tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୪୬ ଶ୍ଳୋକ : ଯଦି ମାମ୍ ଅପ୍ରତୀକାରମ୍ ଅଶସ୍ତ୍ରଂ….

1 min read

ଯଦି ମାମ୍ ଅପ୍ରତୀକାରମ୍ ଅଶସ୍ତ୍ରଂ ଶସ୍ତ୍ରପାଣୟଃ ।
ଧାର୍ତରାଷ୍ଟ୍ରା ରଣେ ହନ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍ ॥

“ଯଦି ଯୁଦ୍ଧକ୍ଷେତ୍ରରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମତେ ବିନା ପ୍ରତିରୋଧରେ, ନିରସ୍ତ୍ର ଅବସ୍ଥାରେ ଥିଲାବେଳେ ହତ୍ୟା କରନ୍ତି, ତେବେ ତାହା ମୋ ପାଇଁ ଯୁଦ୍ଧ କରିବାଠାରୁ ଅଧିକ ଶ୍ରେୟସ୍କର ହେବ।”


ଅର୍ଜୁନଙ୍କ ମାନସିକ ସଂଘର୍ଷ ଧୀରେ ଧୀରେ ଚରମ ସୀମାକୁ ପହଞ୍ଚିଛି । ୧.୪୬ ଶ୍ଳୋକରେ ଅର୍ଜୁନ ଯୁଦ୍ଧ ପ୍ରତି ତାଙ୍କର ଗଭୀର ବିରକ୍ତି ଓ ନିରାଶାକୁ ସ୍ପଷ୍ଟ କରିଛନ୍ତି । ଅର୍ଜୁନ ଭାବୁଛନ୍ତି; ନିଜ ଆତ୍ମୀୟ, ଗୁରୁ, ବୃଦ୍ଧମାନଙ୍କୁ ହତ୍ୟା କରି ଜୀବନ ରକ୍ଷା କରିବାଠାରୁ, ନିଜେ ନିରସ୍ତ୍ର ହୋଇ ମୃତ୍ୟୁ ବରଣ କରିବା ଅଧିକ ନୀତିସଂଗତ ।


ଏଠାରେ ଅର୍ଜୁନଙ୍କ ଚିନ୍ତାଧାରା ଦୟା, ଆସକ୍ତି ଓ ଭୟରେ ଆବୃତ । କ୍ଷତ୍ରିୟ ଧର୍ମ ଅନୁଯାୟୀ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ହେଲେ ମଧ୍ୟ, ପାରିବାରିକ ମମତା ଓ ନୀତିଗତ ସଂକୋଚ ତାଙ୍କୁ ଦୃଢ଼ ନିଷ୍ପତ୍ତି ନେବାରୁ ନିବୃତ କରୁଛି । ସେ ଭାବୁଛନ୍ତି ଯେ ଏପରି ରକ୍ତପାତ ତାଙ୍କୁ ନା କୀର୍ତ୍ତି ଦେବ, ନା ସୁଖ । ସାମାଜିକ ଦୃଷ୍ଟିକୋଣରୁ ଏହି ଶ୍ଳୋକ ଆଜି ମଧ୍ୟ ପ୍ରାସଙ୍ଗିକ । ଯେତେବେଳେ ସ୍ୱାର୍ଥ, ସତ୍ତା କିମ୍ବା ରାଜନୈତିକ ଲାଭ ପାଇଁ ନିଜ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ପଡ଼େ, ସେତେବେଳେ ଅନେକ ମଣିଷ ଅର୍ଜୁନଙ୍କ ପରି ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ ଚିନ୍ତା କରନ୍ତି – ଜିତିବାର ମୂଲ୍ୟ କ’ଣ? ଏହି ଶ୍ଳୋକ ମାଧ୍ୟମରେ ଗୀତା ଆମକୁ ଦେଖାଏ ଯେ କେବଳ ଦୟା କିମ୍ବା ଭାବନାକୁ ଭିତ୍ତି କରି ନିଷ୍ପତ୍ତି ନେଲେ, ମଣିଷ କର୍ତ୍ତବ୍ୟ ଭ୍ରଷ୍ଟ ହୋଇପାରେ । ଏହି ମାନସିକ ଅବସ୍ଥାରୁ ଅର୍ଜୁନଙ୍କୁ ମୁକ୍ତ କରିବା ପାଇଁ ଶ୍ରୀକୃଷ୍ଣ ପରବର୍ତ୍ତୀ ଅଧ୍ୟାୟରେ କର୍ମଯୋଗ ଓ ଧର୍ମର ଗଭୀର ଉପଦେଶ ଦେଇଛନ୍ତି ।


ଏହି ଶ୍ଳୋକରେ ଅର୍ଜୁନ ମାନସିକ ଦ୍ଵନ୍ଦ ତଥା ନିଷ୍ପତ୍ତି ନେବାର ଅସମର୍ଥତା ଅବସ୍ଥାରେ ପହଞ୍ଚି ଯାଇଛନ୍ତି । ଯୁଦ୍ଧର ପରିଣାମ ସମ୍ପର୍କରେ ଚିନ୍ତା କରି ତାଙ୍କ ମନ ଏତେ ଭୟଭୀତ ଯେ, ସେ ମୃତ୍ୟୁକୁ ମଧ୍ୟ ମୁକ୍ତିର ମାଧ୍ୟମ ଭାବରେ ଦେଖୁଛନ୍ତି । ଏହାକୁ ଆଧୁନିକ ମନୋବିଜ୍ଞାନରେ ‘ପଳାୟନମୂଳକ ପ୍ରତିକ୍ରିୟା’ କୁହାଯାଏ – ଯେତେବେଳେ ମଣିଷ ଜଟିଳ ସମସ୍ୟାରୁ ପଳାଇବାକୁ ମୃତ୍ୟୁ କିମ୍ବା ପରାଜୟକୁ ମଧ୍ୟ ଭଲ ବିକଳ୍ପ ଭାବେ ଧରିନିଏ ।
ଅର୍ଜୁନ ଭାବୁଛନ୍ତି; ପରିବାରକୁ ରକ୍ଷା କରିବା ପାଇଁ ଯୁଦ୍ଧ କରିବା ଯଦି ପରିବାରକୁ ଧ୍ୱଂସ କରେ, ତେବେ ସେ ଯୁଦ୍ଧ କାହିଁକି? ଆଧୁନିକ ସମାଜରେ ମଧ୍ୟ ଏପରି ଦ୍ୱନ୍ଦ୍ୱ ଦେଖାଯାଏ । ଦୁର୍ନୀତି ବିରୋଧରେ ଲଢ଼ିଲେ ପରିବାରର ସୁରକ୍ଷା ବିପଦରେ ପଡ଼େ । କଟୁ ସତ୍ୟ କହିଲେ ସମ୍ପର୍କ ଭାଙ୍ଗିଯାଏ ।
ରାଜନୀତିରେ ଅର୍ଜୁନ ହେଉଛନ୍ତି ସେଇ ନେତା, ଯିଏ ନ୍ୟାୟ ଜାଣିଛନ୍ତି, କିନ୍ତୁ ନିଷ୍ପତ୍ତି ନେବାକୁ ସାହସ କରୁନାହାନ୍ତି । ସେ ଭାବୁଛନ୍ତି; ଯଦି ମୁଁ ପ୍ରତିବାଦ କରିବି, ରକ୍ତପାତ ହେବ; ତାଠାରୁ ମୋର ନିଷ୍କ୍ରିୟତା ଭଲ ।

କିନ୍ତୁ ନ୍ୟାୟବିରୋଧୀ ଶକ୍ତିଙ୍କ ସମ୍ମୁଖରେ ନିରବତା ମଧ୍ୟ ଏକ ପାପ। ଏହି ଶ୍ଳୋକ କୁହେ – “ଅନ୍ୟାୟକୁ ପ୍ରତିବାଦ ନ କରି ପଳାୟନ କରିବା ମଧ୍ୟ ଅନ୍ୟାୟ।”


ଗୀତା ୧.୪୬ କେବଳ ଅର୍ଜୁନଙ୍କ ଦୁର୍ବଳତା ନୁହେଁ, ଏହା ମଣିଷମାନଙ୍କ ସାର୍ବଭୌମ ମନୋଦ୍ୱନ୍ଦ୍ୱ । ଯେତେବେଳେ ଧର୍ମ ଓ ମମତା ମୁହାଁମୁହିଁ ହୁଏ, ମଣିଷ ମୃତ୍ୟୁକୁ ମଧ୍ୟ ସମାଧାନ ଭାବେ ଭାବିପାରେ । କିନ୍ତୁ ଗୀତା ଆମକୁ ଶିଖାଏ – ପଳାୟନ ନୁହେଁ, ସଚେତନ କର୍ତ୍ତବ୍ୟବୋଧ ହିଁ ଜୀବନର ସଠିକ ମାର୍ଗ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply