କାହା ସ୍ୱାର୍ଥ ରକ୍ଷା ପାଇଁ ଓସିପିଏଲ-ଓପିଜିସି ମିଶ୍ରଣ?
1 min read
- ରାଜ୍ୟ ରାଜ୍ୟସ୍ଵାର୍ଥ ପରିପନ୍ଥୀ
//ଆନନ୍ଦ ମହାପାତ୍ର//
**************
“ରାଜ୍ୟ ସରକାର ମାନବ ସମ୍ବଳ ତଥା ସରକାରୀ ଉଦ୍ୟୋଗଗୁଡିକର ଦକ୍ଷତା ବୃଦ୍ଧିପାଇଁ ସ୍ଵତନ୍ତ୍ର ଭାବେ ନିର୍ଦ୍ଧିଷ୍ଟ ବିଭାଗ କାର୍ଯ୍ୟକାରୀ କରିଛନ୍ତି ଏବଂ ଲୋକମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ବାସ୍ତବତା ଠିକ ଓଲଟା। ଓସିପିଏଲ ଭଳି ଗୋଟିଏ ଦକ୍ଷ ଓ ଅଭିଜ୍ଞ ସରକାରୀ ଉଦ୍ୟୋଗକୁ ଅପାରଗ ସଂସ୍ଥା ଓପିଜିସି ସହିତ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଉଛି। ସରକାର ଏପରି ନିଷ୍ପତ୍ତି ଗ୍ରହଣ କଲେ ରାଜ୍ୟର ଉଦ୍ୟୋଗ ଓ ମାନବସମ୍ବଳ ଦକ୍ଷ, ଅଭିଜ୍ଞ ଓ ଆତ୍ମନିର୍ଭର ହେବ କିପରି?”
++++++++++++++++++++++++++++++++++++++++
ମୁଖ୍ୟମନ୍ତ୍ରୀଙ୍କ କାର୍ଜ୍ୟାଳୟର ପ୍ରମୁଖ ସଚିବ ୮ ଅକ୍ଟୋବର ୨୦୨୫ରେ ଶକ୍ତି ବିଭାଗର ପ୍ରମୁଖ ସଚିବକୁ ଏକ ନୋଟସିଟ ମାଧ୍ୟମରେ ରାଜ୍ୟସରକାରଙ୍କ ନିଷ୍ପତି ସମ୍ପର୍କରେ ସୂଚିତ କରି କହିଛନ୍ତି ଓପିଜିସିରେ (ଓଡିଶା ପାୱାର ଜେନେରେସନ କର୍ପୋରେସନ) ସହିତ ଓସିପିଏଲକୁ (ଓଡିଶା କୋଲ ଏଣ୍ଡ ପାୱାର ଲିମିଟେଡ) ମିଶ୍ରଣ କରାଯିବ। ନୋଟସିଟରେ ଉଲ୍ଲେଖ କରିଛନ୍ତି ଓପିଜିସି ସହିତ ଓସିପିଏଲ ମିଶ୍ରଣ ହୋଇଯିବା ଦ୍ଵାରା ଓସିପିଏଲ ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ କରିବା ଆଉ ଆବଶ୍ୟକ ନାହି। ତେଣୁ ଶକ୍ତିବିଭାଗ ଆରମ୍ବ କରିଥିବା ସିଇଓ ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରିଦିଅନ୍ତୁ। ପ୍ରକାଶଥାଉକି ଶକ୍ତିବିଭାଗ ୨୨.୦୮.୨୦୨୫ରେ ଓସିପିଏଲର ସିଇଓ ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ଵାନ କରି ପାର୍ଥିମାନଙ୍କୁ ଆବେଦନ କରିବାପାଇଁ ଶେଷ ତାରିଖ ୧୭.୧୦.୨୦୨୫ ଧାର୍ଯ୍ୟ କରିଥିଲେ।
ତେବେ ଅପ୍ରତ୍ୟାଶିତ ଭାବେ ଆବେଦନର ଶେଷତାରିଖ ପୂର୍ବରୁ ରାଜ୍ୟସରକାରଙ୍କ ମିଶ୍ରଣ ନିଷ୍ପତି ଶକ୍ତିକ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରୁଥିବା ଆମଭଳି ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଓଡିଶାରେ କୋଇଲାଖଣି ପରିଚାଳନା କରିବା ପାଇଁ ଆବଶ୍ୟକ ହେଉଥିବା ଦକ୍ଷତା ଓ ଅଭିଜ୍ଞତା କେବଳ ଓସିପିଏଲର ଅଛି। ରାଜ୍ୟସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଡିଶା ମାଇନିଙ୍ଗ କର୍ପୋରେସନ (ଓଏମସି) ଲୁହାପଥର ସହିତ ଅନ୍ୟାନ ଖଣି ପରିଚାଳନାରେ ସଫଳ ହୋଇଛି ସତ। କିନ୍ତୁ କୋଇଲାଖଣି ପରିଚାଳନା କ୍ଷେତ୍ରରେ ତିନି ଦଶନ୍ଧି ଧରି ଚେଷ୍ଟା କରିଥିଲେବି ଏହି ସଂସ୍ଥା ବିଫଳ ହୋଇଛି। ସେହିପରି ସରକାରଙ୍କ ଅନ୍ୟ ଏକ ସଂସ୍ଥା ଓଡିଶା ମିନରାଲ ଡେଭଲପମେଣ୍ଟ କର୍ପୋରେସନ (ଓଏମଡ଼ିସି) ଖଣି ପରିଚାଳନା ପାଇଁ ଗଠିତ ହୋଇଥିଲେବି ଏହା ସ୍ଥାଣୁ ଅବସ୍ତା ଦେଇ ଗତି କରୁଛି। ତେବେ କୋଇଲାଖଣି ପରିଚାଳନାରେ ସମ୍ପୂର୍ଣ ଦକ୍ଷତା ଓ ଅଭିଜ୍ଞତା ହାସଲ କରିଥିବା ଓସିପିଏଲର ଗଠନ ସରକାର ସେତେବେଳେ କରିଥିଲେ ଯେତେବେଳେ ଓପିଜିସିର ଦୁଇ କୋଇଲାଖଣିକୁ ମିଶାଇ ସମୁଦାୟ ୨୦୪ କୋଇଲାଖଣିକୁ ଭାରତର ସର୍ବୋଚ ନ୍ୟାୟାଳୟ ସେପ୍ଟେମ୍ବର ୨୦୧୪ ବାତିଲ କରିଦେଇଥିଲେ।
କୋଲଗେଟ ସ୍କାମ-୨୦୧୨
ସର୍ବୋଚ ନ୍ୟାୟଳୟଙ୍କ ଦ୍ଵାରା ୨୦୪ କୋଇଲାଖଣି ବାତିଲ:
ଝାରସୁଗୁଡା ଜିଲ୍ଲାର ବନହରିପାଲରେ ଥିବା ଓପିଜିସିର ୪୨୦ ମେଗାୱାଟ (୨x୨୧୦) ଇବ ତାପଜ ବିଦ୍ୟୁତକେନ୍ଦ୍ରକୁ ସମ୍ପ୍ରସାରଣ କରିବାପାଇଁ ୨୦୦୫-୦୬ରେ ରାଜ୍ୟସରକାର ନିଷ୍ପତି ଗ୍ରହଣ କଲେ। ସମ୍ପ୍ରସାରଣ ଯୋଜନା ଅନୁସାରେ ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ୪ ୟୁନିଟ ବିଶିଷ୍ଟ ୨୬୪୦ ମେଗାୱାଟ (୪x୬୬୦) କ୍ଷମତା ସମ୍ପର୍ଣ ବିଦ୍ୟୁତକେନ୍ଦ୍ର ପାଇଁ ଆବଶ୍ୟକ ହେଉଥିବା କୋଇଲା ଚାହିଦାକୁ ପୂରଣ କରିବା ପାଇଁ ରାଜ୍ୟସରକାର କେନ୍ଦ୍ରକୁ ଆବେଦନ କଲେ। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ୨୭.୦୭.୨୦୦୭ରେ ଓପିଜିସିକୁ ସୁନ୍ଦରଗଡ ଜିଲ୍ଲାର ମନୋହରପୁର ଓ ଡ଼ିପ-ସାଇଡ ମନୋହରପୁର ଭଳି ଦୁଇଟି ଉଚ୍ଚମାନର କୋଇଲାଖଣି ଆବଣ୍ଟନ କରିଥିଲେ। ସିଏଜି ବିନୋଦ ରାୟ ମାର୍ଚ, ୨୦୧୨ରେ କୋଇଲାଖଣି ଆବଣ୍ଟନରେ ହୋଇଥିବା ଦୁର୍ନୀତି ଉପରେ ସଂସଦରେ ଏକ ଅଡିଟ ରିପୋର୍ଟ ଉପସ୍ଥାପନ କଲେ। ସିଏଜିଙ୍କ ଅଭିଯୋଗ କଲେଯେ କୋଇଲାଖଣି ଆବଣ୍ଟନ ପ୍ରକ୍ରିୟାରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ କୌଣସି ସ୍ପଷ୍ଟ ନୀତି ଆପଣେଇ ନାହାନ୍ତି। ଆବଣ୍ଟନ ପ୍ରକ୍ରିୟାରେ ସ୍ପଷ୍ଟ ନୀତି ନଥିବାରୁ କୋଇଲାଖଣି ଆବଣ୍ଟନରେ ଦୁର୍ନୀତି ହୋଇଛି ଏବଂ ସେଥିପାଇଁ ପରିବେଶ ପ୍ରଦ୍ୟୁସଣ ହେବାସହ କେନ୍ଦ୍ରସରକାର ୧ ଲକ୍ଷ ୮୬ ହଜାର କୋଟିଟଙ୍କା ରାଜସ୍ୱ ହରାଇଛନ୍ତି। ସିଏଜିଙ୍କ ଅଭିଯୋଗକୁ ସେତେବେଳେ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମଗୁଡିକ ‘କୋଲଗେଟ’ ବୋଲି ଅଭିହିତ କରି ବର୍ଷାଧିକ କାଳ ଏହା ଉପରେ ନିରନ୍ତର ଚର୍ଚାକରି ପ୍ରସାର କରିଥିଲେ। ‘କୋଲଗେଟ ସ୍କାମ’ ସମ୍ପର୍କରେ ଆଜିକାଲିବି ଚର୍ଚା ହେଉଛି। ବରିଷ୍ଟ ଆଇନିଜୀବୀ ପ୍ରଶାନ୍ତ ଭୂଷଣ ସିଏଜିଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ କରି ସେହିବର୍ଷ ଏକ ଜନସ୍ଵାର୍ଥ ମାମଲା ଭାରତର ସର୍ବୋଚ ନ୍ୟାୟାଳୟରେ ଦାୟର କଲେ। ମାମଲାଟିକୁ ବିଚାର କରି ସେପ୍ଟେମ୍ବର, ୨୦୧୪ରେ ସର୍ବୋଚ ନ୍ୟାୟଳୟ ୨୦୦୪-୦୯ ଭିତରେ ଆବଣ୍ଟିତ ହୋଇଥିବା ୨୦୪ଟି କୋଇଲାଖଣିକୁ ବାତିଲ କରିଦେଲେ ଯେଉଁଥିରେ ଓପିଜିସିର ଉକ୍ତ ଦୁଇଟି କୋଇଲାଖଣି ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

କୋଇଲାଖଣି (ସ୍ଵତନ୍ତ୍ର ବ୍ୟବସ୍ତା) ଆଇନ, ୨୦୧୫
ଓପିଜିସିର ଦୁଇଟି କୋଇଲାଖଣି ସହିତ ଦେଶର ୨୦୪ କୋଇଲାଖଣି ବାତିଲ ହୋଇଯିବା ଦ୍ଵାରା ରାଜ୍ୟ ଓ ଦେଶରେ ବିଦ୍ୟୁତ ଉତ୍ପାଦନ କରୁଥିବା ଶକ୍ତିକେନ୍ଦ୍ର ସହିତ ନିର୍ମାଣଧୀନ ଶକ୍ତିକେନ୍ଦ୍ର ଗୁଡିକ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡି ବିଦ୍ୟୁତ ସଙ୍କଟ ଦେଖାଦେଲା। ତେଣୁ ପ୍ରାଥମିକତା ଭିତ୍ତିରେ କେନ୍ଦ୍ରସରକାର ନୂତନ କୋଇଲାଖଣି ନୀତି ଓ ଆଇନ ପ୍ରଣିତ କରିବାପାଇଁ ଆଗଭର ହେଲେ। ସେଥିପାଇଁ ଡିସେମ୍ବର ୨୬, ୨୦୧୪ରେ ‘କୋଇଲା ଖଣି (ସ୍ଵତନ୍ତ୍ର ବ୍ୟବସ୍ତା) ଅର୍ଡିନାନ୍ସ, ୨୦୧୪’ କେନ୍ଦ୍ର କ୍ୟାବିନେଟରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ଵିକୃତି ଲାଭକଲା। ସଂସଦର ପରବର୍ତ୍ତୀ ଅଧିବେଶନରେ ଅର୍ଡିନାନ୍ସଟି ପାରିତ ହେବାପରେ ମାର୍ଚ, ୨୦୧୫ରେ ‘କୋଇଲା ଖଣି (ସ୍ଵତନ୍ତ୍ର ବ୍ୟବସ୍ତା) ଆଇନ, ୨୦୧୫’ରେ ପରିଣତ ହେଲା। ନୂତନ କୋଇଲାଖଣି ଆଇନ ଓ ନୀତିରେ ପରିବେଶ ସୁରକ୍ଷା ସୁନିଶ୍ଚିତ ହେବାସହ ବ୍ୟକ୍ତିଗତ ସ୍ଵାର୍ଥକୁ ବାଦ୍ ଦିଆଯାଇଛି। ଉକ୍ତ ଆଇନର ଧାରା ୨୦ ଅନୁସାରେ ନିର୍ଦ୍ଧିଷ୍ଟ ତିନୋଟି ଲକ୍ଷ୍ୟ ସାଧନ ପାଇଁ କେନ୍ଦ୍ରସରକାର କୋଇଲାଖଣି ଆବଣ୍ଟନ କରିପାରିବେ। ପ୍ରଥମ ଲକ୍ଷ୍ୟ ହେଉଛି ଆବଣ୍ଟିତ କୋଇଲା ଖଣିଗୁଡିକ ଜନସାଧାରଣଙ୍କ ସ୍ୱାର୍ଥରେ ସମାନ ଭାବେ ବ୍ୟବହାର କରାଯିବ। ଦ୍ଵିତୀୟ ଲକ୍ଷ୍ୟ: କୋଇଲାମୂଲ୍ୟ ଦକ୍ଷତାର ସହିତ ନିର୍ଣ୍ଣୟ କରାଯିବ ଯାହାଦ୍ୱାରା ବିଦ୍ୟୁତ ଉପଭୋକ୍ତାଙ୍କୁ କମମୂଲ୍ୟରେ ବିଦ୍ୟୁତ ଉପଲବ୍ଧ ହେବ। ତୃତୀୟ ଲକ୍ଷ୍ୟ: କୋଇଲାଖଣି ଗୁଡିକୁ ସର୍ବୋତ୍ତମ ବ୍ୟବହାର କରାଯିବ। ତେଣୁ କେନ୍ଦ୍ରସରକାର ପ୍ରଣିତ କରିଥିବା ନୂତନ କୋଇଲାଖଣି ଆଇନରେ ରାଜ୍ୟ ତଥା ଦେଶର ନିରନ୍ତର ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ନିଶ୍ଚିତ କରାଯାଇଛି।
ଓସିପିଏଲ (ଓଡିଶା କୋଲ ଏଣ୍ଡ ପାୱାର ଲିମିଟେଡ) ଗଠନ
ନୂତନ କୋଇଲାଖଣି ନୀତି ଅନୁସାରେ ଓପିଜିସି ହରାଇଥିବା ଖଣି ଦୁଇଟିକୁ ପୁନଃପ୍ରାପ୍ତ ହେବାପାଇଁ ଯୋଗ୍ୟ ବିବେଚିତ ହେଲାନାହି କାରଣ ଓପିଜିସିରେ ସେତେବେଳେ ଏଇଏସ କର୍ପୋରେସନର ୪୯% ଅଂଶଧନ ଥିଲା। ନୂତନ ନୀତି ଅନୁସାରେ ଏଥିପାଇଁ ଓପିଜିସିରେ ରାଜ୍ୟ ସରକାରଙ୍କର ଅତିକମରେ ୭୪% ଅଂଶଧନ ରହିବା କଥା ଯାହା ସେତେବେଳେ ନଥିଲା। ଓପିଜିସିର କୋଇଲା ସଙ୍କଟକୁ ଦୂର କରିବାପାଇଁ ଓପିଜିସି ଓ ଓଏଚପିସି (ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ) ମିଳିତଭାବେ ୨୦.୦୧.୨୦୧୫ରେ ଓଡିଶା କୋଲ ଏଣ୍ଡ ପାୱାର ଲିମିଟେଡ (ଓସିପିଏଲ) ଗଠନ କଲେ ଯେଉଁଥିରେ ଓପିଜିସିର ୫୧% ଅଂଶଧନ ଥିବାବେଳେ ଓଏଚପିସିର ୪୯% ରହିଲା। କିନ୍ତୁ ଫେବ୍ରୁୟାରୀ ୨୦୨୩ରେ ଓସିପିଏଲରେ ଥିବା ଓଏଚପିସିର ୪୯% ଅଂଶଧନକୁ ରାଜ୍ୟସରକାର କ୍ରୟ କରିନେଲେ ଫଳରେ ଓସିପିଏଲ ରାଜ୍ୟସରକାରଙ୍କର ଏକ ସାଧାରଣ ଉଦ୍ୟୋଗରେ (ପିଏସୟୁ) ପରିଣତ ହେଲା। ତେବେ ଓସିପିଏଲ ଗଠନ ପରେ କମ୍ପାନୀ କାଳବିଳମ୍ବ ନକରି ରାଜ୍ୟସରକାରଙ୍କ ଜରିଆରେ ଓପିଜିସିର ବାତିଲ ହୋଇଥିବା କୋଇଲାଖଣିକୁ ପୁଣିଥରେ ହାସଲ କରିବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଆବେଦନ କଲେ। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓସିପିଏଲ ଆବେଦନକୁ ଗ୍ରହଣ କରି ୨୪.୦୩.୨୦୧୫ରେ ବାତିଲ ଖଣି ଦୁଇଟିକୁ ପରୋକ୍ଷ ଭାବେ ଇବ ବିଦ୍ୟୁତକେନ୍ଦ୍ରର ବିଦ୍ୟୁତ ଉତ୍ପାଦନ ପାଇଁ ଓସିପିଏଲକୁ ଆବଣ୍ଟନ କଲେ। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ଵାରା ମନୋନୀତ କର୍ତ୍ତୁପକ୍ଷଙ୍କ ସହିତ ମାର୍ଚ ୩୦, ୨୦୧୫ରେ ଓସିପିଏଲ ଚୁକ୍ତି ସମ୍ପାଦନ କଲେ। ଓପିଜିସିର ନିର୍ମାଣଧୀନ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାପରେ ଜୁଲାଇ ଓ ଅଗଷ୍ଟ ୨୦୧୯ ରେ ଯଥାକ୍ରମେ ୟୁନିଟ-୩ ଓ ୟୁନିଟ-୪ରୁ ବିଦ୍ୟୁତ ଉତ୍ପାଦନ ଆରମ୍ବ ହେଲା। ସେହିପରି ମନୋହରପୁର କୋଇଲା ଖଣିରୁ ସେପ୍ଟେମ୍ବର ୨୦୧୯ରେ କୋଇଲା ଉତ୍ପାଦନ ଆରମ୍ବ ହେଲା। କିନ୍ତୁ ବନହରିପାଲ ସ୍ଥିତ ଇବ ଶକ୍ତିକେନ୍ଦ୍ରରୁ ମନୋହରପୁର ପର୍ଯ୍ୟନ୍ତ ୪୭ କିଲୋମିଟର ଦୀର୍ଘ ରେଳପଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରୁ ଜୁନ ୨୦୨୧ରୁ ଓସିପିଏଲ ଓପିଜିସିକୁ କୋଇଲା ଯୋଗାଣ କରିଆସୁଛି।
ଏନଟିପିସି କୋଇଲାମୂଲ୍ୟ ଠାରୁ ଓସିପିଏଲ ମୂଲ୍ୟ କାହିଁକି ଅଧିକ?
ଓସିପିଏଲକୁ ମନୋହରପୁର କୋଇଲାଖଣି ଆବଣ୍ଟନ ହେଲାପରେ କେନ୍ଦ୍ର ସରକାର ଏନଟିପିସି-ଦର୍ଲିପାଲିକୁ ସୁନ୍ଦରଗଡର ଡୁଲଙ୍ଗା କୋଇଲାଖଣି ପ୍ରତ୍ୟକ୍ଷ ଭାବେ ୦୮.୦୯.୨୦୧୫ରେ ଆବଣ୍ଟନ କଲେ। ଏନଟିପିସି-ଦର୍ଲିପାଲି ଶକ୍ତିକେନ୍ଦ୍ରର ୟୁନିଟ-୧ରୁ (୮୦୦ ମେଗାୱାଟ) ମାର୍ଚ ୧, ୨୦୨୦ରେ ବିଦ୍ୟୁତ ଉତ୍ପାଦନ ଆରମ୍ବ ହୋଇଥିବା ବେଳେ ସମକ୍ଷମତାର ୟୁନିଟ-୨ରୁ ସେପ୍ଟେମ୍ବର ୧, ୨୦୨୧ରେ ଆରମ୍ବ ହେଲା ଯେଉଁଥିରେ ଓଡିଶା ଭାଗ ୫୦% ରହିଛି। କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ସିଇଆରସି) ଜାରିକରିଥିବା ଆଦେଶରେ ଦର୍ଲିପାଲି ବିଦ୍ୟୁତକେନ୍ଦ୍ର ପାଇଁ କୋଇଲାମୂଲ୍ୟ ଟନପିଛା ୧୦୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଓପିଜିସି ପାଇଁ ୧୮୦୦ ଟଙ୍କା ଅନୁମୋଦନ କଲେ। ତେବେ ଓଡିଶା ବିଦ୍ୟୁତ ଉପଭୋକ୍ତା ଏନଟିପିସି ତୁଳନାରେ କାହିଁକି ୮୦୦ ଟଙ୍କା ବିଦ୍ୟୁତ ବିଲରେ (ୟୁନିଟ ପିଛା ୫୦ ପଇସା ହିସାବରେ) ଅଧିକ ଭରଣା କରିବେ? ଏପରି ଅଭିଯୋଗକୁ ଆମେ ଓଇଆରସିରେ ଦାଖଲ କଲୁ। ଅଭିଯୋଗରେ ଦୁଇଟି କାରଣ ଦର୍ଶାଇ କହିଲୁ ଏନଟିପିସି-ଦର୍ଲିପାଲିକୁ ପ୍ରତ୍ୟକ୍ଷ ଭାବେ କୋଇଲାଖଣି ମିଳିଥିବାରୁ ଜିଏସଟି କ୍ଷତିପୂରଣ ସେସ ବାବଦକୁ ଟନପିଛା ୪୦୦ ଟଙ୍କା ଦେବାକୁ ପଡୁନାହି କିନ୍ତୁ ଓସିପିଏଲକୁ ପରୋକ୍ଷ ଭାବେ କୋଇଲାଖଣି ମିଳିଥିବାରୁ ସେବାବଦକୁ ୪୦୦ ଟଙ୍କା ଦେବାକୁ ପଡୁଛି। ଉପଭୋକ୍ତାଙ୍କ ସ୍ଵାର୍ଥ ସୁରକ୍ଷା ପାଇଁ ପ୍ରସ୍ତାବ ଦେଇ କହିଲୁ ମନୋହରପୁର କୋଇଲାଖଣିକୁ ଓପିଜିସିକୁ ସମର୍ପଣ କରିଦେଲେ ୪୦୦ ଟଙ୍କା ସେସ ଆଉ ଦେବାକୁ ପଡିବ ନାହି। ସେହିପରି ଦ୍ଵିତୀୟ ଅଭିଯୋଗରେ କହିଲୁ, ସିଇଆରସି କୋଇଲାମୂଲ୍ୟ ନିର୍ଣ୍ଣୟ ପାଇଁ ସ୍ଵତନ୍ତ୍ର ଅଧିନିୟମ ଜାରି କରିଥିବା ବେଳେ ଓଇଆରସି ଏପର୍ଯ୍ୟନ୍ତ ତାହା କରିନାହାନ୍ତି। ତେଣୁ ସିଇଆରସି ଭଳି ଓଇଆରସି ଆବଶ୍ୟକୀୟ ଅଧିନିୟମ ଜାରିକରି କୋଇଲାମୂଲ୍ୟ ନିର୍ଣ୍ଣୟ କଲେ ଓସିପିଏଲ କୋଇଲାମୂଲ୍ୟ ଏନଟିପିସି ଭଳି ଟନପିଛା ୧୦୦୦ ଟଙ୍କା ଭିତରେ ସୀମିତ ରହିବ। ଆମର ପ୍ରଥମ ଅଭିଯୋଗ ଓ ପ୍ରସ୍ତାବ ଉପରେ ଓପିଜିସି ଉତ୍ତର ରଖି କହିଥିଲେ ଓସିପିଏଲ-ଓପିଜିସି ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଦେଇଛନ୍ତି। ଆମର ଦ୍ଵିତୀୟ ଅଭିଯୋଗ ଓ ପ୍ରସ୍ତାବରେ ଓଇଆରସି ସହମତି ହୋଇ କୋଇଲାମୂଲ୍ୟ ନିର୍ଣ୍ଣୟ କରିବାପାଇଁ ଆବଶ୍ୟକୀୟ ଅଧିନିୟମ ୨୯.୦୫.୨୦୨୪ରେ ବିଜ୍ଞପିତ କଲେ। ତେବେ ଓସିପିଏଲ ଏବଂ ଓପିଜିସିର କୋଇଲା ଓ ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ଦରଖାସ୍ତଗୁଡିକ ଓଇଆରସିଙ୍କର ଗତ ୬ ମାସହେଲା ବିଚାରଧିନ ଅଛି।

ଜିଏସଟି କ୍ଷତିପୂରଣ ସେସ ଟନପିଛା ୪୦୦ ଟଙ୍କା ଅଦାୟକୁ କେନ୍ଦ୍ରସରକାର ବନ୍ଦକଲେ
ଇତିମଧ୍ୟରେ ଭଲ ଖବରଟି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଗଠିତ ଜିଏସଟି ପରିଷଦ ୨୨.୦୯.୨୦୨୫ରୁ କୋଇଲା ଉତ୍ପାଦନ ଉପରେ ଲାଗୁଥିବା ଟନପିଛା ୪୦୦ ଟଙ୍କା ଜିଏସଟି କ୍ଷତିପୂରଣ ସେସକୁ ରଦ୍ଦ କରିଦେଇଛନ୍ତି। ସେଥିପାଇଁ ସେପ୍ଟେମ୍ବର ୨୨, ୨୦୨୫ରୁ ଓସିପିଏଲ ଜିଏସଟି କ୍ଷତିପୂରଣ ସେସ ବିଲ କରିବା ବନ୍ଦ କରିଦେଇଛନ୍ତି। ଓଡିଶା ସରକାରଙ୍କ ଓସିପିଏଲ ଓ ଓପିଜିସି ମିଶ୍ରଣ ନିଷ୍ପତି ଗ୍ରହଣ ପଛରେ ଥିବା ବଡ କାରଣଟି ଥିଲା, କୋଇଲା ଉତ୍ପାଦନ ଉପରେ ଜିଏସଟି କ୍ଷତିପୂରଣ ସେସ ଟନପିଛା ୪୦୦ ଟଙ୍କା ଭରଣ କରିବାରୁ ତ୍ରାହି ମିଳିବ, ଯାହାକୁ କେନ୍ଦ୍ରସରକାର ଇତିମଧ୍ୟରେ ରଦ୍ଦ କରିଦେଇଛନ୍ତି। ଯେତେତୁ ସରକାରଙ୍କ ମିଶ୍ରଣ ନିଷ୍ପତି ଗ୍ରହଣ ପଛରେ ଥିବା କାରଣଟି ଏବେ ସମାଧାନ ହୋଇଯାଇଛି, ତେଣୁ ଓସିପିଏଲ-ଓପିଜିସି ମିଶ୍ରଣ ଏବେ ଆଉ ଆବଶ୍ୟକ ନାହି। ରାଜ୍ୟସରକାରଙ୍କ ମିଶ୍ରଣ ନିଷ୍ପତି ବିରୁଦ୍ଧରେ ଦ୍ଵିତୀୟ କାରଣଟି ହେଉଛି, ଇତିମଧ୍ୟରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସୁନ୍ଦରଗଡର ଟାଙ୍ଗରଡ଼ିହି ଉତ୍ତର କୋଇଲାଖଣିକୁ ବାଣିଜ୍ୟ ଉଦ୍ଧେସ୍ଵରେ ଓସିପିଏଲକୁ ଅଗଷ୍ଟ ୨୨, ୨୦୨୫ରେ ନିଲାମ କରିଛନ୍ତି। ଟାଙ୍ଗରଡ଼ିହି କୋଇଲାଖଣିରେ ପ୍ରଚୁର ପରିମାଣର ୧୧୦୦ ନିୟୁତ ଟନ ଉଚ୍ଚମାନର ଜି-୧୩ ଗ୍ରେଡ କୋଇଲା ଉପଲବ୍ଧ ଅଛି। ଦକ୍ଷ ଅଭିଜ୍ଞ ଓସିପିଏଲ ଟାଙ୍ଗରଡ଼ିହି ଖଣିକୁ ସୁଚାରୁରୂପେ ପରିଚାଳନା କରି ରାଜ୍ୟ ରାଜକୋଷ ବୃଦ୍ଧି କରିବା ସହ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ସକ୍ଷମ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଓସିପିଏଲ-ଓପିଜିସି ମିଶ୍ରଣ ରାଜ୍ୟପାଇଁ କ୍ଷତିକାରକ ହେବ।
କୋଇଲାଖଣି ପରିଚାଳନାରେ ଓଡିଶାରେ କେବଳ ଓସିପିଏଲ ଦକ୍ଷତା ହାସଲ କରିଛି:
ସରକାରଙ୍କ ଓସିପିଏଲ-ଓପିଜିସି ମିଶ୍ରଣ ନିଷ୍ପତି ବିରୋଧ ପଛର ତୃତୀୟ କାରଣଟି ହେଉଛି, ଓସିପିଏଲ ମଡେଲ ଆପଣେଇ ଏନଟିପିସି ଏକ ସହଯୋଗୀ ସଂସ୍ଥା ଏନଟିପିସି ମାଇନିଙ୍ଗ ଲିମିଟେଡ (ଏନଏମଏଲ) ୧୭.୦୮.୨୦୨୫ରେ ଗଠନ କରି ନିଜର ସମସ୍ତ ୭ଟି କୋଇଲାଖଣିକୁ ହସ୍ତାନ୍ତର କରିଛି। କୋଇଲାଖଣି ପରିଚାଳନାରେ ଆବଶ୍ୟକୀୟ ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧିପାଇଁ ଏନଟିପିସି ଭଳି କେନ୍ଦ୍ରସରକାରଙ୍କ ନବରତ୍ନ ସରକାରୀ ଉଦ୍ୟୋଗ ନିଜର ସହଯୋଗୀ ସଂସ୍ଥା ଏନଏମଏଲ ଗଠନ କରିଥିବାବେଳେ ଓପିଜିସି ସହିତ ଓସିପିଏଲ ମିଶ୍ରଣ ନିଷ୍ପତି ବାସ୍ତବରେ ଦୁର୍ଭାଗ୍ୟପୂର୍ଣ। ତେଣୁ ଓଡିଶା ସରକାରଙ୍କ ମିଶ୍ରଣ ନିଷ୍ପତି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧିକୁ ନିଶ୍ଚୟ ପ୍ରତିହତ କରିବ।

ଓପିଜିସିର ଅପାରଗତା:
ସରକାରଙ୍କ ମିଶ୍ରଣ ନିଷ୍ପତି ବିପକ୍ଷରେ ଚତୁର୍ଥ କାରଣଟି ହେଉଛି, ଓପିଜିସି ପରିଚାଳନା ମଣ୍ଡଳୀର ଅପାରଗତା। ଓପିଜିସିର ଅପାରଗତା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ୧୩୨୦ ମେଗାୱାଟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨ ବର୍ଷକାଳ ବିଳମ୍ବ ହୋଇ ପ୍ରାୟ ୨୫୦୦ କୋଟିଟଙ୍କା ଅଧିକ ପୁଞ୍ଜିନିବେଶ ହୋଇଛି। ଫଳରେ ଓପିଜିସି ବିଦ୍ୟୁତମୂଲ୍ୟ ବୃଦ୍ଧି ଘଟିଛି। ସେହିପରି ପରିଚାଳନା ଦକ୍ଷତା ଅଭାବରୁ ଓପିଜିସିର ବିଦ୍ୟୁତ ଉତ୍ପାଦନ ପ୍ରବଳ ବାଧାପ୍ରାପ୍ତ ହେଉଛି। ଓପିଜିସି ଯଦି ଶକ୍ତିକେନ୍ଦ୍ରର ପରିଚାଳନା ଦକ୍ଷତା ସହ କରିପାରୁ ନାହି ତେବେ କୋଇଲାଖଣି ପରିଚାଳନରେ କିପରି ସଫଳ ହେବ? ଓଇଆରସି ଧାର୍ଯ୍ୟ କରିଥିବା ମାନଦଣ୍ଡ ଅନୁସାରେ ଓପିଜିସିର ପୁରୁଣା ଶକ୍ତିକେନ୍ଦ୍ର (୨x୨୧୦ ମେଗାୱାଟ) ଅତିକମରେ ସ୍ଥାପିତ କ୍ଷମତାର ୮୩% ଉପଯୋଗ କରିବା ଉଚିତ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର (୨x୬୬୦ ମେଗାୱାଟ) ସ୍ଥାପିତ କ୍ଷମତାର ୮୫% ଉପଯୋଗ କରିବା ଉଚିତ। କିନ୍ତୁ ବାସ୍ତବତା ହେଉଛି ଉଭୟ ଶକ୍ତିକେନ୍ଦ୍ର ଧାର୍ଯ୍ୟ ମାନଦଣ୍ଡ ଠାରୁ ବହୁତ କମ ବିଦ୍ୟୁତ ଉତ୍ପାଦନ କରୁଛନ୍ତି। ଏହା ଓପିଜିସିର ଅପାରଗତା ନୁହେଁ କି? ଓପିଜିସି ୱେବସାଇଟରୁ ଉପଲବ୍ଧ ତଥ୍ୟ କହୁଛି, ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରିତ ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର ମାତ୍ର ୭୬% କ୍ଷମତା ଉପଯୋଗ କରିଛି। ପୂର୍ବ ୪ ବର୍ଷର (୨୦୨୦-୨୧ ରୁ ୨୦୨୩-୨୪) ବିଦ୍ୟୁତ ଉତ୍ପାଦନ ତଥ୍ୟ କହୁଛି ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର ଯଥାକ୍ରମେ ୫୨%, ୬୩%, ୭୭% ଓ ୮୦% କ୍ଷମତା ଉପଯୋଗ କରିଛି। ସେହିପରି ପୁରୁଣା ଶକ୍ତିକେନ୍ଦ୍ରଟି ପୂର୍ବ ୪ ବର୍ଷରେ ଯଥାକ୍ରମେ ୭୧%, ୮୦%, ୭୬% ଓ ୬୮% କ୍ଷମତା ଉପଯୋଗ କରିଛି। ଅର୍ଥାତ ଗତ ଚାରିବର୍ଷରେ ଓପିଜିସି ପାଇଁ ଓଇଆରସି ଧାର୍ଯ୍ୟ କରିଥିବା ମାନଦଣ୍ଡ ଠାରୁ ଢେର କମ ବିଦ୍ୟୁତ ଉତ୍ପାଦନ ହୋଇଛି। ତେଣୁ ସରକାରଙ୍କର ପ୍ରାଥମିକତା ହେଉଛି ଓପିଜିସି ପରିଚାଳନା ମଣ୍ଡଳୀରେ ଲୁଚିଥିବା ଅପାରଗତାକୁ ଦୂର କରନ୍ତୁ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଅତିକମରେ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ବିଦ୍ୟୁତ ଉତ୍ପାଦନ ନିଶ୍ଚିତ କରନ୍ତୁ।
ରାଜ୍ୟସରକାରଙ୍କ ନିଷ୍ପତି ଦକ୍ଷତା ବିକାଶରେ ପ୍ରତିବନ୍ଧକ:
ଶେଷରେ ଆମେ ସରକାରଙ୍କୁ ଏତିକି ପ୍ରସ୍ତାବ ଦେବୁ, ଅତି ଆବଶ୍ୟକ ପଡିଲେ ମନୋହରପୁର କୋଇଲାଖଣିକୁ ଓପିଜିସିକୁ ସମର୍ପଣ କରିଦିଅନ୍ତୁ ଏବଂ ଓସିପିଏଲରେ ଥିବା ଓପିଜିସିର ୫୧% ଅଂଶଧନକୁ କ୍ରୟ କରନ୍ତୁ। ଫଳରେ ଓସିପିଏଲ ଏକ ଶତପ୍ରତିଶତ ସାଧାରଣ ଉଦ୍ୟୋଗ ହୋଇ ଶକ୍ତିବିଭାଗ ନିୟନ୍ତ୍ରଣରେ କାର୍ଯ୍ୟ କରିବ।
- ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର (ମୋବାଇଲ ନ ୮୮୯୫୪୧୮୧୬୯)
