ଶ୍ରୀମଦ୍ ଭଗବଦ୍ ଗୀତା ୨: ୩୫ ଶ୍ଳୋକ :ଭୟାଦ୍ରଣାଦୁପରତଂ..
1 min read
ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ॥
ହେ ଅର୍ଜୁନ ! ଭୟ ହେତୁ ତୁମେ ଯୁଦ୍ଧରୁ ବିରତ ହୋଇଗଲ ବୋଲି ମହାରଥୀମାନେ ତୁମକୁ କହିବେ । ଯେଉଁମାନଙ୍କ ଦୃଷ୍ଟିରେ ତୁମେ ପୂର୍ବେ ଅତ୍ୟନ୍ତ ସମ୍ମାନିତ ଥିଲେ, ସେମାନଙ୍କ ନଜରରେ ତୁମେ ତୁଚ୍ଛ ଓ ନଗଣ୍ୟ ହୋଇଯିବ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାମାଜିକ ସମ୍ମାନ, ଆତ୍ମମର୍ଯ୍ୟାଦା ଓ କର୍ତ୍ତବ୍ୟବୋଧର ଗଭୀର ଅର୍ଥ ବୁଝାଇଛନ୍ତି । ଅର୍ଜୁନ କେବଳ ଜଣେ ଯୋଦ୍ଧା ନୁହେଁ, ସେ ଜଣେ ଖ୍ୟାତନାମା ବୀର । ତାଙ୍କର ଯୁଦ୍ଧରୁ ପଛକୁ ହଟିଯିବା କଥା ଲୋକମାନଙ୍କ ଦୃଷ୍ଟିରେ ଭୟର ଚିହ୍ନ ଭାବେ ଦେଖାଯିବ। ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ – କର୍ତ୍ତବ୍ୟ ଛାଡ଼ିବା କେବଳ ବ୍ୟକ୍ତିଗତ ଦୁର୍ବଳତା ନୁହେଁ, ଏହା ସାମାଜିକ ଓ ନୈତିକ ଅପମାନକୁ ମଧ୍ୟ ଜନ୍ମ ଦିଏ । ଯେଉଁମାନେ ଅର୍ଜୁନଙ୍କୁ ଆଦର କରୁଥିଲେ, ସେମାନଙ୍କ ଆଖିରେ ତାଙ୍କର ଛବି ନଷ୍ଟ ହୋଇଯିବ । ଏହି ଶ୍ଳୋକ ଆମକୁ ଶିଖାଏ – ସ୍ୱଧର୍ମ ପାଳନ ହିଁ ଆତ୍ମସମ୍ମାନର ମୂଳ । ସମାଜରେ ନୀତିଗତ ସାହସ ହେଉଛି ସତ୍ୟ ବୀରତ୍ୱ । କର୍ତ୍ତବ୍ୟରୁ ପଳାୟନ କଲେ ସମାଜ ତାହାକୁ ଭୟ ଭାବେ ବ୍ୟାଖ୍ୟା କରେ, ଏବଂ ଏହା ମନୁଷ୍ୟର ସମ୍ମାନ, ବିଶ୍ୱାସ ଓ ନେତୃତ୍ୱକୁ ଧ୍ୱଂସ କରିଦିଏ । କାରଣ ସମାଜ ମନୁଷ୍ୟଙ୍କୁ ତାଙ୍କର ଭୂମିକା ଓ କର୍ତ୍ତବ୍ୟ ଆଧାରରେ ମୂଲ୍ୟାୟନ କରେ ।
ଅର୍ଜୁନ ଜଣେ ପୁତ୍ର, ଭାଇ, ପତି ଓ ବଂଶଧର । ତାଙ୍କର ଯୁଦ୍ଧରୁ ପଛକୁ ହଟିବା ପରିବାରରେ ଭୟ, ଲଜ୍ଜା ଓ ନୀରବ ଅପମାନ ଆଣିବ । ପରବର୍ତ୍ତୀ ପିଢ଼ୀ ପାଇଁ ଏହା ଏକ ନକାରାତ୍ମକ ଆଦର୍ଶ ହେବ । ଗୀତା ଏଠାରେ ସୂଚାଏ – କର୍ତ୍ତବ୍ୟ ପାଳନ ହିଁ ପାରିବାରିକ ସୁରକ୍ଷା ଓ ଗାରିମାର ମୂଳ ।
ଭାରତୀୟ ଦର୍ଶନରେ ଧର୍ମ କେବଳ ନୀତି ନୁହେଁ; ଏହା ଜୀବନର ଅସ୍ତିତ୍ୱଗତ ନିୟମ । ଅର୍ଜୁନଙ୍କର ସ୍ୱଧର୍ମ ହେଉଛି କ୍ଷତ୍ରିୟ ଧର୍ମ। ଏହାକୁ ତ୍ୟାଗ କରିବା ମାନେ ନିଜ ଅସ୍ତିତ୍ୱକୁ ଅସ୍ୱୀକାର କରିବା । ତେଣୁ ସମାଜ ଯେଉଁଥିରେ ତାଙ୍କୁ ନିନ୍ଦା କରିବ, ସେହି ନିନ୍ଦା ଆତ୍ମପତନ ସଦୃଶ । Platoଙ୍କ Republic ଗ୍ରନ୍ଥରେ ନ୍ୟାୟର ଅର୍ଥ ହେଉଛି – ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କାର୍ଯ୍ୟ କରିବା । ଅର୍ଜୁନ ଯଦି ଯୁଦ୍ଧ ଛାଡ଼ନ୍ତି, Plato ଭାଷାରେ ସେ ଆତ୍ମାର ସମତୁଳନ ଭଙ୍ଗ କରୁଛନ୍ତି । Plato ପାଇଁ ଏହା ଅନ୍ୟାୟ, ଗୀତା ପାଇଁ ଏହା ଅଧର୍ମ । କର୍ତ୍ତବ୍ୟରୁ ପଳାୟନ ହେଉଛି ଆତ୍ମିକ ଅସ୍ଥିରତା । ଅର୍ଜୁନଙ୍କ ପଳାୟନ Plato ଦୃଷ୍ଟିରେ ରାଜ୍ୟର ସଂଗଠନାତ୍ମକ ଅସନ୍ତୁଳନ । ନେତୃତ୍ୱର ଦୁର୍ବଳତା ରାଜ୍ୟକୁ ଅସ୍ଥିର କରେ। ନେତାଙ୍କ କର୍ତ୍ତବ୍ୟ ତ୍ୟାଗ ରାଷ୍ଟ୍ରୀୟ ଅନ୍ୟାୟ । Nietzsche କହନ୍ତି – Fear-based morality is slave morality । ଅର୍ଜୁନଙ୍କ ଭୟ Nietzsche ପାଇଁ ଦୁର୍ବଳ ଇଚ୍ଛା (weak will) । Sartreଙ୍କ ମତ – Man is condemned to be free। ଅର୍ଜୁନଙ୍କ ପଛକୁ ହଟିବା Sartre ଭାଷାରେ ଆତ୍ମପ୍ରବଞ୍ଚନା । ସେହିପରି ଭୟରୁ ପଳାୟନ Aristotle ପାଇଁ vice (cowardice) । ଗୀତାରେ ମଧ୍ୟ ଏହା କ୍ଷତ୍ରିୟ ଧର୍ମ ବିରୋଧୀ ।
Machiavelliଙ୍କ The Prince ରେ କୁହାଯାଇଛି – ନେତାଙ୍କ ଦୁର୍ବଳତା ଶତ୍ରୁକୁ ସାହସୀ କରେ । ଭୟ ଓ ଅନିଶ୍ଚୟତା ରାଜ୍ୟ ପତନର କାରଣ । ସେହିପରି ଗୀତା ୨:୩୫ରେ ଅର୍ଜୁନଙ୍କ ପଳାୟନ ଶତ୍ରୁପକ୍ଷକୁ ମାନସିକ ବଳ ଦେବ । ଏହା ଧର୍ମର ରକ୍ଷାକୁ ମଧ୍ୟ ଦୁର୍ବଳ କରିଦେବ। କିନ୍ତୁ Machiavelli ପାଇଁ ସଫଳତା ମୂଳ, ଏବଂ ଗୀତା ପାଇଁ ଧର୍ମ ମୂଳ । Hobbes (Leviathan) ରେ କହନ୍ତି – Fear is the foundation of political order । ଶାସକଙ୍କ ନିଷ୍କ୍ରିୟତା ରାଜ୍ୟ ଭଙ୍ଗ କରେ । ଗୀତା କହେ – ଭୟ ଆଧାରିତ ରାଜନୀତି ଅଧର୍ମ । ନେତାଙ୍କ ଧର୍ମପାଳନ ହିଁ ସାମାଜିକ ସୁରକ୍ଷା ଦିଏ । Rousseau ତାଙ୍କ Social Contract ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି – ଶାସକ ଜନତା ପ୍ରତି ଦାୟୀ, କର୍ତ୍ତବ୍ୟ ତ୍ୟାଗ କଲେ ବୈଧତା ହରାଏ । ସେହିପରି ଗୀତା କୁହେ – କ୍ଷତ୍ରିୟଙ୍କ ଦାୟିତ୍ୱ ଧର୍ମ ସୁରକ୍ଷା, ପଳାୟନ ମାନେ ରାଜନୈତିକ ଅନୈତିକତା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
