ଶ୍ରୀମଦ୍ ଭଗବଦ୍ ଗୀତା ୨: ୧୯ ଶ୍ଳୋକ : ୟ ଏନଂ ବେତ୍ତି ହନ୍ତାରଂ..
1 min read
ୟ ଏନଂ ବେତ୍ତି ହନ୍ତାରଂ ୟଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ॥
ଯେଉଁ ଲୋକ ଭାବେ ଯେ “ମୁଁ ଏହାକୁ ହତ୍ୟା କରୁଛି” ଏବଂ ଯିଏ ଭାବେ “ମୁଁ ହତ ହେଉଛି”- ସିଏ ଉଭୟଙ୍କୁ ଜାଣେନାହିଁ । କାରଣ ଏହା (ଆତ୍ମା) ସ୍ଵତଃ ହତ ହୁଏନାହିଁ ଅଥବା କାହାକୁ ହତ୍ୟା କରେନି ।
ଗୀତାର ଏହି ଶ୍ଳୋକ ମନୁଷ୍ୟର ମୂଳ ଭ୍ରମ – “ମୁଁ କର୍ତ୍ତା” ଓ “ମୁଁ ଭୋକ୍ତା” ଧାରଣାକୁ ଉଜାଗର କରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ହତ୍ୟା କରିବା ଓ ହତ ହେବା – ଏହି ଦୁଇ ଧାରଣା ଶରୀର ସହ ଜଡିତ, ଆତ୍ମା ସହ ନୁହେଁ । ଦାର୍ଶନିକ ଦୃଷ୍ଟିରୁ “ହନ୍ତା” (ହତ୍ୟାକାରୀ) ଓ “ହତ” (ହତ ହୋଇଥିବା) ଦୁହେଁ ମାନବ ଅହଂକାରର ଫଳ । ମନୁଷ୍ୟ ନିଜକୁ ଶରୀର ଭାବିବାରୁ ସେ ଭାବେ- ମୁଁ କାର୍ଯ୍ୟ କରୁଛି, ମୁଁ ଫଳ ଭୋଗୁଛି । କିନ୍ତୁ ଗୀତା ଏଠାରେ କହେ – ଆତ୍ମା ଏହି କ୍ରିୟା-ପ୍ରତିକ୍ରିୟାରୁ ଉପରେ । ଆତ୍ମା ନା କର୍ତ୍ତା, ନା ଭୋକ୍ତା; ସେ କେବଳ ସାକ୍ଷୀ ।
ଯେତେବେଳେ ମନୁଷ୍ୟ ନିଜକୁ ସର୍ବକର୍ତ୍ତା ରୂପେ ଭାବେ, ସେ ଅହଂକାରରେ ଆବୃତ ହୁଏ । କିନ୍ତୁ ଯେତେବେଳେ ସେ ବୁଝେ ଯେ ଜୀବନର ଗଭୀର ସ୍ତରରେ କେହି ହତ୍ୟା କରୁନାହିଁ, କେହି ହତ ହେଉନାହିଁ – ସେ ମାନସିକ ଶାନ୍ତିକୁ ପ୍ରାପ୍ତ କରେ । ଏହିପରି, ଗୀତା ୨:୧୯ ମନୁଷ୍ୟକୁ ଶାରୀରିକ ଚେତନାରୁ ଉଠାଇ ସତ୍ୟ ସ୍ୱରୂପ ଚେତନା ପ୍ରତି ନେଇଯାଏ – ଯେଉଁଠାରେ ନା ହତ୍ୟା ଅଛି, ନା ମୃତ୍ୟୁ; ଅଛି କେବଳ ନିତ୍ୟ ସତ୍ତା ।
ସମାଜରେ ଅଧିକାଂଶ ସଂଘର୍ଷର ମୂଳ କାରଣ ହେଉଛି – ଦୋଷ ଆରୋପଣ ଓ ପ୍ରତିଶୋଧର ମନୋଭାବ। “ସେ ମୋତେ ଧ୍ୱଂସ କଲା”, “ମୁଁ ତାକୁ ଶିକ୍ଷା ଦେଲି”- ଏପରି ଧାରଣା ସମାଜକୁ ହିଂସାମୁଖୀ କରେ । ଗୀତା ୨:୧୯ କହେ, ଏହି “କର୍ତ୍ତା – ଭୋକ୍ତା ” ଭାବନା ଅଜ୍ଞାନର ଫଳ । ପରିବାରରେ ଦ୍ୱନ୍ଦ୍ୱ ଅଧିକାଂଶ ସମୟରେ ଏହି ଭାବନାରୁ ଉତ୍ପନ୍ନ ହୁଏ । “ତୁମେ ମୋତେ ଆଘାତ ଦେଲ”,“ମୁଁ ତୁମକୁ ଠିକ୍ ଶିକ୍ଷା ଦେଉଛି”। ପାରିବାରିକ ଜୀବନରେ ଯେତେବେଳେ ଆମେ ନିଜକୁ ସର୍ବକର୍ତ୍ତା ଭାବେ ଭାବୁ, ସମ୍ପର୍କ ଭାଙ୍ଗିଯାଏ । କିନ୍ତୁ ଯଦି ଆମେ ବୁଝୁ ଯେ ଭୁଲ, ରୋଷ, ଭୟ – ଏସବୁ ପରିସ୍ଥିତିର ଫଳ, ତେବେ କ୍ଷମା ଓ ସମ୍ବେଦନା ଜନ୍ମ ନେଇଥାଏ । ଏହି ଶ୍ଳୋକ ପରିବାରକୁ ଦୋଷାରୋପ ମଧ୍ୟରେ ନୁହେଁ, ବୁଝାମଣାର ଭିତ୍ତିରେ ଗଢ଼ିବାକୁ ପ୍ରେରଣା ଦିଏ ।
ସାଧାରଣତଃ ମନୁଷ୍ୟ ନିଜକୁ କର୍ତ୍ତା ଭାବେ ଦେଖିଥାଏ – “ମୁଁ କରୁଛି”, “ମୁଁ ପରିବର୍ତ୍ତନ ଆଣୁଛି” । ଗୀତା ୨:୧୯ କହେ – ଯିଏ ଏପରି ଭାବେ, ସେ ତତ୍ତ୍ୱକୁ ଜାଣେନି। କାରଣ କାର୍ଯ୍ୟ ଘଟେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା, ନିତ୍ୟ ଆତ୍ମା ଦ୍ୱାରା ନୁହେଁ । ଆତ୍ମା କର୍ତ୍ତା ନୁହେଁ, ସେ କେବଳ ସାକ୍ଷୀ । ପୁରୁଷ (ଚେତନା) ଓ ପ୍ରକୃତି (କାର୍ଯ୍ୟଶୀଳତା) ଭିନ୍ନ ଭିନ୍ନ । ହତ୍ୟା, ଜୟ, ପରାଜୟ – ସବୁ ପ୍ରକୃତିର କ୍ଷେତ୍ରରେ ଘଟେ; ଆତ୍ମା ଏହାର ସାକ୍ଷୀ ମାତ୍ର । ଦାର୍ଶନିକ ଭାବେ “ହନ୍ତା” ଓ “ହତ” ଦୁଇଟି ଧାରଣା କାଳ, ଦେହ ଓ କାରଣତା ସହ ଜଡିତ । ଯାହା ସମୟରେ ଆସିଛି, ସେ ସମୟରେ ଯିବ; କିନ୍ତୁ ଆତ୍ମା ସମୟାତୀତ । ତେଣୁ ହତ୍ୟା ଓ ମୃତ୍ୟୁ, ଆତ୍ମା ପାଇଁ ଅର୍ଥହୀନ। ଯାହା ନିତ୍ୟ, ତାହା ନାଶଶୀଳ କ୍ରିୟାରେ ଆବଦ୍ଧ ହୋଇପାରେନି ।
ଯଦି “ଆତ୍ମା”କୁ ଚେତନା ଭାବେ ଧରାଯାଏ, ତେବେ ଏହାର ଅର୍ଥ – ମନୁଷ୍ୟ ଘଟଣାକୁ ନିଜ ଅହଂକାର ମାଧ୍ୟମରେ ଦେଖେ । ସେ ଭାବେ – ମୁଁ ସବୁ କରୁଛି, ମୋ ସହ ସବୁ ଘଟୁଛି । କିନ୍ତୁ ଦାର୍ଶନିକ ଭାବରେ କହିବାକୁ ଗଲେ – ସମାଜ, ପରିସ୍ଥିତି, ପ୍ରବୃତ୍ତି, ଭୟ, ଲୋଭ ଏସବୁର ସଂଯୋଗରେ କାର୍ଯ୍ୟ ଘଟେ । ଚେତନା କେବଳ ତାହାକୁ ଦେଖେ । ଚେତନା କାହାକୁ ଧ୍ୱଂସ କରେନି, ନା ନିଜେ ଧ୍ୱଂସ ହୁଏ । ମନୁଷ୍ୟ ମରେ, ଶରୀର ନଷ୍ଟ ହୁଏ, ସ୍ମୃତି ଲୁପ୍ତ ହୁଏ । କିନ୍ତୁ ଚେତନା ଭାବରେ ଯାହା ସତ୍ୟ, ନ୍ୟାୟ – ସିଏ ପ୍ରଶ୍ନ ଓ ଅର୍ଥ ଖୋଜେ – ସେଇ ଧାରା ଅବିରତ ରହେ । ହନ୍ତା ଓ ହତ ଏକ ମନୋବୈଜ୍ଞାନିକ ଭ୍ରମ ।
“ଆତ୍ମା” ଏଠାରେ କୌଣସି ଦେବତାସ୍ୱରୂପ ସତ୍ତା ନୁହେଁ, ବରଂ ଏକ ନିରପେକ୍ଷ ସଚେତନ ସ୍ଥିତି । ଯାହା କ୍ରୋଧକୁ ଦେଖେ, କ୍ରୋଧିତ ହୁଏନାହିଁ, ଭୟକୁ ଦେଖି, ଭୟଭୀତ ହୁଏନାହିଁ । ଏହି ଅର୍ଥରେ, ଆତ୍ମା ନା ହତ୍ୟା କରେ, ନା ହତ ହୁଏ । ମନୁଷ୍ୟ ହତ୍ୟା କରୁଛି ବୋଲି ଭାବେ, ମନୁଷ୍ୟ ହତ ହେଉଛି ବୋଲି ଭାବେ । କିନ୍ତୁ ଚେତନାର ସ୍ତରରେ ନା କେହି ହନ୍ତା, ନା କେହି ହତ । ରହିଅଛି କେବଳ, ଦେଖୁଥିବା ସଚେତନତା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
