ଶ୍ରୀମଦ୍ ଭଗବଦ୍ ଗୀତା ୧: ୮ ଶ୍ଳୋକ : ଭବାନ୍ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ…
1 min read
ଭବାନ୍ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ॥
- ହେ ଗୁରୁ ଦ୍ରୋଣ ! ଆପଣ, ଭୀଷ୍ମ, କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା, ବିକର୍ଣ୍ଣ ଏବଂ ସୋମଦତ୍ତଙ୍କ ପୁତ୍ର ଭୂରିଶ୍ରବାଙ୍କୁ ଦେଖନ୍ତୁ । ଏମାନେ ସମସ୍ତେ ଯୁଦ୍ଧରେ ବିଜୟୀ ଓ ପ୍ରତାପଶାଳୀ ଯୋଦ୍ଧା । ଏହି ଶ୍ଳୋକରେ ଦୁର୍ଯ୍ୟୋଧନ ତାଙ୍କ ସେନାର ମହାରଥୀମାନଙ୍କ ନାମ ଗଣନା କରୁଛନ୍ତି । ସେ ଗୁରୁ ଦ୍ରୋଣଙ୍କୁ ଶୁଣାଇ ଦେଉଛନ୍ତି ଯେ, କୌରବ ପକ୍ଷରେ କେବଳ ସେନା ନୁହେଁ, ବରଂ ଅନୁଭବୀ, ପ୍ରତାପୀ ଓ ଯୁଦ୍ଧକୌଶଳରେ ପାରଙ୍ଗମ ଯୋଦ୍ଧାମାନେ ଅଛନ୍ତି ।
- କିନ୍ତୁ ଏଠାରେ ଦୁର୍ଯ୍ୟୋଧନଙ୍କ ମନୋଭାବ ଧ୍ୟାନ ଦେବା ଯୋଗ୍ୟ । ଶକ୍ତିଶାଳୀ ସେନାନାୟକମାନେ କୌରଵ ପକ୍ଷରେ ଥିବାରୁ ସେ ଗର୍ବ ଅନୁଭବ କରୁଥିଲେ ମଧ୍ୟ, ତାଙ୍କ କଥାରେ ଆତ୍ମବିଶ୍ୱାସର ଅଭାବ ଓ ହୃଦୟ ମଧ୍ୟରେ ଭୟ ଲୁଚିରହିଥିଲା । ସେ ଗୁରୁ ଦ୍ରୋଣଙ୍କୁ ବାରମ୍ବାର ସ୍ମରଣ କରାଉଛନ୍ତି – “ଆମ ପକ୍ଷ ଶକ୍ତିଶାଳୀ, ତେଣୁ ଆମେ ଦୁର୍ବଳ ହେବା ନାହିଁ।” କିନ୍ତୁ ଦାର୍ଶନିକ ଅର୍ଥରେ କେବଳ ଶକ୍ତି ଓ ପ୍ରତିଭା ଥିଲେ ଯୁଦ୍ଧ ଜିତାଯାଏ ନାହିଁ । ଧର୍ମ, ନ୍ୟାୟ ଓ ନୀତି ଯେଉଁଠି ନାହିଁ, ସେଠାରେ ଭିତରୁ ଦୁର୍ବଳତା ରହିଥାଏ।
- ଦୁର୍ଯ୍ୟୋଧନ ନାମ ନେଇ ଶକ୍ତି ଗଣନା କରୁଛନ୍ତି, କିନ୍ତୁ ଧର୍ମର କଥା କହୁନାହାନ୍ତି । ଏହାହିଁ ତାଙ୍କ ପତନର ମୂଳ । ଆଜିର ଜୀବନରେ ମଧ୍ୟ ଆମେ ଅନେକ ସମୟରେ ପଦପଦବୀ, ଅର୍ଥ, ଜନସମ୍ପର୍କ, ରାଜନୈତିକ ଶକ୍ତିକୁ ନେଇ ଗର୍ବିତ ହେଉ । କିନ୍ତୁ ନୀତି, ସତ୍ୟ ଓ ଆତ୍ମବଳ ନଥିଲେ ସଫଳତା ଦୀର୍ଘସ୍ଥାୟୀ ହୁଏନାହିଁ । ବାହ୍ୟ ସାଧନ ଉପରେ ଅତ୍ୟଧିକ ଭରସା ଭିତରର ଭୟକୁ ଢାଙ୍କି ରଖିଥାଏ । ଦୁର୍ଯ୍ୟୋଧନ ତାହାର ଉଦାହରଣ ।
- ଗୀତା ୧.୮ରେ ଦୁର୍ଯ୍ୟୋଧନ ତାଙ୍କ ପକ୍ଷର ମହାନ ଯୋଦ୍ଧାମାନଙ୍କ ନାମ ଗଣନା କରୁଛନ୍ତି । ଏହା କେବଳ ଯୁଦ୍ଧ ପୂର୍ବର ଏକ ବର୍ଣ୍ଣନା ନୁହେଁ, ବରଂ ଆଜିର ସମାଜର ମନୋଭାବକୁ ଗଭୀର ଭାବେ ପ୍ରତିବିମ୍ବିତ କରେ । ଆଜିର ସମାଜରେ ଲୋକେ ନିଜ ସଫଳତାକୁ ପଦବୀ, ଧନ, ସମ୍ପର୍କ ଏବଂ ସଂଖ୍ୟା ଦ୍ୱାରା ମାପନ୍ତି । ଏହା ଶକ୍ତି ପ୍ରଦର୍ଶନର ସଂସ୍କୃତି । କିନ୍ତୁ, ଏହି ପ୍ରଦର୍ଶନ ଆତ୍ମବିଶ୍ୱାସ ଠାରୁ ଅଧିକ ସମୟରେ ଆତ୍ମଭୟର ପରିଣାମ ଅଟେ । ଦୁର୍ଯ୍ୟୋଧନଙ୍କ ଭାଷାରେ ଥିଲା ଗର୍ବ, କିନ୍ତୁ ମନସ୍ତତ୍ଵରେ ଭରିରହିଥିଲା ଅସୁରକ୍ଷା, ଆଶଙ୍କା ଓ ଆତ୍ମଦ୍ୱନ୍ଦ୍ୱ । ନେତୃତ୍ୱ ମାନେ କେବଳ ଶକ୍ତି ଗଣନା ନୁହେଁ, ମୂଲ୍ୟବୋଧ ସୃଷ୍ଟି । ଯିଏ ଦୁର୍ଯ୍ୟୋଧନ ପରି କେବଳ ଶକ୍ତି ଉପରେ ଭରସା କରେ, ସେ ଅବଶ୍ୟ ଭିତରୁ ହାରେ ।
- ଦୁର୍ଯ୍ୟୋଧନ ଏଠାରେ ଯୋଦ୍ଧାଙ୍କ ନାମ ଗଣନା କରୁଛନ୍ତି । ଆଜିର ସମାଜରେ ଏହା – CV / Resume, Degree, Award, Title, Network, Recommendationର ଆକାର ନେଇଛି । ନାମ ଓ ଯୋଗ୍ୟତା ଅଛି, କିନ୍ତୁ ଚରିତ୍ର, ସମ୍ବେଦନା ଓ ଦାୟିତ୍ୱବୋଧ ଅନୁପସ୍ଥିତ । ଦୁର୍ଯ୍ୟୋଧନ ଭାବୁଛନ୍ତି – “ଏତେ ଯୋଦ୍ଧା ଥିଲେ ହାରିବୁ କିପରି?” କିନ୍ତୁ ତାହା ଥିଲା ଏକ ମିଥ୍ୟା ସୁରକ୍ଷାବୋଧ । ଆଜି Insurance, Savings, Technology, Power backup ସବୁଥିଲେ ମଧ୍ୟ ମନୁଷ୍ୟ ଅଶାନ୍ତ । ବାହ୍ୟ ସୁରକ୍ଷା ଭିତରକୁ ନିର୍ଭୟତା ଦେଇପାରୁ ନାହିଁ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
