ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍ କରନ୍ତୁ ସରକାର :ନବୀନ
1 min read
ଶାସନ କେବଳ ମିଛ ପ୍ରଚାର, ଦେଖାଣିଆ ପ୍ରଦର୍ଶନରେ ସୀମିତ
ଭୁବନେଶ୍ୱର, //TATKAL ODISHA//:
ରାଜ୍ୟରେ ଥିବା ବିଜେପି ସରକାରଙ୍କ ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ। ଶାସନ କେବଳ ମିଛ ପ୍ରଚାର ଏବଂ ଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇ ରହିଛି। ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ। ଏପରି ଦୁଃଖଦ ଓ ଲଜ୍ଜାଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିବା ଓଡ଼ିଶାର ଶୋଚନୀୟ ସ୍ଥିତିର ଜ୍ୱଳନ୍ତ ଉଦାହରଣ। ତେଣୁ ଓଡ଼ିଶାର ବିଜେପି ସରକାର ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍ କରନ୍ତୁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଭଳି ଭାବେ ରାଜ୍ୟ ସରକାରଙ୍କୁ ଅଟାକ କରିଛନ୍ତି I
ଗୁରୁବାର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ନବୀନ କହିଛନ୍ତି ଯେ, ଶେଷରେ, ମୁଁ ଚିଠିରେ କରିଥିବା ଅନୁରୋଧ ଅନୁଯାୟୀ ସରକାର ‘୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍’ ଉପରେ ଆଲୋଚନା କରିବା ପାଇଁ ଗୃହର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ତେବେ, ସେହି ବିଷୟକୁ ଆସିବା ପୂର୍ବରୁ, ଆଜି ଆମ ରାଜ୍ୟରେ ମହିଳାମାନଙ୍କ ଅଧିକାର ଏବଂ ସମ୍ମାନ ସହ ଜଡ଼ିତ ଏକ ଗମ୍ଭୀର ବିଷୟ ଉଠାଇବାକୁ ଯାଇ ମୁଁ ଅତ୍ୟନ୍ତ ମର୍ମାହତ। ଓଡ଼ିଶାର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି, ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣିତ କରିବା ଏବଂ ତାଙ୍କର ପ୍ରାପ୍ୟ ପାଇବା ପାଇଁ ପରିବାର ଲୋକଙ୍କୁ ମହିଳାଙ୍କ କଙ୍କାଳ କବରରୁ ଖୋଳି ବାହାର କରି ବ୍ୟାଙ୍କକୁ ନେବାକୁ ପଡ଼ିଛି। ଭଉଣୀର ମୃତ୍ୟୁ ପରେ ଜମା ଅର୍ଥରାଶି ଉଠାଇବାକୁ ତାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ି ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଅଧିକାରୀମାନେ ତାଙ୍କୁ ହଇରାଣ କରି ମୃତ୍ୟୁର ପ୍ରମାଣ ମାଗିଥିଲେ।

ନବୀନ କହିଛନ୍ତି ଯେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟାଙ୍କରେ ପ୍ରମାଣ ସ୍ୱରୂପ କଙ୍କାଳ ଦେଖାଇବା ପରେ ତାଙ୍କୁ ପୁଣି ସେହି କଙ୍କାଳକୁ ପାଦରେ ଚାଲି ଚାଲି ଘରକୁ ବୋହି ଆଣିବାକୁ ପଡ଼ିଥିଲା। ଏହା ଏକ ସମ୍ବେଦନହୀନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ଚରମ ଅବହେଳା ଏବଂ ଶୂନ୍ୟ ଉତ୍ତରଦାୟିତ୍ୱକୁ ଦର୍ଶାଉଛି।ଆଜି ଆମ ମହିଳାମାନଙ୍କର ଏ ହେଉଛି ସ୍ଥିତି… ଏହା ହିଁ ‘ନ୍ୟୁୟର୍କ ପୋଷ୍ଟ’ ଏବଂ ‘ବିବିସି’ ଓଡ଼ିଶା ବିଷୟରେ ରିପୋର୍ଟ କରିଛନ୍ତି ଏବଂ ସାରା ବିଶ୍ୱ ଆମ ବିଷୟରେ ଏହା ହିଁ ପଢୁଛି। ବ୍ୟାଙ୍କିଙ୍ଗ୍ ସେବା କେନ୍ଦ୍ରୀୟ ବିଷୟ ହୋଇଥିବାବେଳେ ‘ଡବଲ୍ ଇଞ୍ଜିନ୍ ସରକାର’ରେ ଗୋଟେ ସମ୍ବେଦନହୀନ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ଓଡ଼ିଶା ଇତିହାସରେ ଏଭଳି ଅମାନୁଷିକ ଶାସନ କେବେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଓଡ଼ିଶା ନ ଆସିବା ପାଇଁ ନିଜ ନାଗରିକମାନଙ୍କୁ ଏକ ପରାମର୍ଶ ଜାରି କରିବାକୁ ପଡ଼ିଛି।
ନବୀନ କହିଛନ୍ତି ଯେ, ସମ୍ବିଧାନ ସଂଶୋଧନ ବିଲ୍ ପ୍ରସଙ୍ଗ କଥା ଯଦି ଉଠାଇବା, ତେବେ ଏଠାରେ ଦୁଇଟି ବିଷୟ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ପ୍ରଥମଟି ହେଉଛି ‘ମହିଳା ସଂରକ୍ଷଣ ବିଲ୍’; ଯାହା ୨୦୨୩ରେ ସଂସଦରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ବିଜେଡି ସଂସଦରେ ଏହି ବିଲ୍କୁ ଦୃଢ଼ ସମର୍ଥନ କରିଥିଲା ଏବଂ ଆଜି ମଧ୍ୟ ଆମେ ଦାବି କରୁଛୁ ଏହାକୁ ତୁରନ୍ତ ଲାଗୁ କରାଯାଉ।
ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିଥିଲା। ୨୦୧୧ ମସିହାରେ ମୋ ସରକାର ଏହାକୁ ୫୦%କୁ ବୃଦ୍ଧି କରିଥିଲେ। ଆମେ ୨୦୧୯ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ୩୩% ମହିଳାଙ୍କୁ ଟିକେଟ୍ ଦେଇଥିଲୁ। ବିଜେପି କହିପାରିବ କି ସେମାନେ ସମାନ କାର୍ଯ୍ୟ କରିଛନ୍ତି? ମହିଳାଙ୍କ ଅଧିକାର ବିଷୟରେ କେବଳ ବଡ଼ ବଡ଼ କଥା କହିବା ଏବଂ ଜନସାଧାରଣଙ୍କୁ ଭଣ୍ଡାଇବା ପାଇଁ ମିଛ କାହାଣୀ ଗଢ଼ିବା ବ୍ୟତୀତ ଓଡ଼ିଶାରେ ବିଜେପି ଆଉ କିଛି କରିନାହିଁ। ମୁଁ ପୁଣି ଥରେ ମନେ ପକାଇ ଦେଉଛି ଯେ, ଲୋକଙ୍କୁ ସବୁବେଳେ ବୋକା ବନାଯାଇ ପାରିବ ନାହିଁ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,ସଂସଦରେ ପାରିତ ହୋଇସାରିଥିବା ‘ମହିଳା ସଂରକ୍ଷଣ ବିଲ୍’କୁ ପୁଣି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’ ସହିତ ଯୋଡ଼ିବା ହେଉଛି ବିନା ଆଲୋଚନାରେ ସୀମା ନିର୍ଦ୍ଧାରଣକୁ ଲୋକଙ୍କ ଉପରେ ଲଦି ଦେବାର ଏକ ଗୋପନୀୟ ଏବଂ ହୀନ ଚକ୍ରାନ୍ତ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମୋର ଚିଠି ଏବଂ ଓଡ଼ିଶାର ସମସ୍ତ ୨୧ଜଣ ସାଂସଦଙ୍କୁ ମୋର ନିବେଦନ ବିଜୁ ଜନତା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ହେଲେ ଏହା ଗମ୍ଭୀର ଚିନ୍ତାର ବିଷୟ ଯେ, ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି। ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’ ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର ରାଜନୈତିକ ଅଧିକାରକୁ ହ୍ରାସ କରିବାକୁ ଚାହୁଁଛି। ମୁଁ ପୁଣି ଦୋହରାଉଛି, ଯଦି ଆମେ ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’କୁ ସମର୍ଥନ କରୁ, ତେବେ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ।ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତା’ର ହକ୍ରୁ କେହି ବଞ୍ଚିତ କରି ପାରିବ ନାହିଁ ବୋଲି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
