, ‘ପାଣ୍ଡବାନୀକଂ ବ୍ୟୂଢଂ’- ଶୃଙ୍ଖଳା ଓ ନ୍ୟାୟର ପ୍ରତୀକ । ଦୁର୍ଯୋଧନ ଦେଖୁଛନ୍ତି ଯେ ପାଣ୍ଡବମାନଙ୍କ ସେନା ସୁସଂଗଠିତ, ସୁସଜ୍ଜିତ । ଏହା କେବଳ ସେନାର ବ୍ୟୁହ ନୁହେଁ, ବରଂ ନ୍ୟାୟ, ଧର୍ମ ଓ ନୀତିର ପ୍ରତୀକ । ଧର୍ମରେ ଦଣ୍ଡାୟମାନ ଶକ୍ତି ଦେଖି ଅଧର୍ମ କମ୍ପିତ ହୁଏ ।
    ଦୁର୍ଯୋଧନଙ୍କର ଦ୍ରୋଣାଚାର୍ଯ୍ୟଙ୍କୁ ସମ୍ବୋଧନ ଥିଲା – ଗୁରୁ-ଶିଷ୍ୟ ସମ୍ପର୍କର ଦ୍ୱନ୍ଦ୍ୱ । ଦୁର୍ଯୋଧନ ଜାଣନ୍ତି ଯେ, ଦ୍ରୋଣାଚାର୍ଯ୍ୟ ପାଣ୍ଡବମାନଙ୍କର ମଧ୍ୟ ଗୁରୁ । ତେଣୁ ତାଙ୍କ ମନରେ ସନ୍ଦେହ – ଗୁରୁ କେଉଁ ପକ୍ଷରେ ? ଦୁର୍ଯ୍ୟୋଧନଙ୍କ ଶଙ୍କା, ଏକ ସାର୍ବଭୌମ ସତ୍ୟକୁ ଉଜାଗର କରେ – ଶକ୍ତି, ପଦ ଓ ସେନା ଥିଲେ ମଧ୍ୟ ଯଦି ନ୍ୟାୟ ନାହିଁ, ମନ ଶାନ୍ତ ରହେନାହିଁ ।
    ଦୁର୍ଯ୍ୟୋଧନଙ୍କ ପାଖରେ ସେନା ଥିଲା, ସମ୍ପଦ ଥିଲା, ସତ୍ତା ଥିଲା, ତଥାପି ସେ ଥିଲେ ଅଶାନ୍ତ । ଆଧୁନିକ ଜୀବନରେ ମଧ୍ୟ, ଉଚ୍ଚ ପଦବୀ, ଧନ-ସମ୍ପତ୍ତି, ସାମାଜିକ ପ୍ରତିଷ୍ଠା ଥାଇ ମଧ୍ୟ, ଯଦି ଜୀବନ ନ୍ୟାୟ ଓ ନୀତିରେ ଭିତ୍ତି ନୁହେଁ, ମନ ଶାନ୍ତ ହୁଏନି । ଆଧୁନିକ ସମାଜରେ ଅନ୍ୟାୟ ଉପାୟରେ ସଫଳତା ପାଇଥିବା ଲୋକ ସଦା ଭୟ କରନ୍ତି – “କେଉଁଠି ଧରା ପଡି ଯିବିନି ତ?” ସୁସଂଗଠିତ ଧର୍ମକୁ ଦେଖି ଅଧର୍ମ ଭୟଭୀତ ହୋଇଯାଏ ।
    ରାଜନୀତିରେ,ସତ୍ ଓ ନୀତିମୟ ଲୋକମାନେ ଯେତେବେଳେ ଏକାଠି ହୋଇଯାନ୍ତି, ଅନୀତି କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ । କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦୁର୍ଯ୍ୟୋଧନଙ୍କ ମନରେ ଯୁଦ୍ଧ ଆରମ୍ଭ ହୋଇସାରିଥିଲା ଏବଂ ସେ ପରାଜୟ ବରଣ କରି ସାରିଥିଲେ ।
    🌹🙏

ପ୍ରଶାନ୍ତ କୁମାର ବେଉରିଆ

Share

Leave a Reply