tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୧୨ ଶ୍ଳୋକ :ତସ୍ୟ ସଞ୍ଜନୟନ୍ ହର୍ଷଂ…

1 min read

ତସ୍ୟ ସଞ୍ଜନୟନ୍ ହର୍ଷଂ କୁରୁବୃଦ୍ଧଃ ପିତାମହଃ ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ॥

  • କୌରବମାନଙ୍କ ହୃଦୟରେ ଆନନ୍ଦ (ହର୍ଷ) ସୃଷ୍ଟି କରିବା ପାଇଁ, କୁରୁବଂଶର ବୃଦ୍ଧ ପିତାମହ ଭୀଷ୍ମ, ସିଂହ ନାଦ ପରି ଉଚ୍ଚ ସ୍ୱରରେ ନିଜ ଶଙ୍ଖ ଧ୍ୱନିତ କଲେ । ଏହି ଶ୍ଳୋକରେ ଭୀଷ୍ମଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦୁର୍ଯ୍ୟୋଧନଙ୍କ ମନରେ ଯେଉଁ ଆତ୍ମବିଶ୍ୱାସର ଅଭାବ ଥିଲା, ତାହାକୁ ଦୂର କରିବା ପାଇଁ ଭୀଷ୍ମ ନିଜ ଶଙ୍ଖ ଧ୍ୱନିତ କରୁଛନ୍ତି । ଏଠାରେ ଶଙ୍ଖନାଦ କେବଳ ଯୁଦ୍ଧ ଆରମ୍ଭର ସଙ୍କେତ ନୁହେଁ, ଏହା ହେଉଛି ନେତୃତ୍ୱର ମନୋବଳ ବୃଦ୍ଧିର ପ୍ରତୀକ ।
  • ଭୀଷ୍ମ ଯଦିଓ ଧର୍ମଜ୍ଞ, ତଥାପି ସେ ଅଧର୍ମ ପକ୍ଷରେ ଥିବା କୁରୁ ବଂଶ ପ୍ରତି ନିଷ୍ଠାଶୀଳ । ତେଣୁ ଭୀଷ୍ମଙ୍କ ଶଙ୍ଖନାଦ ପ୍ରତିପାଦନ କରାଏ ଯେ ବହୁ ସମୟରେ ବୃଦ୍ଧ ଓ ପ୍ରଭାବଶାଳୀ ଲୋକମାନଙ୍କର ସମର୍ଥନ, ଅନ୍ୟାୟ ପକ୍ଷକୁ ମଧ୍ୟ ଆତ୍ମବିଶ୍ୱାସ ଦେଇଥାଏ, ଯାହା ଆଧୁନିକ ସମାଜ ଓ ରାଜନୀତିରେ ମଧ୍ୟ ଦୃଶ୍ୟମାନ। ବୃଦ୍ଧ ଓ ଅନୁଭବୀଙ୍କର ଅନ୍ଧ ସମର୍ଥନ ଅନ୍ୟାୟକୁ ଶକ୍ତିଶାଳୀ କରେ ।
  • ମହାଭାରତର କୁରୁକ୍ଷେତ୍ର ଯୁଦ୍ଧ କେବଳ ଅସ୍ତ୍ର-ଶସ୍ତ୍ରର ସଂଘର୍ଷ ନୁହେଁ; ଏହା ମାନବ ମନ, ନୀତି, ପାରିବାରିକ ନିଷ୍ଠା ଓ ସାମାଜିକ ଦାୟିତ୍ୱର ଗଭୀର ଦ୍ଵନ୍ଦର ଏକ ଜୀବନ୍ତ ଚିତ୍ର । ଗୀତାର ପ୍ରଥମ ଅଧ୍ୟାୟର ଦ୍ୱାଦଶ ଶ୍ଳୋକ ଏହି ଦ୍ଵନ୍ଦକୁ ସଂକେତମୟ ଭାବରେ ଆମ ସମ୍ମୁଖରେ ଉପସ୍ଥାପନ କରେ । ଭୀଷ୍ମ କୁରୁବଂଶର ବୃଦ୍ଧ ପିତାମହ, ଧର୍ମଜ୍ଞ, ଅନୁଭବୀ ଓ ସମ୍ନାନସ୍ପଦ। ଦୁର୍ଯୋଧନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ପାଇଁ ସେ ସିଂହନାଦ ସଦୃଶ ଉଚ୍ଚ ସ୍ୱରରେ ଶଙ୍ଖ ଧ୍ୱନିତ କରନ୍ତି । ଏହି ଶଙ୍ଖନାଦ ଦୃଶ୍ୟତଃ ଯୁଦ୍ଧ ଆରମ୍ଭର ସଙ୍କେତ ହେଲେ ମଧ୍ୟ, ଗଭୀରରେ ଏହାହେଉଛି ଏକ ମନୋବୈଜ୍ଞାନିକ ସମର୍ଥନ – ଅନ୍ୟାୟ ପକ୍ଷକୁ ମିଳୁଥିବା ବୃଦ୍ଧଙ୍କ ଆଶୀର୍ବାଦ।
  • ଭୀଷ୍ମ ପାଣ୍ଡବମାନଙ୍କ ଧାର୍ମିକତା ଓ ନ୍ୟାୟପରୟଣତାକୁ ଜାଣିଥିଲେ । ତଥାପି, କୁରୁବଂଶ ପ୍ରତି ନିଜ ଶପଥ ଓ ପରମ୍ପରାଗତ ନିଷ୍ଠା ତାଙ୍କୁ କୌରବ ପକ୍ଷରେ ଦଣ୍ଡାୟମାନ କରିଥିଲା । ଏଠାରେ ଗୀତା ପ୍ରଶ୍ନ ଉଠାଏ – ପରିବାର ପ୍ରତି ନିଷ୍ଠା କ’ଣ ନ୍ୟାୟର ଉର୍ଦ୍ଧ୍ବରେ ? ଏହି ପ୍ରଶ୍ନ ଆଜି ମଧ୍ୟ ପ୍ରତ୍ୟେକ ପରିବାରରେ ଦେଖାଯାଏ, ଯେଉଁଠି ବୃଦ୍ଧମାନେ ଭୁଲ୍ ହୋଉଥିବାର ଜାଣିଥିଲେ ମଧ୍ୟ “ନିଜ ଲୋକ” ବୋଲି ଅନ୍ୟାୟକୁ ସମର୍ଥନ କରନ୍ତି ।
  • ଗୀତା ଏଠାରେ ସ୍ପଷ୍ଟ ସନ୍ଦେଶ ଦିଏ – ନେତୃତ୍ୱ କେବଳ ଉତ୍ସାହ ଦେବାର ନାମ ନୁହେଁ; ଏହା ହେଉଛି ନୀତିଗତ ପଥ ଦେଖାଇବାର ଦାୟିତ୍ୱ । ବୃଦ୍ଧ ଓ ଅନୁଭବୀ ଲୋକମାନଙ୍କର ଗୋଟିଏ ଶବ୍ଦ, ଗୋଟିଏ ଇସାରା ସମ୍ପୂର୍ଣ୍ଣ ସମାଜକୁ ପ୍ରଭାବିତ କରିପାରେ । ବୃଦ୍ଧଙ୍କ ନିରବତା କିମ୍ବା ଭୁଲ୍ ସମର୍ଥନ ଇତିହାସକୁ ଭୁଲ୍ ଦିଗକୁ ନେଇଯାଏ । ଭୀଷ୍ମଙ୍କ ଶଙ୍ଖନାଦ ଆମ ପାଇଁ ଏକ ଚେତାବନୀ । ଶକ୍ତିଶାଳୀଙ୍କର ଧ୍ୱନି ଯଦି ଧର୍ମବିହୀନ ହୁଏ, ତେବେ ତାହା ଧ୍ୱଂସର ଶଙ୍ଖନାଦ ହୋଇଯାଏ ।
    ଦୁର୍ଯ୍ୟୋଧନଙ୍କ ମନରେ ଉତ୍ସାହ ସୃଷ୍ଟି କରିବାକୁ ବୃଦ୍ଧ ପିତାମହ ଭୀଷ୍ମ ଯେତେବେଳେ ଶଙ୍ଖ ଧ୍ୱନିତ କଲେ, ସେଠାରେ ଗୀତା ଆମ ସମ୍ମୁଖରେ ଏକ ସନାତନ ପ୍ରଶ୍ନ ରଖିଦେଲା- “ଶକ୍ତିଶାଳୀଙ୍କ ସମର୍ଥନ ଦ୍ୱାରା ଅନୀତି କ’ଣ ନୀତିକୁ ପରିବର୍ତ୍ତନ ହୋଇଯାଇପାରେ? ଭୀଷ୍ମଙ୍କ ଭୂମିକା ଆଜିର ପରିବାରରେ ବୃଦ୍ଧ ଅଭିଭାବକଙ୍କ ପରି ।
  • ବହୁ ସମୟରେ ଦେଖାଯାଏ ପୁଅ ବା ଝିଅ ଭୁଲ୍ କରୁଥିଲେ ମଧ୍ୟ “ଆମର ଛୁଆ” ବୋଲି ସମର୍ଥନ କରି ପିଲାର ଭୁଲ୍‌କୁ ଢାଙ୍କିଦେବା ପାଇଁ ପାରିବାରିକ ପ୍ରଭାବର ବ୍ୟବହାର କରାଯାଏ । ଏପରି ସମର୍ଥନ ତୁରନ୍ତ ଆତ୍ମବିଶ୍ୱାସ ଦିଏ, କିନ୍ତୁ ଦୀର୍ଘକାଳରେ ଚରିତ୍ର ଧ୍ୱଂସ କରେ । ଭୀଷ୍ମଙ୍କ ଶଙ୍ଖନାଦ ପରିବାରରେ “ଭୁଲ୍‌କୁ ମାଫ୍” କରିଦେବାର ପ୍ରତୀକ ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply