ବଲାଙ୍ଗୀର ଗୁଣ୍ଡା ସାହୁ ଅପହରଣ ପଛରେ ଗଞ୍ଜେଇ କାରବାର?
1 min read
- ସିଣ୍ଡିକେଟରେ ମାଫିଆ- ପୁଲିସ- ସାମ୍ବାଦିକ ସାମିଲ୍ !!
ବଲାଙ୍ଗୀର : (ମଳୟ ମିଶ୍ରଙ୍କ ରିପୋର୍ଟ )
ଗତ ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ବଲାଙ୍ଗୀରର ବିଶିଷ୍ଟ ବ୍ୟବସାୟୀ ଗୁଣ୍ଡାସାହୁ ଅପହରଣ ମାମଲାରେ ପରଦିନ ବଲାଙ୍ଗୀର ପୁଲିସ ଖଣ୍ଡଗିରି ଥାନାରୁ ତାଙ୍କୁ ଉଦ୍ଧାର କରିବା ସହ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ କଣ୍ଟାମାଳର କ୍ଷିତିଶ ଚନ୍ଦ୍ର ସାହୁ ଏବଂ ବଲାଙ୍ଗୀର ଆସୁଥିବା ବେଳେ ତାଙ୍କ ଭଉଣୀ ଭୁବନେଶ୍ବର କମିଶନେରେଟ୍ ପୁଲିସର ମୁଖ୍ୟାଳୟରେ କାର୍ଯ୍ୟରତା ମହିଳା ସବ୍ ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ ଓ ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ଭୁବନେଶ୍ବରର ଜଣେ କ୍ରାଇମ୍ ରିପୋର୍ଟର ସଞ୍ଜୟ ଜେନା ଓ ବଲାଙ୍ଗୀର ଟାଉନ୍ ଥାନାନ୍ତର୍ଗତ ମାଲପଡାର ଜଣେ ଜମିଦଲାଲ ସଞ୍ଜିତ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ପୁଇଁନ୍ତଳା ଥାନାନ୍ତର୍ଗତ ରଣ୍ଡାଛକରୁ ତାଙ୍କୁ ଘରୁ ଫୋନ୍ କରି ଜମି ଦେଖାଇଦେବା ବାହାନାରେ ସେ ଯାଇଥିବାବେଳେ ତାଙ୍କ ଗାଡି ପାଖରୁ କ୍ଷିତିଶ ଓ ସଞ୍ଜିତ ବେହେରା ୬ / ୭ ଜଣ ଭଡାଟିଆ ସହଯୋଗୀ ମିଶି ଗୁଣ୍ଡାଙ୍କୁ ସେମାନଙ୍କ ଗାଡିରେ ମଧ୍ୟାହ୍ନବେଳେ ବଲାଙ୍ଗୀର- ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଉପରୁ ଉଠାଇ ନେଇ ଭୁବନେଶ୍ବର ଅଭିମୁଖେ ପଳାଇଥିଲେ। ଏହି ଯୋଜନାବଦ୍ଧ ଅପହରଣ ନିମନ୍ତେ ଭୁବନେଶ୍ବରରେ ରହୁଥିବା ସୋନପୁର ଜିଲ୍ଲାର ତରଭା ଥାନାନ୍ତର୍ଗତ ମରାଡୁଗୁଚ୍ଛା ଗ୍ରାମର ମୂଳ ବାସିନ୍ଦା ତଥା କଣ୍ଟାମାଳର କ୍ଷିତିଶ ବଲାଙ୍ଗୀର ସୁଦପଡାର ରେଳ ଫାଟକ ନିକଟସ୍ଥ ପଦ୍ମନ୍ ପ୍ଲାଜା ହୋଟେଲରେ ଆସି ରହି ବ୍ଲୁ ପ୍ରିଣ୍ଟ କରି ବରାବର ରେକି କରୁଥିବାର ପ୍ରମାଣ ପୁଲିସ ହାତରେ ଲାଗିଥିବା ପ୍ରକାଶ।

ଉକ୍ତଦିନ ସେମାନେ ଗୁଣ୍ଡାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଯାଇ ଭୁବନେଶ୍ବରର ଏକ ହୋଟେଲରେ ରଖି ମାଡପିଟ କରିବା ସହ ଏକ ଯୋଜନା ପ୍ରସ୍ତୁତ କରି ତାହାର ଭିଡିଓ ରେକର୍ଡିଂ କରିବା ପରେ ଖଣ୍ଡଗିରି ଥାନାରେ ଓଲଟା ଅପହୃତ ବିରୁଦ୍ଧରେ ଏକ ମିଥ୍ୟାମାମଲା ଋଜୁ କରି ୫୦ ଲକ୍ଷ ଟଙ୍କା ଦାବି କରିଥିବା ଓ ବଲାଙ୍ଗୀରରେ ତାଙ୍କ ପରିବାର ପକ୍ଷରୁ ଏତଲା କ୍ରମେ ବଲାଙ୍ଗୀର ପୁଲିସ ଟ୍ରାକ୍ କରି ତୁରନ୍ତ ସେଠାରେ ପହଞ୍ଚିଯାଇ ଉଦ୍ଧାର କରିଥିବା ପ୍ରକାଶ । ତେବେ ପ୍ରାଥମିକ ଅନୁସନ୍ଧାନରେ ଘଟଣାସ୍ଥଳର ସିସିଟିଭି ଫୁଟେଜରୁ ଘଟଣା ସମୟରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ବୋଲେରୋ ରହିଥିବା ଓ ପରେ ତାହା ଜଣେ ନିରୀହ କଣ୍ଟ୍ରାକ୍ଟରଙ୍କର ଏବଂ ତାଙ୍କର ଏହି ମାମଲା ସହ କୌଣସିପ୍ରକାର ସମ୍ପୃକ୍ତି ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଝାଡ଼ଖଣ୍ଡ ନମ୍ବରର ସେ ଚାରିଚକିଆ ଗାଡିଟି କେଉଁ କାମରେ ସେତେବେଳେ ସେଠିକି ଆସିଥିଲା ଓ ସେ ନିରୀହ କଣ୍ଟ୍ରାକ୍ଟର ଜଣକ କିଏ?-ଏହା ଲୋକଲୋଚନରେ ସୃଷ୍ଟ ହୋଇ ପାରି ନ ଥିବାବେଳେ, ଏବେ ଅପହରଣରେ ସମ୍ପୃକ୍ତ ଅନ୍ୟ ଫେରାର୍ ଆସାମୀମାନେ ଝାଡ଼ଖଣ୍ଡ ପଳାଇଯାଇଥିବା ଏକ ନିର୍ଭରଯୋଗ୍ୟ ଗଣମାଧ୍ୟମ ସୂତ୍ରରୁ ସ୍ପଷ୍ଟ ହୋଇଛି।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଅପହରଣ ପଛରେ ଗଞ୍ଜେଇ କାରବାର ଥିବା ପୁଲିସ ଜାଣି ପାରିଛି I ଏଥିରେ ବଲାଙ୍ଗୀର ମାଲପଡାର କିଟୁ ପୋଢ ଓ ମାନସ ନାମକ ଦୁଇଜଣ ଅପରାଧୀ ସମ୍ପୃକ୍ତ ରହିଥିବା ସହ ଭୁବନେଶ୍ବରର ଆଉ ଦୁଇଜଣ ସାମ୍ବାଦିକ ଜଡିତ ରହିଥିବା ସମ୍ପର୍କିତ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଏହି ସାମ୍ବାଦିକମାନଙ୍କ କବଜାରେ ରାଜଧାନୀ ଉପକଣ୍ଠସ୍ଥ ଖଣ୍ଡଗିରି , ତମାଣ୍ଡୋ , ଭରତପୁର, ଇନଫୋଭ୍ୟାଲି , ଚନ୍ଦକା, ଜଟଣୀ , ଧଉଳି , ମଞ୍ଚେଶ୍ୱର, ବାଲିପାଟଣା ଓ ବାଲିଅନ୍ତା ଭଳି ଥାନା ରହିଥିବା ଓ ସେମାନେ ପୁଲିସ ସହଯୋଗରେ ଅବୈଧ ଗୋରୁମାଫିଆ , ବାଲି ମାଫିଆ ଓ ନିଶା ମାଫିଆ ଆଦି ବିଭିନ୍ନ ଘଟଣାରେ ଚାଲାଣକାରୀଙ୍କୁ ମୁଣ୍ଡଜାମିନ ରଖି ଅର୍ଥ ଆଦାୟ କରୁଥିବା ପ୍ରକାଶ ପାଇଛି ।

ତେଣୁ ଏହି ଅପହରଣ ମାମଲାରେ କେବଳ ମୁଖ୍ୟ ଅଭିଯୁକ୍ତର ଭଉଣୀ ଦୃଷ୍ଟିରୁ ନୁହେଁ , ଖଣ୍ଡଗିରି ଥାନା ଓ ଏହା ପୂର୍ବର ଅନ୍ୟଥାନାରେ ପୋଷ୍ଟିଂ ପରେ କମିଶନରେଟ ପୁଲିସର ଉକ୍ତ ଅଭିଯୁକ୍ତା ମହିଳା ସବ୍ ଇନ୍ସପେକ୍ଟରଙ୍କର ସମ୍ପୃକ୍ତି ସନ୍ଦେହଘେରକୁ ଆସୁଛି ।
ତେବେ ଏହି ଅପହରଣର କାରଣ ସମ୍ପର୍କରେ ଆରମ୍ଭରୁ ପୁଲିସ ଓ ଗଣମାଧ୍ୟମରେ ପୁଲିସ୍ କବଜାରେ ଥିବା ମୁଖ୍ୟ ଅଭିଯୁକ୍ତର ତଥାକଥିତ ବୟାନ ଅନୁଯାୟୀ , ହନୁମାନ ପଇସାର କାରବାର ପାଇଁ ଅପହୃତ ବିଗତ ୪ ବର୍ଷ ତଳୁ ମୁଖ୍ୟ ଅପହରଣକାରୀ ଠାରୁ ୨ କୋଟି ୭୦ ଲକ୍ଷ ଟଙ୍କା ନେଇ ଫେରାଉ ନ ଥିବା ଓ ଅପହୃତ ଏହାକୁ ମାନି ନ ଥିବା ସହ ତା’କୁ ଚିହ୍ନି ନ ଥିବା ପ୍ରକାଶ ପାଇ ଆସିଥିବା ବେଳେ ଘଟଣାର ଏତେଦିନ ପରେ ପୁଲିସ ଏହାର ତଥ୍ୟପ୍ରମାଣ ପାଇ ପାରି ନଥିବା ଜଣାଯାଇଛି । ତେବେ ଏହାପଛରେ ଜମିଜମା କାରବାର ଓ ଅନ୍ୟାନ୍ୟ ଅବୈଧ କାରବାର ରହିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ପାଇଥିବା ସହ ଗିରଫ ଅଭିଯୁକ୍ତା ମହିଳା ସବ୍ ଇନ୍ସପେକ୍ଟର ତାଙ୍କୁ ଭୁବନେଶ୍ବର ଓ ଏଠାକାର ଦୁଇଜଣ ବରିଷ୍ଠ ପୁଲିସ ଅଧିକାରୀ ଫସାଇ ଦେଇଥିବା ସଫେଇ ଦେଇଥିବା ପ୍ରକାଶ।
ଇତିମଧ୍ୟରେ ମାମଲାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଥିବା ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ୍ ଙ୍କର ଅନ୍ୟ ବିଭାଗକୁ ବଦଳି ହୋଇଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛିବର୍ଷ ଧରି ସମଗ୍ର ରାଜ୍ଯ ଓ ବିଶେଷ କରି ବୌଦ୍ଧରୁ ସୋନପୁର ଦେଇ ବଲାଙ୍ଗୀର ଗଞ୍ଜେଇ ଚୋରାଚାଲାଣର ଗ୍ରୀନ୍ କରିଡର ପାଲଟିଯାଇଛି । ପ୍ରାୟ ପ୍ରତିଦିନ ଏହି ରାସ୍ତାରେ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ଶହ ଶହ କୋଟି ଗଞ୍ଜେଇ କାରବାର ଧରପଗଡ ଜାରୀ ରହିଥିବା ସହ ଏଥିରେ ପୁଲିସ , ଅବକାରୀ ବିଭାଗର କର୍ମଚାରୀଙ୍କ ସହ ସାମ୍ବାଦିକ ମଧ୍ୟ ଧରା ପଡିଛନ୍ତି। କେତେକ ମାମଲାକୁ ବଡବଡିଆ ସ୍ତରରେ ଚାପି ଦିଆଯାଉଥିବା ଚର୍ଚ୍ଚା ମଧ୍ୟ ହେଉଛି।
ସର୍ବୋପରି ବଲାଙ୍ଗୀର ବ୍ୟବସାୟୀ ଅପହରଣ ମାମଲାରେ ବଡ ଧରଣର ଡିଲ୍ ହୋଇଥିବା ପରି ଭିନ୍ନ ଭିନ୍ନ ଗୁରୁତର ଚର୍ଚ୍ଚା ଉଠୁଛି। ଏବେ ଗିରଫ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି। ବଲାଙ୍ଗୀରର ଦକ୍ଷ ଏସ୍ ପି ଅଭିଳାଷ ଜି ଏହି ମାମଲାରେ ମଧ୍ୟ ତାଙ୍କର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ଉପରେ ଲୋକଙ୍କର ଆସ୍ଥା ରହିଛି।
ଏଣୁ ଏହି ମାମଲାଟିର ପ୍ରକୃତ ସତ୍ୟାସତ୍ୟ ସଠିକ୍ ଉଚ୍ଚସ୍ତରୀୟ ତଦନ୍ତ ଦ୍ବାରା କରାଯାଇ ସରକାରଙ୍କ ଭାବମୂର୍ତ୍ତିର ସ୍ବଚ୍ଛତା ବଜାୟ ରଖାଯିବାକୁ ଦାବି ହେଉଛି ।
