ଶ୍ରୀମଦ୍ ଭଗବଦ୍ ଗୀତା ୧: ୧୪ ଶ୍ଳୋକ : ତତଃ ଶ୍ୱେତୈର୍ହୟୈର୍ୟୁକ୍ତେ ମହତି..
1 min read
ତତଃ ଶ୍ୱେତୈର୍ହୟୈର୍ୟୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ।
ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ ॥
- ତାହା ପରେ ଉଭୟେ ଶ୍ଵେତଅଶ୍ୱଯୁକ୍ତ ଏକ ବିଶାଳ ରଥରେ ବସି ଶ୍ରୀକୃଷ୍ଣ (ମାଧବ) ଓ ଅର୍ଜୁନ (ପାଣ୍ଡବ) ନିଜ-ନିଜର ଦିବ୍ୟ ଶଙ୍ଖ ଧ୍ୱନିତ କଲେ । ଏହି ଶ୍ଳୋକରେ କୃଷ୍ଣ ଓ ଅର୍ଜୁନଙ୍କ ଶଙ୍ଖଧ୍ୱନି କେବଳ ଯୁଦ୍ଧର ସଙ୍କେତ ନୁହେଁ; ଏହା ଧର୍ମର ଜାଗରଣ । ଯେତେବେଳେ କର୍ତ୍ତବ୍ୟରେ ଦ୍ୱନ୍ଦ୍ୱଗ୍ରସ୍ତ ମାନବ (ଅର୍ଜୁନ) ଦିବ୍ୟ ବୁଦ୍ଧି ଓ ଵିଵେକ (କୃଷ୍ଣ) ସହ ଏକାତ୍ମ ହୁଏ, ସେତେବେଳେ ଧର୍ମର ସ୍ୱର ମାନବ ଜୀବନରେ (ମହାରଥରେ) ଗୁଞ୍ଜରିତ ହୋଇଉଠେ ।
- ନୀତିହୀନ ଶକ୍ତି ବିରୁଦ୍ଧରେ ନୀତିବାନ ନେତୃତ୍ୱର ସ୍ପଷ୍ଟ ଆହ୍ୱାନ ହେଉଛି ଏହି ଶଙ୍ଖଧ୍ୱନି । ଧର୍ମ ଓ ବିବେକ ଯେତେବେଳେ ଶକ୍ତି ସହ ଯୋଗ ହୁଏ, ସେତେବେଳେ ସମାଜରେ ପରିବର୍ତ୍ତନ ଆସେ । ଏଠାରେ କୃଷ୍ଣ ଓ ପାଣ୍ଡବଙ୍କ ଶଙ୍ଖଧ୍ୱନି ଭୟ ନୁହେଁ, ବରଂ ସଚେତନତା । ଏହା କହୁଅଛି – “ଏବେ ନୀରବ ରହିବା ପାପ; ସତ୍ୟ ପାଇଁ ଦଣ୍ଡାୟମାନ ହେବା ହିଁ ଧର୍ମ।” ମହାଭାରତର କୁରୁକ୍ଷେତ୍ର ଯୁଦ୍ଧଭୂମି କେବଳ ଏକ ଐତିହାସିକ ସ୍ଥାନ ନୁହେଁ; ଏହା ମାନବ ମନର ଦ୍ୱନ୍ଦ୍ୱର ପ୍ରତୀକ । ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଦ୍ୱାରା ଶଙ୍ଖଧ୍ୱନି ହେଉଛି – ଧର୍ମର ଘୋଷଣା ।

- ଗୀତାର ପ୍ରଥମ ଅଧ୍ୟାୟର ୧୪ତମ ଶ୍ଳୋକରେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଶଙ୍ଖଧ୍ୱନି ଏକ ସାଧାରଣ ଯୁଦ୍ଧ ଘୋଷଣା ନୁହେଁ; ଏହା ନୀତିବାନ ସତ୍ତାର ସକ୍ରିୟତାର ଘୋଷଣା । ଆଜି ଭାରତୀୟ ସମାଜରେ, ସତ୍ୟ ଜାଣିବା ସତ୍ତ୍ୱେ ନୀରବତା, ଅନ୍ୟାୟ ପ୍ରତି ସହନଶୀଳତା ଅବଲମ୍ବନ କରିବାର ଦେଖିବାକୁ ମିଳେ । ଗୀତା ୧.୧୪ ର ଶଙ୍ଖଧ୍ୱନି କହେ, ସମାଜରେ ନୀରବ ନୀତିବାନ ଲୋକମାନେ ଯେତେବେଳେ ଜାଗି ଉଠନ୍ତି, ସେତେବେଳେ ଅଧର୍ମ କମ୍ପିଉଠେ । ଶ୍ରୀକୃଷ୍ଣ ଏଠାରେ ବିବେକର ପ୍ରତୀକ, ଓ ଅର୍ଜୁନ ସାଧାରଣ ନାଗରିକ – ଯିଏ ଦ୍ୱନ୍ଦ୍ୱରେ ଥିଲେ ମଧ୍ୟ ସତ୍ୟ ପକ୍ଷରେ ଠିଆ ହେବାକୁ ପ୍ରସ୍ତୁତ ।
- ସେହିପରି ପରିବାରରେ ଯେତେବେଳେ ଜଣେ ବୁଦ୍ଧିମାନ ପଥପ୍ରଦର୍ଶକ (ବାପା/ଗୁରୁ) ଓ ଜଣେ କର୍ତ୍ତବ୍ୟଶୀଳ ସଦସ୍ୟ ଏକାଠି ବସି କୌଣସି ନିଷ୍ପତ୍ତି ନେଇଥାନ୍ତି, ସେଠାରେ ନ୍ୟାୟ ଓ ଶାନ୍ତି ସ୍ଥାପିତ ହୁଏ । ଆଧୁନିକ ଜୀବନ ଯୁଦ୍ଧରେ କେବଳ ସାହସ ନୁହେଁ, ସଠିକ ମାର୍ଗଦର୍ଶନ ଆବଶ୍ୟକ । ଯେଉଁଠି ବିବେକ ଓ କର୍ତ୍ତବ୍ୟ ଏକାତ୍ମ, ସେଠି ବିଜୟ ନିଶ୍ଚିତ । ପରିବାରରେ ପିତାମାତାଙ୍କ ଅନୁଭବକୁ ଅବହେଳା, ସନ୍ତାନଙ୍କ ଆକାଂକ୍ଷାକୁ ଦମନ, ଆଲୋଚନା ପରିବର୍ତ୍ତେ କଳି ଝଗଡା ଓ ସଂଘର୍ଷ, ଦେଖିବାକୁ ମିଳେ । ଗୀତା ୧.୧୪ କୁହେ – ପରିବାରରେ କୃଷ୍ଣ ନଥିଲେ (ବିବେକ), ଅର୍ଜୁନ ଭ୍ରମିତ ହୁଏ; ଅର୍ଜୁନ ନଥିଲେ (ସାହସ), କୃଷ୍ଣ ଅନୁପଯୋଗୀ ହୁଏ । ଯେଉଁ ପରିବାରରେ ପରାମର୍ଶ ଓ କାର୍ଯ୍ୟ ଏକାତ୍ମ, ସେଠାରେ ଶଙ୍ଖଧ୍ୱନି ଶାନ୍ତି ଆଣେ, ସଂଘର୍ଷ ନୁହେଁ । ଯେଉଁଠି କୃଷ୍ଣ ଓ ଅର୍ଜୁନ ଏକାଠି, ସେଠାରେ ଧର୍ମର ଶଙ୍ଖଧ୍ଵନି ଅନିବାର୍ଯ୍ୟ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
