tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା: ୨:୧ ଶ୍ଳୋକ :ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁ..

1 min read

ସଞ୍ଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ॥

  • ସଞ୍ଜୟ କହିଲେ – ଏହି ପ୍ରକାର କରୁଣା ଓ ବିଷାଦରେ ଅଭିଭୂତ, ଅଶ୍ରୁପୂର୍ଣ୍ଣ ନେତ୍ରଶିକ୍ତ ଅର୍ଜୁନଙ୍କୁ ଦେଖି ମଧୁସୂଦନ ଶ୍ରୀକୃଷ୍ଣ ନିମ୍ନମତେ କହିଲେ ।
    ଏହି ଶ୍ଳୋକଟିରୁ ଗୀତାର ଦ୍ୱିତୀୟ ଅଧ୍ୟାୟର ଆରମ୍ଭ । ଏହି ଶ୍ଳୋକରେ ଅର୍ଜୁନଙ୍କର ବିଷାଦଗ୍ରସ୍ତ ମାନସିକ ସ୍ଥିତିର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ । “କୃପୟାବିଷ୍ଟ” ଶବ୍ଦଟି ଗଭୀର ଅର୍ଥାବହ । ଏଠାରେ କୃପା ଅର୍ଥ କରୁଣା ହେଲେ ମଧ୍ୟ, ଏହା ମାନସିକ ଦୁର୍ବଳତାଜନିତ କରୁଣା – ଯାହା ଜ୍ଞାନରୁ ଉତ୍ପନ୍ନ ନୁହେଁ । କରୁଣା ଅର୍ଜୁନଙ୍କୁ ତାଙ୍କ କର୍ତ୍ତବ୍ୟରୁ ବିମୁଖ କରୁଛି । ଏହା ସ୍ୱଚ୍ଛ କରୁଣା ନୁହେଁ; ଏହା ଅନିର୍ଣ୍ଣୟ, ଦ୍ୱନ୍ଦ୍ୱ ଓ ଭୟରୁ ଉତ୍ପନ୍ନ ଏକ ଭାବନାତ୍ମକ ଅତିଶୟତା ଯାହା ତାଙ୍କ କର୍ମକୁ ଅବରୋଧ କରିଛି ।
  • ଅଶ୍ରୁପୂର୍ଣ୍ଣାକୁଲେକ୍ଷଣମ୍” ଦ୍ୱାରା ତାଙ୍କର ଗଭୀର ମାନସିକ ବିଷାଦର ଅବସ୍ଥା ପ୍ରକାଶ ପାଏ । ଯୋଦ୍ଧା ହୋଇ ମଧ୍ୟ ସେ ଏବେ ନିଜ ଭୂମିକାକୁ ଭୁଲି ଶୋକରେ ବିଲୀନ । “ବିଷୀଦନ୍ତମ୍” – ଅର୍ଜୁନ କେବଳ ଦୁଃଖିତ ନୁହେଁ, ସେ ଆତ୍ମବିଶ୍ୱାସ ହରାଇ ନିଷ୍କ୍ରିୟ ହୋଇପଡ଼ିଛନ୍ତି । ଅର୍ଜୁନ ନିଜ ଶକ୍ତି, ଦକ୍ଷତା ଓ ଲକ୍ଷ୍ୟ ଉପରେ ସନ୍ଦେହ କରୁଛନ୍ତି । ଏହି ଅବସ୍ଥାରେ ମଣିଷ ଗୁରୁଙ୍କ ଆବଶ୍ୟକତା ଅନୁଭବ କରେ । ଏହି ପରିପ୍ରେକ୍ଷୀରେ ମଧୁସୂଦନ (ଅହଂକାର ଓ ଅସୁରୀ ପ୍ରବୃତ୍ତି ନାଶକ) ଶ୍ରୀକୃଷ୍ଣ ତାଙ୍କୁ କହିବାକୁ ଆରମ୍ଭ କରିଛନ୍ତି । ଏହା ସୂଚାଏ – ଅଜ୍ଞାନ, ଦୁର୍ବଳତା ଓ ଭ୍ରମକୁ ନାଶ କରିବା ପାଇଁ ଏବେ ଦିବ୍ୟ ଜ୍ଞାନର ଆବଶ୍ୟକ ହୁଏ । ଏହି ଶ୍ଳୋକ ଆମକୁ ଶିକ୍ଷାଦିଏ – କେବଳ ଭାବପ୍ରବଣତାରୁ ଜାତ କରୁଣା ମଣିଷକୁ ଦୁର୍ବଳ କରେ । ସଠିକ୍ ମାର୍ଗଦର୍ଶନ ପାଇଁ ପ୍ରଥମେ ନିଜ ଅଜ୍ଞାନତାକୁ ଚିହ୍ନିବା ଦରକାର । ଗୁରୁ (ଶ୍ରୀକୃଷ୍ଣ) ସେତେବେଳେ କଥା କହନ୍ତି, ଯେତେବେଳେ ଶିଷ୍ୟ ଆତ୍ମିକ ସଂକଟରେ ପହଞ୍ଚିଥାଏ । ଶ୍ରୀକୃଷ୍ଣଙ୍କୁ “ମଧୁସୂଦନ” କୁହାଯାଇଛି – ଅର୍ଥାତ୍ ଅନ୍ତର୍ନିହିତ ଅହଂକାର, ଭୟ ଓ ଅଜ୍ଞାନକୁ ନାଶ କରିବାକୁ ଯିଏ ସକ୍ଷମ ।
    ଅର୍ଜୁନଙ୍କ ଦୁଃଖ ସାମାଜିକ ଦ୍ୱନ୍ଦ୍ୱର ପ୍ରତିନିଧି । ପରିବାର, ରକ୍ତସମ୍ପର୍କ, ପ୍ରେମ ଓ କର୍ତ୍ତବ୍ୟ – ଏସବୁ ମଧ୍ୟରେ ସମତୁଳନ ନ ରଖିବା ସମାଜର ସର୍ବବୃହତ ସମସ୍ୟା । ଆଜି ଯେତେବେଳେ ଜଣେ ବ୍ୟକ୍ତି ନ୍ୟାୟ ବନାମ ସମ୍ପର୍କ, ସତ୍ୟ ବନାମ ସୁବିଧା ମଧ୍ୟରେ ଫସିଯାଏ, ସେ ଅର୍ଜୁନଙ୍କ ଭଳି “ବିଷୀଦନ୍ତ” ହୋଇଯାଏ । ଶ୍ରୀକୃଷ୍ଣଙ୍କ ନିରବତା ପରେ କଥା ଆରମ୍ଭ, ସମାଜ ପାଇଁ ଏକ ଶିକ୍ଷା – ଭ୍ରମରେ ପଡ଼ିଥିବା ମଣିଷକୁ ପ୍ରଥମେ ଶୁଣିବା ଦରକାର, ପରେ ଉପଦେଶ ଦେବା ଉଚିତ।
  • କୃପୟାବିଷ୍ଟ” ଏଠାରେ ପାରିବାରିକ ଆସକ୍ତିର ପ୍ରତୀକ । ପରିବାର ପ୍ରତି ଅତ୍ୟଧିକ ଆସକ୍ତି ଯେତେବେଳେ ନ୍ୟାୟ ଓ କର୍ତ୍ତବ୍ୟକୁ ଢାଙ୍କିଦିଏ, ସେତେବେଳେ ଅର୍ଜୁନଙ୍କ ପରି ଅବସ୍ଥା ଦେଖାଯାଏ । ଆଜିର ପରିବାରରେ; ଭୁଲ୍ କରୁଥିବା ସନ୍ତାନକୁ ରକ୍ଷା କରିବା ତଥା ଅନ୍ୟାୟ କରୁଥିବା ଆତ୍ମୀୟଙ୍କୁ ନିରବ ସମର୍ଥନ ଦେବା ମନୋଭାବ – ଅର୍ଜୁନୀୟ “କୃପା”ର ଆଧୁନିକ ରୂପ । ସମାଜର ମୂଳ ଭିତ୍ତି ହେଉଛି ନ୍ୟାୟ ଓ ଦାୟିତ୍ୱ। ଅର୍ଜୁନ ଯଦି ଯୁଦ୍ଧରୁ ପଳାୟନ କରନ୍ତି, ତେବେ ସମାଜରେ ଅନ୍ୟାୟର ବିଜୟ ହେବ।
    “ବିଷୀଦନ୍ତମ୍” ଶବ୍ଦଟି ଏଠାରେ ସମାଜର ନୀତିଗତ ଦୁର୍ବଳତାର ପ୍ରତୀକ। ଯେତେବେଳେ ସଦ୍‌ଲୋକମାନେ ନିଷ୍କ୍ରିୟ ହୁଅନ୍ତି, ସେତେବେଳେ ଅନ୍ୟାୟ ଶକ୍ତିଶାଳୀ ହୁଏ । ଆଜି ଦୁର୍ନୀତି ଦେଖି ଚୁପ୍ ରହିବା ଏବଂ ଅନ୍ୟାୟକୁ “ମୋ ସମସ୍ୟା ନୁହେଁ” କହି ଏଡ଼ାଇଯିବା ହେଉଛି ସାମାଜିକ ଅର୍ଜୁନତା ।
    ଭାବନା ଯେତେବେଳେ ବୁଦ୍ଧିକୁ ଅଧିକାର କରେ, ନିଷ୍ପତ୍ତି ଭୁଲ୍ ହୁଏ । ସେତେବେଳେ ସଠିକ୍ ମାର୍ଗଦର୍ଶନ ମିଳିଲେ ମନ ସ୍ଥିର ହୁଏ । ଜୀବନର ପ୍ରତ୍ୟେକ ମଣିଷଙ୍କୁ ଜଣେ “ଶ୍ରୀକୃଷ୍ଣ” ଆବଶ୍ୟକ ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply