tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେମିତି ଆସିଲେ ଭୋଗରାଇ ବିଚିତ୍ରପୁର ଜଙ୍ଗଲକୁ ୫ ବିରଳ ଓରାଙ୍ଗଉଟାନ? ନୂଆ ବିବାଦ..

1 min read

Oplus_16908288

  • ଆନ୍ତର୍ଜାତୀକ ର‌୍ୟାକେଟ୍ ସଂପୃକ୍ତ ଥିବା ସନ୍ଦେହ : ମନ୍ତ୍ରୀ
  • ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଭୋଗରାଇ ବିଧାୟକ

ଭୁବନେଶ୍ୱର,//TATKAL ODISHA//
ଭାରତରେ ପ୍ରାୟ ଦେଖାଯାଉନଥିବା ୫ଟି ବିରଳ ପ୍ରଜାତିର ଜୀବ ଓରାଙ୍ଗ୍‌ଉଟାନ ଭୋଗରାଇର ବିଚିତ୍ରପୁର ଅଞ୍ଚଳରୁ ଉଦ୍ଧାର ହୋଇଛି। ଏଥିରେ ଗୋଟିଏ ଅଣ୍ଡିରା, ଦୁଇଟି ମାଈ ଓ ସେମାନଙ୍କର ୨ଟା ଛୁଆ ରହିଛି।

ବିରଳ ପ୍ରଜାତି

ଜଙ୍ଗଲୀ ଜୀବଗୁଡ଼ିକ ଏଠାକୁ କିପରି ଆସିଲେ ଏବଂ କି’ଏ ଆଣିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ, ଏହା ପଛରେ ଏକ ଆର୍ନ୍ତଜାତୀକ ବଡ଼ ର‌୍ୟାକେଟ୍ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ଖୋଦ୍ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି।

ଉପକୂଳ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
  • ମନ୍ତ୍ରୀଙ୍କ ଏହି ବୟାନ ପରେ ରାଜ୍ୟର ଉପକୂଳ ସୁରକ୍ଷା ନେଇ ନୂଆ ବିବାଦ ସୃଷ୍ଟି ହୋଇଛି।
  • ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ‘ଉଚ୍ଚସ୍ତରୀୟ ତଦନ୍ତ’ ଦାବି କରିଛନ୍ତି।
  • ମଙ୍ଗଳବାର ଗଣମାଧ୍ୟମକୁ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ଉଦୟପୁର ବନବିଭାଗ ଟିମ୍ ବିଶେଷ ସୂତ୍ରରୁ ଖବର ପାଇଁ ଆଗୁଆ ସତର୍କ ହୋଇଥିଲା। ଯୋଜନା ମୁତାବକ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ଏହି ୫ଟି ଓରାଙ୍ଗଉଟାନକୁ ଠାବ କରିଥିଲେ। ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।
  • ମନ୍ତ୍ରୀ କହିଛନ୍ତି ଯେ, ସକାଳ ପ୍ରାୟ ୬ଟାବେଳେ ବନ ବିଭାଗ ଏହି ଓରାଙ୍ଗଉଟାନ ଦଳକୁ ଠାବ କରିବା ପରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲା। ଖବର ପାଇ ବାରିପଦାରୁ ଆସି ପହଞ୍ଚିଥିଲେ ଏକ ବିଶେଷଜ୍ଞ ଦଳ। ଓରାଙ୍ଗଉଟାନମାନଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଭେଟେରିନାରୀ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ନନ୍ଦନକାନନ ନିଆଯାଇଛି।
  • ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ‘TATKAL ODISHA’କୁ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ମ୍ୟାଲେସିଆ ବା ଇଣ୍ଡୋନେସିଆରୁ ଆସିଥିବା ସନ୍ଦେହ କରାଯାଉଛି। ମନ୍ତ୍ରୀଙ୍କ କଥା ସେଇଆ। ତାଙ୍କ କହିବାନୁସାରେ ଯଦି ଆର୍ନ୍ତଜାତୀକ ବଡ଼ ର‌୍ୟାକେଟ୍ ସଂପୃକ୍ତ, ତାହାଲେ ଏହାକୁ ହାଲକା ଭାବେ ଆଦୌ ନେଇ ହେବ ନାହିଁ। ଏତେ ସୁରକ୍ଷା ଭିତରେ ସମୁଦ୍ର ଭିତରେ କେମିତି ଏଭଳି ବିରଳ ଜନ୍ତୁଙ୍କୁ ଅଣାଗଲା ତାହା ମଧ୍ୟ ଚିନ୍ତାର ବିଷୟ। ତେଣୁ, ଓଡ଼ିଶାର ଉପକୂଳ କେତେ ସୁରକ୍ଷିତ ରହିଛି, ଏଇଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ରାଜ୍ୟ ସରକାର ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ କଥା ଜଣାପଡ଼ିଯିବ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।

Share

Leave a Reply