ଶ୍ରୀମଦ୍ ଭଗବଦ୍ ଗୀତା ୨: ୩୪ ଶ୍ଳୋକ : ଅକୀର୍ତିଂ ଚାପି ଭୂତାନି…
1 min read
Oplus_16908288
ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତିଂର୍ମରଣାଦତିରିଚ୍ୟତେ ॥
ହେ ଅର୍ଜୁନ ! ଲୋକମାନେ ଅନନ୍ତକାଳ ପର୍ଯ୍ୟନ୍ତ ତୁମର ଅପକୀର୍ତ୍ତି କଥା କହିବେ । ଯେଉଁ ଲୋକ ଆଦର୍ଶ ଓ ସମ୍ମାନର ପ୍ରତୀକ ରୂପେ ପରିଚିତ, ତାଙ୍କ ପାଇଁ ଅପକୀର୍ତ୍ତି ମୃତ୍ୟୁଠାରୁ ମଧ୍ୟ ଅଧିକ ଦୁଃଖଦାୟକ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ମନୁଷ୍ୟର ସାମାଜିକ ଚେତନା ଓ ମର୍ଯ୍ୟାଦାବୋଧକୁ ଗଭୀରଭାବେ ବ୍ୟକ୍ତ କରୁଛନ୍ତି । ଅର୍ଜୁନ ଏକ ଯୋଦ୍ଧା, ରାଜପୁତ୍ର ଓ ଆଦର୍ଶ ପୁରୁଷ । ଯଦି ସେ ଯୁଦ୍ଧରୁ ପଳାଇଯାନ୍ତି, ତେବେ ଏହା ଶାରୀରିକ ରୂପେ ପରାଜୟ ନୁହେଁ, ବରଂ ନୈତିକ ଓ ଆତ୍ମିକ ପରାଜୟ । ସମ୍ମାନ ଓ କୀର୍ତ୍ତି ମନୁଷ୍ୟର ଆତ୍ମପରିଚୟର ଅଂଶ । ଅପକୀର୍ତ୍ତି ଆତ୍ମାକୁ ଭାଙ୍ଗିଦେଇଥାଏ । ଏହା ଜୀବନ ଥିଲେ ମଧ୍ୟ ମୃତ୍ୟୁ ସହିତ ସମାନ ଭଳି ଅନୁଭବ ହୁଏ । ସମାଜ ସଦା ସାହସ, ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ଅଗ୍ରାଧିକାର ଦିଏ । ଭୟରେ ପଛକୁ ହଟିଯିବାକୁ ସମାଜ “ଦୁର୍ବଳତା” ଭାବେ ଦେଖେ । ଏହି ଶ୍ଳୋକ ଆଜି ମଧ୍ୟ ପ୍ରାସଙ୍ଗିକ । ଦାୟିତ୍ୱରୁ ପଳାୟନ, ସତ୍ୟରୁ ପଛକୁ ହଟିଯିବା, ନ୍ୟାୟ ପାଇଁ ଦୃଢ ହୋଇ ଦଣ୍ଡାୟମାନ ନ ରହିବା, ସମାଜରେ ଅପମାନ ଆଣିଥାଏ ।
ମନୁଷ୍ୟ କେବଳ ଜୀବନ ଚାହେଁ ନାହିଁ, ମର୍ଯ୍ୟାଦା ସହିତ ଜୀବନ ଚାହେଁ । “ଲୋକେ କଣ କହିବେ?” – ଏହା ଏକ ଗଭୀର ମାନସିକ ଚାପ । ଶ୍ରୀକୃଷ୍ଣ ଏହି ଚାପକୁ ଦେଖାଇ ଅର୍ଜୁନଙ୍କୁ କହୁଛନ୍ତି – କର୍ତ୍ତବ୍ୟ ପାଳନ ନ କରିଲେ ମନ ଶାନ୍ତ ରହିବ ନାହିଁ । ମର୍ଯ୍ୟାଦାପୂର୍ଣ୍ଣ ଜୀବନ, ଦୀର୍ଘ ଜୀବନଠାରୁ ମହତ୍ତ୍ୱପୂର୍ଣ୍ଣ ।
ସମାଜ କେବଳ ବ୍ୟକ୍ତିର କାର୍ଯ୍ୟକୁ ନୁହେଁ, ତା’ର ସାହସ, ଦାୟିତ୍ୱବୋଧ ଓ ଆଦର୍ଶକୁ ମୂଲ୍ୟାୟନ କରେ । ଅର୍ଜୁନ ଯଦି ଯୁଦ୍ଧରୁ ପଳାଇ ଯିବେ, ସମାଜ ତାଙ୍କୁ “ଜୀବିତ ଥିଲେ ମଧ୍ୟ ନୈତିକ ଭାବେ ପତିତ” ଭାବେ ଦେଖିବ । ଏଠାରେ ଗୀତା ସାମାଜିକ ଦାୟିତ୍ୱ ପାଳନକୁ ନାୟକତ୍ୱର ମାନଦଣ୍ଡ ଭାବେ ଦେଖେ ।
ସେହିପରି ପାରିବାରିକ ଦୃଷ୍ଟିକୋଣରୁ ଅର୍ଜୁନ କେବଳ ଏକ ବ୍ୟକ୍ତି ନୁହନ୍ତି, ସେ ପାଣ୍ଡବ ବଂଶର ଏକ ପ୍ରତିନିଧି । ତାଙ୍କର କର୍ତ୍ତବ୍ୟଚ୍ୟୁତି ପିତାମହ, ଭାଇ, ପୁତ୍ର ଓ ଆଗାମୀ ପିଢ଼ୀଙ୍କୁ ମଧ୍ୟ ପ୍ରଭାବିତ କରିବ । ପାରିବାରିକ ସମ୍ମାନ କେବଳ ନାମ ନୁହେଁ ନୀତି, ସାହସ ଓ ଦାୟିତ୍ୱର ଉତ୍ତରାଧିକାର । ଗୀତା ଏଠାରେ କହେ – ଜଣେ ବ୍ୟକ୍ତିର ଦୁର୍ବଳତା ସମଗ୍ର ପରିବାରର ଆତ୍ମବିଶ୍ୱାସକୁ ଭାଙ୍ଗିଦେଇପାରେ ।
ଅର୍ଜୁନଙ୍କ ସ୍ୱଧର୍ମ ହେଉଛି କ୍ଷତ୍ରିୟ ଧର୍ମ – ନ୍ୟାୟ ପାଇଁ ଯୁଦ୍ଧ, ଦୁର୍ବଳଙ୍କ ସୁରକ୍ଷା । ଶ୍ରୀକୃଷ୍ଣ କହୁଛନ୍ତିଧର୍ମ ତ୍ୟାଗ କଲେ ଲୋକମତ ମଧ୍ୟ ତୁମକୁ ଦଣ୍ଡିତ କରିବ । ଏଠାରେ ଧର୍ମ ହେଉଛି ଅନ୍ତର୍ନିହିତ ନୀତିଗତ ନିୟମ, ଯାହାକୁ ଅନୁସରଣ ନ କରିଲେ ଆତ୍ମବିରୋଧ ସୃଷ୍ଟି ହୁଏ । କର୍ତ୍ତବ୍ୟ ପାଳନ ନ କରିବା ମାନେ ନିଜକୁ ନିଜେ ଅସ୍ୱୀକାର କରିବା । ଅପକୀର୍ତ୍ତି ଏଠାରେ ଏକ ପ୍ରତୀକ, ନିଜ ସ୍ୱରୂପକୁ ହରେଇବା । ଯଦି ସେ ଯୁଦ୍ଧ କରିବେନି, ତେବେ ସେ “ଅର୍ଜୁନ”ହୋଇ ରହିପାରିବେ ନାହିଁ । କାରଣ ମନୁଷ୍ୟ ନିଜ କାର୍ଯ୍ୟ ଦ୍ୱାରା ନିଜ ସ୍ୱରୂପ ଗଢ଼େ ।
ଏଠାରେ ଅର୍ଜୁନ କେବଳ ଯୋଦ୍ଧା ନୁହନ୍ତି, ସେ ଭବିଷ୍ୟତର ଶାସକ ଓ ରାଜନୈତିକ ନେତା । Republic ରେ Plato କହନ୍ତି – ନ୍ୟାୟବାନ ରାଜା ଦାୟିତ୍ୱରୁ ପଳାଇପାରେ ନାହିଁ । ନେତା ଯଦି ନୀତି ତ୍ୟାଗ କରେ, ରାଜ୍ୟ ଅବକ୍ଷୟ ହୋଇଯାଏ । ଅପକୀର୍ତ୍ତି ହେଉଛି ନେତାର ନୀତିଗତ ବିଫଳତା । John Locke ଙ୍କ ଅନୁସାରେ ଶାସକ ହେଉଛି ଜନତାର ବିଶ୍ୱାସର ରକ୍ଷକ । ଦାୟିତ୍ୱ ଭଙ୍ଗ କଲେ ଶାସକ ଅଧିକାର ହରାଏ । Hannah Arendt ଙ୍କ ମତରେ ନୀରବତା ଓ ନିଷ୍କ୍ରିୟତା ମଧ୍ୟ ଅପରାଧ । ଅର୍ଜୁନଙ୍କ ଯୁଦ୍ଧ ତ୍ୟାଗ ହେଉଛି ତାଙ୍କର ନୀତିଗତ ନୀରବତା । ଅପକୀର୍ତ୍ତି ହେଉଛି ଏହି ନୀରବତାର ଫଳ । Machiavelli ତାଙ୍କ The Prince ଗ୍ରନ୍ଥରେ କହିଛନ୍ତି ଯେ, ଶାସକଙ୍କ ପାଇଁ ଶକ୍ତି ରକ୍ଷା ହେଉଛି ପ୍ରଧାନ ଲକ୍ଷ୍ୟ; ନୀତି ଅନେକ ସମୟରେ ଅପରିହାର୍ଯ୍ୟ ନୁହେଁ । ତାଙ୍କ ଦୃଷ୍ଟିରେ ଅପକୀର୍ତ୍ତି ସହିତ ମଧ୍ୟ ଶାସନ ଚାଲିପାରେ, ଯଦି ଶକ୍ତି ଅତୁଟ ରହିଥାଏ । କିନ୍ତୁ ଗୀତା ୨:୩୪ ଏହି ଧାରଣାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରେ । ଗୀତା ଅନୁସାରେ ଧର୍ମହୀନ ଶକ୍ତି ଶେଷରେ ଅପକୀର୍ତ୍ତି ଓ ପତନକୁ ଡାକି ଆଣେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
