ଶ୍ରୀମଦ୍ ଭଗବଦ୍ ଗୀତା ୧: ୯ ଶ୍ଳୋକ : ଅନ୍ୟେ ଚ ବହବଃ ଶୂରା..
1 min read
ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ୟକ୍ତଜୀବିତାଃ ।
ନାନାଶସ୍ତ୍ରପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ ॥
- ଦୁର୍ଯୋଧନ କହୁଛନ୍ତି – “ମୋ ପକ୍ଷରେ ଏମିତି ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ। ସେମାନେ ବିଭିନ୍ନ ଶସ୍ତ୍ରରେ ପାରଦର୍ଶୀ ଓ ଯୁଦ୍ଧକଳାରେ ଦକ୍ଷ ।” ଏହି ଶ୍ଳୋକରେ ଦୁର୍ଯୋଧନ ନିଜ ସେନାବଳର ପରିମାଣ ଓ ସାହସକୁ ବର୍ଣ୍ଣନା କରୁଥିବା ପରି ଦେଖାଯାଏ । ଦୁର୍ଯୋଧନ ନିଜ ସେନାଙ୍କ ଗୁଣଗାନ କରୁଛନ୍ତି, କିନ୍ତୁ ଏହା ଭିତରେ ଗଭୀର ଭୟ ଲୁଚିଥିବାର ଅନୁମାନ କରାଯାଇପାରେ ।
“ମୋ ପାଇଁ ପ୍ରାଣ ଦେବେ”- ଏହି ଭାବ ଦୁର୍ଯୋଧନଙ୍କର ଅହଂକାରକୁ ପ୍ରକାଶ କରେ । ଏଠାରେ ଧର୍ମ କିମ୍ବା ନ୍ୟାୟ ନୁହେଁ, ବ୍ୟକ୍ତିଗତ ସ୍ୱାର୍ଥ ମୁଖ୍ୟ । ଆଜି ମଧ୍ୟ ଅନେକ ନେତା କିମ୍ବା ସଂଗଠନ, “ମୋ ପକ୍ଷରେ ଲୋକ ଅଛନ୍ତି”, “ମୋ ପାଖରେ ଶକ୍ତି ଅଛି” ବୋଲି କହନ୍ତି । କିନ୍ତୁ ନୀତି ଓ ନ୍ୟାୟ ନଥିଲେ ସେ ଶକ୍ତି ଦୀର୍ଘକାଳୀନ ହୁଏ ନାହିଁ । - “ତ୍ୟକ୍ତଜୀବିତାଃ” (ପ୍ରାଣ ଦେବାକୁ ପ୍ରସ୍ତୁତ) – ଏହା ନେତୃତ୍ୱର ଗୁଣ ନୁହେଁ, ଏହା ଅନ୍ଧ ଆଜ୍ଞାପାଳନର ପ୍ରଚାର । ଆଧୁନିକ ସମୟରେ ମଧ୍ୟ, ଯେଉଁ ନେତା ଲୋକଙ୍କୁ ଚିନ୍ତା କରିବା ପରିବର୍ତ୍ତେ ମୃତ୍ୟୁ, ବଳିଦାନ, ଉନ୍ମାଦନା ଉପରେ ଭରସା କରନ୍ତି, ତାହା ଦୁର୍ଯୋଧନୀୟ ନେତୃତ୍ୱ ସଦୃଶ ।
- “ମୋ ପକ୍ଷରେ ଅନେକ ବୀର ଅଛନ୍ତି, ସେମାନେ ମୋ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ, ଶସ୍ତ୍ରରେ ପାରଙ୍ଗତ, ଯୁଦ୍ଧରେ ନିପୁଣ।” ଏହା ହେଉଛି ଶକ୍ତିର ଘୋଷଣା, କିନ୍ତୁ ଧର୍ମର ନିଶ୍ଚୟତା ନୁହେଁ । “ମୋ ପକ୍ଷରେ ଅନେକ ଅଛନ୍ତି, “ମୋ ପାଇଁ ସବୁ କରିବେ”- ଏହା ଦୁର୍ଯୋଧନୀୟ ମନୋଭାବ ।
- ଦୁର୍ଯୋଧନ କହୁଛନ୍ତି, ସେମାନେ ଯୁଦ୍ଧରେ ପାରଙ୍ଗମ । କିନ୍ତୁ ପ୍ରଶ୍ନ ହେଉଛି – ଯୁଦ୍ଧ କାହା ପାଇଁ ? କାହିଁକି ? କୌଶଳ ଯଦି ଧର୍ମ ବିନା ବ୍ୟବହୃତ ହୁଏ, ସେହି କୌଶଳ ବିନାଶ ଆଣେ । ଇତିହାସରେ ନିନ୍ଦା ଲେଖାଯାଏ । ଦୁର୍ଯୋଧନଙ୍କ ସେନା ମଧ୍ୟରେ ଭୀଷ୍ମ, ଦ୍ରୋଣ, କୃପ ଅଛନ୍ତି । କିନ୍ତୁ ସେମାନଙ୍କର ହୃଦୟ ପାଣ୍ଡବ ପକ୍ଷରେ । ଏଥିରୁ ସୂଚିତ ହୁଏ, ଦେହର ସମର୍ଥନ ଥାଇପାରେ, କିନ୍ତୁ ହୃଦୟର ସମର୍ଥନ ନଥିଲେ, ଜୟ ଅସମ୍ଭବ ।
- ଗୀତା ୧.୯ରେ ଅହଂକାର କହୁଛି – “ମୋ ପାଖରେ ସବୁ ଅଛି”। କିନ୍ତୁ ଗୀତାର ଶେଷ କହେ -“ଯେଉଁଠି କୃଷ୍ଣ, ସେଠି ବିଜୟ”।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
