ରାଜ୍ୟସଭା ପଲିଟିକ୍ସ : କହିଁ ପେ’ ନିଗାଏଁ, କହିଁ ପେ’ ନିଶାନା?
1 min read
Oplus_16908288
//POLITICAL ANALYSIS //
“କହିଁ ପେ ନିଗାଏଁ, କହିଁ ପେ ନିଶାନା”
ହିନ୍ଦୀ ଫିଲ୍ମ ‘ସିଆଇଡି’ର ସୁପରହିଟ ଏଇ ଗୀତ ୧୯୫୬ରେ ମୁକ୍ତିଲାଭ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା I ଆଜି ଯାଏ ସେ ଗୀତର ଚାହିଦା ରହିଛି I
ମାତ୍ର ରାଜ୍ୟସଭା ନିର୍ବାଚନରେ ଓଡ଼ିଶାର ମାହୋଲ ଉଷ୍ଣ ଥିଲାବେଳେ ହଠାତ ଏଇ ଗୀତ ପୁଣି ଥରେ ପାୱାର କରିଡରରେ ଗୁଞ୍ଜରିତ ହେବା ଆଶ୍ଚର୍ଯ୍ୟ ଲାଗୁଛି I
- ଅନେକେ ଗୁଣୁଗୁଣେଇ ହେବା ମଧ୍ୟ ଦେଖାଯାଉଛି I
- ରାଜଧାନୀ ଫ୍ରିଡମ ଟ୍ରି ପାର୍ଶ୍ୱରେ ଛିଡା ହୋଇଥିବା କିଛି ଚେଙ୍ଗଡ଼ା ଟୋକା କହିଲେ, “ଏକଦା ଛାଇ ଦେଖିଲେ ନାହି ଡେଉଁଥିବା ଏବଂ ପରମ ଶତ୍ରୁ ଭାବେ ଉଭା ହୋଇଥିବା “ହାତ -ଶଙ୍ଖ ଦଳର ଚତୁରେ ଚତୁରେ କୋଳାକୋଳି” ପ୍ରେମ ଦେଖି ଗୀତର ଡିମାଣ୍ଡ ବଢିଛି I ତାଳରୁ ତଳିପା (ପୁରୁଣା ଓ ନୂଆ) ସମସ୍ତେ ସେଇ ଗୋଟିଏ ଗୀତରେ ମସଗୁଲ -“କହିଁ ପେ ନିଗାଏଁ, କହିଁ ପେ ନିଶାନା”…. କାହିଁକି ଆପଣ ସହଜରେ ବୁଝି ପାରିବେ ନାହିଁ I ଟିକିଏ ଭିତ୍ତିରେଇ ଦେଖିଲେ, ବଡ଼ ଷଡଯନ୍ତ୍ର ହୋଇଛି..ଦୁଇ ଦଳ ପାଇଁ ସମାନ ରଣନୀତି… ଜଣଙ୍କ କାନ୍ଧରେ ବନ୍ଧୁକ.. ଫୁଟାଉଛି ଅନ୍ୟ ଜଣେ.. ତାହାକୁ ବୁଝିବା ଆଗରୁ ସବୁ ଯାଇଥିବ ସରି I”

ତାହେଲେ ଶଙ୍ଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହାତ ଦଳର ମୁଖିଆ ଭକ୍ତ ଚରଣ ଦାସ ରାଜ୍ୟସଭା ନିର୍ବାଚନ ପାଇଁ ଏକାଠି ହେବାର ଭିତିରି ଉଦେଶ୍ୟ କଣ ଥାଇପାରେ? ଅହି-ନକୁଳ ସମ୍ପର୍କ ଥିବା ଏହିଦୁଇ ଦଳ ଏକାଠି ହେଲେ କିପରି?
ଭବିଷ୍ୟତରେ କାହାର ଲାଭ? ଶଙ୍ଖ ଦଳ ନା ହାତ ଦଳର??
“ନା ଆଉ କେଉଁ ତୃତୀୟ ପକ୍ଷ ‘ରାଜନୀତିରେ ପଲିଟିକ୍ସ’ ପୁରାଇ ଦେଇଛନ୍ତି କି?
ଯାହା ଜଣା ପଡୁଛି ଯିଏ ନିଗାହେଁ (ନଜର )କରିଛି ସେ ନିଶାନା(ଟାର୍ଗେଟ) କରିଛନ୍ତି I
“କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂର ଭୟ। ବେଙ୍ଗାଲୁରୁ ଗଲେ କଂଗ୍ରେସ ବିଧାୟକ। ହୁଇପ୍ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ। ୮ରୁ ୯ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ଜଣାପଡ଼ିଛି।”

ଗୋଟିଏ ତୀରରେ ଦୁଇଟି ଶିକାର ଭଳି ସ୍ଥିତି ହୋଇଛି lଅର୍ଥାତ ହାତ-ଶଙ୍ଖ ଦଳର ଚତୁର ଚତୁରୀ କୋଳାକୋଳିଟା ଆଗାମୀ ଦିନରେ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ଜୋର ଧରିଛି l
ସମ୍ଭାବ୍ୟ କାରଣ :
- ଶଙ୍ଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ସଂତୃପ୍ତ ମିଶ୍ରଙ୍କର ନାଁ ଘୋଷଣା କଲେ ସେବେଠୁ ତାଙ୍କ ଦଳରେ ଛକାପଞ୍ଝା ତୀବ୍ର ହେଉଛି l ଏହାକୁ ଖୋଲାଖୋଲି ବିରୋଧ କରି କିଛି ବରିଷ୍ଠ ନେତା ଦଳ ଛାଡିଛନ୍ତି I କିଛି ବିଭୀଷଣ ଭୂମିକା ନିଭାଇବା ପାଇଁ ଟାକି ବସିଛନ୍ତି I ଏଭଳି ସ୍ଥିତିରେ ସଂତୃପ୍ତ “ଆମେ କଂଗ୍ରେସ ସହ ଡିଲ” କରିଛୁ କହି ବିବାଦର ନିଆଁରେ ଘିଅ ଢାଳିଥିବା କୁହାଯାଉଛି I ଏହି ବୟାନ ତାଙ୍କର ରାଜନୀତିରେ ଅପରପକ୍ଵତା ପ୍ରମାଣ କରିଛି I ଦୁଇ ଦଳର ଯେ ଚୋରା ପୀରତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି, ତାହା ଜଳ ଜଳ I
- ରବିନ୍ଦ୍ର ଜେନା ପଦ୍ମ ଧରିଲା ପରେ ଶଙ୍ଖ ଦଳର ଅଙ୍କ ବିଗିଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I ତାଙ୍କ ସହ ବବି ଗୋଷ୍ଠୀ ବି ସମ୍ପର୍କରେ ଥିବା ସେ ପରୋକ୍ଷ ସୂଚନା ଦେଇଛନ୍ତି I
- ରାଜ୍ୟ ବିଜେବି ସଭାପତି ମନମୋହନ ସାମଲ ଅଙ୍କ ଗଣିତ ହିସାବରେ ଜିତିବା ପ୍ରାୟ ନିଶ୍ଚିତ ଥିବାବେଳେ ବିଜେବି ସମର୍ଥିତ ସ୍ୱାଧୀନ ପାର୍ଥି ଦିଲୀପ ରାୟଙ୍କୁ ନେଇ ପଦ୍ମ ଦଳରେ ସାମାନ୍ୟ ଗୋଷ୍ଠୀ ବିବାଦ ରହିଛି l ଏହି ସ୍ଥିତିରେ ଶଙ୍ଖ ଓ ହାତ ଦଳର ଭୂମିକା ନିର୍ଣ୍ଣାୟକ ହେବ l ଦିଲ୍ଲୀପ ବାଜି ମାରି ନେବାର ସମ୍ଭାବନା ଅଧିକ I
ହେଲେ ବିଜେଡି ସମର୍ଥିତ ମିଳିତ ପାର୍ଥି ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଶିଶୁପାଳ ହେବେ ବୋଲି ଫ୍ରିଡମ ଟ୍ରୀ ଚେଙ୍ଗଡ଼ା ଟୋକା କହିବାର ଅନେକ ଗୁରୁତ୍ୱ ବହନ କରୁଛି I
ତେଣୁ ଆଗାମୀ ରାଜ୍ୟସଭା ନିର୍ବାଚନର ରୋଚକ ସ୍ଥିତି ଆଗକୁ ଆହୁରି ଦୃଶ୍ୟମାନ ହେବ I ଭବିଷ୍ୟତରେ ହାତ ଦଳ ପସ୍ତେଇବାର ବେଳ ଆସୁଛି I ସେଇଠି ସଚି ରାଉତରାୟଙ୍କ କବିତା ମନେ ପକାଇ ବାହୁନି ହେବା ସାର ହେବ I ମାତ୍ର ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ସାରିଥିବ I ଆଉ ବାଟ ବି ନଥିବ I
ପଦ୍ମ ଦଳ ନାକରେ କାଠି ପୁରାଇ ମୁରୁକୁ ହସି ପୁଣି … ଗାଇବ…. କହିଁ ପେ ନିଗାହେଁ…
ଦେଖାଯାଉ କେଉଁ ପାଣି କେଉଁଠିକୁ ଯାଉଛି I (କ୍ରମଶଃ )
