tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏଣିକି ପ୍ରତି ଜିଲ୍ଲାରେ ଅଭିଯୋଗ ସମାଧାନ ମଞ୍ଚ ଵା ଜିଆରଏଫ

1 min read

Oplus_16908288

  • ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ କେନ୍ଦ୍ରର ଉପହାର
  • ବିଦ୍ୟୁତ ଉପଭୋକ୍ତା ଅଧିକାର (ସଂଶୋଧନ) ନିୟମ ୨୦୨୬ର ଚିଠା ପ୍ରକାଶ
  • ଉପଭୋକ୍ତା ପ୍ରତିନିଧି ମଞ୍ଚର ସଭ୍ୟ ରହିବେ
  • ଅକ୍ଷୟଶକ୍ତି ଉତ୍ପାଦନ ଓ ସଂରକ୍ଷଣକୁ ପ୍ରତ୍ସୋହନ

ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//

ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଉପଭୋକ୍ତାଙ୍କୁ ବଡ ଉପହାର। ଉପଭୋକ୍ତାମାନଙ୍କର ଅଭିଯୋଗଗୁଡିକୁ ତ୍ଵରିତ ସମାଧାନ କରିବା ତଥା ଅକ୍ଷୟଶକ୍ତି ଉତ୍ପାଦନ ଓ ସଂରକ୍ଷଣକୁ ପ୍ରତ୍ସୋହନ କରି ଦେଶର ସର୍ବାଧିକ ବିଦ୍ୟୁତ ଚାହିଦା ସମୟକୁ ପରିପୂରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଉପଭୋକ୍ତା ଅଧିକାର ସଂଶୋଧନ ନିୟମ ୨୦୨୬ର ଚିଠା ୧୨.୦୩.୨୦୨୬ରେ ପ୍ରକାଶ କରିଛନ୍ତି।

ଚିଠା ନିୟମ ଉପରେ ମତାମତ ରଖିବା ପାଇଁ ରାଜ୍ୟସରକାଙ୍କ ବିଦ୍ୟୁତ ବିଭାଗ ଓ ବିଦ୍ୟୁତ ଅନୁଷ୍ଠାନଗୁଡିକୁ ଏକ ମାସ ସମୟ ଦିଆଯାଇଥିବା ବେଳେ ଅକ୍ଟୋବର ପହିଲା ୨୦୨୬ରୁ ଅଧିସୂଚିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

  • ସଂଶୋଧିତ ଚିଠା ନିୟମରେ ଉପଭୋକ୍ତାମାନଙ୍କର ଅଭିଯୋଗଗୁଡିକୁ ତ୍ଵରିତ ସମାଧାନ ପାଇଁ ଦୁଇ-ସ୍ତରୀୟ ଅଭିଯୋଗ ସମାଧାନ ମଞ୍ଚ (ଜିଆରଏଫ) ଗଠନ ପ୍ରସ୍ତାବ ରହିଛି।
  • ପ୍ରତ୍ୟେକ ଜିଲ୍ଲାରେ କିମ୍ବା ପୌରାଞ୍ଚଳରେ ଗୋଟିଏ ଗୋଟିଏ ଜିଆରଏଫ ଗଠନ ପ୍ରସ୍ତାବ ଥିବାବେଳେ ବିତରଣ କମ୍ପାନୀ ସ୍ତରରେ ଆଉ ଗୋଟିଏ ଜିଆରଏଫ ଗଠନ ହେବ।
  • ଜିଲ୍ଲା କିମ୍ବା ପୌରାଞ୍ଚଳରେ ଥିବା ଜିଆରଏଫର ଆଦେଶରେ ଉପଭୋକ୍ତା ଅସନ୍ତୁଷ୍ଟ ହେଲେ ୩ ମାସ ମଧ୍ୟରେ କମ୍ପାନୀ ସ୍ତରରେ ଥିବା ଜିଆରଏଫରେ ଅଭିଯୋଗ ଦାଖଲ କରିବେ।
  • କମ୍ପାନୀ ଜିଆରଏଫ ଅଭିଯୋଗ ସମାଧାନ କରିବାରେ ବିଫଳ ହେଲେ ବିଦ୍ୟୁତ ଲୋକପାଳ (Ombudsman)ଙ୍କ ପାଖରେ ଉପଭୋକ୍ତା ଅଭିଯୋଗ ଦାଖଲ କରିବ।
  • ଜିଆରଏଫ ଗୁଡିକ ୩୦ ରୁ ୪୫ ଦିନ ମଧ୍ୟରେ ଉପଭୋକ୍ତାର ଅଭିଯୋଗକୁ ସମାଧାନ କରିବେ।
ଜିଆରଏଫ

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ପ୍ରତେକ ଜିଆରଏଫରେ ୪ ଜଣ ସଭ୍ୟଙ୍କୁ ବିତରଣ କମ୍ପାନୀ ନିଯୁକ୍ତ କରିବେ ସେଥିରୁ ଜଣେ ଉପଭୋକ୍ତାଙ୍କ ପ୍ରତିନିଧି ହେବା ଆବଶ୍ୟକ। ଜିଆରଏଫ ଗୁଡିକ ଉପଭୋକ୍ତାର ଅନଲାଇନ୍ ଆବେଦନକୁ ଗ୍ରହଣ କରିବା ସହ ଭର୍ଚୁଆଲ୍ ଶୁଣାଣି କରିବେ। ଊପଭୋକ୍ତାର ଅବଗତି ପାଇଁ ଜିଆରଏଫ ଅବସ୍ଥିତିକୁ ମାସିକ ବିଦ୍ୟୁତ ବିଲରେ ଉଲ୍ଲେଖ କରିବା ପାଇଁ ନିର୍ଦ୍ଧେଶ ଅଛି

ଉପଭୋକ୍ତାଙ୍କୁ ଦିଆଯାଉଥିବା ଅସ୍ଵଭାବିକ ବିଲକୁ ନିଜ ଆଡୁ ଠିକ କରିବା ପାଇଁ ବିତରଣ କମ୍ପାନୀକୁ ୩୦ ଦିନ ସମୟ ଦିଆଯାଇଛି। ମହାନଗର ନିଗମ ଅଞ୍ଚଳର ଅଧିବାସୀଙ୍କୁ ୩ ଦିନ ମଧ୍ୟରେ ନୂତନ ବିଦ୍ୟୁତ ସଂଯୋଗ କିମ୍ବା ବିଦ୍ୟମାନ ସଂଯୋଗର ପରିବର୍ତ୍ତନ କରିବା ପାଇଁ ବିତରଣ କମ୍ପାନୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିବାବେଳେ ପୌରାଞ୍ଚଳ ପାଇଁ ୭ ଦିନ ଓ ଗ୍ରାମାଞ୍ଚଳ ପାଇଁ ୧୫ ଦିନ ସମୟ ଦିଆଯାଇଛି।

ଚିଠା ନିୟମରେ ଅକ୍ଷୟଶକ୍ତି ଉତ୍ପାଦନ ଓ ବିଦ୍ୟୁତ ସଂରକ୍ଷଣ ବୃଦ୍ଧିକରିବା ତଥା ସର୍ବୋଚ ବିଦ୍ୟୁତ ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ଟିଓଡ଼ି (ଟାଇମ ଅଫ ଡେ) ଟାରିଫ ମାଧ୍ୟମରେ ପ୍ରୋତ୍ସାହନ ବ୍ୟବସ୍ତା କରା ଯାଇଛି। ଏଠାରେ ସୂଚନାଯୋଗ୍ୟ ଦେଶର ୩୬ କୋଟି ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଧିକାରକୁ ନିଶ୍ଚିତ କରିବା ତଥା ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ମାନର ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୩୧ ଡିସେମ୍ବର ୨୦୨୦ରେ ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମ ୨୦୨୦ ଅଧିସୂଚିତ କରିଥିଲେ।

ତେବେ ଚିଠା ନିୟମ ଉପରେ ମତାମତ ରଖି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତିଯେ ୨୦୨୦ରେ ଅଧିସୂଚିତ ହୋଇଥିବା ମୂଳ ନିୟମ ଅନୁସାରେ ଏପର୍ଯ୍ୟନ୍ତ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପଦକ୍ଷେପ ଗ୍ରହଣ କରିନାହାନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଇଆରସି ଅଧ୍ୟକ୍ଷ ପଦରେ ଯୋଗଦେବା ପରେ ତାହାକୁ ଲାଗୁ କରିବା ପାଇଁ ଓଡିଶାରେ ବିଦ୍ୟମାନ ଥିବା ବିଦ୍ୟୁତ ନିୟମଗୁଡିକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେବି ଏପର୍ଯ୍ୟନ୍ତ ତାହା ଅଧିସୂଚିତ ହୋଇନାହି। ତେବେ ଓଡିଶାରେ ଏବେ ୧୮ଟି ଜିଆରଏଫ ୧୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବାବେଳେ ଚିଠା ନିୟମ ଅନୁସାରେ ବାକିଥିବା ଜିଲ୍ଲାଗୁଡିକରେ ଆଉ ୧୪ଟି ଜିଆରଏଫ ପ୍ରତିଷ୍ଠା କରାଗଲେ ଉପଭୋକ୍ତାର ଅଭିଯୋଗ ସମାଧାନ ହେବାସହ ଅଧିକାର ସୁରକ୍ଷିତ ହୋଇପାରିବ।

Share

Leave a Reply