tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କାଳବୈଶାଖୀ ତାଣ୍ଡବ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ

1 min read
  • ଗାଡ଼ିରେ ଘରକୁ ଫେରୁଥିଲାବେଳେ ହଠାତ୍ କାଳବୈଶାଖୀ ହୋଇଥିଲା
  • ରାସ୍ତାପାଶ୍ୱର୍ ଏକ ବିରାଟ ଗଛ ତାଙ୍କ ଗାଡ଼ି ଉପରେ ପଡ଼ିଯାଇଥିଲା
  • ବିଧାୟକଙ୍କ ସମେତ ଡ୍ରାଇଭର ଓ ପିଏସଓ ସୌଭାଗ୍ୟବଶତଃ ସମ୍ପୂର୍ଣ୍ଣ ସୁରକ୍ଷିତ

ମାଲକାନାଗିରି,କୋରାପୁଟ://TATKAL ODISHA//
କାଳବୈଶାଖୀ ଭୀଷଣ ତାଣ୍ଡବ ଯୋଗୁଁ ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚିତ୍ରକୋଣ୍ଡାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟରେ ସେ ଯୋଗ ଦେଇ ନିଜ ଗାଡ଼ିରେ ଘରକୁ ଫେରୁଥିଲାବେଳେ ହଠାତ୍ କାଳବୈଶାଖୀ ହୋଇଥିଲା। ଏଥିଯୋଗୁଁ ଭୟଙ୍କର ପବନ ସହ ବର୍ଷା ହୋଇଥିଲା। ଫଳରେ ରାସ୍ତାପାଶ୍ୱର୍ ଏକ ବିରାଟ ଗଛ ତାଙ୍କ ଗାଡ଼ି ଉପରେ ପଡ଼ିଯାଇଥିଲା। ଗାଡ଼ିଟିର କ୍ଷତି ହୋଇଥିଲେ ହେଁ, ସେଥିରେ ବସିଥିବା ବିଧାୟକଙ୍କ ସମେତ ଡ୍ରାଇଭର ଓ ପିଏସଓ ସୌଭାଗ୍ୟବଶତଃ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।


TATKAL ODISHAକୁ ଏହି ସୂଚନା ଦେଇଛନ୍ତି ନିଜେ ବିଧାୟକ ଶ୍ରୀ ଖିଲ। ସେ କହିଛନ୍ତି ଯେ,

  • ବୁଧବାର ସନ୍ଧ୍ୟାରେ ଆଖିପିଛୁଳାକେ କାଳବୈଶାଖୀ ତାର ତାଣ୍ଡବ ରଚିଥିଲା। କେବଳ ମାଲକାନାଗିରି ଜିଲ୍ଲାର ଅଧିକାଂଶ ଇଲାକାରେ କାଳବୈଶାଖୀ ଭିଷଣ କ୍ଷତି ଘଟାଇଛି। ବହୁ ଲୋକଙ୍କ ଚାଳ ଛପର ଉଡ଼ିଯାଇଛି। ହେଲେ ନିଶ୍ଚିତ ବିପଦରୁ ଆମେ ବର୍ତ୍ତିଯାଇଛୁ। ଭଗବାନଙ୍କ କୃପା ଆମ ଉପରେ ରହିଛି। ଜଙ୍ଗଲିଆ ଓ ଶୂନଶାନ୍ ରାସ୍ତା ଥିବାରୁ ଗାଡ଼ିକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସମ୍ଭବ ହୋଇନଥିଲା। ସେଥିପାଇଁ ଏଭଳି ସମସ୍ୟା ହୋଇଥିଲା।”


ଆମର କେରାପୁଟ୍ ପ୍ରତିନିଧି କହିଛନ୍ତି ଯେ, କେବଳ ମାଲକାନାଗିରି ନୁହେଁ, କୋରାପୁଟ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରବଳ କ୍ଷତି କରିଛି। ନନ୍ଦପୁର ଅଞ୍ଚଳରେ ଏହି ଝଡ଼ପବନ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ସ୍ଥାନୀୟ ସାପ୍ତାହିକ ହାଟ ଚାଲିଥିବା ସମୟରେ ପବନ ଆସିବାରୁ ବ୍ୟବସାୟୀଙ୍କ ଜରିପାଲ ଏବଂ ଅସ୍ଥାୟୀ ଦୋକାନଗୁଡ଼ିକ ଉଡ଼ିଯାଇଛି। ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି।

Share

Leave a Reply